Unknown

 

 

 

 

 

 

 

 

 

୬୧ତମ ସଂଖ୍ୟା କୋଣାର୍କ ୧୯୮୬

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ

୧.

ସମୀକ୍ଷା ଓ ଗବେଷଣାଧର୍ମୀ ତ୍ରୈମାସିକ ପତ୍ରିକା ‘କୋଣାର୍କ’ର ପ୍ରକାଶନ ।

୨.

ଆଲୋଚନା ଚକ୍ର ଓ ଲେଖକ କର୍ମ-ଶିବିରର ଆୟୋଜନ ।

୩.

ଓଡ଼ିଆ ସାହିତ୍ୟର ସାତୋଟି ବିଭାଗରେ ଉତ୍କୃଷ୍ଟ ରଚନା ପାଇଁ ଉପାୟନ ପ୍ରଦାନ ।

୪.

ବରିଷ୍ଠ ସାହିତ୍ୟ-ସାଧକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ।

୫.

ସାରସ୍ୱତ ପ୍ରତିଷ୍ଠାନମାନଙ୍କୁ ଆର୍ଥିକ ସାହାଯ୍ୟ ।

୬.

ଅଭାବଗ୍ରସ୍ତ ସାହିତ୍ୟିକମାନଙ୍କୁ ସାମୟିକ ଅର୍ଥ ସାହାଯ୍ୟ ।

୭.

ସାହିତ୍ୟିକ ଅଭିଲେଖାଗାରର ପ୍ରତିଷ୍ଠା ଓ ବିକାଶ ପାଇଁ ପଦକ୍ଷେପ ଗ୍ରହଣ ।

୮.

ସାରସ୍ୱତ ଭାବ-ବିନିମୟ ଓ ଭାବ-ସଂହତି ପ୍ରତିଷ୍ଠା ପାଇଁ ଅନ୍ତଃପ୍ରାଦେଶିକ ସ୍ତରରେ ସାହିତ୍ୟିକମାନଙ୍କ ଭ୍ରମଣ ବ୍ୟବସ୍ଥା ।

୯.

କୃତୀ ଲେଖକ ଓ ସମୀକ୍ଷକମାନଙ୍କ ଦ୍ୱାରା ବିଭିନ୍ନ ଆଲୋଚନାଧର୍ମୀ ପୁସ୍ତକ ଓ ସଂକଳନ ପ୍ରଣୟନ ଏବଂ ପ୍ରକାଶନ ।

୧୦.

ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପବିତ୍ରସ୍ମୃତି ଉଦ୍ଦେଶ୍ୟରେ ସ୍ମାରକୀ ବକ୍ତୃତାମାଳାର ଆୟୋଜନ ।

୧୧.

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ପୁସ୍ତକ ପ୍ରଦର୍ଶନୀର ଆୟୋଜନ ।

 

କୋଣାର୍କ

(ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

୬୧ତମ ସଂଖ୍ୟା କୋଣାର୍କ ୧୯୮୬

 

ସମ୍ପାଦକ:

ରାଧାମୋହନ ଗଡ଼ନାୟକ

 

ପରିଚାଳନା ସମ୍ପାଦକ:

ସୁରେନ୍ଦ୍ରନାଥ ଶତପଥୀ

 

Image

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ଏ ସଂଖ୍ୟାର ଲେଖା ଓ ଲେଖକ

୧.

ବୀର ବିକ୍ରମଦେବଙ୍କ ନାଟ୍ୟ-ପ୍ରତିଭା

ଡକ୍ଟର ହରେକୃଷ୍ଣ ମେହେର

୨.

ସାମ୍ପ୍ରତିକ ଓଡ଼ିଆ କବିତାରେ

ଆଧ୍ୟାତ୍ମିକ ଚେତନା

 

ଶ୍ରୀ ପଠାଣି ପଟ୍ଟନାୟକ

୩.

ନରସିଂହ ଅବତାରବାଦର କ୍ରମବିକାଶ

ଡକ୍ଟର ଯଜ୍ଞକୁମାର ସାହୁ

୪.

ଓଡ଼ିଆ ନାଥ-ସାହିତ୍ୟ

ଶ୍ରୀମତୀ ଚିନ୍ମୟୀ ମହାପାତ୍ର

୫.

ଆଧୁନିକ ସାହିତ୍ୟ ସମାଲୋଚନା

ସଙ୍କଟ ଓ ସମ୍ଭାବନା

 

ଶ୍ରୀ ଦେବେନ୍ଦ୍ର କୁମାର ଦାଶ

୬.

ଆଜୀବକର ଅଟ୍ଟହାସ

ସୁରେନ୍ଦ୍ର ମହାନ୍ତି

ଆଗାମୀ ସକାଳ ପାଇଁ

ରବି ସିଂ

୮.

ଓଡ଼ିଆ ସାହିତ୍ୟରେ ଐତିହାସିକ

ଉପନ୍ୟାସ

 

ଡକ୍ଟର ରେଖା ମହାନ୍ତି

୯.

ଯା’ର ନାମ ଜରା........

ରାଧାମୋହନ ଗଡ଼ନାୟକ

୧୦.

ଗୁଜରାଟୀ-ସାହିତ୍ୟର ସାମ୍ପ୍ରତିକ ଧାରା

ଅଷ୍ଟଦଶକ ଓ ତତପରବର୍ତ୍ତୀ ସମୟ

ଲେଖକ: ରମନଲାଲ୍‌ ଯୋଶୀ

ଅନୁବାଦ:କୈଳାଶ ବିହାରୀ ଦାସ

୧୧.

ନବନାଟ୍ୟର ବିଭବ ଓ ବୈଶିଷ୍ଟ୍ୟ

ଫକୀର ମୋହନ ଆଚାର୍ଯ୍ୟ

୧୨.

ସେରିବ ବଣିକ-ଜାତକ

ଅନୁବାଦ:ସୁରେନ୍ଦ୍ର ନାଥ ଶତପଥୀ

୧୩.

ମଣିପୁର ଯାତ୍ରା

ଡକ୍ଟର ବାଉରୀବନ୍ଧୁ କର

୧୪.

ବାଗ୍‌ବିଶେଷ

 

୧୫.

ଏକାଡେମୀ ସମାଚାର

 

୧୬.

ସମ୍ପାଦକୀୟ

 

୧୭

‘କୋଣାର୍କ’ରେ ପ୍ରକାଶିତ ରଚନା-ସୂଚୀ

 

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ମାର୍ଚ୍ଚ, ଜୁନ୍, ସେପ୍ଟେମ୍ବର ଓ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୫/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୧୬/-ରହିବ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ୱତନ୍ତ୍ର-ଭାବେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କୁ ଯୋଗଇବାକୁ ଥିବା ୪ ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବନାହିଁ । ବିଷୟବସ୍ତୁ ବା ଥିମ୍‌ଦୃଷ୍ଟିରୁ ଅତୀତରେ ଯେପରି ବିଭିନ୍ନ ବିଶେଷ ସଂଖ୍ୟା ପାଇଁ ଅତିଥି ସମ୍ପାଦକ ମନୋନୀତ-ହୋଇଛନ୍ତି, ସେହିପରି ପ୍ରୟୋଜନ ସର୍ତ୍ତରେ ମନୋନୀତ ହେବେ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସାଧାରଣତଃ ଗବେଷଣାଧର୍ମୀ ପ୍ରବନ୍ଧମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ସୃଜନଶୀଳ ସାହିତ୍ୟକୁ ଉତ୍ସାହ ଦେବା ଲାଗି ଅନ୍ତତଃ ଦୁଇଟି ଉତ୍କଷ୍ଟ ମାନର କବିତା ଓ ଗୋଟିଏ କ୍ଷୁଦ୍ରଗଳ୍ପ ପ୍ରତିସଂଖ୍ୟାରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ମଧ୍ୟ ଏଥିରେ ସ୍ଥାନ ପାଇବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟି କୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

ପୂର୍ବରୁ ପ୍ରକାଶିତ କୌଣସି ରଚନା ‘କୋଣାର୍କ’ ରେ ପ୍ରକାଶନ ପାଇଁ ଯୋଗ୍ୟ ବିବେଚିତ ହେବ ନାହିଁ ।

୫.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକ ମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

୬.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ଓ ଏହା ‘କୋଣାର୍କ’ର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

୭.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ.୧୦୦/-(ଏକଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୮.

‘କୋଣାର୍କ’ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

ବୀର ବିକ୍ରମଦେବଙ୍କ ନାଟ୍ୟପ୍ରତିଭା

ଡକ୍ଟର ହରେକୃଷ୍ଣ ମେହେର

 

ଓଡ଼ିଆ ନାଟ୍ୟ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ବାଣୀ-ଆରାଧକମାନଙ୍କ ମଧ୍ୟରେ ବୀର ବିକ୍ରମଦେବ ଏକ ଗୌରବମୟ ଉଜ୍ଜ୍ୱଳ ପ୍ରତିଭା । ସେ ଖଡ଼ିଆଳର ରାଜପରିବାରରେ ୧୮୭୪-୭୫ ମସିହାର କୌଣସି ଶୁଭମୁହୂର୍ତ୍ତରେ ଜନ୍ମଗ୍ରହଣ କରି ପିତା ବ୍ରଜରାଜ ସିଂହ ଓ ମାତା ଧନେଶ୍ୱରୀ ପ୍ରିୟାଦେବୀଙ୍କ କୋଳମଣ୍ଡନ କରିଥିଲେ । ତାଙ୍କ ପୂର୍ବପୁରୁଷଗଣଙ୍କର କାବ୍ୟକଳା ସାହିତ୍ୟ-କ୍ଷେତ୍ରରେ କିଛି ନିଦର୍ଶନ ଉପସ୍ଥାପନ କରିଯାଇଛି । ରାଜା ରତନସିଂହ ଦେବଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ରାଜ-ପରିବାର ପରମ୍ପରାଗତ ସାହିତ୍ୟ-ସାଧନାରେ ବ୍ରତୀ । ରତନ ସିଂହ, ପଦ୍ମନ ସିଂହ ଓ ବ୍ରଜରାଜ ସିଂହଙ୍କ କବିତ୍ୱ ତାଙ୍କ କୃତିମାନଙ୍କରୁ ସୁବିଦିତ । ରୀତିଯୁଗୀୟ ଆଳଂକାରିକ ଶୈଳୀ ଦ୍ୱାରା ପ୍ରଭାବିତ ବ୍ରଜରାଜଙ୍କ ପ୍ରଣୀତ ବ୍ରଜବଧୂବିଳାସ, ଶୋଭାବଲ୍ଲରୀ, ରୂପମଞ୍ଜରୀ, ପ୍ରବନ୍ଧ ଚିତ୍ରକାବ୍ୟ ପ୍ରଭୃତି କୃତିମାନ ଉଲ୍ଲେଖନୀୟ । କବିବର ରାଧାନାଥ ରାୟ ଓ ସ୍ୱଭାବକବି ଗଙ୍ଗାଧର ମେହେର ତାଙ୍କୁ “ଦ୍ୱିତୀୟ ଉପେନ୍ଦ୍ରଭଞ୍ଜ” ଆଖ୍ୟା ପ୍ରଦାନ କରିଯାଇଛନ୍ତି । କବି ଗଙ୍ଗାଧର “ଉତ୍କଳଲକ୍ଷ୍ମୀ” କାବ୍ୟରେ ଖଡ଼ିଆଳ-ରାଜା ବ୍ରଜରାଜଙ୍କ କଳାପ୍ରିୟତା ତଥା ସଙ୍ଗୀତମାଧୁରୀ ସମେତ ଉତ୍କଳ-ପ୍ରକୃତି-ରାଣୀର ରମଣୀୟ ରୂପ ଆଙ୍କି ଯାଇଛନ୍ତି । କବିଙ୍କ ଲେଖନୀରେ:-

 

“ଖଡ଼ିଆଳ ପତି

ବ୍ରଜରାଜଙ୍କର

ସଙ୍ଗୀତ ଲଳିତ ରାଗେ

ଗାଉଥିଲେ ବେନି

କଲ୍ଲୋଳିନୀ ‘ତେଲ’

‘ଚିତ୍ରୋତ୍ପଳା’ ପଛଭାଗେ ।

ଖଡ଼ିଆଳ-ବନ

ସୁମନ-ସ୍ତବକେ

ଶୋଭୁଥିଲା ତାଙ୍କ ଖୋଷା,

ଜନ-ମନ ଟାଣି

ନେଉଥିଲେ ଫୁଲ-

ବାସେ ସେହି ବେନି ଯୋଷା ।”

 

ବୀର ବିକ୍ରମଙ୍କ ସାମାଜିକ ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ଜଣାଯାଏ, ସେତେବେଳେ ଖଡ଼ିଆଳ ଅଞ୍ଚଳ ମଧ୍ୟ ପ୍ରଦେଶାଧୀନ ରାୟପୁରର ଅନ୍ତର୍ଗତ ଥିଲା । ପ୍ରଚଳିତ ଭାଷା ହିନ୍ଦୀ ଥିଲା । ସାମାଜିକ ଓ ରାଜନୈତିକ ପରିସ୍ଥିତିର ଜଟିଳ ଆବରଣ ମଧ୍ୟରେ ଉପାନ୍ତ ଅଞ୍ଚଳରେ ଥାଇ ଓ ହିନ୍ଦୀ ଭାଷାଭାଷୀ-ପରିସରଭୁକ୍ତ ହୋଇ ମଧ୍ୟ ଖଡ଼ିଆଳ ରାଜ୍ୟ ଉତ୍କଳୀୟ ସାହିତ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲା । ଉତ୍କଳ-ଜନନୀର ଅଖଣ୍ଡତା ଓ ଐକ୍ୟରକ୍ଷା ଦୃଷ୍ଟିରୁ ଖଡ଼ିଆଳ ଅଞ୍ଚଳର ତଦାନୀନ୍ତନ ସାହିତ୍ୟ-ସାଧକମାନଙ୍କର ରଚନାବଳୀ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପିତା ବ୍ରଜରାଜଙ୍କ ସଙ୍ଗୀତ କାବ୍ୟ-କଳାରେ ଅନୁପ୍ରାଣୀତ ହେଲେ ସୁଦ୍ଧା ବୀର ବିକ୍ରମ ସାମାଜିକ ଉନ୍ନତି କଳ୍ପେ ଆପ୍ରାଣ ଉଦ୍ୟମ କରିଥିଲେ । ନିଷ୍ଠାପର ଓ ମେଧାବୀ ସାହିତ୍ୟିକ ରୂପରେ ସେ ମାତୃଭୂମିର ସପର୍ଯ୍ୟା ଓ ମର୍ଯ୍ୟାଦା ପ୍ରତିଷ୍ଠା ଲାଗି ନିରନ୍ତର ଯତ୍ନବାନ୍‌ ଥିଲେ । କବିବର ଚିନ୍ତାମଣି ମହାନ୍ତି ସ୍ୱୀୟ “ଉତ୍କଳ କମଳା” କାବ୍ୟର ଦ୍ୱିତୀୟ ସ୍ୱର୍ଗରେ ପ୍ରସଙ୍ଗକ୍ରମେ ବୀର ବିକ୍ରମ ଦେବଙ୍କ ମାତୃଭୂମି-ପରାୟଣତା ଓ ସାରସ୍ୱତ ସାଧନା ସମ୍ପର୍କରେ ସ୍ପଷ୍ଟ ବିବରଣ ପ୍ରଦାନ କରିଛନ୍ତି । ତାଙ୍କ ଅଭିବ୍ୟକ୍ତିରେ:-

 

 

“ଗଲା ଆହା, ମାତୃଭକ୍ତ ଶ୍ରୀ ବୀର ବିକ୍ରମ

ଖଡ଼ିଆଳ-ଧରାଧିପ ଅକାଳେ ସ୍ୱରଗେ,

ଥିଲା ସେ ଉତ୍ସର୍ଗି ପ୍ରାଣ ସମାଜ-ସଂସ୍କାରେ

ପୁଣି ସାହିତ୍ୟ-ସେବାରେ ଯାଇଛି ସେ ଲେଖି

ସୁକାବ୍ୟ ନାଟକ କେତେ, ଅତି ଉପାଦେୟ,

ସାହିତ୍ୟ-ଭଣ୍ଡାରେ ତାହା ଦୀପ୍ତ ରତ୍ନ-ରେଣୁ ।

ହିନ୍ଦୀ ଭାଷା ଆବରଣ ମଧ୍ୟେ ଅର୍ପିଥିଲା

ପ୍ରାଣ ମନ ପ୍ରାଣାଧିକା ମାତୃଭାଷା ପଦେ ।” (୧)

 

ବୀର ବିକ୍ରମଙ୍କ ଅଳ୍ପ ବୟସରୁ ବିଦ୍ୟାନୁରାଗ, ଗୁଣବତ୍ତା ଓ କଳାପ୍ରିୟତାର ଉନ୍ମେଷ ହୋଇଥିଲା । ୧୯୦୭ ରୁ ୧୯୧୧ ମସିହା ଯାଏ ପ୍ରାୟ ଚାରିବର୍ଷ ମାତ୍ର ରାଜ-ସିଂହାସନ ଆରୋହଣର ସୁଯୋଗ ତାଙ୍କ ଭାଗ୍ୟରେ ଘଟିଥିଲା । ୧୯୧୧ରେ ହିଁ ସେ ଅକାଳ ମୃତ୍ୟୁବରଣ କରିଥିଲେ । ଓଡ଼ିଆ, ସଂସ୍କୃତ ଓ ହିନ୍ଦୀ ଭାଷାରେ ତାଙ୍କର ବିଶେଷ ଜ୍ଞାନ ଥିଲା । ତାଙ୍କ ପ୍ରଣୀତ ଦଶଗୋଟି ନାଟକ “ବୀର ବିକ୍ରମ ନାଟକାବଳୀ” (୨) ପୁସ୍ତକରେ ସଂକଳିତ । ସେଗୁଡ଼ିକ ହେଉଛି:-ଉତ୍କଳ-ଦୁର୍ଦ୍ଦଶା, ବ୍ୟଭିଚାର ଦୋଷ ପ୍ରଦର୍ଶକ, ଶୈଳବାଳା, ଅମ୍ବିକାଦେବୀ, କୁସୁମ ସୁନ୍ଦରୀ, ବାଲ୍ୟବିବାହ, ବୃଦ୍ଧ ବିବାହ, ଭ୍ରାତୃସ୍ନେହ, ହରିଶ୍ଚନ୍ଦ୍ର ଓ ସୁହାସିନୀ-ପ୍ରହସନ । ଏହା ସହିତ ନାଟକାବଳୀରେ ସଂକଳିତ “ନାଟକ ରଚନା ପ୍ରଣାଳୀ” ଏବଂ “ଅଭିନୟ-ପ୍ରକାଶିକା” ବୀର ବିକ୍ରମଙ୍କ ବିଶିଷ୍ଟ କୃତିଦ୍ୱୟ । ତାଙ୍କ ରଚିତ “ପ୍ରେମଲତା” ନାଟକ ବର୍ତ୍ତମାନ ଅଲଭ୍ୟ ହେଲେ ବି ୧୯୦୨ ମସିହା ପୂର୍ବରୁ ମଞ୍ଚସ୍ଥ ହୋଇଥିବାର ପ୍ରମାଣ ଉତ୍କଳ ଦୀପିକାରୁ ମିଳିଥାଏ । ନାଟ୍ୟ ବିଷୟକ ପୁସ୍ତକମାନଙ୍କ ବ୍ୟତୀତ ତାଙ୍କ ଅନ୍ୟାନ୍ୟ ରଚନା ମଧ୍ୟରେ କପର୍ଦ୍ଦୀ ଜଣାଣ, ସ୍ତବକରାଜ ଜଣାଣ, କନକଗୌରୀ କୋଇଲି, ବସନ୍ତ କୋକିଳ ଚଉତିଶା, ସନ୍ତାପ ସାଗର, କୃପାମୟୀ ଜଣାଣ, ସଙ୍ଗୀତ କୁସୁମାଞ୍ଜଳି ଓ ଅଶ୍ୱଶାସ୍ତ୍ର ଆଦି ପ୍ରଧାନ । ତାଙ୍କ “ଗଜଶାସ୍ତ୍ର” ଓ “ରାଜକୁମାର ଶିକ୍ଷା” କୃତିଯୁଗଳ ହିନ୍ଦୀ ଭାଷାରେ ରଚିତ । ଉକ୍ତ କାବ୍ୟ-କବିତାମାନଙ୍କରୁ ପ୍ରତିଭାତ ହୁଏ, ବୀର ବିକ୍ରମ କେବଳ ନାଟ୍ୟକାର ନୁହନ୍ତି, ସେ ଜଣେ କବି ମଧ୍ୟ ।

 

୧.

ଚିନ୍ତାମଣି ଗ୍ରନ୍ଥାବଳୀ (ପ୍ରଥମ ଭାଗ) ପୃ.୭୩୪-୩୫ :ବାଣୀ ସାହିତ୍ୟ ମନ୍ଦିର, ଭଦ୍ରଖ, ୧୯୩୮ ।

୨.

ସମ୍ପାଦନା : ଡକ୍ଟର ଉପେନ୍ଦ୍ର ନାଥ ମହାନ୍ତି; ପ୍ରଥମ ମୁଦ୍ରଣ, ୧୯୭୭ ।

 

ତାଙ୍କ “ନାଟକ ରଚନା ପ୍ରଣାଳୀ” ଭରତ ମୁନିଙ୍କ “ନାଟ୍ୟଶାସ୍ତ୍ର” ଓ ବିଶ୍ୱନାଥ କବିରାଜଙ୍କ “ସାହିତ୍ୟ ଦର୍ପଣ” ର ଅନୁସରଣରେ ଗଦ୍ୟରେ ଲିଖିତ । ସେ ସାମାଜିକ ପରିବେଶକୁ ନେଇ ସେଥିରେ କିଛି ଅଂଶ ନିଜେ ସଂଯୋଜନା କରିଛନ୍ତି । ଓଡ଼ିଆ ସାହିତ୍ୟରେ ଏହା ଏକ ଲକ୍ଷଣଗ୍ରନ୍ଥ । ସେ ଯେପରି ଭାବରେ ନାଟକର ବିଭିନ୍ନ ବିଷୟବସ୍ତୁ ସମ୍ପର୍କରେ ଉପକ୍ରମ ଦେଇଛନ୍ତି, ତାହା ସାମାଜିକ-ହୃଦୟକୁ ରସାପ୍ଳୂତ କରିବାରେ ସହାୟକ ହେବ । ତାଙ୍କ ନାଟକଗୁଡ଼ିକୁ ଅନୁଶୀଳନ କଲେ ପ୍ରତୀତ ହୁଏ, ସେ ନିଜେ ଉକ୍ତ ଲକ୍ଷଣଗ୍ରନ୍ଥର ଲକ୍ଷଣମାନଙ୍କୁ ନିଜ ନାଟକ ମାନଙ୍କରେ ଯଥାଯଥ ସଂଯୋଜିତ କରି ପାରିନାହାନ୍ତି । ନାଟକର ସ୍ଥାନ, କାଳ ଓ ଘଟଣାର ଐକ୍ୟ ମହତ୍ତ୍ୱପୂର୍ଣ୍ଣ ବୋଲି ଦର୍ଶାଇଥିଲେ ମଧ୍ୟ ତାହାର ଉପଯୁକ୍ତ ସମାବେଶ ହୋଇପାରି ନାହିଁ । ଏ ପରିପରିପ୍ରେକ୍ଷୀରେ ଡକ୍ଟର ମାୟାଧର ମାନସିଂହଙ୍କ ମନ୍ତବ୍ୟ ସ୍ମରଣୀୟ । ସେ “ଓଡ଼ିଆ ସାହିତ୍ୟର ଇତିହାସ” ଗ୍ରନ୍ଥରେ ଖଡ଼ିଆଳ ଯୁବରାଜ ବୀର ବିକ୍ରମଙ୍କ ନାମ ଉଲ୍ଲେଖ କରି “ନାଟକ ରଚନା ପ୍ରଣାଳୀ”ର ସୂଚନା ଦେଇଛନ୍ତି । ନାଟ୍ୟକାରଙ୍କ ଲକ୍ଷଣଗ୍ରନ୍ଥ ଓ ନାଟକମାନଙ୍କରେ ଲକ୍ଷଣ ଯଥାରୀତି ସନ୍ନିବେଶିତ ହୋଇ ନ ଥିବାର ସେ ଦର୍ଶାଇଛନ୍ତି (୩) । ତେବେ, ସର୍ବୋପରି ବୀର ବିକ୍ରମ ନାଟ୍ୟକ୍ଷେତ୍ରକୁ କିଛି ନୂତନ ତଥ୍ୟ ଯୋଗଇ ଏକ ନୂଆ ଗ୍ରନ୍ଥ ସୃଷ୍ଟି କରି ପାରିଛନ୍ତି । ଓଡ଼ିଶୀନୃତ୍ୟ ସମ୍ପର୍କରେ ବିଶେଷ ଚାତୁରୀ ପ୍ରକାଶ ପାଇଁ ସେ ସ୍ୱକୀୟ “ଅଭିନୟ-ପ୍ରକାଶିକା” କୃତିରେ ନୃତ୍ୟକାଳୀନ ବିଭିନ୍ନ ୪୮ ଗୋଟି ମୁଦ୍ରାର ଚିତ୍ରଣ ଓ ଉପନ୍ୟାସ କରିଛନ୍ତି ।

 

ବୀର ବିକ୍ରମଙ୍କ ନାଟକରେ ବିଶେଷ ରୂପରେ ସମାଜ ସଂସ୍କାର, ଜାତୀୟତା, ଦେଶାତ୍ମବୋଧ, ମାତୃଭୂମି-ପ୍ରୀତି ଓ ଜାତୀୟ ଐକ୍ୟ ସ୍ଥାପନର ମହତ୍ତ୍ୱ ରହିଛି । ତା’ ସହିତ ସାମାଜିକ-ହୃଦୟରେ ପ୍ରତ୍ୟକ୍ଷ ରସାନୁଭୂତି । କଳାପ୍ରିୟ ଯୁବରାଜ ନିଜ ନାମାନୁସାରେ “ବିକ୍ରମ-ଥିଏଟର୍‌” ପ୍ରତିଷ୍ଠା କରିଥିଲେ । ସେଥିରେ ନିଜ ନାଟକମାନଙ୍କ ତଥା ଅନ୍ୟ ପ୍ରସିଦ୍ଧ ନାଟକମାନଙ୍କ ଅଭିନୟ କରାଇ ସମାଜକୁ ଚିତ୍ତବିନୋଦନ ସହିତ ସଂସ୍କାରଧର୍ମୀ ଶିକ୍ଷା ପ୍ରଦାନ କରୁଥିଲେ । ତତ୍‌କାଳୀନ ସମାଜରେ ଅନେକ କୁସଂସ୍କାର, କୁପ୍ରଥା, ଅନ୍ଧବିଶ୍ୱାସ ଆଦିର ନିରାକରଣ ପାଇଁ ସେ ଦୃଢ଼ବ୍ରତୀ ଥିଲେ । ନିଜ ଲେଖନୀ-ପ୍ରସୂତ ଦୃଶ୍ୟକାବ୍ୟମାନଙ୍କୁ ସାମାଜିକ-ସମ୍ମୁଖରେ ଅଭିନୀତ କରାଇ ପଥଭ୍ରଷ୍ଟ-ସମାଜକୁ ସମୁଚିତ ପନ୍ଥାରେ ଆଗେଇ ନେବା ଲାଗି ସହାୟତା କରିଥିଲେ । ଦର୍ଶକବୃନ୍ଦ ଯେପରି ସମାଜ ସଂସ୍କାର ଦିଗରେ ଜାଗରୂତ ହେବେ ଏବଂ ସମାଜ ଭିତରୁ କୁନୀତିର ଲୋପ ସାଧନ ପାଇଁ ପ୍ରଯତ୍ନ କରିବେ, ସେଥିଲାଗି ସେ ସରଳ ସୁବୋଧ ଓଡ଼ିଆରେ ନାଟକ ପରିବେଷଣ କରାଉଥିଲେ ।

 

ତାଙ୍କ ସାମାଜିକ ନାଟକ ମଧ୍ୟରେ ଉତ୍କଳ ଦୁର୍ଦ୍ଦଶା, ବାଲ୍ୟବିବାହ, ବୃଦ୍ଧ ବିବାହ ଓ ବ୍ୟଭିଚାର ଦୋଷ ପ୍ରଦର୍ଶକ ନାଟକ ମହତ୍ତ୍ୱପୂର୍ଣ୍ଣ । ତଦାନୀନ୍ତନ ସମାଜରେ ପ୍ରଚଳିତ ଥିବା ବାଲ୍ୟ-ବିବାହ ଓ ବୃଦ୍ଧବିବାହ ଭବିଷ୍ୟତରେ କିପରି କୁପଥଗାମୀ ହେଉଥିଲା ଓ ବ୍ୟଭିଚାର ଦୋଷଦୁଷ୍ଟ ହୋଇ ସମାଜକୁ ଭ୍ରଷ୍ଟ କରୁଥିଲା, ତା’ର ନିଖୁଣ ଚିତ୍ର ଏଥିରେ ଅଙ୍କିତ । ବୃଦ୍ଧବିବାହ ନାଟକରେ ବୃଦ୍ଧ ପ୍ରତି ଅନନ୍ତ ଦାସ ଓ ତରୁଣୀ ପତ୍ନୀ ଶରଧା କିପରି ଅଧୋଗତି ଲାଭ କରିଛନ୍ତି, ତାହା ଦର୍ଶକ ହୃଦୟରେ ନିଶ୍ଚିତ ସମାଜ-ସଂସ୍କାରର ଭାବନା ଜାଗ୍ରତ କରିଥାଏ । ବାଲ୍ୟବିବାହ ନାଟକରେ ଏକ ପକ୍ଷରେ ଉତ୍ତମ ଦମ୍ପତି ରାମଚନ୍ଦ୍ର ଦାସ ଓ ସାବିତ୍ରୀ ମହାପାତ୍ରର ସୁଖମୟ ଜୀବନ ଏବଂ ଅନ୍ୟ ପକ୍ଷରେ ବାଲ୍ୟବିବାହରେ ବନ୍ଧା ଆନନ୍ଦ ମିଶ୍ର ଓ ମାଳତୀର ଦୁଃଖମୟ ଜୀବନ ଚିତ୍ରିତ । ବାଲ୍ୟ ବିବାହ ଯୋଗୁଁ ସେବତୀ କିପରି ଭ୍ରଷ୍ଟଚରିତ୍ରା ହୋଇଛି, କୁସଂସ୍କାର-ବିରୋଧରେ ତାହା ଶିକ୍ଷଣୀୟ । ବୈଦିକ ରୀତିରେ ଅନାଡ଼ମ୍ବର ଓ ସ୍ୱଳ୍ପବ୍ୟୟ ସମ୍ପନ୍ନ ବିବାହ, ନାରୀର ପାତିବ୍ରତ୍ୟ, ପତିସେବା ଆଦି ମଧ୍ୟ ସୁପ୍ରଦର୍ଶିତ । ବ୍ୟଭିଚାର ଦୋଷ ପ୍ରଦର୍ଶକ ନାଟକରେ ମଦନସୁନ୍ଦର, ହୀରାଧର ଓ ବିଦ୍ୟାଧର କିଭଳି ନିଜ ଦୁଷ୍କର୍ମର ଫଳ ଭୋଗିଛନ୍ତି, ତାହା ମଧ୍ୟ ସଂସ୍କାର-ମୂଳକ ସମାଜ-ସଚେତନତାର ବିଷୟ-

 

୩.

“Bikrama Deva, Yuvaraj of Khariar, himself a play-wright, published his Nataka rachana pranali (The process of play-writting) drawing the attention of the dramatists to the unities of Greek plays so as to bring drama closer to life . But not to speak of others, these counsels were not observed by the Yuvaraj himself in his dramas.”

 

-History of Oriya Literature (Dr. M. Mansingha) P. 222; Sahitya Akaademi, New Delhi, 1962.

 

ଉତ୍କଳ ଦୁର୍ଦ୍ଦଶା ନାଟକ ହିନ୍ଦୀ-ମନୀଷୀ ଭାରତେନ୍ଦୁ ହରିଶ୍ଚନ୍ଦ୍ରଙ୍କ “ଭରତ-ଦୁର୍ଦ୍ଦଶା” ନାଟକର ଛାୟାରେ ଲିଖିତ । ବୀର ବିକ୍ରମ ତତ୍‌କାଳୀନ ଉତ୍କଳ ଜନନୀର କରୁଣ ଓ ଶୋଚନୀୟ ଦୁର୍ଗତି ବର୍ଣ୍ଣନା କରିଛନ୍ତି । ଦୁର୍ଦ୍ଦୈବ, ସର୍ବନାଶ, ନିରୁଦ୍ୟମ, ଅପବ୍ୟୟ, ଫେସନ, ସିଫାରିସ୍‌, ସ୍ୱାର୍ଥପରତା, ବିରୁଦ୍ଧ, ଭୟ, ରୋଗ, ରାଜବିଦ୍ରୋହ, ଆଶା, ନିର୍ଲ୍ଲଜତା, ମଦିରା ଆଦି ଏ ନାଟକରେ ଜୀବନ୍ତ ରୂପ ଧାରଣ କରିଛନ୍ତି । ଏ ସବୁରେ ବ୍ୟକ୍ତିକରଣ ପରିଦୃଷ୍ଟ ହୋଇଥାଏ । ଉତ୍କଳଭାଗ୍ୟ ଉତ୍କଳଜଜନୀକୁ ଆଶ୍ୱାସନା ପ୍ରଦାନ କରିଛି । କିନ୍ତୁ ଉତ୍କଳମାତାର ଅତ୍ୟନ୍ତ ଅସହାୟତା ଓ ନିଶ୍ଚେତନତା ଦେଖି ସେ ଆତ୍ମଘାତୀ ହେବାର ଚେଷ୍ଟା କରୁଥିବା ବେଳେ ଜଣେ ଇଂରେଜ ତାକୁ ଆତ୍ମହତ୍ୟାରୁ ନିବୃତ କରାଇଛି ।

 

‘ଶୈଳବାଳା’ ନାଟକ ସାମାଜିକ ନାଟକର ଅନ୍ତର୍ଭୁକ୍ତ । କାଞ୍ଚନନଗର ରାଜକୁମାରୀ ଶୈଳବାଳା ଓ ବସନ୍ତପୁରର ରାଜକୁମାର ବସନ୍ତ ସିଂହଙ୍କ ବିବାହ ଏଥିରେ ବର୍ଣ୍ଣିତ । ଏକପକ୍ଷରେ ଜେମାର ସାବତ ମା’ ଏକ ଦୁଶ୍ଚରିତ୍ର ରାଜପୁତ୍ର ବିନୋଦ ସିଂହ ସହିତ ଜେମାର ବିବାହ ନିମନ୍ତେ ଦୁର୍ଗତି ସାଧନର ଚେଷ୍ଟା କରିଛନ୍ତି । କିନ୍ତୁ ରାଣୀଙ୍କ ବଶବର୍ତ୍ତୀ ରାଜା ନିଜ ପ୍ରାସାଦ ତ୍ୟାଗ କରି ନଗର ବାହ୍ୟ ଦୁର୍ଗରେ ଗୋପନୀୟ ଭାବରେ ଏକ ସୁଶୀଳ ରାଜକୁମାର ବସନ୍ତ ସିଂହ ସହିତ କନ୍ୟାର ବିବାହ ନିର୍ବାହ କରାଇଲା ବେଳକୁ ନିଜେ ଶତ୍ରୁଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ପରାଜୟ ଘଟିଛି । ଜେମା ଛୁରୀକାଘାତରେ ଆତ୍ମହତ୍ୟା କରିଛି । ରାଜା ପ୍ରତାପ ସିଂହ ନିଜ ସ୍ତ୍ରୈଣତ୍ୱ ଯୋଗୁଁ ଏପରି ଦୁର୍ଗତି ଘଟିଥିବାର ଅନୁଭବ କରିଛନ୍ତି ।

 

ଅମ୍ବିକାଦେବୀ ନାଟକରେ ରାଜପୁତ୍ରମାନଙ୍କର ଏକ ଘଟଣା ରୂପାୟିତ । ରାଜା ଜଙ୍ଗଜୋର ସିଂହଙ୍କ ରାଣୀ ଅମ୍ବିକାଦେବୀ ଯବନରାଜ ଅମିର୍‌ କବଳରୁ ସ୍ୱୀୟ ସ୍ୱାମୀଙ୍କ ପ୍ରାଣରକ୍ଷା ଏବଂ ନିଜ ସତୀତ୍ୱ ରକ୍ଷା କରି ବୀରାଙ୍ଗନାର ପରିଚୟ ପ୍ରଦାନ କରିଛନ୍ତି । ତା’ ସଙ୍ଗେ ମାତୃଭୂମିର ମର୍ଯ୍ୟାଦା ମଧ୍ୟ ବଜାୟ ରଖିଛନ୍ତି ।

 

କୁସମସୁନ୍ଦରୀ-ନାଟକ ପ୍ରଣୟମୂଳକ ଓ କାଳ୍ପନିକ । ଲକ୍ଷ୍ମୀପୁରର ରାଜକନ୍ୟା କୁସୁମସୁନ୍ଦରୀ ସଙ୍ଗେ ଚନ୍ଦ୍ରପୁରର ଯୁବରାଜ ଚନ୍ଦ୍ରଶେଖରଙ୍କ ଗାନ୍ଧର୍ବ ପରିଣୟ ଏଥିରେ ଚିତ୍ରିତ । ନାଟ୍ୟକାର ଏ ନାଟକରେ ଅନାବିଳ ଓ ପବିତ୍ର ପ୍ରଣୟର ମାହାତ୍ମ୍ୟ ପ୍ରକାଶ କରିଛନ୍ତି ।

 

ଭ୍ରାତୃ ସ୍ନେହ-ନାଟକ ରାଜସ୍ଥାନର ଇତିହାସ ଉପରେ ଆଧାରିତ । ମେବାଡ଼ର ରାଜା ରାଣା ଲକ୍ଷା ସିଂହଙ୍କ ଜ୍ୟେଷ୍ଠପୁତ୍ର ଚଣ୍ଡଙ୍କର ବିମାତା ପୁତ୍ର ଭାଇ ମୁକୁନ୍ଦଦେବ ପ୍ରତି କିପରି ଭ୍ରାତୃସ୍ନେହ ପ୍ରକଟିତ ଏବଂ ଜନ୍ମଭୂମିର ସୁରକ୍ଷା ନିମନ୍ତେ ତାଙ୍କ ଉଦ୍ୟମ କିପରି ଚରିତାର୍ଥ ହୋଇଛି, ତା’ର ଯଥାର୍ଥ ରୂପ ଏଥିରେ ଦୃଷ୍ଟି ପଥାରୂଢ଼ ହୋଇଥାଏ ।

 

ହରିଶ୍ଚନ୍ଦ୍ର ନାଟକ ବୀରବିକ୍ରମଙ୍କ ଏକମାତ୍ର ପୌରାଣିକ ନାଟକ । ରାଜା ହରିଶ୍ଚନ୍ଦ୍ରଙ୍କ ଦାନୀପଣ ସମସ୍ତଙ୍କଠାରେ ସୁପରିଚିତ । ସେ ଆପଣାର ସତ୍ୟରକ୍ଷା ଲାଗି ସମଗ୍ର ରାଜ୍ୟକୁ ବିଶ୍ୱାମିତ୍ର ମୁନିଙ୍କ ହସ୍ତରେ ଦାନ କରିଛନ୍ତି । ଦକ୍ଷିଣାଦ୍ରବ୍ୟ ଅର୍ପଣ ପାଇଁ ସେ ନିଜର ପୁତ୍ର ରୋହିତାଶ୍ୱ, ରାଣୀ ଶୈବ୍ୟା ଓ ନିଜକୁ ଚଣ୍ଡାଳ ହାତରେ ବିକ୍ରୟ କରିଛନ୍ତି । ପରିଶେଷରେ ଶ୍ମଶାନଭୂମିରେ ପୁତ୍ର ଓ ରାଣୀଙ୍କ ସଙ୍ଗେ ସଙ୍ଗେ ତାଙ୍କ ମିଳନ ହୋଇଛି । ରାଜାଙ୍କ ସତ୍ୟରକ୍ଷାରେ ମୁଗଧ ହୋଇ ଦେବତାବୃନ୍ଦ ତାଙ୍କୁ ଦିବ୍ୟତ୍ୱ ପ୍ରଦାନ କରିଛନ୍ତି ।

 

‘ସୁହାସିନୀ ପ୍ରହସନ’ରେ ପତି ଅପେକ୍ଷା ପତ୍ନୀର ଅଧିକ ଚାତୁରୀ ପ୍ରଦର୍ଶିତ । ସୁହାସିନୀ ଓ ତା ସଖୀ କିପରି ପ୍ରତ୍ୟତ୍ପନ୍ନମତିତ୍ୱ ପ୍ରକାଶ କରଛନ୍ତି, ତାର ଏକ ହାସ୍ୟମୟ ଦୃଶ୍ୟ ଏଥିରେ ଉପଭୋଗ୍ୟ ।

 

ବୀରବିକ୍ରମ ତାଙ୍କ ନାଟକରେ ବିଶେଷ ରୂପେ ସମାଜ ଭିତରୁ ଚରିତ୍ରମାନ ସଂଗ୍ରହ କରିଛନ୍ତି । ସମାଜରେ ଏକ ସୁସ୍ଥ ବାତାବରଣ ରଖିବା ଲାଗି ସେ ନାଟକରେ ଭଲ ଓ ମନ୍ଦ ଦିଗର ସ୍ୱତନ୍ତ୍ର ମାର୍ଗ ନିର୍ଦ୍ଦେଶ କରିଛନ୍ତି । ଦେଶରୁ ଅନ୍ଧବିଶ୍ୱାସ, କୁପ୍ରଥା, ଅନ୍ୟାୟ, ଅତ୍ୟାଚାର ଆଦିର ବିଲୋପ ପାଇଁ ସେ ଯଥେଷ୍ଟ ଉପାଦାନ ଯୋଗାଇଛନ୍ତି । ଜନ୍ମଭୁମି ପ୍ରତି ଶ୍ରଦ୍ଧା, ଦେଶାତ୍ମବୋଧ, ଜାତୀୟତା, ସଂହତି-ରକ୍ଷା, ସାମାଜିକ ମିଳନ, ଆପଣାର ସମ୍ମାନବୋଧ, ନୀତିଶାସ୍ତ୍ରମତେ ଆଚରଣ, ବୈଦିକ ପରମ୍ପରା ପ୍ରତି ସମ୍ମାନ, ଧର୍ମଶାସ୍ତ୍ର-ନୀତିଶାସ୍ତ୍ର ଆଦିରେ ବିଶ୍ୱାସ, ସାମାଜିକ ବିବାହ ଆଦିରେ ଅନାଡ଼ମ୍ବର ଉତ୍ସବ, ଯୌତୁକହୀନତା ଓ ଅପବ୍ୟୟ ବିରୋଧ ପ୍ରଭୃତିର ଶିକ୍ଷା ତାଙ୍କ ରଚନାରେ ଉପଲବ୍‍ଧ ହୋଇଥାଏ । ସେ ଏସବୁ ଆଚରଣ ଓ ଶିକ୍ଷା ବିଭିନ୍ନ ଚରିତ୍ର ମାଧ୍ୟମରେ ଦର୍ଶାଇ ଦର୍ଶକ ଓ ପାଠକମାନଙ୍କ ହୃଦୟରେ ଆନନ୍ଦ ସଂଚାରର ସାମଗ୍ରୀ ରଖି ଯାଇଛନ୍ତି । ସମାଜ-ସଂସ୍କାର ଓ ସ୍ୱଦେଶପ୍ରୀତି ତାଙ୍କ ପ୍ରତିଭାର ସୁପରିଚାୟକ ତତ୍ତ୍ୱ ।

 

ନାଟ୍ୟକାର ବୀରବିକ୍ରମ ଲୋକଶିକ୍ଷା ମାଧ୍ୟମରେ ସାମାଜିକ ଅବ୍ୟବସ୍ଥାର ଦୂରୀକରଣ ପାଇଁ ପ୍ରଭୂତି ପ୍ରୟାସ କରିଛନ୍ତି । ଏହି କାରଣରୁ ତାଙ୍କ କୃତିବିଶେଷ ଆଦରଣୀୟ ଓ ଅଭିନନ୍ଦନୀୟ । ନାଟକମାନଙ୍କରେ ସ୍ଥଳ ବିଶେଷରେ ସାମାନ୍ୟ ଅନୌଚିତ୍ୟ ରହିଛି । ବ୍ୟଭିଚାର-ଦୋଷ-ପ୍ରଦର୍ଶନରେ ବାକସ ତିନୋଟି ଆଣିବା ଓ ନିଜ ପୁତ୍ରକୁ ବ୍ୟଭିଚାରୀମାନଙ୍କର ମାଧ୍ୟମ କରିବା ଟିକିଏ ଅଡ଼ୁଆ ଲାଗେ । ଶୈଳବାଳା ନାଟକରେ ନାରୀ ଓ ପୁରୁଷ ମଧ୍ୟରେ ପାରିବାରିକ ମନୋମାଳିନ୍ୟ ଓ ନାରୀର ଦୁଷ୍ଟବୁଦ୍ଧିର ପ୍ରାବଲ୍ୟ ହେତୁ ନାଟକ ଦୁଃଖାନ୍ତ ହୋଇଯାଇଛି । ନାଟ୍ୟକାର ନୀତିଶିକ୍ଷା ଛଳରେ ଏହି ନାଟକର ଶେଷ ଭାଗରେ କେତେ ପଦ ଗୀତ ଦେଇଛନ୍ତି । ପରିବାରରେ ନାରୀର ପ୍ରାବଲ୍ୟ ହେଲେ, ସ୍ୱାମୀ ସ୍ତ୍ରୀର ବଶୀଭୁତ ହେଲେ ଗୃହ କିପରି ନଷ୍ଟ ହୋଇଥାଏ, ତାହା କୈକେୟୀ ଦଶରଥ ଓ ଶଚୀ-ନହୁଷ ଆଦି ଉଦାହରଣ ମାଧ୍ୟମରେ ପ୍ରତିପାଦନ କରାଯାଇଛି । ସଂସ୍କୃତ ନାଟକର ଅନ୍ତିମରେ ପ୍ରଦତ୍ତ ଭରତ ବାକ୍ୟର ଏକପ୍ରକାର ଅନୁସରଣ ଓ ସମସ୍ୟାର ସଂଯୋଜନ ଏଠାରେ ଲକ୍ଷ୍ୟ କରାଯାଇଥାଏ । ଭ୍ରାତୃସ୍ନେହ ନାଟକରେ ରାଜାଙ୍କର କ୍ଷତ୍ରିୟୋଚିତ ଧର୍ମ ସହିତ ଉତ୍ତମ ଆଚରଣ ବିଷୟରେ ସୂଚନା ରହିଛି । ହରିଶ୍ଚନ୍ଦ୍ର ନାଟକ ଅନ୍ୟ ନାଟକମାନଙ୍କ ତୁଳନାରେ ବଡ଼ । ଏଥିରେ ପ୍ରସଙ୍ଗାନୁସାରେ ନୀତିଶାସ୍ତ୍ରର ଉକ୍ତିମାନ ଉଲ୍ଲିଖିତ । ହରିଶ୍ଚନ୍ଦ୍ରଙ୍କର ସର୍ବସ୍ୱ ସମର୍ପଣ, ସ୍ୱକର୍ତ୍ତବ୍ୟ ପାଳନ ଓ ସାଫଲ୍ୟ ଅର୍ଜନ ମଧ୍ୟରେ ନାଟ୍ୟକାରଙ୍କ ବିଶେଷ ବିଦ୍ୱତ୍ତା ପରିସ୍ଫୁଟ ହୋଇଛି । ମଧ୍ୟେ ମଧ୍ୟେ ହରିଶ୍ଚନ୍ଦ୍ର ଓ ଶୈବ୍ୟାଙ୍କ ସଂଳାପଗୁଡ଼ିକ ଅତ୍ୟନ୍ତ ବିସ୍ତୁତ ହୋଇଥିବାରୁ ପାଠକ ଓ ଦର୍ଶକମାନଙ୍କ ଧୈର୍ଯ୍ୟଚ୍ୟୁତ ଘଟିବାର ସମ୍ଭାବନା । ସୃହାସୀନ-ପ୍ରହସନରେ ସ୍ତ୍ରୀର ବାକଚାତୁରୀର ପ୍ରାଧାନ୍ୟ ଦର୍ଶାଯାଇଛି । ରାତିରେ ବ୍ରାହ୍ମଣସାହିରେ ଫାଟକ ବନ୍ଦ ହେବା ଆଦି ସ୍ଥଳରେ ଅନୌଚିତ୍ୟ ପରିଲକ୍ଷିତ ହୋଇଥାଏ । ତେବେ, ନାଟକମାନଙ୍କରେ ବିଷୟବସ୍ତୁ ଶିକ୍ଷଣୀୟ ଓ ଅନେକ ସ୍ଥଳରେ ସୁପରିଚିତ ଥିବାରୁ ସେସବୁ ଶ୍ରୁତିସୁଖଦ, ସରସ ତଥା ମନୋରଞ୍ଜନ ହୋଇଛି ।

 

ହିନ୍ଦୀ-ନାଟ୍ୟକାର ଭାରତେନ୍ଦୁ ହରିଶ୍ଚନ୍ଦ୍ର ୧୮୮୦ ମସିହାରେ ରଚିତ ‘‘ଭାରତ ଦୁର୍ଦ୍ଦଶା’’ ନାଟକଦ୍ୱାରା ବୀର ବିକ୍ରମଙ୍କ ୧୯୦୪ ମସିହାରେ ରଚିତ ଉତ୍କଳ ଦୁର୍ଦ୍ଦଶା ନାଟକ ବହୁ ପ୍ରଭାବିତ । ଛଅ-ଅଙ୍କ ବିଶିଷ୍ଟ ଭାରତ ଦୁର୍ଦ୍ଦଶାରେ ଦେଶପ୍ରେମ ଓ ସମାଜ ସଂସ୍କାର ଭାବ ଅଭିବ୍ୟକ୍ତି । ଭାରତର ପ୍ରାଚୀନ ଗୌରବ, ଅନ୍ତର୍ଦ୍ୱନ୍ଦ, ଯବନମାନଙ୍କ ଭାରତ ଆଗମନ, ଇଂରେଜ-ଆଧିପତ୍ୟ ଓ ଆର୍ଥିକ ଶୋଷଣ ଆଦି ପୂର୍ବାଭାସ ରହିଛି । ଭାରତ ଦୁଦ୍ଦୈର୍ବ ନିଜ ଦଳବଳ ଘେନି ଭାରତର ସର୍ବନାଶ କରିବାର ପଥ ପରିଷ୍କାର କରିଛି । ଭାରତ-ଭାଗ୍ୟ ଶୋକାକୁଳ ଓ ସଂଜ୍ଞାହୀନ ଭାରତର ଜାଗ୍ରତ ହେବା ଆଶା ନ ଦେଖି ନିଜ ଛାତିରେ କଟାରାଘାତ କରି ଆତ୍ମଘାତୀ ହୋଇଛି । ଭାରତେନ୍ଦୁ ହରିଶ୍ଚନ୍ଦ୍ର ସମ ସାମୟିକ ସାମାଜିକ, ଧାର୍ମିକ, ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ପରିବେଶକୁ ଭିତ୍ତିକରି ପ୍ରତୀକାତ୍ମକ ଚରିତ୍ରମାନଙ୍କ ମାଧ୍ୟମରେ ବାସ୍ତବ ଆଲେଖ୍ୟ ଅଙ୍କନ କରିଛନ୍ତି । ବୀର ବିକ୍ରମଙ୍କ ଉତ୍କଳ ଦୁର୍ଦ୍ଦଶା ମଧ୍ୟ ଛଅ ଅଙ୍କ ବିଶିଷ୍ଟ । ଏଥିରେ ଦୃଶ୍ୟ ବିଭାଜନ ନାହିଁ । ପ୍ରାୟ ଅଧିକାଂଶ ସ୍ଥଳରେ ଭାରତ ଦୁର୍ଦ୍ଦଶା ନାଟକର ଆକ୍ଷରିକ ଅନୁବାଦ ଦେଖିବାକୁ ମିଳେ । ଭାରତେନ୍ଦୁଙ୍କ ଭାରତୀୟ ବାସ୍ତବବାଦୀ ଚିତ୍ରଣକୁ ବୀରବିକ୍ରମ ଉତ୍କଳୀୟ ରୂପରେ ସଜ୍ଜିତ କରିଛନ୍ତି । ଭାରତେନ୍ଦୁଙ୍କ ବର୍ଣ୍ଣିତ ବଙ୍ଗାଳୀ, ମହାରାଷ୍ଟ୍ରୀ ପ୍ରଭୁତି ସ୍ଥାନରେ ବୀର ବିକ୍ରମଙ୍କ କଟକବାସୀ, ସମ୍ବଲପୁରବାସୀ, ଗଞ୍ଜାମବାସୀ ଆଦି ଚିତ୍ରିତ । ଭାରତଭାଗ୍ୟ ସ୍ଥଳରେ ଉତ୍କଳଭାଗ୍ୟ ଓ ଭାରତ ଦୁଦ୍ଦୈର୍ବ ସ୍ଥଳରେ ଉତ୍କଳଦୁଦ୍ଦୈର୍ବ ବର୍ଣ୍ଣିତ ହୋଇଛି । ଭାରତେନ୍ଦୁଙ୍କ ଭାରତ ଗୌରବ ପ୍ରସଙ୍ଗରେ ବାଲ୍ଲୀକି, ବ୍ୟାସ, କାଳିଦାସ, ପାଣିନି, ଶାକ୍ୟସିଂହ, ବାଣଭଟ୍ଟ ପ୍ରଭୁତି କବି, ରାମ, ଯୁଧିଷ୍ଠିର, ନଳ, ହରିଶ୍ଚନ୍ଦ୍ର, ରନ୍ତିଦେବ, ଶିବି ପ୍ରଭୁତି ପ୍ରସିଦ୍ଧ ନରପତିଙ୍କ କଥା ସୂଚିତ । ଉତ୍କଳ ଦୁର୍ଦ୍ଦଶାରେ ଉତ୍କଳ ଗୌରବ ପ୍ରସଙ୍ଗରେ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ, କବିସୂର୍ଯ୍ୟ ଆଦି କବି, ଇନ୍ଦ୍ରଦ୍ୟୁମ୍ନ, ଲାଙ୍ଗୁଳା ନରସିଂହ, ଅନଙ୍ଗଭୀମ, ବୈଜଳ ସିଂହ, ବଳିଆର ସିଂହ, ପ୍ରତାପରୁଦ୍ର ପ୍ରଭୁତି ରାଜା, ନୀଳଗିରି, ଚିତ୍ରୋତ୍ପଳା, ଚନ୍ଦ୍ରଭାଗା, ରୁଷିକୁଲ୍ୟା, ଭୁବନେଶ୍ୱରର ଆଦି ପବିତ୍ର ତୀର୍ଥସ୍ଥାନ ଉଲ୍ଲିଖିତ । ଭାରତ ଦୁର୍ଦ୍ଦଶାରେ ସତ୍ୟଯୁଗ ସ୍ଥାପନକାରୀ ମ୍ଲେଚ୍ଛନାଶକ ତୀକ୍ଷଣ ଖଡ଼ଗ ହସ୍ତ କଲକି-ଅବତାର କୃଷ୍ଣଙ୍କ ଜୟଗାନ ରୂପକ ନମସ୍କାରାତ୍ମକ ମଙ୍ଗଳା ଚରଣ ବା ନାନ୍ଦୀ ରହିଛି । ଉତ୍କଳ ଦୁର୍ଦ୍ଦଶାରେ ମଙ୍ଗଳାଚରଣ ନାହିଁ । ବୀରବିକ୍ରମ ଭାରତେନ୍ଦୁଙ୍କ ନାଟକର ସକଳ ଦୃଷ୍ଟିଭଙ୍ଗୀକୁ ଅନୁସରଣ କରି ଉତ୍କଳ ଦୁର୍ଦ୍ଦଶା ରଚନା କରିଛନ୍ତି । ଭାରତେନ୍ଦୁଙ୍କ ‘’ସତ୍ୟ ହରିଶ୍ଚନ୍ଦ୍ର’’ ନାଟକର ଛାୟାରେ ମଧ୍ୟ ବୀର ବିକ୍ରମଙ୍କ ‘ହରିଶ୍ଚନ୍ଦ୍ର’ ନାଟକ ଲିଖିତ । ଭାରତ ଦୁର୍ଦ୍ଦଶାରେ ଭାରତେନ୍ଦୁ ଭାରତ-ଭାଗ୍ୟର ଆତ୍ମହତ୍ୟା କରାଇଛନ୍ତି । କିନ୍ତୁ ବୀର ବିକ୍ରମ ଉତ୍କଳ ଦୁର୍ଦ୍ଦଶା ନାଟକରେ ଉତ୍କଳ ଭାଗ୍ୟର ଆତ୍ମହତ୍ୟା କରାଇନାହାନ୍ତି । ଏକ ଇଂରେଜ ଚରିତ୍ର ଉପସ୍ଥାପନ ପୂର୍ବକ ଉତ୍କଳଭାଗ୍ୟକୁ ଆତ୍ମହତ୍ୟାରୁ ନିବୃତ୍ତି ଓ ଆଶ୍ୱସ୍ତି ପ୍ରଦାନ କରାଇଛନ୍ତି । ଏହା ମାଧ୍ୟମରେ ଇଂରେଜ ସରକାର ପ୍ରତି ବୀର ବିକ୍ରମଙ୍କ ପରୋକ୍ଷ ଆନୁଗତ୍ୟ ପ୍ରତୀତ ହୋଇଥାଏ । ସମସାମୟିକ ପରିବେଶ ଦୃଷ୍ଟିରୁ ଏହା କରଣୀୟ ବୋଲାଯାଇପାରେ । ନାଟ୍ୟକାରଙ୍କ ଏ କୃତି ଆଶାବାଦି, ଜନ୍ମଭୂମି-ପ୍ରୀତି ଏବଂ ଓଡ଼ିଆଭାଷାର ସୁରକ୍ଷା ଦିଗରେ ସଫଳ ପ୍ରୟାସର ଦ୍ୟୋତକ ।

 

ରସ ଦୃଷ୍ଟିରୁ ବିଚାର କଲେ ଉତ୍କଳ ଦୁର୍ଦ୍ଦଶାରେ କରୁଣରସର ମୁଖ୍ୟ ଭୂମିକା ରହିଛି । ବ୍ୟଭିଚାର ଦୋଷ ପ୍ରଦର୍ଶକ ନାଟକରେ ଶୃଙ୍ଗାରର ଅନୁଚିତ ବ୍ୟବହାର ଯୋଗୁଁ ଶୃଙ୍ଗାରର ସାଭାସ ରହିଛି । ଶୈଳବାଳା ନାଟକରେ ବୀଭତ୍ସ ଓ କରୁଣରସର ଅଭିବ୍ୟକ୍ତି ଘଟିଛି । ଅମ୍ବିକାଦେବୀ ନାଟକ ବୀର ରସ ପ୍ରଧାନ । କୁସୁମ ସୁନ୍ଦୁରୀରେ ସମ୍ଭୋଗ ଓ ବିପ୍ରଲମ୍ଭ ଉଭୟବିଧ ଶୃଙ୍ଗାର ସମାବିଷ୍ଟ । ସ୍ଥଳବିଶେଷରେ କରୁଣ ସହକାରୀ ହୋଇଛି । ‘ବୃଦ୍ଧ ବିବାହ’ରେ ଅନୌଚିତ୍ୟ ପୂର୍ଣ୍ଣ ଶୃଙ୍ଗାର ହେତୁ ଶୃଙ୍ଗର ରସାଭାସ ଗୋଚର ହୋଇଥାଏ । ପରେ ଅଧୋଗତି ଓ ଦଣ୍ଡାଦି କାରଣରୁ ନାଟକ କରୁଣାନ୍ତ ହୋଇଛୁ । ‘ବାଲ୍ୟ ବିବାହ’ରେ ଶୃଙ୍ଗାର, କରୁଣ ଓ ଶୃଙ୍ଗାର ରସାଭାସର ପ୍ରତୀତି ରହିଛି । ‘ଭ୍ରାତୃସ୍ନେହ’ ନାଟକରେ ‘ବୀର’ ହେଉଛି ଅଙ୍ଗୀ ରସ; ମାତ୍ର ନାଟକ କରୁଣରସରେ ପର୍ଯ୍ୟବେସିତ । ହରିଶ୍ଚନ୍ଦ୍ର ନାଟକରେ କରୁଣରସ ଓ ସୁହାସିନୀ ପ୍ରହସନରେ ହାସ୍ୟରସର ପ୍ରାଧାନ୍ୟ ଉପଲବ୍‍ଧି କରାଯାଇପାରେ । ଯଥାସ୍ଥଳରେ ଉପଯୁକ୍ତ ରସର ସମାବେଶ ହେତୁ ନାଟକମାନ ହୃଦୟଗ୍ରାହୀ ହୋଇପାରିଛି ।

 

ବୀର ବିକ୍ରମ ନାଟକରେ ସଂସ୍କୃତିର ପ୍ରଭାବ ମଧ୍ୟ ରହିଛି । ସଂସ୍କୃତ ନାଟକର ଆରମ୍ଭରେ ନାନ୍ଦୀରୂପକ ମଙ୍ଗଳାଚରଣ ସୁତ୍ରଧାର, ନଟ, ନଟୀ, ପାରିପାର୍ଶ୍ଵିକ ପ୍ରଭୁତିଙ୍କ ଆଗମନ ରହିଥାଏ । ବୀର ବିକ୍ରମ ଅଲ୍ପ କେତେକ ସ୍ଥଳରେ ଏହାର ଅନୁସରଣ କରିଛନ୍ତି । ବ୍ୟଭିଚାର-ଦୋଷ-ପ୍ରଦର୍ଶକ, ବାଲ୍ୟବିବାହ, ବୃଦ୍ଧବିବାହ, ଭ୍ରାତୃସ୍ନେହ ଓ ହରିଶ୍ଚନ୍ଦ୍ର–ଏହି ପାଞ୍ଚଗୋଟି ନାଟକରେ ସୁତ୍ରଧାର, ନଟ ନଟୀ ପ୍ରଭୃତିର ସମାବେଶ ରହିଛି । କୁସୁମ ସୁନ୍ଦରୀ ନାଟକରେ ମହାକବି କାଳିଦାସଙ୍କ ବିଶ୍ୱ ପ୍ରସିଦ୍ଧ ନାଟକ ‘ଅଭିଜ୍ଞାନ-ଶାକୁନ୍ତଳ’ର ଏକ ଛାୟା ଲକ୍ଷ୍ୟ କରାଯାଇପାରେ । ଶକୁନ୍ତଳାର ଶୋଭା ଦର୍ଶନ କରି ରାଜା ଦୁଷ୍ୟନ୍ତ କହିଛନ୍ତି –

 

‘‘ଶୁଦ୍ଧାନ୍ତ-ଦୁର୍ଲ୍ଲଭମିଦଂ ବପୁରାଶ୍ରମ-ବାସିନୋ ଯଦି ଜନସ୍ୟ ।

ଦୂରୀକୃତା ଖଳୁ ଗୁଣୈରୁଦ୍ୟାନ-ଲତା ବନ ଲତାଭିଃ ।’’ (୧/୧୬)

 

‘ଏ ବର୍ଣ୍ଣନାରେ ଶକୁନ୍ତଳା ତୁଲ୍ୟା ଅଯତ୍ନପାଳିତା ବନଲତାମାନଙ୍କ ଦ୍ୱାରା ସଯତ୍ନ ସଂବର୍ଦ୍ଧିତା ରାଣୀମାନଙ୍କ ତୁଲ୍ୟା ଉଦ୍ୟାନଲତାର ନ୍ୟୂନତା ପ୍ରତିପାଦିତ । ନିସର୍ଗଶୋଭା ଆଗରେ କୃତ୍ରିମଶୋଭା ପରାଜିତ ହୋଇଛି । କାଳିଦାସଙ୍କ ଉକ୍ତ ବିଷୟ ଉତ୍କଳୀୟ କବିବର ରାଧାନାଥ ଓ ଗଙ୍ଗାଧରଙ୍କୁ ମଧ୍ୟ ଆକୃଷ୍ଟ କରିଛି । ପ୍ରସଙ୍ଗ କ୍ରମେ ଏହା ସ୍ମରଣୀୟ । ରାଧାନାଥ ସ୍ୱୀୟ ‘’ଯଯାତିକେଶରୀ’’ କାବ୍ୟରେ କାଳି ଦାସଙ୍କ ତାଦୃଶ ଭାବର ଅନୁସରଣ କରିଛନ୍ତି । ମଗଧ-ରାଜକନ୍ୟା ବିମଳା ଉତ୍କଳ ରାଜକୁମାରୀ ଲଳିତା ସହିତ ଉତ୍କଳ ରାଜଧାନୀର ରାଜପ୍ରସାଦରେ ପ୍ରବେଶ କରିଛି । ବନବାସ-ବେଶ-ଧାରଣୀ ବିମଳାର ଲାବଣ୍ୟ ଆଗରେ ସେଠାକାର ରାଣୀମାନଙ୍କ ସୌନ୍ଦର୍ଯ୍ୟ ନିତାନ୍ତ ନ୍ୟୂନ ହୋଇଯାଇଛି । କବିଙ୍କ ଭାଷାରେ –

 

‘‘ସେ ରୂପ-ଦର୍ଶନେ

ରାଜ-ଅବରୋଧ-

ରୂପ-ମଦ ହେଲା ଚୂନା,

ଭାଳିଲେ, ଉଦ୍ୟାନ

ଫୁଲୁ ବନଫୁଲ

କେଉଁ‌ଗୁଣେ ଆହା ଊଣା ?’’

 

ରାଧାନାଥଙ୍କ କବିତାରେ ‘ଲତା’ ବଦଳରେ ‘ଫୁଲ’ ଶବ୍ଦ ଥିବାରୁ ସାମାନ୍ୟ ଭିନ୍ନ ଅର୍ଥ ବୋଧ ହୋଇଥାଏ । ତଥାପି ସ୍ୱାଭାବିକ ସୌନ୍ଦର୍ଯ୍ୟ ଓ କୃତ୍ରିମ ସୌନ୍ଦର୍ଯ୍ୟ ମଧ୍ୟରେ ବିଶେଷ ବ୍ୟବଧାନ ଏଥିରେ ନିରୁପିତ । କବି ଗଙ୍ଗଧର ମଧ୍ୟ କାଳିଦାସଙ୍କ ଉକ୍ତ ଭାବ ଆହରଣ କରିଛନ୍ତି ନିଜ ‘‘ପ୍ରଣୟ-ବଲ୍ଲରୀ’’ କାବ୍ୟରେ; ନିଜସ୍ୱ ଉପସ୍ଥାପନ ଶୈଳୀରେ ସେ କହିଛନ୍ତି :-

 

‘‘ଭାଙ୍ଗି ଦେଲା ବନ-

ବଲ୍ଲରୀ ଉଦ୍ୟାନ-

ଲତିକାର ଅଭିମାନ,

ଗୋଲାପ କଣ୍ଟକ-      

ବନବାସୀ ବୋଲି

ବାସଙ୍ଗ କି ତା’ ସମାନ ?’’

 

ଗଙ୍ଗାଧର କାଳିଦାସଙ୍କ ବନ-ଲତାର ମାଧୁରୀ ଆଦାନ କରିବା ସଙ୍ଗେ, ଗୋଲାପ ଓ ବାସଙ୍ଗର ପ୍ରସଙ୍ଗ ଦର୍ଶାଇ ନିଜ ମୌଳିକତାର ପରିଚୟ ଦେଇଛନ୍ତି । ନାଟ୍ୟକାର ବୀରବିକ୍ରମ ମଧ୍ୟ କାଳିଦାସଙ୍କ ପୂର୍ବୋକ୍ତ ଭାବକୁ ନିଜ ନାଟକ ଭିତରେ ସମନ୍ୱିତ କରିବା ଲାଗି ଚେଷ୍ଟିତ ହୋଇଛନ୍ତି । କୁସୁମ-ସୁନ୍ଦରୀ ନାଟକର ଦ୍ୱିତୀୟ ଦୃଶ୍ୟରେ ରାଜା ଚନ୍ଦ୍ରଶେଖରଙ୍କ ଗୀତ ଓ ନେପଥ୍ୟରେ ପାଦପୂରଣ ପ୍ରସଙ୍ଗରେ ସେ କହିଛନ୍ତି :-

 

‘‘ବନଶୋଭା ଦେଖି ଉଦ୍ୟାନ-ମାନେ ଲଜ୍ଜିତ ହେବେ ।

ସ୍ୱଭାବ ଶୋଭାକୁ କୃତ୍ରିମ ଶୋଭା ପାଏ କି କେବେ ?’’

 

ବୀରବିକ୍ରମ ଏଠାରେ ବନଲତା କିମ୍ବା ବନଫୁଲ ନ କହି ‘‘ବନଶୋଭା’’ ଶବ୍ଦ ପ୍ରୟୋଗ କରିଛନ୍ତି । ଏ କ୍ଷେତ୍ରରେ ସୌନ୍ଦର୍ଯ୍ୟର ସାମଗ୍ରିକ ମହତ୍ତ୍ୱ ପରିସ୍ଫୁଟ ହୋଇ ପାରିଛି ।

ଅଭିଜ୍ଞାନ-ଶାକୁନ୍ତଳ, ବିକ୍ରମୋବଂଶୀୟ, ଉର୍ବଶୀ ଓ ପ୍ରଣୟ ବଲ୍ଲରୀର ସାହିଚର୍ଯ୍ୟରେ ଅନ୍ୟ ଏକ ପ୍ରସଙ୍ଗ ବିଚାର କରାଯାଇପାରେ । ଶାକୁନ୍ତଳ-ନାଟକରେ ରାଜା ଦୁଷ୍ୟନ୍ତଙ୍କ ସହିତ ସଖୀମେଳରେ ଥିବା ଶକୁନ୍ତଳାର ନୟନ-ମିଳନ ଓ ପ୍ରଣୟ ଉଦ୍ରେକ ହୋଇଛି । ପ୍ରଥମ ଅଙ୍କର ଶେଷ ଭାଗରେ ବିଦାୟ ବେଳାରେ ଶକୁନ୍ତଳା ନିଜ ପାଦରେ କୁଶକ୍ଷତ ଓ କୁରବକ-ଶାଖାରେ ଅଞ୍ଚଳ ଲାଗିଗଲା ବୋଲି ଅନସୂୟାକୁ ଛଳ କଥା କହି, ସଖୀଦ୍ୱୟଙ୍କ ସାମାନ୍ୟ ପଛରେ ଥାଇ, ନୟନ ଫେରାଇ ରାଜାଙ୍କୁ ସତୃଷ୍ଣ ନିରୀକ୍ଷଣ କରିଛି । କାଳିଦାସଙ୍କ ଭାଷାରେ :-

‘‘ଶକୁନ୍ତଳା-‘ଅନସୂୟେ ! ଅଭିନବ-କୁଶସୂଚ୍ୟା ପରିକ୍ଷିତଂ ମେ ଚରଣମ୍ କୁରୁବଳ ଶାଖା ପରିଲଗ୍ନଂଚ ମେ ବଳକଳମ୍‌ ! ତାବତ୍‌ ପ୍ରତିପାଳିୟତ ମାଂ ଯାବଦେତତ୍ ମୋଚୟାମି ।’

 

(ରାଜାନମ୍ ଅବଲୋକୟନ୍ତୀ ସବ୍ୟାଜଂ ବିଳମ୍ବ୍ୟ ସହ ସଖୀଭ୍ୟାଂ ନିଷ୍କ୍ରାନ୍ତା ।)’’

 

କାଳିଦାସଙ୍କ “ବିକ୍ରମୋବଂଶୀୟ” ନାଟକର ପ୍ରଥମ ଅଙ୍କରେ ମଧ୍ୟ ପୁର୍ବୋକ୍ତ ଭାବର ସାମଞ୍ଜସ୍ୟ ରହିଛି । ନାଟକୀୟ ଉପସ୍ଥାପନ ଏକପ୍ରକାର । ରାଜା ପୁରୁରବାଙ୍କଠାରୁ ବିଦାୟ ନେବାବେଳରେ ତାଙ୍କ ପ୍ରତି ପ୍ରଣୟ-ମୁଗଧା ଅପସରା ଉର୍ବଶୀ ନିଜ ସଖୀ ଚିତ୍ରଲେଖାକୁ କହିଛି, ଲତାଡ଼ାଳରେ ଲାଗିଯାଇ ଥିବା ନିଜ ଏକାବଳୀ ବୈଜୟନ୍ତୀମାଳାକୁ ଛଡ଼ାଇ ଦେବାପାଇଁ ।

କବିଙ୍କ ବର୍ଣ୍ଣନାରେ :–

‘‘ଉର୍ବଶୀ –‘ଅହୋ ଲତା-ବିଟପେ ଏଷା ଏକାବଳୀ ବୈଜୟନ୍ତିକା ମେ ଲଗ୍ନା । (ସବ୍ୟାଜମ୍‌ ଉପସୃତ୍ୟ ରାଜାନଂ ପଶ୍ୟନ୍ତି) ସଖି ଚିତ୍ରଲେଖେ ! ମୋଚୟ ତାବଦେନାମ୍‌ ।’’

ପୁରୁରବାଙ୍କ ପ୍ରତି ପ୍ରେମପୂର୍ଣ୍ଣ ନୟନରେ ଚାହୁଁଥିବା ଉର୍ବଶୀର ଏପରି କଥା ଶୁଣି ଚିତ୍ରଲେଖା ‘‘ଗାଢ଼ ଭାବରେ ଲାଗିଯାଇଛି, ଛଡ଼ାଇ ହେବ ନାହିଁ’’ ବୋଲି ପରିହାସ କରି କହୁଛି, କିନ୍ତୁ ପରେ ତାହା ଛଡ଼ାଇ ଦେଇଛି ।

କବିବର ରାଧାନାଥ ସ୍ୱୀୟ ‘ଉର୍ବଶୀ କାବ୍ୟରେ କାଳିଦାସୀୟ ଭାବ ଆହରଣ କରି ପୁରୁରବାଙ୍କ ପ୍ରତି ଉର୍ବଶୀର ସାନୁରାଗ ନିରୀକ୍ଷଣ ପ୍ରସଙ୍ଗରେ କହିଛନ୍ତି : –

‘‘ରହି ଅଟକିଲା

କଣ୍ଟାରେ ବସନ

ବୋଲିବାରୁ ଉରୁବଶୀ,

‘ଅଟକିବ ଜାଣି

ଥିଲି ଛଟକିନୀ

ସଜନୀ ବୋଇଲା ହସି ।’’ (୧ମ ସର୍ଗ)

 

ସଖୀର ପରିହାସ-ଉକ୍ତିରେ ଉର୍ବଶୀର ପ୍ରେମ-ବିଭ୍ରମ ମନୋଜ୍ଞ ଭାବରେ ପ୍ରକାଶିତ ହୋଇଛି । ‘ପ୍ରଣୟ ବଲ୍ଲରୀ’ ରେ ତଦ୍ରୂପ ଭାବ ଥିଲେ ବି ଗଙ୍ଗଧର ଭିନ୍ନରୂପରେ ଘଟଣାକୁ ସଜାଇଛନ୍ତି । ତାଙ୍କ ଅଭିବ୍ୟକ୍ତିରେ :-

 

‘‘କୁରୁବକ-କଣ୍ଟା

ଲାଗିଗଲା ବୋଲି

ସଖୀଙ୍କି କହିଲା ଛଳି,

ପ୍ରିୟମ୍ବଦା ବୋଲେ,

‘ପୁରୁବକ ଥଣ୍ଡା

ମୀନ କ୍ଷି ! ଗଲା କି ଗଳି ? ‘’ (୧ମ ସର୍ଗ)

 

ଏଠାରେ ସଖୀ ବକ ଓ ମତ୍ସ୍ୟର ସର୍ମ୍ପକ ଦର୍ଶାଇ ମୀନନୟନା ଶକୁନ୍ତଳା ସକାଶେ ପୁରୁରାଜବଂଶୀ ଦୁଷ୍ମନ୍ତଙ୍କୁ ‘ପୁରୁବକ’ ରୂପରେ ବର୍ଣ୍ଣନା କରିଛି ‘କୁରୁବକ’ ଶବ୍ଦର ସାମ୍ୟରେ ଏବଂ ପରିହାସ ଛଳରେ ।

 

କୁସୁମ ସୁନ୍ଦରୀ ନାଟକରେ ତାଦୃଶ ଶୈଳୀ ଥିଲେ ବି ସ୍ୱତନ୍ତ୍ର ରୂପରେ ପ୍ରସଙ୍ଗର ଅବତାରଣା କରାଯାଇଛି । ବିଦାୟକାଳରେ ଜେମା-କୁସୁମ ସୁନ୍ଦରୀର ହାତରୁ ଫୁଲ ଚାଙ୍ଗୁଡ଼ି ଖସିପଡ଼ିଛି । ନିଜ ସଖୀ ଚମ୍ପାଠାରୁ ଟିକିଏ ପଛରେ ରହି ଫୁଲ ଗୋଟାଇବା ଛଳରେ ଜେମା ରାଜାଙ୍କୁ ସପ୍ରେମ ଦୃଷ୍ଟିପାତ କରିଛି । ଉଭୟଙ୍କର ଅନୁରାଗୀ ନୟନ ପରସ୍ପର ମିଳିତ ହୋଇଛି । ବୀର ବିକ୍ରମଙ୍କ ଭାଷାରେ –

 

‘‘[ଜେମା ଓ ଚମ୍ପାର ପ୍ରସ୍ଥାନ ଏବଂ ଜେମାଙ୍କ ହସ୍ତସ୍ଥିତ ପୁଷ୍ପ ତଳେ ପଡ଼ିଯିବାର ।]

 

ଜେମା –‘ଚମ୍ପା ! ଟିକିଏ ରହଲୋ, ମୋର ଫୁଲଗୁଡ଼ିକ ପଡ଼ିଗଲା । ଗୋଟାଇ ସାରେଁ ଯିବା ।’ (ଜେମା ଫୁଲ ଗୋଟାଇବା ଛଳରେ ରାଜାଙ୍କ ସହିତ ନୟନ ମିଳନ)’’

 

ଉପର୍ଯ୍ୟୁକ୍ତ ପ୍ରସଙ୍ଗଦ୍ୱୟ ଏଠାରେ ମୁଖ୍ୟ ଉଦାହରଣ । ରସାଦି ଅନ୍ୟାନ୍ୟ ବିଭାବ ବର୍ଣ୍ଣନାରେ ମଧ୍ୟ କାଳିଦାସଙ୍କର ପ୍ରଭାବ ଲକ୍ଷିତ ହୋଇଥାଏ ।

 

ସଂସ୍କୃତ ନାଟକରେ ବିଦୂଷକ ହେଉଛି ହାସ୍ୟ ଅଭିନେତା । ବୀର ବିକ୍ରମଙ୍କ ଭ୍ରାତୃସ୍ନେହ ନାଟକରେ ପ୍ରଥମ ଅଙ୍କରେ ବିଦୂଷକ ଚରିତ୍ର ଉପସ୍ଥାପିତ । ଏଥିରେ ରାଜନୀତି ଓ ରାଜଧର୍ମ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଛି । ମହାଭାରତର ‘‘ଯତୋ ଧର୍ମ ସ୍ତତୋ ଜୟଃ’’ ଉକ୍ତି ବାରମ୍ବାର ଉଚ୍ଚାରିତ ହୋଇଛି । ରାଜା ଲକ୍ଷ୍ୟସିଂହଙ୍କ ସନ୍ନ୍ୟାସ ଗ୍ରହଣ ଓ ଯୁବରାଜଙ୍କ ଅଭିଷେକ ସମୟ ଆଗରୁ ପୁରୋହିତଙ୍କ ମୁଖରେ ପ୍ରସଙ୍ଗକ୍ରମେ ରଘୁବଂଶର ନିମ୍ନ ଶ୍ଲୋକ ଉଦ୍ଧୃତ ।

 

‘‘ଶୈଶବେଽଭ୍ୟସ୍ତ-ବିଦ୍ୟାନାଂ ଯୌବନେ ବିଷୟୈଷିଣାମ୍ ।

ବାର୍ଦ୍ଧକେ ମୁନିବୃତ୍ତିନାଂ ଯୌଗେନାନ୍ତେ ତନୁତ୍ୟଜାମ୍‌।’’ (୪)

 

ରଘୁବଂଶୀ ରାଜାମାନେ ବାଲ୍ୟକାଳରେ ଉତ୍ତମ ବିଦ୍ୟାଭ୍ୟାସରେ ରତ ଥିଲେ, ଯୌବନ ସମୟରେ ସାଂସାରିକ ବିଳାସ ଉପଭୋଗ କରୁଥିଲେ, ବୃଦ୍ଧାବସ୍ଥାରେ ମୁନିବ୍ରତ ବା ତପସ୍ୟା ଆଚରଣ କରୁଥିଲେ ଓ ଯୋଗବଳରେ ଦେହତ୍ୟାଗ କରୁଥିଲେ । କାଳିଦାସଙ୍କର ଏହି ରାଜକୀୟ ଓ ଭାରତୀୟ ଭାବକୁ ଆଦର୍ଶ ରୂପରେ ରଖି ବୀର ବିକ୍ରମ ଅନ୍ୟ ରାଜାମାନଙ୍କ ତାଦୃଶ ଆଚରଣ ହେବା ଉଚିତ ବୋଲି ଦର୍ଶାଇଛନ୍ତି । ଅମ୍ବିକାଦେବୀ ନାଟକର ତୃତୀୟ ଅଙ୍କର ପ୍ରଥମ ଦୃଶ୍ୟରେ ମଧ୍ୟ, କ୍ଷତ୍ରିୟୋଚିତ ଆଚରଣ ଓ ଉଦ୍‍ବୋଧନ ପ୍ରସଙ୍ଗରେ ରଣଧୀର ସିଂହଙ୍କ ମୁଖରେ ରାଜପୁତ୍ର ଓ ସେନାମାନଙ୍କ ପ୍ରତି ରଘୁବଂଶର ଉକ୍ତ ଶ୍ଲୋକ କଥିତ ହୋଇଛି ।

 

ଶ୍ରୀମଦଭଗବଦ୍ ଗୀତାରେ ପ୍ରତିପାଦିତ କ୍ଷାତ୍ରଧର୍ମ ସ୍ଥଳ ବିଶେଷରେ ବୀର ବିକ୍ରମଙ୍କୁ ପ୍ରଭାବିତ କରିଛି । ଗୀତାରେ ଭଗବାନ୍‌ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇ କହିଛନ୍ତି – ‘‘ହେ କୁନ୍ତୀପୁତ୍ର ଅର୍ଜ୍ଜୁନ ! ଯୁଦ୍ଧରେ ତୁମର ମୃତ୍ୟୁ ହେଲେ ସ୍ୱର୍ଗ ଲାଭ କରିବ, ନତୁବା ବିଜୟୀ ହେଲେ ସମଗ୍ର ପୃଥିବୀ ଭୋଗ କରିବ । ତେଣୁ ଯୁଦ୍ଧ ପାଇଁ ବଦ୍ଧ ପରିକର ହୁଅ’’ (୫) ପୁନଶ୍ଚ କ୍ଷତ୍ରିୟକୁଳୋଚିତ ଧର୍ମସମ୍ମତ ଯୁଦ୍ଧଠାରୁ ଅନ୍ୟ କିଛି ଶ୍ରେୟସ୍କର ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କ୍ଷତ୍ରିୟ ଧର୍ମର ମାହାତ୍ମ୍ୟ ପ୍ରଦର୍ଶନ କରିବା ସଙ୍ଗେ ଯୁଦ୍ଧ ପାଇଁ ପ୍ରବର୍ତ୍ତନା ଦେଇଛନ୍ତି (୬) ଅମ୍ବିକାଦେବୀ-ନାଟକର ତୃତୀୟ ଅଙ୍କର ପ୍ରଥମ ଦୃଶ୍ୟରେ ବୀର ବିକ୍ରମ ଯୋଦ୍ଧା ରଣଧୀର ସିଂହଙ୍କ ମୁଖରେ କ୍ଷତ୍ରିୟ ଧର୍ମ ବୀରତ୍ୱର ପ୍ରକାଶ କରାଇ କହଛନ୍ତି –

୪.

ରଘୁବଂଶ ୧ମ ସର୍ଗ, ଶ୍ଳୋକ ୮ ।

୫.

ହତୋ ବା ପ୍ରାପ୍‍ସ୍ୟସି ସ୍ଵର୍ଗଂ ଜିତ୍ଵା ବା ଭୋକ୍ଷ୍ୟସେ ମହୀମ୍ ।

ତସ୍ମାଦୁତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ-ନିଶ୍ଚୟଃ । (ଗୀତା ୨/୩୭)

 

‘‘ସଂଗ୍ରାମ ସୁଖଦ ସଦା ସ୍ୱଧର୍ମପ୍ରସାଦେ,

ଜିଣିଲେ ସୁଯଶ ପୁଣି ମଲେ ସ୍ୱର୍ଗପ୍ରାପ୍ତି ।

ଭୀଷଣ କଷଣ ମାତ୍ର ହେଲେ ପଶ୍ଚାତ୍‍ପଦ,

କ୍ଷତ୍ରିୟ ସନ୍ତାନେ ଉଠ ଉଠ ଅକାତରେ ।’’

ରାଜା ଉତ୍ତମ ଧର୍ମ ଆଚରଣ କଲେ ପ୍ରଜାମାନେ ତାଙ୍କୁ ଅନୁସରଣ କରି ଚଳନ୍ତି ଓ ସୁଖରେ କାଳଯାପନ କରନ୍ତି ବୋଲି ଭ୍ରାତୃସ୍ନେହ ନାଟକରେ ଦର୍ଶାଯାଇଛି । ଏ ପ୍ରସଙ୍ଗରେ ଗୀତାର ନିମ୍ନ ଶ୍ଲୋକ ଉଦ୍ଧୃତ ।

‘‘ଯଦ୍‌ ଯଦାଚରିତ ଶ୍ରେଷ୍ଠସ୍ତତ୍ ତତ୍ତଦେବେତରୋ ଜନଃ ।

ସ ଯତ୍‌ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ ।।“(୭)

 

ଶ୍ରେଷ୍ଠ ପୁରୁଷ ଯାହା ଆଚରଣ କରନ୍ତି, ଅନ୍ୟ ସାଧାରଣ ଲୋକେ ସେହି ଆଚରଣ ଶିକ୍ଷା କରନ୍ତି । ଶ୍ରେଷ୍ଠ ପୁରୁଷ ଯେଉଁ ପନ୍ଥା ଗ୍ରହଣ କରନ୍ତି, ଇତର ଲୋକେ ସେହି ପନ୍ଥାର ଯାତ୍ରୀ ହୋଇଥାନ୍ତି, ତାଙ୍କୁ ଅନୁସରଣ କରି । ତେଣୁ ପ୍ରଜାଙ୍କର ସର୍ବାଙ୍ଗୀନ ମଙ୍ଗଳ ପାଇଁ ରାଜା ସତପଥଗାମୀ, କ୍ଷତ୍ରିୟୋ ଧର୍ମୋଚିତ ଆଚରଣକାରୀ ଓ ସୃଶାସକ ହେବା ବିଧେୟ । ବୀରବିକ୍ରମଙ୍କ ନାଟକରେ କ୍ଷତ୍ରିୟ ଓ ଶାସକର ଉକ୍ତଭାବ ଶିକ୍ଷାପ୍ରଦ ହୋଇଛି ।

 

ଆଲୋଚିତ ଅଳ୍ପ କେତେକ ଉଦାହରଣ ବୀରବିକ୍ରମଙ୍କ ନାଟକରେ ସଂସ୍କୃତର ପ୍ରଭାବ ବିଷୟକ ଦିଗ୍‍ଦର୍ଶନ ମାତ୍ର । ଏହା ବ୍ୟତୀତ ନାଟକମାନଙ୍କର ସ୍ଥଳବିଶେଷରେ ବିବିଧ ନୀତିଶିକ୍ଷା ସନ୍ନିବେଶିତ । ଚାଣକ୍ୟ ନୀତି, ବିଦୂର ନୀତି, ମନୁସ୍ମୃତି ବିଭିନ୍ନ ଧର୍ମଶାସ୍ତ୍ର ଓ ସାହିତ୍ୟଶାସ୍ତ୍ର, ଉପନିଷଦ୍‍ ଆଦି ଦାର୍ଶନିକ ଗ୍ରନ୍ଥ, ଚରକ-ସଂହିତା, ସୁଶ୍ରୂତ ସଂହିତା, ଭାବପ୍ରକାଶ ଆଦି ବୈଦ୍ୟଶାସ୍ତ୍ରର କେତେକ ଭାବ ପ୍ରସଙ୍ଗମତେ ଗର୍ଭିତ । ଆଗରୁ କୁହାଯାଇଛି, ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଓ ବିଶ୍ୱନାଥ କବିରାଜଙ୍କ ସାହିତ୍ୟଦର୍ପଣର ଅବଲମ୍ବନରେ ବୀର ବିକ୍ରମଙ୍କ ‘‘ନାଟକ ରଚନା ପ୍ରଣାଳୀ’’ ପ୍ରଣୀତ । ସଂସ୍କୃତ-ନାଟକର ଗଦ୍ୟ-ପଦ୍ୟ-ମିଶ୍ରିତ ଶୈଳୀ ମଧ୍ୟ ବୀର ବିକ୍ରମଙ୍କ ନାଟକମାନଙ୍କରେ ଅନୁସୃତ ହୋଇଛି ।

 

ବୀର ବିକ୍ରମ ୧୯୦୨ରେ ରଚିତ ‘‘ନାଟକ ରଚନା ପ୍ରଣାଳୀ”ରେ ସଂସ୍କୃତ-ନାଟ୍ୟକାର ଭାସଙ୍କ କେବଳ ନାମୋଲ୍ଲେଖ କରିଛନ୍ତି ଓ ତାଙ୍କର ନାଟକ ଅପ୍ରସିଦ୍ଧ ବୋଲି ଲେଖିଛନ୍ତି । ଭାସଙ୍କ ସମ୍ପର୍କରେ ସର୍ବଶେଷରେ ସଂସ୍କୃତ ଶ୍ଲୋକଦ୍ୱୟ ଉଦ୍ଧୃତ କରିଛନ୍ତି । ପ୍ରଥମ ଶ୍ଲୋକ ହେଉଛି :-

 

୬.

ସ୍ଵଧର୍ମମପି ଚାବେକ୍ଷ୍ୟ ନ ବିକମ୍ପତୁ ମର୍ହସି ।

ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋଽନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ । (ଗୀତା ୨/୩୧)

୭.

ଗୀତା ୩/୨୧ ।

 

‘‘ସୁତ୍ରଧାର-କୃତାରମ୍ଭୈ ର୍ନାଟକୈ ର୍ବହୁଭୁମିକୈଃ ।

ସପତାକୈ ର୍ଯଶୋ ଲେଭେ ଭାସୋ ଦେବୁକୁଳୈରିବ ।।’’(୮)

ଦ୍ୱିତୀୟ ଶ୍ଲୋକାଂଶ ହେଉଛି :-

‘‘ଭାସୋ ହାସଃ କବିକୁଳଗୁରୁଃ କାଳିଦସୋ ବିଳାସଃ ।’’ (୯)

 

ଉକ୍ତ ଶ୍ଲୋକଦ୍ୱୟରେ ଭାସଙ୍କ ନାଟ୍ୟକାର ଓ କବି ଭାବରେ ସୁଖ୍ୟାତି ପ୍ରଖ୍ୟାପିତ । ବୀର ବିକ୍ରମଙ୍କ ଅନ୍ତିମକାଳ ୧୯୧୧ ମସିହା ପର୍ଯ୍ୟନ୍ତ ଭାସଙ୍କ ନାଟକ ଆବିଷ୍କୃତ ହୋଇ ନଥିଲା । ୧୯୧୩-୧୫ରେ ତ୍ରିବାନ୍ଦ୍ରମ୍‌-ନିବାସୀ ପଣ୍ଡିତ ଗଣପତି ଶାସ୍ତ୍ରୀ ମହୀଶୂର ରାଜକୀୟ ସଂଗ୍ରହାଳୟରେ ଗବେଷଣାରତ ରହି ଭାସଙ୍କ ତେରଗୋଟି ନାଟକ ତାଳପତ୍ର ପୋଥିରୁ ଉଦ୍ଧାରପୁର୍ବକ ପ୍ରକାଶ କରାଇଥିଲେ । ଏ ଦୃଷ୍ଟିରୁ ବୀର ବିକ୍ରମ ମହାକବି ଓ ନାଟ୍ୟକାର କାଳିଦାସଙ୍କୁ ଯଥାସମ୍ଭବ ଅନୁସରଣ କରିଛନ୍ତି ।

 

ରାମଶଙ୍କର ରାୟ ଓଡ଼ିଆ ନାଟ୍ୟ ସାହିତ୍ୟର ପୁରୋଧା । ତାଙ୍କ ଦ୍ୱାରା ମଧ୍ୟ ବୀର ବିକ୍ରମ କେତେକାଂଶରେ ପ୍ରଭାବିତ । ଶୈଳବାଳା ନାଟକ ରାମଶଙ୍କର ରାୟଙ୍କ ନାମରେ ସାଦର ଉତ୍ସର୍ଗ କରାଯାଇଛି । ବୀର ବିକ୍ରମ କବିବର ରାଧାନାଥଙ୍କ ଦ୍ୱାରା ମଧ୍ୟ ପ୍ରଭାବିତ । ରାଧାନାଥଙ୍କ ‘‘ମହାପାତ୍ର’’ କାବ୍ୟରେ ଓଜସ୍ୱିନୀ ଉକ୍ତିମାନ ବୀର ବିକ୍ରମଙ୍କୁ ବିମୁଗ୍‍ଧ କରିଛି । ଉଦାହରଣ ସ୍ୱରୂପ, ‘‘ମହାଯାତ୍ରା’’ କାବ୍ୟରେ ଅମର୍ଷିଙ୍କ ମୁଖରେ ସୈନ୍ୟମାନଙ୍କ ପ୍ରତି ଉଦ୍‍ବୋଧନ :-

 

‘‘ଦିଗବିଜୟୀ ଆର୍ଯ୍ୟସିଂହ ଔରସେ ଜନମି

ହେଲ କି ଅକ୍ଷମ, ଆହା ନିଜସ୍ୱ ରକ୍ଷଣେ ?

ହିମ-ଊର୍ଜସ୍ୱଳ ଭୀମ ହିମାଦ୍ରି ପ୍ରାଚୀରେ

ଦୁର୍ଗମ ଭାରତ ଦୁର୍ଗ କାପୁରୁଷ ହାତେ

କେ କହିବି ମୋତେ, କିପାଁ ଅର୍ପିଲେ ବିଧାତା ?

ହା ଦୈବ ଜମ୍ବୁକ ପଶି ହର୍ଯ୍ୟକ୍ଷ ଗୁହାରେ

ଗୋଇଠା ପ୍ରହାରି, ନେବ ତା ମୁଖୁଁ ଓଟାରି

ଗ୍ରାସ ତା’ର, ହର୍ଯ୍ୟକ୍ଷ ତା’ ସହିବ ମଉନେ

ଏ ଲାଞ୍ଛନା ଥିଲା ଟିକ ଆର୍ଯ୍ୟର ଲଲାଟେ ?’’

(ସପ୍ତମ ସର୍ଗ)

 

ସେହିପରି, ରାଧାନାଥୀୟ ଭାବ ଓ ଅମିତ୍ରାକ୍ଷର ଛନ୍ଦ ନେଇ ବୀର ବିକ୍ରମ ଅମ୍ବିକାଦେବୀ ନାଟକରେ ରଣଧୀର ସିଂହଙ୍କ ମୁଖରେ ଯୋଦ୍ଧାମାନଙ୍କ ପ୍ରତି ଉତ୍ସାହ ଓ ଉଦ୍‍ବୋଧନ ଦେଇଛନ୍ତି । ଉଦାହରଣ ସ୍ୱରୂପ, ଉକ୍ତ ନାଟକର ତୃତୀୟ ଅଙ୍କରେ :-

 

୮.

ବାଣଭଟ୍ଟ-କୃତ ହର୍ଷଚରିତ, ୧ମ ଉଚ୍ଛ୍ଵାସ, ଶ୍ଳୋକ ୧୫ ।

୯.

ଜୟଦେବ-ରଚିତ ପ୍ରସନ୍ନ ରାଘବ-ନାଟକ ପ୍ରଥମ ଅଙ୍କ, ଶ୍ଳୋକ ୨୨ ।

 

‘‘ରାଜପୁତ୍ରେ ଡାକେ ରଣେ ଦୁବୃର୍ତ୍ତ ଯବନ

ହର୍ଯ୍ୟର୍ଷେ ଦର୍ଶାୟେ ଭୀତ କୁତ୍ସିତ ଶୃଗାଳ ।

କ୍ଷାତ୍ରଧର୍ମେ ବିସର୍ଜନ କର କ୍ଷାତ୍ର ପ୍ରାଣ

ସ୍ମୁର ବାରେ ନିଜ ପୁର୍ବ ପୁରୁଷଙ୍କ ରୀତି,

ସମର ପ୍ରାଙ୍ଗଣେ ତାଙ୍କ ଅକୃତ୍ରିମ ଶ୍ରଦ୍ଧା,

ଇତିହାସ ଘୋଷେ ଯାର ଅକ୍ଷୟ କୀର୍ତ୍ତିକ,

ଘୋଷୁଥିଲା ଘୋଷୁଅଛି ଘୋଷୁଥିବ ସଦା ।

ନ ଜାଣ କି ବୀରେ ତୁମ୍ଭେ ଜନ୍ମ ତାଙ୍କ ବଂଶେ

କୁତ୍ସିତ ଯବନ ଛାର ତୁମ୍ଭ ସମକକ୍ଷ’’

 

ପ୍ରଥମ ଅଙ୍କରେ ମଧ୍ୟ ବୀର ଅନଙ୍ଗ ସିଂହଙ୍କ ମୁଖରେ ଏତାଦୃଶ ଉଦ୍ଦୀପନା ସମେତ ବୀରୋକ୍ତି ପ୍ରକାଶିତ, ଯଥା :-

 

‘‘ଯେଉଁ ଭାରତ ସମଗ୍ର ସାମ୍ରାଜ୍ୟ ଅଗ୍ରଣୀ

ବୀରତ୍ୱର ଲୀଳାସ୍ଥଳୀ ବିଦ୍ୟାର ଭଣ୍ଡାର

ପୁରିଥିଲା ତହିଁ ସଦା ଆହବ ହର୍ଯ୍ୟକ୍ଷେ

ବୀର ମଦେ ମତ୍ତ ଆହା ବୀର ଧର୍ମଧାରୀ

ପୂରିବେ କି ଏବେ ଭୀରୁ ଘୃଣିତ କୁକୁରେ ?

ଡରି ଯୁଦ୍ଧେ ଦୁରାଶୟ ଯବନ ବର୍ବରେ

ଆଜଠାରୁ ଭାରତେ କି ଭୀରୁତ୍ୱ ପ୍ରବେଶ ?’’

 

କବିବର ରାଧାନାଥ ବୀର ବିକ୍ରମଙ୍କ ନାଟକମାନ ପାଠ କରି ନିଜେ ପ୍ରୀତ ହୋଇଥିବାର ଜଣାଯାଏ । ସେ ସ୍ୱୀୟ ‘‘ଦଶରଥ ବିୟୋଗ’’ କାବ୍ୟ ବୀର ବୀର ବିକ୍ରମଙ୍କ ନାମରେ ସଶ୍ରଦ୍ଧ ଉତ୍ସର୍ଗ କରିଛନ୍ତି । ଏହାଛଡ଼ା ‘‘ନାଟକ ରଚନା ପ୍ରଣାଳୀ’’ରେ ମନ୍ତବ୍ୟ ଲେଖି ଯାଇଛନ୍ତି । ଅନ୍ୟପକ୍ଷରେ, ବୀର ବିକ୍ରମଙ୍କ ଅମ୍ବିକାଦେବୀ ନାଟକ ରାଧାନାଥଙ୍କ ନାମରେ ସାଦର ଉତ୍ସର୍ଗୀକୃତ ହୋଇଛି । ଏଥିରୁ ଉଭୟଙ୍କର ପରସ୍ପର ଶ୍ରଦ୍ଧା ଓ ସାହିତ୍ୟିକ ସମ୍ମାନ ସୃଚିତ ।

 

ବୀରବିକ୍ରମ ନିଜ ପିତୃଦେବ ବ୍ରଜରାଜଙ୍କ ଭଞ୍ଜୀୟ ଶୈଳୀ ଦ୍ୱାରା କେତେକାଂଶରେ ଆକୃଷ୍ଟ ଓ ପ୍ରଭାବିତ ହୋଇଛନ୍ତି । ରାଜକୀୟ ବିଳାସ ଆଡ଼ମ୍ବର ଓ ଭୋଗ ପ୍ରଭୃତି ତାଙ୍କର କେତେକ କବିତାରେ ବର୍ଣ୍ଣିତ । ‘‘ଗୀତିମଞ୍ଜୁଷା’’ରେ ସଂଗୃହୀତ ତାଙ୍କ କବିତାମାନଙ୍କରୁ ଏହା ପ୍ରତୀତ ହୋଇଥାଏ । ତଥାପି ତାଙ୍କର କାବ୍ୟଦୃଷ୍ଟି ସ୍ୱତନ୍ତ୍ର । ତାଙ୍କ ଶୈଳୀ କେବଳ ଭଞ୍ଜଯୁଗକୁ ନୁହେ, ସମସାମୟିକ ସାହିତ୍ୟ-ପରିବେଶକୁ ମଧ୍ୟ ସ୍ପର୍ଶ କରି ପାରିଛି । ସେ ନିଜ ନାଟକଗୁଡ଼ିକରେ ବିଭିନ୍ନ ପ୍ରକାରର ସାଙ୍ଗୀତିକ ବୈଶିଷ୍ଟ୍ୟ ପ୍ରଦର୍ଶନ କରିଛନ୍ତି । ଭଞ୍ଜଙ୍କ ପରି ବିବିଧ ଛାନ୍ଦ ଓ ସଙ୍ଗୀତ ରଚନା କରିଛନ୍ତି । ହିନ୍ଦୀ ଗଜଲ ଓ ଗୀତ ମଧ୍ୟ ତାଙ୍କ ରଚନାରେ ରମଣୀୟତା ବହନ କରିଛି । ସେ ସମସାମୟିକ ସୁପ୍ରଚଳିତ ଛନ୍ଦମାନ ପ୍ରୟୋଗ କରିଛନ୍ତି । ଉପଧା-ମିଳନ ଉପରେ କେତେକ ସ୍ଥଳରେ ଗୁରୁତ୍ୱ ଆରୋପିତ । ଚତୁର୍ଦ୍ଦଶାକ୍ଷରୀ ଅମିତ୍ରାକ୍ଷର ଛନ୍ଦ ପ୍ରତି ମଧ୍ୟ ନାଟ୍ୟକାରଙ୍କ ଆକର୍ଷଣ ରହିଛି । ସେ ଚକ୍ରକେଳି, ଗଡ଼ମାଳିଆ, ବଙ୍ଗଳାଶ୍ରୀ, କଳସା, ରାମକେରୀ, ଚିନ୍ତାଦେଶାକ୍ଷ, ଶୋକକାମୋଦୀ, ଭାଟିଆରୀ, ପୋଇ ପ୍ରଭୃତି ଅନେକ ପ୍ରାଚୀନ ଛନ୍ଦ ସମେତ ବିଭିନ୍ନ ସାଙ୍ଗୀତିକ ତାନର ସମନ୍ୱୟ ସାଧନ କରିଛନ୍ତି । ମଧ୍ୟେ ମଧ୍ୟେ କେତେକ ଧାର୍ମିକ ଭଜନ ଖଚିତ ହୋଇଛି । ସେ ପୂରାତନ ଓ ନୂତନ ଛନ୍ଦମାନଙ୍କର ସମ୍ମିଶ୍ରଣ କରି ସ୍ଥଳେ ସ୍ଥଳେ କାବ୍ୟ ସୌନ୍ଦର୍ଯ୍ୟ ବର୍ଦ୍ଧନ ନିମନ୍ତେ ଅନୁପ୍ରାସ, ଉପମା, ରୂପକ, ଦୃଷ୍ଟାନ୍ତ ଆଦି କାବ୍ୟମାନଙ୍କରେ ସଂଯୋଜନା କରିଛନ୍ତି । ବିବିଧ ଋତୁ ଚିତ୍ରଣରେ ମଧ୍ୟ ତାଙ୍କର ନିପୂଣତା ପ୍ରତିଭାତ ହୋଇଥାଏ । ତାଙ୍କ ନାଟକରେ ସରଳ, ସାବଲୀଳ ଭାଷା ଓ ରସମୟ ଆକର୍ଷଣୀୟ ହୋଇପାରିଛି ।

 

ବୀର ବିକ୍ରମଙ୍କ ନାଟକାବଳୀର ସମୀକ୍ଷା କଲେ ଜଣାଯାଏ, ସେଥିରେ ତାଙ୍କର ନାଟକୀୟ ଚାତୁରୀ ଓ କବିତ୍ୱ ଉଭୟ ପ୍ରତିଷ୍ଠିତ । ଅନେକ ଛନ୍ଦ ଓ କାବ୍ୟ ସୌଷ୍ଠବରେ ତାଙ୍କ ନାଟକମାନ ଶ୍ରୀମଣ୍ଡିତ । ଉତ୍କଳୀୟ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ତଥା ଜାତିର ଓ ଭାଷାର ସମୃଦ୍ଧି ସକାଶେ ତାଙ୍କ ଭଳି ଗୁଣଗ୍ରାହୀ, ବିଦ୍ୱାନ, ଶାନ୍ତ, ଶିଷ୍ଟ, ପ୍ରଜାବତ୍ସଳ, ବିଦ୍ୟାନୁରାଗୀ, କଳାପ୍ରିୟ, ସଙ୍ଗୀତରସିକ, କବି ଓ ନାଟ୍ୟକାର ରାଜାଙ୍କ ସାହିତ୍ୟିକ ଅବଦାନ ପ୍ରଶଂସନୀୟ । ତାଙ୍କ କବିତ୍ୱ ତାଙ୍କ ଅନ୍ୟାନ୍ୟ କାବ୍ୟମାନଙ୍କରୁ ହୃଦୟଙ୍ଗମ କରାଯାଇପାରେ । ଆଲୋଚିତ ନାଟକମାନଙ୍କରେ ତାଙ୍କର ନାଟ୍ୟକାରତ୍ୱ ଓ କବିତ୍ୱର ମଧୁର ମିଳନ ଘଟିଛି । ଉତ୍କଳର ସାହିତ୍ୟ ପରିସରରେ ତାଙ୍କ ସାରସ୍ୱତ ଅର୍ଘ୍ୟ ଅବିସ୍ମରଣୀୟ ହୋଇ ରହିଥିବ ।

 

ଅଧ୍ୟାପକ, ସଂସ୍କୃତ ବିଭାଗ

ପଞ୍ଚାୟତ ମହାବିଦ୍ୟାଳୟ

ବରଗଡ଼, ଜି. ସମ୍ବଲପୁର

***

 

Unknown

ସାଂପ୍ରତିକ ଓଡ଼ିଆ କବିତାରେ ଆଧ୍ୟାତ୍ମିକ ଚେତନା

ଶ୍ରୀ ପଠାଣି ପଟ୍ଟନାୟକ

 

ସାଂପ୍ରତିକ ଓଡ଼ିଆ କବିତାରେ ଆଧ୍ୟତ୍ମିକ ଚେତନା ସମ୍ପର୍କରେ ଆଲୋଚନା କାହିଁକି ? ତା’ର କାରଣ ହେଲା, ଭାରତୀୟ ସମାଜ ଜୀବନରେ ଆଧ୍ୟାତ୍ମିକ ଚେତନାର ପରମ୍ପରା ସୁପ୍ରତିଷ୍ଠିତ । ସଭ୍ୟତାର କେଉଁ ଆଦିମ ଯୁଗରୁ ଏହି ସମାଜରେ ଆଧ୍ୟାତ୍ମିକ ଭାବନା ଅସ୍ଥିମଜ୍ଜାଗତ ହୋଇ ଆସିଅଛି । ଧର୍ମାନୁଷ୍ଠାନ ବ୍ୟତୀତ ଭାରତୀୟ ସମାଜକୁ କଳ୍ପନା କରାଯାଇ ପାରେନାହିଁ । ସେଥିପାଇଁ ଯୁଗେ ଯୁଗେ ଭାରତବର୍ଷ ଯେତେ ସନ୍ଥ, ପୟଗମ୍ବର ଏବଂ ମହାତ୍ମାମାନଙ୍କୁ ସ୍ୱାଗତ ଜଣାଇ ଆପଣାର କରିପାରିଅଛି, ପୃଥିବୀର ଅନ୍ୟ ଦେଶରେ ତାହା ସେହି ଅନୁପାତରେ ସ୍ୱପ୍ନପ୍ରାୟ କହିଲେ ଚଳିବ ।

 

ସାହିତ୍ୟରେ ଯୁଗଧର୍ମର ନାନା ପରୀକ୍ଷା ନିରୀକ୍ଷା ଏବଂ ସାମୟିକ ପଦଧ୍ୱନି ସତ୍ତ୍ୱେ ସ୍ୱାଧୀନତାର ପ୍ରାକ୍‍କାଳ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଏହି ଆଧ୍ୟାତ୍ମିକ ଚେତନାର ଭାବଧାରା ଅତୁଟ ରହିଆସିଥିଲା । ସ୍ୱାଧୀନତା ଆନ୍ଦୋଳନକାଳୀନ କୌଣସି ପ୍ରତିକ୍ରିୟା ଅଥବା ପାଶ୍ଚାତ୍ୟ ସଭ୍ୟତା ପ୍ରଭାବିତ କୌଣସି ଭାବଧାରା ଏହି ପାରମ୍ପରିକ ବିଶ୍ୱାସରୁ ସମାଜକୁ ମୁକ୍ତ କରିପାରି ନଥିଲା । ମାତ୍ର ସ୍ୱାଧୀନତା ପରେ ହଠାତ୍‌ ଦେଖାଗଲା, ଏକ ଅଭାବନୀୟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ଦେଶର କୃଷିଭିତ୍ତିକ ସମାଜ ଜୀବନରେ ଶିଳ୍ପ ସଭ୍ୟତା ଗଭୀର ଆଲୋଡ଼ନ ସୃଷ୍ଟି କରିବାରେ ଲାଗିଛି । ଯାନ୍ତ୍ରିକ ସଭ୍ୟତାର ପ୍ରତିକ୍ରିୟା ଜନମାନସରେ ଏପରି କେତେକ ଭାବଧାରା ପ୍ରତିଫଳନ ହେବାରେ ଲାଗିଛି, ଯହିଁରେ ମନେହେଉଛି, ସତେ ଯେପରି ଅତୀତ ସହିତ ଆମର ସମ୍ପର୍କ ବିଚ୍ଛିନ୍ନ ହୋଇ ପଡ଼ୁଛି । ପ୍ରାଚୀନର ବହୁ ପ୍ରତିଷ୍ଠିତ ଅନୁଷ୍ଠାନକୁ ଆଉ ଆମେ ଗ୍ରହଣ କରିବାକୁ ପ୍ରସ୍ତୁତ ରହିନାହୁଁ । ପାଶ୍ଚାତ୍ୟ ଜଗତରେ ଯେତେବେଳେ ଶିଳ୍ପବିପ୍ଲବ ଆରମ୍ଭ ହେଲା, ଯାନ୍ତ୍ରିକ ସଭ୍ୟତାର ପ୍ରଭାବରେ ସାମାଜିକ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ସମ୍ଭବ ହେଲା, ଯାନ୍ତ୍ରିକ ସଭ୍ୟତାର ପ୍ରଭାବରେ ସାମାଜିକ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ସମ୍ଭବ ହୋଇ ପଡ଼ିଲା, ସେତେବେଳେ ସେ ଦେଶର ସାହିତ୍ୟ ସମ୍ପୂର୍ଣ୍ଣ ଭାବରେ ସେହି ଜଡ଼ବାସୀ ସମାଜ–ବ୍ୟବସ୍ଥାକୁ ଆଦରି ନେଲା ଏବଂ ତାହାରି ଦର୍ଶନର ଅଭିବ୍ୟକ୍ତି ମାଧ୍ୟମରେ ନିଜର ସ୍ଥିତାବସ୍ଥା ଜାହିର କରିବାକୁ କୁଣ୍ଠିତ ହେଲା ନାହିଁ । ମାତ୍ର ଭାରତୀୟ ସମାଜରେ ଶିଳ୍ପ ବିପ୍ଲବର ଅୟମାରମ୍ଭ ସତ୍ତ୍ୱେ ସାମାଜିକ ମନୋଭାବ ସେହି ଅନୁପାତରେ ଜଡ଼ବାଦୀ ହୋଇ ପାରୁନାହିଁ । ସେହି ଅନୁରୋଧରେ ସାହିତ୍ୟ ମଧ୍ୟ ପ୍ରାଚୀନ ଆଧ୍ୟତ୍ମିକ ପ୍ରେରଣାରୁ ନିଜକୁ ମୁକ୍ତି ଦେବା ସମ୍ଭବ ହୋଇନାହିଁ । ଏହା ସତ୍ୟ ଯେ, ଆଧୁନିକ ପ୍ରଗତିଶୀଳ ଶିଳ୍ପଭିତ୍ତିକ ସମାଜରେ ସାମାଜିକ ପରିବର୍ତ୍ତନ ଏପରି କ୍ଷିପ୍ର ଭାବରେ ସମ୍ଭବ ହୋଇ ପାରିଛି ଯେ, ମନୁଷ୍ୟ ନିଜର ଶକ୍ତି ଉପରେ ଅଧିକ ଆସ୍ଥାବାନ ହେବାକୁ ଶିକ୍ଷାଲାଭ କରିଅଛି । ସେ ହୁଏତ ପ୍ରାଚୀନ ସମାଜ ପରି ଜଣେ ଭଗବାନଙ୍କୁ ଆଶ୍ରା କରିବା ପାଇଁ ପ୍ରସ୍ତୁତ ନୁହେ । ପ୍ରତ୍ୟେକ ପଦାର୍ଥର ଅନ୍ତରାଳରେ ସେ କୌଣସି ଭଗବାନଙ୍କର ଅଦୃଶ୍ୟ ହସ୍ତର କରଣୀ ଅଛି ବିଶ୍ୱାସ ନକରି ଏକ ବୈଜ୍ଞାନିକ କାରଣ ଖୋଜିବା ପାଇଁ ଉଦ୍ୟମ କରୁଅଛି ।

 

ଏହା ସତ୍ୟ ଯେ, ଆଧୁନିକ ମନୁଷ୍ୟ ପୂରାପୂରି ଇଶ୍ୱରଙ୍କ ଉପରେ ନିର୍ଭରଶୀଳ ହେବାକୁ ଶିଖିନାହିଁ । ତା’ର ଆଖି ଆଗରେ ପ୍ରାଚୀନର ବହୁ ଅନୁଷ୍ଠାନ ଏବଂ ବିଶ୍ୱାସ ଭୁଷୁଡ଼ି ପଡ଼ୁଛି ଠିକ୍‌ ତାସ୍‌ର ଘରପରି । ମାତ୍ର କେତୋଟି ଦଶନ୍ଧି ମଧ୍ୟରେ ଯେଉଁ ପରିବର୍ତ୍ତନ ସମାଜରେ ଏବଂ ଚିନ୍ତାରାଜ୍ୟରେ ସଂଘଟିତ ହୋଇଯାଉଛି, ବହୁ ଶତାବ୍ଦୀ ମଧ୍ୟରେ ସୁଦ୍ଧା ତାହା ମନୁଷ୍ୟ କଳ୍ପନା କରିପାରୁ ନଥିଲା । ତେବେ, ଆମେ ସଫଳତାର ସହିତ ‘’ଭଗବାନ’’ ରୂପୀ ‘’ଭାବନାଟିକୁ ମନରୁ ପୋଛି ଫୋପାଡ଼ି ଦେଇ ପାରିଛେ କି ? ସାମ୍ୟବାଦୀ ଆଦର୍ଶର ଆବର୍ତ୍ତନ ଏବଂ ଜଡ଼ବାଦୀ ସଂସ୍କୃତିର ଉଦ୍‍ବୋଧନ ସତ୍ତ୍ୱେ ଆଧୁନିକ ମନୁଷ୍ୟର ମନରେ କିପରି ଏକ ଖାଲି ଖାଲି ଭାବ ରାଜପଣ କରୁଛି । ସେ ହୁଏତ ଏକ ପ୍ରବଣତାର ଅନୁରୋଧରେ “ଇଶ୍ୱର ସେ ବିଶ୍ୱର କେ ? କି ଯାଏ ଆସେ ତାହାରି ସାଥେ ? ବୋଲି ପ୍ରଶ୍ନ କରି ନିଜର ବୈପ୍ଲବିକ ମନର ପରିଚୟ ଦେଇଅଛି ସିନା କିନ୍ତୁ ବଡ଼ ବିକଳ ହୋଇ ଖୋଜୁ ବୁଲୁଛି ଆଉ ଏକ ଆଶ୍ରୟ, ଆଉ ଏକ ପ୍ରେରଣା ଓ ଭରସାର କ୍ଷେତ୍ର । କାରଣ ଏତେ ପରିବର୍ତ୍ତନ ଓ ବିବର୍ତ୍ତନ ସତ୍ତ୍ୱେ ଆମେ କ’ଣ ଆମର ପୁରୁଣା ଦର୍ଶନ, ପୁରାଣ ଓ ଚଳଣିକୁ ବାଦ ଦେଇ ପାରିଲେଣି ? ଅତୀତର ସମାଜ ହୁଏତ ବିଶ୍ୱାସରେ କିମ୍ବା ଅନ୍ଧତାର ବଶବର୍ତ୍ତୀ ହୋଇ ଭଗବାନ ରୂପୀ ଅନୁଷ୍ଠାନ ଉପରେ ନିର୍ଭରଶୀଳ ଥିଲା । କିନ୍ତୁ ଗୋଟାଏ ଅନୁଷ୍ଠାନକୁ ବାଦ୍‌ଦେଇ ତାର ମନ ଆଜି ଅତ୍ୟନ୍ତ ବିକଳ ହୋଇ ଖୋଜୁଛି ଆଉ ଏକ ଆଶ୍ରା ଓ ଭରସାର ସ୍ଥଳ । ତାର ମନର ଏହି ଦୋଳାୟମାନ ପ୍ରତିକ୍ରିୟା ସଂପର୍କରେ ଆଧୁନିକ କବିତା ବାରମ୍ବାର ବଜ୍ର ନିର୍ଘୋଷ ସ୍ୱରରେ ଆହ୍ୱାନ ଦେଉଅଛି ।

 

ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ପୃଥିବୀର ଦୁଇଟି ବିଶ୍ୱଯୁଦ୍ଧ ହୋଇଗଲା । ଅତୀତର ଇତିହାସରେ ବହୁ ସମରର କାହାଣୀ ଲିପିବଦ୍ଧ ହୋଇଥିଲେହେଁ ବିଗତ ଦୁଇଟି ବିଶ୍ୱଯୁଦ୍ଧର ବିଭିଷୀକା କଳ୍ପନାତୀତ । ମାନବ ସମାଜକୁ ଅକ୍ଲେଶରେ ଧ୍ୱଂସ କରିଦେବା ପାଇଁ ବିଜ୍ଞାନ ଯୁଗର ମନୁଷ୍ୟ ଆଜି ଅମିତ ଶକ୍ତିଶାଳୀ । ଯେଉଁ ସଂସ୍କୃତିର ବିକାଶ ପାଇଁ ହଜାର ହଜାର ବର୍ଷ ଅପେକ୍ଷା କରିବାକୁ ପଡ଼ିଅଛି, ତାହାକୁ ଅବଲୀଳାକ୍ରମେ ଆଜି ଧରାପୃଷ୍ଠରୁ ଲୋପ କରି ଦିଆଯାଇ ପାରେ । ଯୁଦ୍ଧଜନିତ ଧ୍ୱଂସ ଲୀଳା, ହିଂସା, ନିର୍ମମ ନିଷ୍ଠୁର ଆଚରଣ ଆଜି ରାକ୍ଷସ ପରି ବଭୀଷିକା ସୃଷ୍ଟି କରି ସାଂପ୍ରତିକ ସମାଜକୁ ଧ୍ୱଂସ କରିଦେବାକୁ ମାଡ଼ି ଆସୁଅଛି । ଦେଶ ଦେଶ ମଧ୍ୟରେ ଜଡ଼ ସଭ୍ୟତା ଓ ଐଶ୍ଵର୍ଯ୍ୟର ସମୃଦ୍ଧି ପାଇଁ ଏପରି ପ୍ରତିଯୋଗିତା ଲାଗି ରହିଅଛି ଯେ, ସଭ୍ୟ ମନୁଷ୍ୟ ପାଗଳ ନ ହେଲେ ହେଲା !

 

ଆଜି ସମସ୍ତେ ଏକ ସନ୍ଦେହର କୁହେଳି ମଧ୍ୟରେ ଅବସ୍ଥାନ କରୁଛନ୍ତି । ଚତୁର୍ଦ୍ଦିଗରେ ହତାଶା ଓ ଗ୍ଲାନି, ସମ୍ଭୋଗବିଳାସ ଓ ମତାନ୍ଧତା । ନୈତିକ ମନୁଷ୍ୟର ପରାଜୟ ମାନବ ସମାଜକୁ ଅତ୍ୟନ୍ତ ବିକଳ ଅବସ୍ଥାରେ ପକାଇ ଦେଇଅଛି । Dr. Poul Brunton ତାଙ୍କ ଲିଖିତ “The Spiritual crisis of man” ପୁସ୍ତକରେ ମାନବସମାଜର ଏହି ଅସହାୟ ଅବସ୍ଥାକୁ ଅତ୍ୟନ୍ତ ଚମତ୍କାର ଭାବରେ ବିଶ୍ଲେଷଣ କରିଛନ୍ତି । ଦ୍ୱିତୀୟ ମହାଯୁଦ୍ଧକାଳୀନ ପୃଥିବୀର ଦୁରବସ୍ଥାକୁ ବିଶ୍ଲେଷଣ କରି ସେ ଉଦ୍ଧାର କରିଛନ୍ତି ବିଶିଷ୍ଟ ଇଂରେଜ ଔପନ୍ୟାସିକା Virginia Woolf ଙ୍କର ଏକ ବକ୍ତବ୍ୟ –

 

“I have the feeling that I shall go mad and cannot go on any longer in these terrible times.”

 

ପରମାଣୁ ଯୁଦ୍ଧର ଭୟାବହତାରେ ଏ ଯୁଗର ମନୁଷ୍ୟ ବିଚଳିତ ଓ ବିଭ୍ରାନ୍ତ । ପଲ୍ ବ୍ରଣ୍ଟନଙ୍କ ମତରେ ଆମେ ଭଗବାନଙ୍କୁ ଭୁଲି ଜଡ଼ ସଭ୍ୟତାର ଆରାଧନା କରି ବହୁ ଦୁଃଖ ନିମନ୍ତ୍ରଣ କରି ଆଣିଛେ । ବିଜ୍ଞାନର ଅଭାବନୀୟ ଉଦ୍ଭାବନ ଏବଂ ଆବିଷ୍କାର ଯୋଗୁ ବସ୍ତୁ ସମ୍ପର୍କରେ ଆମର ଜ୍ଞାନ ଆଜି ସୁଦୁରପ୍ରସାରୀ ସତ୍ୟ, ନିଜକୁ ଭୁଲି, ଅବହେଳା କରି ପାଗଳ ପରି ଏବଂ ବସ୍ତୁବାଦୀ ସଂସ୍କୃତିକୁ ଆଲିଙ୍ଗନ କରିବା ପାଇଁ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଛନ୍ତି । ଅଥଚ ମନୁଷ୍ୟ ନିଜେ କାହିଁକି ଦୁଃଖୀ ହାହୁତାଶ ଓ ଗ୍ଲାନିରେ ପିଷ୍ଟ ହୋଇ ପଡ଼ୁଛି, ସେ ସମ୍ପର୍କରେ ସେ ଆଦୌ ସଚେତନ ନୁହେଁ । ତେଣୁ ପଲ୍ ବ୍ରଣ୍ଟନ ଅତ୍ୟନ୍ତ ବିହ୍ୱଳ ହୋଇ କହିଛନ୍ତି –

 

“Science has gone out and investigated the universe in every direction except one–the Scientist himself.”

 

ସେହି କାରଣରୁ ଆଧୁନିକ କବିତାରେ ଏ ଯୁଗର ସାମାଜିକ ଆଶାନ୍ତି, ହାହୁତାଶ ଏବଂ ନୈତିକ ଭାବନାର ଅପମୃତ୍ୟୁ ଜନିତ ପ୍ରତିକ୍ରିୟା ଇତ୍ୟାଦି ଚମତ୍କା‌ର ଭାବରେ ପ୍ରତିଫଳିତ । ଏ ଯୁଗର କବି ଯଦିଓ ଭଗବାନଙ୍କର ଅନ୍ଧ ସ୍ତାବକ ନୁହେଁ, କୌଣସି ଧର୍ମମତବାଦର ପ୍ରଚାରକ ହେବାକୁ ଚାହେଁ ନାହିଁ, ସେ କିନ୍ତୁ ସଂପୂର୍ଣ୍ଣ ଭାବରେ ସଚେତନ ଯେ ଆଧ୍ୟତ୍ମିକ ଭାବନା–ବିହୀନ ମାନବ ଜୀବନ ଅତ୍ୟନ୍ତ କ୍ଲାନ୍ତି, ବିଚଳିତ ଏବଂ ବହୁ ଭାବରେ ବିଦଳିତ ମଧ୍ୟ । ପାଶ୍ଚାତ୍ୟ କବି Hopkins ଆଧୁନିକ ଯୁଗର ଏହି ବିକଳ ଅବସ୍ଥାକୁ ଲକ୍ଷ୍ୟ କରି ଅତ୍ୟନ୍ତ ବିଚଳିତ ହୋଇ କହିଛନ୍ତି ତାଙ୍କର ଗୋଟିଏ ସନେଟ୍‍ରେ –

 

“Generations have trode have trode; have trode;

And all is seared with trade; bleared, smeared with toil;

And wears man’s smudge and shares man’s smell; the Soil,

Is bare now, nor can foot feel being shod.”

 

ଆଧୁନିକ କବି ତେଣୁ ମନୁଷ୍ୟର ଚିନ୍ତାରାଜ୍ୟରେ ସେହି ଆଧ୍ୟତ୍ମିକ ଭାବନାର ଅଭାବ ବୋଧକୁ ଅନ୍ୱେଷଣ କରିବାପାଇଁ ବାଧ୍ୟ । କାରଣ ମନୁଷ୍ୟ ବ୍ୟତୀତ ଆଉ କଣ କୌଣସି ପ୍ରାଣୀ ଭଗବାନଙ୍କୁ ଖୋଜି ପାଇଛି କି ? ଆଉ କ’ଣ ସେହି ପ୍ରାଣୀ ନୈତିକତାର ଭାବାବେଗରେ ଆଲୋଡ଼ିତ ହୋଇ ପାରିବ କି ? ଏ ଯୁଗର ଜଣେ ମହାନ କବିଗୁରୁ ଟି.ଏସ. ଇଲିୟଟ ସେହି ଅନ୍ୱେଷଣାର ବାଣୀ ଶୁଣାଇଛନ୍ତି –

 

“I am tired with my own life and the

lives of those after me,

I am dying in my own death and

the deaths of there after me.”

 

ବିଜ୍ଞାନର ଅଗ୍ରଗତି ଫଳରେ ଧର୍ମ ଭାବନାପ୍ରତି ଅନାସ୍ଥାଭାବ ପୋଷିତ ହେଲା । ଆଜି ବିଜ୍ଞାନ ପାଖରେ ଅଲଭ୍ୟ କିଛି ନାହିଁ । ସେ ଅତ୍ୟନ୍ତ ଅନ୍ତରୀକ୍ଷରେ କୁଳୀୟ ରଚନା ପାଇଁ ସାହାଯ୍ୟ କରିଛି ତ ଅଗମ୍ୟ ମହାସମୁଦ୍ର ମଧ୍ୟରେ ଅବଲୀଳାକ୍ରମେ ପ୍ରବେଶ କରି ରତ୍ନ ଆହରଣ କରିବା ପାଇଁ ସୁଯୋଗ ପ୍ରଦାନ କରିଅଛି । ଆଧୁନିକ ମନୁଷ୍ୟ ନିକଟରେ ପ୍ରକୃତି ଆଜି ପୋଷା ମନାଇ ବସିଛି । ତାହାପାଇଁ ଆଜି କିଛି ଅନୁପଲଭ୍ୟ କିମ୍ବା ଅନତିତ୍ରମ୍ୟ ନୁହେଁ । ଜୀବନ ଆଜି ଅତ୍ୟନ୍ତ ଅର୍ଥକରୀ ଏବଂ ସମ୍ଭୋଗ ବିଳାସରେ ପରିପୂର୍ଣ୍ଣ । ଅର୍ଥପ୍ରାପ୍ତି ଏବଂ କ୍ଷମତାଲିପସା ପାଇଁ ଆଧୁନିକ କାଳର ମନୁଷ୍ୟ ସମାଜ ଯେ କୌଣସି ମାରାତ୍ମକ ଧ୍ୱଂସଲୀଳା କରିବା ପାଇଁ ଆଦୌ କୁଣ୍ଠିତ ନୁହେଁ । ତେଣୁ ସେ ଆଜି ନିଜର ଅସ୍ତ୍ରରେ ନିଜେ ଜର୍ଜରିତ ହେବାରେ ଲାଗିଛି । ଏହି ବିକଳତା ଓ ଗ୍ଲାନିର ଚିତ୍ର ଜଣେ ଆଧୁନିକ ଓଡ଼ିଆ କବିଙ୍କ ଲେଖନୀରେ ଏହିପରି –

 

‘‘ହଠାତ୍‌ମୁଁ ଅନ୍ଧ ହେଲି ଇଏ କେଉଁ ଆଲୋକ ଜ୍ୱାଳାରେ ।

ଅନେକ ରଙ୍ଗରେ ବର୍ଣ୍ଣେ ! ମେଞ୍ଚା ମେଞ୍ଚା ବିଚିତ୍ର ପୀଡ଼ାରେ ।

(ସେ ପୁର୍ବ ଅନନୁଭୂତ) ସଚକିତେ ନିଜେଇ ବିହ୍ୱଳି

ଅଦ୍ଭୁତ ବେଦନାନନ୍ଦେ, ମଗ୍ନତାରେ, ନିଜ ଭାବେ ନିଜେ ପୋଡ଼ି ଜଳି ।

ବୋଧ ହୁଏ ହଜିଗଲି ଆଲୋକର ନିରନ୍ତ ବ୍ୟାପ୍ତିରେ

ନିଜକୁ ହାରିଲି ନିଜେ ଇଏ ଯେଉଁ ଅଭିଭୂତ ନିର୍ବାକ ଦ୍ୟୁତିରେ ।’’

(ଦୁଇଟି ଆଖିର ସୂର୍ଯ୍ୟାବର୍ତ୍ତ-ବେଣୁଧର ରାଉତ)

 

ସମାଜର ଏହି ଅସହାୟ ଭାବନାର ଚିତ୍ର ଆଉ ଜଣେ ଆଧୁନିକ କବିଙ୍କର ଭାବନାରେ ଏହିପରି ରୂପାୟିତ ହୋଇଅଛି –

 

‘‘କୋଟି ମାନବର ଶତ ସୁଖ ସ୍ୱପ୍ନ କାହିଁ

ଲଜିଯାଏ ମରଣର ଚିର ଅଭିସାରେ

ମରୁଡ଼ିର ବିଷାକ୍ତ ନିଃଶ୍ୱାସେ

ଜାଳିଦିଏ ଶତାବ୍ଦୀର ସୁନାର ଫସଲ

ଚିକ୍‌ ଚିକ୍‌ କରେ ତଳେ.....

ସଂଖ୍ୟାହୀନ, ପଚମାନ ଧୁସରିତ ଶବ

ଆଉ ତାର ଶୁଭ୍ର ଅସ୍ଥି, ମଜ୍ଜା, ମାଂସ

ବିରାଟ ବିଦ୍ରୁପ ।’’

(ତୀର୍ଯ୍ୟକ-ଜାନକୀବଲ୍ଲଭ ମହାନ୍ତି)

 

ଜଣେ ମହାନ ଚିନ୍ତା ନାୟକ ଯଥାର୍ଥରେ କହିଥିଲେ – “If you would understand an author, you must understand his age.”

–Goethe

 

ଅବିଶ୍ୱାସର ଧୂମ କୁଣ୍ଡଳି ମଧ୍ୟରେ ଶ୍ୱାସରୁଦ୍ଧ ମନୁଷ୍ୟ ଆଜି ନିଜର ମାନସିକ ଭାରସାମ୍ୟ ହରାଇ ବସିଅଛି । ଜଡ଼ସଭ୍ୟତାର ଅଭିବୃଦ୍ଧି ଓ ସମ୍ଭୋଗ ବିଳାସ ମଧ୍ୟରେ ସେ ଆଜି ଏକ ପ୍ରକାର ଉଦ୍‍ଭ୍ରାନ୍ତ । ତା’ର ମନ ଆଜି ଅତ୍ୟନ୍ତ ଅଶାନ୍ତ ଏବଂ ଉଦବେଳିତ । ସ୍ନେହ, ପ୍ରୀତି, ସମବେଦନା ଏବଂ ମାନବିକତା ଠାରୁ ସେ ଆଜି ଶତ ଯୋଜନା ଦୂରରେ । ତେଣୁ ସେ ଆଜି ବ୍ୟାକୁଳ ହୋଇ ଖୋଜି ବୁଲୁଛି ଏକ ନିର୍ଭରତା, ଏକ ଆଶ୍ରୟ । ଏହା ଅଧ୍ୟାତ୍ମିକ ବ୍ୟାକୁଳତା ବ୍ୟତୀତ ଆଉ କ’ଣ ହୋଇପାରେ ?

 

ଏ ଯୁଗର କବିଗୁରୁ ଏହିପରି ଦୋଳାୟମାନ ଅବସ୍ଥାରେ ଥାଇ ଶାନ୍ତି ପାଇଁ ବ୍ୟାକୁଳ ହୋଇଛନ୍ତି । ଅନ୍ୱେଷଣ କରିଛନ୍ତି ଆଧ୍ୟତ୍ମିକତାର ଆହ୍ୱାନ ।

 

‘‘ମାର୍ଗେଟ ବାଲିରେ ।

ଦୁଇଟି ଜିନିଷ ଯା’ର ମୂଲ୍ୟ କିଛି ନାହିଁ

ତାକୁ ମୁହଁ ଯୋଡ଼ି ଦେଇପାରେ ।

ମଇଳା ହାଜର ଭଙ୍ଗା ଆଙ୍ଗୁଠିରେ ନଖ

ମୋ ଦେଶର ନିରୀହ ଜନତା

କିଛି ଚାହେଁ ନାହିଁ

ଲାଲ ।

କାର୍ଥେଜକୁ ଯାଇ ତାହା ପରେ ଫେରି ମୁଁ ଆସିଲି ।

ଜଳିଯାଏ ଜଳିଯାଏ ଜଳି ପୋଡ଼ିଯାଏ ।

ପ୍ରଭୁ ମୋତେ କର ହେ ଉଦ୍ଧାର

ହେ ପ୍ରଭୁ ଉଦ୍ଧାର କର

ଜଳି ପୋଡ଼ିଯାଏ ।’’

(ଟି. ଏସ୍. ଏଲିୟଟ-ଅନୁବାଦ-ଜ୍ଞାନୀନ୍ଦ୍ର ବର୍ମା)

 

ଆଧୁନିକ କାଳରେ ନୂତନ ଓ ପୁରାତନର ସଂଘର୍ଷ ଅବିରତ ଲାଗିରହିଛି । ପ୍ରାଚୀନ ମୁଲ୍ୟବୋଧ ଆଉ ଗ୍ରାହ୍ୟ ହେଉନାହିଁ । ସାଂପ୍ରତିକ ଚଳଣି ଏବଂ ଚେତନା ତେଣୁ ଅନେକ ପରିମାଣରେ ଅସହ୍ୟ ହୋଇପଡ଼ୁଛି । ଯୁଗର ଯନ୍ତ୍ରଣା ହିଁ ହୋଇଛି ଆଧୁନିକ ସାହିତ୍ୟର ଚେତନାର ବାହକ । ଆଧୁନିକ କ୍ଷୟିଷ୍ଣୁ ସଭ୍ୟତା ଏ ଯୁଗର କବିମାନଙ୍କୁ ଯଥେଷ୍ଟ ପୀଡ଼ା ଦେବାରେ ଲାଗିଛି । ସୁଖର କଥା ଯେ, ଆଧୁନିକ କାଳର ଓଡ଼ିଆ କବିମାନେ ପ୍ରେରଣା ପାଇଁ କେବଳ ପାଶ୍ଚାତ୍ୟ ସାହିତ୍ୟକୁ ଅନ୍ଧାନୁସରଣ କରୁନାହାଁନ୍ତି, ସେମାନେ ଏ ଦେଶର ପାରମ୍ପରିକ ସଂସ୍କୃତିର ରହସ୍ୟ ଉଦ୍‍ଘାଟନ କରି ତାହାର ମୂଲ୍ୟବୋଧକୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ସ୍ୱୀକାର କରୁଛନ୍ତି । ତେଣୁ ପଚମାନ ଯୁଗଧର୍ମକୁ ଲକ୍ଷ୍ୟ କରି ସେମାନେ ମଣିଷ ପାଇଁ ବିକଳ ହୋଇ ବିଦ୍ରୋହ ଘୋଷଣା କରୁଥିଲାବେଳେ ସମଧାନ ପାଇଁ ଇଶ୍ୱରସତ୍ତାକୁ ମଧ୍ୟ ଖୋଜି ବୁଲୁଛନ୍ତି । ତେଣୁ ସେମାନଙ୍କ କବିତାରେ ଆଧ୍ୟାତ୍ମିକତାରେ ପ୍ରତିଫଳନ ଅନିବାର୍ଯ୍ୟ ହୋଇ ପଡ଼ୁଅଛି । ସାଂପ୍ରତିକ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଅନୁଶୀଳନ କରି ସ୍ୱନାମଧନ୍ୟ ଅଧ୍ୟାପକ ବିଧୂଭୂଷଣ ଦାସ ଲେଖିଥିଲେ – ‘‘ଓଡ଼ିଆ ସାହିତ୍ୟରେ ପାଶ୍ଚାତ୍ୟ ସାହିତ୍ୟ ପରି ଅନୁତ୍ତାରାଧିକୃତମାନସ (Disinherited mind)ର ସ୍ୱାକ୍ଷର ଅଧିକ ନାହିଁ । କିୟର୍କେଗାଡ଼ ଜୀବନର ଅସ୍ତତ୍ୱରେ ଯେଉଁ ଭୟ ଓ ଜୁଗୁପ୍‍ସା ନିର୍ଣ୍ଣୟ କରିଥିଲେ, ତାହା ମଧ୍ୟ ଖୁବ୍‌ ବିଶେଷ ପରିମାଣରେ ନାହିଁ । ତାହାର କାରଣ ଓଡ଼ିଶାରେ ସାମାଜିକ ବିବର୍ତ୍ତନ ପାଶ୍ଚାତ୍ୟ ଦେଶ ତୁଳନାରେ ଅନେକ କମ୍ । ଏଠି ବଞ୍ଚିବାର ସ୍ପୁହା ଏ ପର୍ଯ୍ୟନ୍ତ ଅରୁଚି (Nausea) ସ୍ତରକୁ ଖସି ଆସି ନାହିଁ । ତାହାର କାରଣ ଆମର ବ୍ୟକ୍ତିଗତ ଓ ସମଷ୍ଟିଗତ ଜୀବନ ଉପରେ ଧର୍ମର ପ୍ରଭାବ ଏ ପର୍ଯ୍ୟନ୍ତ ଅନେକଟା ଅପ୍ରତିହତ । ଏ ପ୍ରଭାବ କ୍ରମଶଃ ଦୁର୍ବଳ ହେଉଛି; କିନ୍ତୁ ଏହା ଏ ପର୍ଯ୍ୟନ୍ତ ଆମ ଦେଶର ସାମୂହିକ ଅଚେତନ (Collective unconscious)ରେ ଏଭଳି ଦୃଢ଼ ଭାବରେ ନିବଦ୍ଧ ଯେ ତାହାର ପ୍ରଭାବରୁ ଓଡ଼ିଆ ଲେଖକ ବା ପାଠକ ମୁକ୍ତ ନୁହନ୍ତି । କିନ୍ତୁ ଏହି ଧର୍ମବିଶ୍ୱାସର ଦୃଢ଼ତା କ୍ରମେ ହ୍ରାସ ପାଉଛି । ମଧ୍ୟଯୁଗର ସାହିତ୍ୟ ସହିତ ଏ ଯୁଗର ସାହିତ୍ୟକୁ ତୁଳନା କଲେ ଏହା ସ୍ପଷ୍ଟ ହୁଏ । ତେବେ ପାଶ୍ଚାତ୍ୟ ସାହିତ୍ୟରେ ଯେଉଁ ଯୁଗଯନ୍ତ୍ରଣା (agnst) ଅଥବା ନାସ୍ତିକ ଭାବର ପ୍ରଚାର ହୋଇଛି,ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆମ ସାହିତ୍ୟକୁ ଗ୍ରାସ କରିନାହିଁ ।’’ (ସାଂପ୍ରତିକ ସାହିତ୍ୟର ମୁଖବନ୍ଧ-ପ୍ରଫେସର ବିଧୂଭୂଷଣ ଦାସ-‘‘ମୋ’ ଦୃଷ୍ଟିରେ ସାଂପ୍ରତିକ ସାହିତ୍ୟ-୧୯୭୩)’’

 

ଏ ଯୁଗର ବିଧ୍ୱସ୍ତ ଅବସ୍ଥାକୁ କବି କବି ଯଦୁନାଥ ଦାସ ମହାପାତ୍ର ବର୍ଣ୍ଣନା କରିଛନ୍ତି, ଏହିପରି –

‘‘ପୂରୁଣା ପୃଥିବୀ ଆଜି ବଞ୍ଚିବାର ଅଗ୍ନିଶିଖା ତଳେ

ସୂର୍ଯ୍ୟର ଜଙ୍ଗଲ ପରି ଅନ୍ତଃସାର ଶୁନ୍ୟ ହୋଇ ଜଳେ,

ଜଳିଯାଏ ଅକାଳେ ମଣିଷ

ଶତାବ୍ଦୀର ମେରୁଦଣ୍ଡ ଭାଙ୍ଗିଯାଏ ଆଜି ଅହର୍ନିଶ ।’’

(ବହୁଛି ବଳଙ୍ଗ ନଦୀ)

 

ଏହି ବେଦନାଜଡ଼ିତ, ଯନ୍ତ୍ରଣାଜଡ଼ିତ ଜୀବନର ପରିଣତି ସମ୍ପର୍କରେ ବିଚଳିତ ହୋଇ ନୂଆ ଦିଗନ୍ତର ସନ୍ଧାନ ପାଇଁ ବ୍ୟାକୁଳ ହୋଇଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ । ଦୁଇଟି ଯୁଗର ସନ୍ଧିକ୍ଷଣ ମଧ୍ୟରେ ଯେଉଁ ମାନସିକ ସଂଘର୍ଷ ସୃଷ୍ଟି ହୋଇଛି, ତାହାର ଭାରସାମ୍ୟ ରଖିବା ପାଇଁ ସେ ଆହ୍ୱାନ କରିଛନ୍ତି –

 

‘‘ତେଣୁ ମାଗେ ଇଶ୍ୱରଙ୍କୁ ବର-

ମହାଶୟ ! ପ୍ରାତ୍ୟହିକ ଏଇ ଜୀବନର

ସରଳରେଖାର ସଙ୍ଗେ କାମନା ମୋ ସମାନ୍ତରାଳ

ନ ହେଲା ତ ନୋହୁ ପଛେ, ତାହା ସଙ୍ଗେ ରଚୁ ସମକୋଣ

କରୁ ତାକୁ ବିଦ୍ଧ, ଦ୍ୱିଖଣ୍ଡିତ,

ଅଥବା ହୋଇଯାଉ ଶତଧା ବିଭକ୍ତ, ଆଘାତେ ଜର୍ଜିତ ।

କିନ୍ତୁ ସେଇ ଆଘାତ ଓ ସଘଂର୍ଷ ଭିତରୁ ହେଉ ଜାତ

ବଞ୍ଚିବାର ନୂଆ ପଥ, ଜୀବନର ନୂଆ ନୂଆ ଛାଞ୍ଚ ।’’

(ଭାରସାମ୍ୟ-ଶଚ୍ଚିଦାନନ୍ଦ ରାଉତରାୟ-ପାଣ୍ଡୁଲିପି-)

 

ଆଧୁନିକ ମନୁଷ୍ୟର ଅଶେଷ ଦୁଃଖ ଓ ବେଦନାବୋଧ । ନାନା ହତାଶା ଓ ଗ୍ଲାନି ମଧ୍ୟରେ ସେ ସନ୍ତୁଳିତ ହେଉଛି । ଅତୀତର ଅନ୍ଧାନୁସରଣ ଯୁଗରେ ସେ ଭଗବାନ ବୋଲି କୌଣସି ଏକ ଅମୂର୍ତ୍ତ ଅଦୃଶ୍ୟ ଶକ୍ତି ଉପରେ ନିର୍ଭର କରି, ନିଜକୁ ସମର୍ପି ଦେଇ ସୁଖ ଦୁଃଖରେ ଶାନ୍ତିଲାଭ କରୁଥିଲା । ମାତ୍ର ଏ ଯୁଗରେ ତାହା ଆଉ ସମ୍ଭବ ନୁହେଁ । ଏ ଯୁଗର ବୈଜ୍ଞାନିକ ଅନୁଶୀଳନ ଏପରି ଅନ୍ଧାନୁସରଣ ପ୍ରତି ସୁଯୋଗ ଦେଇ ପାରିବି ନାହିଁ ।

 

ଧ୍ୱସ୍ତ ବିଧ୍ୱସ୍ତ ପୃଥିବୀର ପାଣିପାଗକୁ ଆଲୋଚନା କଲାବେଳେ ଆଧୁନିକ କବି ତା’ର କବିତାରେ କ୍ରମେ କ୍ରମେ ଇଶ୍ୱରଙ୍କ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ହେଁ ସେ କ୍ରମେ କ୍ରମେ ଆଧ୍ୟାତ୍ମିକତା ଆଡ଼କୁ ଓଟାରି ହୋଇ ଯାଉଛି । ସେ ଅନୁଭବ କରୁଛି, ପାଶ୍ଚାତ୍ୟର ନେତି ନେତି ଶ୍ଲୋଗାନ ମଧ୍ୟରେ ସେ ହତଭଙ୍ଗ ହୋଇପଡ଼ିବ । ତା’ର ମନରୁ ଗ୍ଲାନି, ଭୟ, ସଙ୍କୋଚ ଏବଂ ଜଡ଼ଭାବକୁ ପୋଛି ଭାଙ୍ଗି ଦେବାପାଇଁ ଆଧ୍ୟାତ୍ମିକ ଚିନ୍ତନ ହିଁ ଏକମାତ୍ର ଆଶ୍ରା ଓ ଭରସା । ଆଜି ସବୁଠାରୁ ସତ୍ୟ ହେଲା ବଞ୍ଚିବା ଏହି ବଞ୍ଚିବାଟା କିପରି ବିଡ଼ମ୍ବିତ ହୋଇପଡ଼ିଛି, ତାହା ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ସଫଳସ୍ରଷ୍ଟା ରମାକାନ୍ତଙ୍କୁ ପଢ଼ାଯାଇପାରେ –

 

‘‘ଜୀବନର ଚକ୍ର ଘୂରେ,

ଘୂର୍ଣ୍ଣନରେ ପେଷି ହୁଏ ହୃଦୟ ଓ ବିବେକ ଆଦର୍ଶ,

ଜୀଇଁବାଟା ବୋଧହୁଏ ଜୀବନର ସବୁଠାରୁ ସତ

ତା’ ଠାରୁ ବି ସତ ବୋଧେ ଆଦର୍ଶର ହତ୍ୟା ଆଉ

ବିବେକ ମୃତ୍ୟୁର କାହାଣୀ ।’’

(ଚନ୍ଦ୍ରମାର ଚୂଡ଼ି-ରାମାକାନ୍ତ ରଥ)

 

ସେଇ ଅସହାୟ, ସାଥୀହରା, ଆତ୍ମପ୍ରତ୍ୟୟହୀନ, ବ୍ୟର୍ଥତା ପୀଡ଼ିତ, ନୈରାଶ୍ୟ ଜର୍ଜ୍ଜରିତ ଅତ୍ୟନ୍ତ କଲବଲ ହେଉଥିବା ଆଧୁନିକ ମଣିଷର କଥା କହିଛନ୍ତି କବି ସୀତାକାନ୍ତ-

 

‘‘ଆଶା ନାହିଁ, ନାହିଁ ଆଶ୍ୱାସନା

ଦୂବଘାସ ଖିଏ ନାହିଁ –ବଉଦର ସ୍ୱପ୍ନ ନାହିଁ

ନାହିଁ ନାହିଁ ସବୁଜ ଦ୍ୟୋତନା ।’’

(ମୃତ୍ୟୁ ନାଚ-ସୀତାକାନ୍ତ ମହାପାତ୍ର)

 

ସେଇ ଯନ୍ତ୍ରଣାର ସମାନ ପ୍ରତିଧ୍ୱନି ଗୁରୁପ୍ରସାଦଙ୍କ କାବ୍ୟଚେତନାରେ–

‘‘ଏ ପୃଥିବୀ ଜଣାଯାଏ ବନ୍ଧୁହୀନ, ଜ୍ଞାତିହୀନ କେଉଁ ଏକ ଅନ୍ୟ ଦେଶ ପରି ।’’

(ହରେକୃଷ୍ଣ ଦାସ–ଗୁରୁପ୍ରସାଦ ମହାନ୍ତି)

 

ପ୍ରାଚୀନ ଯୁଗର ଉଜ୍ଜଳ ବିଶ୍ୱାସ ଆଜି ନାହିଁ । ନୈତିକତାର ମୂଲ୍ୟବୋଧ ଆଜି ନିଶ୍ଚିତ ଭାବରେ ପରିବର୍ତ୍ତିତ ହୋଇଯାଉଛି । ଜୀବନ କ୍ଷେତ୍ରରେ ପ୍ରତ୍ୟୟର ଆଲୋକ ଅପେକ୍ଷା ଆଜି ସଂଶୟର ଅମାଅନ୍ଧକାର ମଧ୍ୟରେ ଆଧୁନିକ ମନୁଷ୍ୟ ଆଜି ଅଧିକ ସନ୍ତୁଳି ହେଉଛି । ଜୀବନର ଅଳୀକତା, ଆନ୍ଦୋଳିତ ପରିବେଶ ଏବଂ ହୃଦୟହୀନ ବାତାବରଣ ବିଷୟରେ ସେ ସଚେତନ । ତେଣୁ କବି ଗୁରୁପ୍ରସାଦ ତାଙ୍କର ସାର୍ଥକ ସୃଷ୍ଟି ‘’କାଳପୁରୁଷ’’ରେ ଜୀବନର ସମସ୍ତ ତିକ୍ତତା, ଗ୍ଲାନି ଓ ବ୍ୟର୍ଥତା ମଧ୍ୟରେ ଖୋଜୁଛନ୍ତି ବ୍ୟାକୁଳ ଚିତ୍ତରେ ରୁଷିକଣ୍ଠର ସେହି ଉଦାତ୍ତବାଣୀ –

 

‘‘ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ଅନ୍ଧାରରୁ,

ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ମରଣରୁ,

ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ଅସତରୁ,

ମୃତ୍ୟୁର୍ମାଂ

ଅସତୋ ମା

ତମସୋ ମା

ମୃତ୍ୟୁର୍ମାଂ.....ମୃତ୍ୟୁର୍ମାଂ .. ମୃତ୍ୟୁର୍ମାଂ

ଅମୃତଂ ଗମୟ’’

(କାଳପୁରୁଷ)

 

ଆଉ ଏକ କବିତାରେ ସେଇ ଭବନାର ପ୍ରତିଧ୍ୱନି-

‘‘ମହାପ୍ରଭୁ ମୁକ୍ତି ଦିଅ ଏହି

ଯାତ୍ରା ଶୁଭ ହେଉ ତୁମର ଦୟାରୁ

ଏହି ଯାତ୍ରା ହେଉ ମୋର ଶେଷ ଯାତ୍ରା

ଏ ଦେହରୁ

ତୁମର ସଂହାର ଡେଇଁ ବହୁତ

ବହୁତ କ୍ଲାନ୍ତି ; ପୁନରୁକ୍ତି

ଏ ଆତ୍ମାର

ଆଉ ତୁମ ଦୟା କ୍ଷମା କରୁଣାର,

ସମୁଦ୍ର କୂଳରୁ ।

(ଅକ୍ରୁର ଉବାଚ–ଗୁରୁପ୍ରସାଦ ମହାନ୍ତି)

 

କବି ରମାକାନ୍ତ ରଥ ତାଙ୍କର ‘‘ବୋଇତ ବନ୍ଦାଣ’’ କବିତାରେ ସେଇ ଜଡ଼ବାଦୀମାନଙ୍କୁ ନିଦ୍ଦେର୍ଶ ଦେଇଛନ୍ତି, କୌଣସି ଏକ ବିଶ୍ୱାସ ରୂପକ ଡଙ୍ଗାରେ ବସିବା ପାଇଁ । ସେତେବେଳେ ‘‘ସମୁଦ୍ର ତା ‘ଆପଣା ଇଚ୍ଛାରେ/ଡଙ୍ଗାକୁ ଚଳାଇ ନେବ ।’’ ରମାକାନ୍ତଙ୍କ ‘‘ଚିତ୍ରପ୍ରତିମା’’ କବିତାରେ ଏହି ଦିବ୍ୟଭାବ ଅଧିକ ପ୍ରକଟିତ ହୋଇଅଛି । ଅବକ୍ଷୟ ଯୁଗ ମନ୍ତ୍ରଣାର ପରିଧି ମଧ୍ୟରୁ ନିଜକୁ ଅପସାରିତ କରି କବି ପହଞ୍ଚିଛନ୍ତି ଏକ ଆଲୋକିତ ଚଉହଦି ମଧ୍ୟରେ । ସେତେବେଳେ କବି ଚିନ୍ତାମଣି ବେହେରାଙ୍କ ଭାଷାରେ ମନେ ପଡ଼ିଯାଏ –

 

ଚକ୍ଷୁ ମେଲି ରାତ୍ରି ଚାହେଁ,

ଦେଖେ ମୋର ଶୂନ୍ୟ ସବୁ

ଶୂନ୍ୟ ମୋର ଦୀର୍ଘ ଯାତ୍ରାପଥ,

ଏ ମର୍ତ୍ତ୍ୟରୁ ମରୁବୁକେ

ହୃଦୟର ଶୂନ୍ୟ ସ୍ଥାନେ

ଟିକଏ ଅଧେ ବିଦ୍ୟୁତର ଝରା,

ଖୋଜଇ ପ୍ରତ୍ୟୟ ପୁଣି,

ମୌସୁମୀର ଶ୍ୟାମ ଶ୍ୱାସ

ସାଜିବାକୁ ଜୀବନର ରଥ,

(ଯାତ୍ରୀ–ଚିନ୍ତାମଣି ବେହେରା)

 

ଆଧୁନିକ ଓଡ଼ିଆା ସାହିତ୍ୟରେ ଆଉ ଜଣେ ଶକ୍ତିଶାଳୀ କବି ଅନନ୍ତ ପଟ୍ଟନାୟକଙ୍କ କବିତା ଏ କ୍ଷେତ୍ରରେ ଅଧିକ ସମୀଚୀନ ମନେ ହୁଏ । କବି ଅନନ୍ତ ସାମ୍ୟବାଦୀ ଚିନ୍ତାଧାରାର ବାର୍ତ୍ତାବହ । ସେ ବିଦ୍ରୋହ କରିଛନ୍ତି ପ୍ରାଚୀନ କ୍ଷୟଶୀଳ ପ୍ରତିକ୍ରିୟାଶୀଳ ସମାଜ ବ୍ୟବସ୍ଥା ବିରୁଦ୍ଧରେ । ସେ ହୋଇଛନ୍ତି ଅତିଶୟ ନିଷ୍ଠାର ସହିତ ଆଶାବାଦୀ । ବିପ୍ଲବ ମଧ୍ୟରେ କବି ସାଂପ୍ରତିକ ସମାଜର ପରିବର୍ତ୍ତନ କାମନା କରିଛନ୍ତି । ଏହି ରକ୍ତସ୍ନାତ ବିପ୍ଲବର ଘନଘଟା ମଧ୍ୟରେ ଧ୍ୱଂସସ୍ତୂପର ବିଭୀଷିକା ମଧ୍ୟରୁ କବି ଖୋଜିଛନ୍ତି ଆଲୋକର ସନ୍ଧାନ; ତେଣୁ କବି ଗାଇଛନ୍ତି –

 

‘‘ମୁଁ କିରେ ତାହୁନି

ଧୂଳି ଧରଣୀର ଧୀର ଶର୍ମିଳ ଗାନ ?

ମୁଁ କିରେ ଲୋଡ଼ୁନି,

ବାହାରେ ଆକାଶ ଭିତରେ ଆକାଶ

ଅନ୍ତ୍ର ନାଡ଼ୀର ମଣି ପଦ୍ମରେ ଭୃଙ୍ଗର ହାସ

ମୁଁ କିରେ ମାନିଚି ବ୍ୟବଧାନୀ କଥା ସମ୍ମାନ ଅବିଧାନ ?

ମୁଁ କିରେ ଖୋଳୁନି ଧର୍ମର ଖଣି

ମରୁ ଖର୍ଜ୍ଜ୍ୱରେ ଫୁଲ ଫୁଲ୍‌ଗୁର ଧାରା

ମୁଁ କିରେ ବୁଣୁନି ଜଗନ୍ନାଥର ବୀଜ ଓଁ କାରେ

‘‘ଜାରା’’ ଜୀବନର କେତେ ଝୁମୁରର ଜ୍ୱାଳା ।’’

(ନିଜେ ବନ୍ଦନା ପଢ଼େ–ଅନନ୍ତ ପଟ୍ଟନାୟକ)

 

ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ଆଉ ଜଣେ ପ୍ରତିଭାଶାଳୀ କବି ସୀତାକାନ୍ତ ମହାପାତ୍ର ଅନୁରୂପ କଳ୍ପନା କରିଛନ୍ତି ତାଙ୍କର ‘‘ଜରାଶବରର ସଙ୍ଗୀତ’’ରେ । ଭଗବାନଙ୍କ ମାୟା ଓ ଛଳନା ଦୂରେଇ ରଖିବା ପାଇଁ ଆକୁଳ ନିବେଦନ କରିଛନ୍ତି । ତାଙ୍କର କବିତାର ଛତ୍ରେ ଛତ୍ରେ ମାନବିକତା ଓ ମମତାସିକ୍ତ ନିବେଦନ ପ୍ରତିଫଳିତ ହେବାର ଦେଖାଯାଏ ।

 

‘‘ମାଗୁନି ମୁଁ ଜ୍ଞାନ ତୋର, ମାଗୁନି ମୁଁ ଅସୀମ ତୋ ସ୍ମୃତି,

ହେ ମାୟାବି ! ବିଶ୍ୱରୂପ ଖାଲି ମୋର ଏତିକି ମିନତି

ଯୁଗେ ଯୁଗେ ତୀର ମୋର ଦେଉ ତୋତେ

ତୋ ଦେହରୁ, ତୋ ଆପଣା ଛଳନାରୁ ଦେଉ ତୋତେଇ ମୁକତି ।

ଯୁଗେ ଯୁ‌ଗେ କାନ୍ଦେ ମୁଇଁ କଇଁ କଇଁ, କଂଥଡ଼ା ମୋ

ବକ୍ଷେ ଚାପି, କଅଁଳ ଏ ଛନ ଛନ

ଜାମୁକୋଳି ରଙ୍ଗ ଲିପା ତୋ ପାଦ ଦିଓଟି ।’’

(ଜରା ଶବରର ସଙ୍ଗୀତ–ସୀତାକାନ୍ତ ମହାପାତ୍ର)

 

ସାଂପ୍ରତିକ ଓଡ଼ିଆ କବିତାରେ କାହିଁକି, ଆଜି ସମଗ୍ର ମାନବ ସମାଜର କବିତାରେ ଆଧ୍ୟାତ୍ମିକତାର ସମ୍ବେଦନଶୀଳତା ପ୍ରତିଫଳିତ ହେବା ସ୍ୱାଭାବିକ । ଏଥିରୁ ଓଡ଼ିଆ କବିତା ବଞ୍ଚିତ ହେବାର କୌଣସି କାରଣ ନାହିଁ । ଜଡ଼ବାଦୀ ସଭ୍ୟତାର ପ୍ରଗତି ପଥରେ ବହୁଦୂର ଅତିକ୍ରମ କରି ଗଲାପରେ ଆଧୁନିକ ମାନବ ସମାଜ ଯେଉଁ ମାନସିକ ସଙ୍କଟର ସମ୍ମୁଖୀନ ହୋଇ ଦିଗ୍‍ଭ୍ରାନ୍ତ ହୋଇ ପଡ଼ିଛି, ସେହି ବିଚଳିତ ପରିବେଶରୁ ଆଧ୍ୟାତ୍ମିକ ଭାବନାର ଶରଣ ପଶିବା ବ୍ୟତୀତ କିଏ ତାକୁ ଉଦ୍ଧାର କରିପାରିବ ? ଏ ଆଧ୍ୟାତ୍ମିକ ବିଶ୍ୱାସ ବ୍ୟତିରେକ କିଏ ଆଉ ତାର ମନ ଓ ପ୍ରାଣରେ ଅମୃତର ପ୍ରଲେପ ବୋଳିଦେବାକୁ କ୍ଷମ ହେବ ? ଅହଂକାରୀ ଉଦ୍ଧତ ମନ ନେଇ ସେ ଯେଉଁଦିନ ଇଶ୍ୱରରୂପୀ ଭାବନାକୁ ଅବିଶ୍ୱାସ କଲା, ପରିଶେଷରେ ହତ୍ୟା କଲା, ସେ ମନେକଲା ଯେ ପୃଥିବୀର ସମୃଦ୍ଧି ଆନୟନ ପାଇଁ ସେ ଯେପରି ଏକ ଅନତିକ୍ରମ୍ୟ ଗଡ଼କୁ ଜିଣି ସାରିଛି । ମାତ୍ର ପରିଣତରେ ନିଜେ ମାନବ ସମାଜ କେବଳ ଅବିଶ୍ୱାସର ବିଷାକ୍ତ ଧୂମକୁଣ୍ଡଳି ମଧ୍ୟରେ କଲବଲ ହେବାକୁ ଲାଗିଲା । ଜୀବନ କ୍ଷେତ୍ରରେ ପ୍ରତ୍ୟୟର ଆଲୋକ ଲିଭିଗଲା ! କବିତା କେବଳ ଅସ୍ଥିରତା ଓ ବିଷାଦର ରାଗିଣୀରେ କରୁଣ ହୋଇ ଉଠିଲା । କବିତା କେବଳ ସମାଜର ଟେପରେକର୍ଡ଼ର ହେବନାହିଁ, ସେ ତାକୁ ଜୀବନ୍ୟାସ ଦେବାପାଇଁ ଚେଷ୍ଟା କରିବ । ତାହାହିଁ ସମ୍ଭବ ହୋଇଛି, ବର୍ତ୍ତମାନର ପାଶ୍ଚାତ୍ୟ ସାହିତ୍ୟରେ ଯେଉଁଠାରେ ଜଡ଼ବାଦୀ ଦର୍ଶନର ଅହମିକା ସମାଜର ମନସ୍ତତ୍ଵକୁ ଉଦଭ୍ରାନ୍ତ କରି ଆସିଥିଲା ଯୁଗ ଯୁଗ ଧରି । ମାତ୍ର ଭାରତୀୟ ସମାଜରେ ଏହା ସମ୍ଭବ ନୁହେଁ । ହୁଏତ ସାମୟିକ ପାଶ୍ଚାତ୍ୟ ଭାବଧାରାର ପ୍ରଭାବ ଆଧ୍ୟାତ୍ମିକ ଭାବନା ମୂଳରେ ଅବିଶ୍ୱାସର କୁଠାରାଘାତ କରିଥିଲା, ମାତ୍ର ତାହା ସଫଳକାମ ହେବା ପୂର୍ବରୁ କବି ଅନୁଭବ କଲାଯେ ସାମଗ୍ରିକ ଭାବରେ ଆଧ୍ୟାତ୍ମିକ ଭାବନାର ଦ୍ୟୋତନା ବ୍ୟତିରେକେ ସାଂପ୍ରତିକ ସମାଜର ଅସ୍ଥିରତାରୁ ରକ୍ଷା ପାଇବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ । ଏଥିପାଇଁ ତାକୁ ସାହାଯ୍ୟ କଲା, ଏ ଦେଶର ମହାନ ଆଧ୍ୟାତ୍ମିକ ପରଂପରା ଏବଂ ସାଂପ୍ରତିକ ଜଡ଼ବାଦୀ ସମାଜର ବିକଳ ପରିଣତି । ତେଣୁ ଆଧୁନିକ କବି ଜୀବନକୁ ଖୋଜି ପାଇଛି, ନିଜର ସାଂସ୍କୃତିକ ଚେତନା ମଧ୍ୟରେ ଆଧ୍ୟାତ୍ମିକତାର ସନ୍ଧାନ କରି ।

 

କେନ୍ଦୁଝର କଲୋନୀ

କନିକା ରୋଡ଼, କଟକ-୮

 

***

 

ନରସିଂହ ଅବତାରବାଦର କ୍ରମବିକାଶ

ଡକ୍‍ଟର ଯଜ୍ଞ କୁମାର ସାହୁ

 

ଭଗବାନ ବିଷ୍ଣୁଙ୍କର ଅବତାରବାଦ ଗୁପ୍ତଯୁଗରୁ ଲୋକପ୍ରିୟ ହୋଇଥିଲେ ମଧ୍ୟ ତାହାର ଉତ୍ପତ୍ତି ଅତି ପ୍ରାଚୀନ କାଳରୁ ହୋଇଥିଲା ବୋଲି ଜଣାଯାଏ । ପ୍ରାଚୀନ ଗ୍ରନ୍ଥମାନଙ୍କରେ ବିଷ୍ଣୁଙ୍କ ଅବତାରମାନଙ୍କର ନାମ, କ୍ରମ ଓ ସଂଖ୍ୟାରେ ଅନେକ ପ୍ରଭେଦ ଦେଖାଯାଏ । ମାତ୍ର ଦଶମ ଏକାଦଶ ଶତକରୁ ତାଙ୍କର କେବଳ ଦଶଟି ଅବତାର ସାଧାରଣ ଭାବରେ ଗୃହୀତ ହୋଇ ରହିଲା । ତନ୍ମଧ୍ୟରେ ନରସିଂହ ଅବତାର, ମତ୍ସ୍ୟ, କୂର୍ମ ଓ ବରାହ ପରେ ଚତୁର୍ଥ ସ୍ଥାନ ଅଧିକାର କରି ରହିଅଛି-

 

ବୈଦିକ ସାହିତ୍ୟରେ ନରସିଂହ ଦେବତାଙ୍କର କୌଣସି ବର୍ଣ୍ଣନା ମିଳେନାହିଁ । ତେବେ, ତୈତ୍ତିରୀୟ ଆରଣ୍ୟକର ଶେଷ ତଥା ଦଶମ ପ୍ରପାଠକରେ ରୁଦ୍ର, ଦନ୍ତୀ, ଗରୁଡ଼, ମହାସେନ, ନାରାୟଣ, ନରସିଂହ ପ୍ରଭୃତିଙ୍କର ଗାୟତ୍ରୀ ମନ୍ତ୍ର ଦେଖିବାକୁ ମିଳେ । ରାଜେନ୍ଦ୍ର ଲାଲ ମିତ୍ର ପ୍ରମୁଖ କେତେକ ଗବେଷକ ପ୍ରତିପାଦନ କରିଅଛନ୍ତି ଯେ, ଏହି ପ୍ରପାଠକ ଖ୍ରୀଷ୍ଟୀୟ ପ୍ରଥମ ଶତକ ପରେ ରଚିତ ହୋଇ ତୈତ୍ତିରୀୟ ଆରଣ୍ୟକରେ ସଂଯୁକ୍ତ ହେଲା ।୧। ବସ୍ତୁତଃ ଏଥିରେ ସ୍ଥାନ ପାଇଥିବା ନରସିଂହ, ଦନ୍ତୀ (ଗଣେଶ) ପ୍ରଭୃତି ଦେବତାଙ୍କର କଳ୍ପନା ବୈଦିକ ଯୁଗର ବହୁ ପରେ କରାଯାଇଥିଲା ବୋଲି ଜଣାଯାଏ ।

 

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ତୈତ୍ତିରୀୟ ଆରଣ୍ୟକର ପ୍ରକ୍ଷିପ୍ତ ପ୍ରପାଠକରେ ବିଷ୍ଣୁଙ୍କ ସହିତ ନରସିଂହ ଦେବତାଙ୍କ ସମ୍ପର୍କର ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଅନ୍ୟ ପକ୍ଷରେ ମହାଭାରତର ଅନେକ ସ୍ଥାନରେ ନରସିଂହଙ୍କୁ ବିଷ୍ଣୁଙ୍କର ଅବତାର ରୂପେ ସ୍ୱୀକାର କରାଯାଇଅଛି । (୨) ଏହି ମହାକାବ୍ୟର ପରିଶିଷ୍ଟ ରୂପେ ବିବେଚିତ ହରିବଂଶ ପୁରାଣରେ ନରସିଂହଙ୍କ ମହିମା ଓ ଗୌରବର ବିଶଦ ବର୍ଣ୍ଣନା ମିଳେ । ସାଧାରଣ ମତରେ ଏହି ପୂରାଣ ପ୍ରାୟ ୪୦୦ ଖ୍ରୀ: ରେ ରଚିତ ହୋଇଥିଲା । (୩)

 

ହରିବଂଶ ପୁରାଣ (୪) ମତ୍ସ୍ୟ ପୂରାଣ (୫) ଓ ପଦ୍ମ ପୂରାଣ (୬)ରେ ନରସିଂହ ଦେବତାଙ୍କ ବିଷୟରେ ପ୍ରାୟ ସମାନ ବିବରଣୀ ପ୍ରଦତ୍ତ ହୋଇଅଛି । ଏଥିରେ ଉଲ୍ଲେଖ ଅଛି ଯେ, ଦୈତ୍ୟରାଜ ହିରଣ୍ୟକଶିପୁ ଏଗାର ହଜାର ବର୍ଷ ତପସ୍ୟା କରି ବ୍ରହ୍ମାଙ୍କଠାରୁ ବରଲାଭ କଲେଯେ, ତାଙ୍କର ମୃତ୍ୟୁ କୌଣସି ମନୁଷ୍ୟ ବା ପଶୁଦ୍ୱାରା, କୌଣସି ଅସ୍ତ୍ର ଦ୍ୱାରା ଏବଂ ଦିବସ ବା ରଜନୀରେ ହେବନାହିଁ । ଏହିପରି ଭାବରେ ମୃତ୍ୟୁଞ୍ଜୟ ହୋଇ ଦୈତ୍ୟରାଜ ଦେବଗଣଙ୍କ ଉପରେ ଆକ୍ରମଣ କଲେ ଏବଂ ସେମାନଙ୍କର ଯାଗଯଜ୍ଞ ନଷ୍ଟ କଲେ । ଦେବଗଣ ଭୀତତ୍ରସ୍ତ ହୋଇ ନାରାୟଣ ବିଷ୍ଣୁଙ୍କର ଆଶ୍ରୟପ୍ରାର୍ଥୀ ହେଲେ । ବିଷ୍ଣୁ ସେମାନଙ୍କୁ ଅଭୟ ପ୍ରଦାନ କରି ଉଗ୍ର ନରସିଂହ ରୂପ ଗ୍ରହଣ କଲେ ଏବଂ ଓଁକାରଙ୍କୁ ସଙ୍ଗରେ ନେଇ ଆକସ୍ମିକ ଭାବରେ ହିରଣ୍ୟକଶିପୁଙ୍କର ରାଜସଭାରେ ପ୍ରବେଶ କଲେ । ସେହି ସମୟରେ ହିରଣ୍ୟକଶିପୁ, ପ୍ରହ୍ଲାଦ, ନାରକାସୁର ଓ ବାଳି ପ୍ରଭୃତି ଦୈତ୍ୟଙ୍କ ଗ୍ରହଣରେ ବସିଥିଲେ ପ୍ରହ୍ଲାଦ ନରସିଂହଙ୍କୁ ଏକ ଅସାଧାରଣ ଦେବତା ବୋଲି ଉପଲବ୍‍ଧି କଲେ ଏବଂ ତାଙ୍କଠାରେ ତ୍ରିଭୂବନର ସତ୍ତା ଦେଖି ପାରିଲେ । ସେ ପିତାଙ୍କୁ କହିଲେ, ‘‘ଏହା ଆମ୍ଭମାନଙ୍କୁ ଧ୍ୱଂସ କରିବାକୁ ଆସିଅଛି ଏବଂ ଏହାକୁ ଏକ ସାଧାରଣ ସିଂହ ବୋଲି ମନେ କରାଯାଇନପାରେ ।’’ ପ୍ରହ୍ଲାଦଙ୍କର କଥା ଶୁଣି ହିରଣ୍ୟକଶିପୁ ନରସିଂହଙ୍କୁ ଧରିବା ପାଇଁ ବା ମାରିଦେବା ପାଇଁ ଦାନବମାନଙ୍କୁ ଆଦେଶ ଦେଲେ । ଏହା ପରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା । ଶେଷରେ ନରସିଂହ ହିରଣ୍ୟକଶିପୁଙ୍କୁ ପରାସ୍ତ କଲେ ଓ ତାଙ୍କର ବକ୍ଷ ନଖ ସାହାଯ୍ୟରେ ବିଦାରଣ କରିଦେଲେ ।

 

ଉପରୋକ୍ତ ପୌରାଣିକ ଗଲ୍ପରେ ହିରଣ୍ୟକଶିପୁ ଓ ପ୍ରହ୍ଲାଦ ମଧ୍ୟରେ ତିକ୍ତ ସମ୍ପର୍କର ସୂଚନା ମିଳେ ନାହିଁ ଏବଂ ପ୍ରହ୍ଲାଦ ଯଦ୍ୟପି ନରସିଂହଙ୍କ ଠାରେ ଦେବତ୍ଵର ସନ୍ଧାନ ପାଇଥିଲେ ତଥାପି ତାଙ୍କୁ ବିଷ୍ଣୁଭକ୍ତ ରୂପେ ବର୍ଣ୍ଣନା କରାଯାଇନାହିଁ । ଏଠାରେ ନରସିଂହଙ୍କର ସ୍ତମ୍ଭରୁ ବହିର୍ଗତ ହେବାର କଳ୍ପନା ନାହିଁ । ସେ ବୀର ଦର୍ପରେ ରାଜସଭାରେ ପ୍ରବେଶ କରିଅଛନ୍ତି ।

 

ନରସିଂହ ଅବତାର ସମ୍ପର୍କରେ ଏକ ଭିନ୍ନ ବିବରଣୀ କୂର୍ମ ପୁରାଣରେ (୭) ପ୍ରଦତ୍ତ ହୋଇଅଛି । ଏଥିରେ ବର୍ଣ୍ଣିତ ଅଛି ଯେ ଦେବଗଣଙ୍କର ଅନୁରୋଧ କ୍ରମେ ବିଷ୍ଣୁ ପ୍ରଥମେ ଜଣେ ପୁରୁଷଙ୍କୁ ସୃଷ୍ଟି କରି ତାଙ୍କ ହିରଣ୍ୟକଶିପୁଙ୍କର ଧ୍ୱଂସ ସାଧନ ପାଇଁ ପ୍ରେରଣ କଲେ । ଉକ୍ତ ପୁରୁଷ ହିରଣ୍ୟକଶିପୁ ଓ ପ୍ରହ୍ଲାଦଙ୍କ ଦ୍ୱାରା ଯୁଦ୍ଧରେ ପରାସ୍ତ ହୋଇ ଫେରି ଆସିଲେ । ଏହାପରେ ବିଷ୍ଣୁ ନରସିଂହ ରୂପ ଗ୍ରହଣ କରି ହିରଣ୍ୟକଶିପୁଙ୍କ ନଗରୀରେ ପ୍ରବେଶ କଲେ । ପିତାଙ୍କ ଦ୍ୱାରା ଆଦିଷ୍ଟ ହୋଇ ପ୍ରହ୍ଲାଦ ଯୁଦ୍ଧଯାତ୍ରା କଲେ ଏବଂ ନରସିଂହଙ୍କ ସମ୍ମୁଖୀନ ହେଲେ । ଯୁଦ୍ଧକ୍ଷେତ୍ରରେ ସେ ନରସିଂହଙ୍କ ଠାରେ ବିଷ୍ଣୁଙ୍କର ସନାତନ ଓ ସର୍ବବ୍ୟାପୀ ରୂପ ଉପଲବ୍‍ଧି କଲେ ଏବଂ ତାଙ୍କର ଶରଣାପନ୍ନ ହେଲେ । ଏହାପରେ ସେ ପିତା ହିରଣ୍ୟକଶିପୁ ଆତ୍ମୀୟମାନଙ୍କୁ ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କଲେ । ମାତ୍ର ହିରଣ୍ୟକଶିପୁ ଏଥିରେ କର୍ଣ୍ଣପାତ ନ କରି ଯୁଦ୍ଧ ଆରମ୍ଭ କଲେ । ନରସିଂହଙ୍କ ଶରୀରରୁ ଅନେକ ସିଂହ ଜାତ ହୋଇ ଦୈତ୍ୟରାଜଙ୍କୁ ସଂହାର କଲେ ।

 

ବିଷ୍ଣୁ ପୂରାଣରେ (୮) ପ୍ରହ୍ଲାଦ ଗଳ୍ପର ଅବତାରଣା ସଂକ୍ଷିପ୍ତ ଭାବରେ କରାଯାଇଅଛି । ଏହି ପୁରାଣ ଅନୁସାରେ ପ୍ରହ୍ଲାଦଙ୍କର ବିଷ୍ଣୁଭକ୍ତି ଯୋଗୁ ତାଙ୍କର ପିତା ହିରଣ୍ୟକଶିପୁ ଅସନ୍ତୁଷ୍ଟ ଓ କ୍ରୋଧାନ୍ୱିତ ଥିଲେ ଏବଂ ତାଙ୍କୁ ସମୁଦ୍ରରେ ଭସାଇ ଦେବା ପାଇଁ ଆଦେଶ ଦେଲେ । ପରେ ହିରଣ୍ୟକଶିପୁ ସେଥିପାଇଁ ଅନୁତାପ କଲେ ଏବଂ ପିତା ଓ ପୁତ୍ରଙ୍କ ମଧ୍ୟରେ ମିଳନ ହେଲା । ହିରଣ୍ୟକଶିପୁ ନରସିଂହଙ୍କ ଦ୍ୱାରା ନିହିତ ହେଲା ପରେ ପ୍ରହ୍ଲାଦ ଦୈତ୍ୟମାନଙ୍କ ଅଧିପତି ହେଲେ । କେଉଁ ପରିସ୍ଥିତିରେ ଓ କିପରି ଭାବରେ ନରସିଂହ ହିରଣ୍ୟକଶିପୁ ସଂହାର କଲେ, ତାହାର ବର୍ଣ୍ଣନା ଏହି ପୁରାଣରେ ଦିଆଯାଇ ନାହିଁ । ପ୍ରହ୍ଲାଦଙ୍କର ବିଷ୍ଣୁ ଭକ୍ତି ଏବଂ ସେଥିପାଇଁ ପିତାଙ୍କ ସହିତ ତାଙ୍କର ତିକ୍ତ ସମ୍ପର୍କ ବିଷୟରେ ଯେଉଁ ଗଳ୍ପ କ୍ରମେ ଗଢ଼ିଉଠିଥିଲା ବିଷ୍ଣୁ ପୁରାଣର କବି ପ୍ରଥମେ ତାହା ଗ୍ରହଣ କରିନେଇ ପରେ ଆକସ୍ମିକ ଭାବରେ ପରିତ୍ୟାଗ କରିଅଛନ୍ତି ।

 

ଏହିସବୁ ପୁରାଣର ଅନୁଧ୍ୟାନରୁ ଜଣାଯାଏ ଯେ ବିଷ୍ଣୁଙ୍କର ନରସିଂହ ଅବତାରବାଦର କ୍ରମବିକାଶ ଗୁପ୍ତଯୁଗରେ ଚାଲିଥିଲା । ପାଶ୍ଚାତ୍ୟ ଗବେଷକ ଅଟୋ (R. Otto) ନରସିଂହ ଶକ୍ତି ଓ ତେଜର ଦେବତା ଥିଲେ ବୋଲି ପ୍ରତିପାଦନ କରି ଅଛନ୍ତି । (୯) ଗୁପ୍ତ ସମ୍ରାଟ କୁମାରଗୁପ୍ତ ତାଙ୍କର ସିଂହ ଦମନ ମୁଦ୍ରାରେ ନିଜକୁ ସାକ୍ଷାତ୍ ନରସିଂହ ବୋଲି ବର୍ଣ୍ଣନା କରିଅଛନ୍ତି, (ସାକ୍ଷାଦିବ ନରସିଂହୋ ସିଂହମହେନ୍ଦ୍ରେ । ଜୟତ୍ୟନିଶମ୍) । ଏହା ଅଟୋଙ୍କ ତଥ୍ୟକୁ ସମର୍ଥନ କରେ । ସୁବୀରା ଜୟସ୍ୱାଲଙ୍କ ମତରେ ନରସିଂହ ପ୍ରଥମେ କ୍ରୋଧ ଓ ଭୟର ଦେବତା ଥିଲେ ଏବଂ ଭକ୍ତମାନେ ତାଙ୍କ କ୍ରୋଧର ଉପଶମ ପାଇଁ ଉଦ୍ୟମ କରୁଥିଲେ । (୧୦) ବିଷ୍ଣୁଧର୍ମୋତ୍ତର ପୁରାଣ ଅନୁସାରେ ନରସିଂହଙ୍କର ପୂଜା ବିଘ୍ନ ବିନାଶନ ପାଇଁ (୧୧) ଗ୍ରହ ଓ ନକ୍ଷତ୍ରମାନଙ୍କ କୁପ୍ରଭାବର ଦୂରୀକରଣ ପାଇଁ ଏବଂ ଚୋର ଶତ୍ରୁ ପ୍ରଭୁତିଙ୍କର ଆକ୍ରମଣରୁ ରକ୍ଷା ପାଇବା ପାଇଁ (୧୨) କରାଯାଉଥିଲା । ରାଜାମାନଙ୍କର ଅଭିଷେକ ସମୟର ପୁରନ୍ଦର-ଶାନ୍ତି ବିଧିରେ ମଧ୍ୟ ନରସିଂହ ପୂଜା ଯାଉଥିଲେ (୧୩) । ଏହି ପୂରାଣ ମତରେ ନରସିଂହ ଆରମ୍ଭରୁ ମଦ୍ର ରାଜ୍ୟର ଦେବତା ଥିଲେ । (୧୪) ମଦ୍ର ରାଜ୍ୟ ଆଧୁନିକ କେନ୍ଦ୍ର ପଞ୍ଜାବରେ ଥିଲା ଏବଂ ଏହାର ରାଜଧାନୀ ଥିଲା ସିଆଲକୋଟ । ଏହିଠାରୁ ନରସିଂହ ପୂଜା ପୂର୍ବଦିଗକୁ ପ୍ରସାରିତ ହେଲା ଏବଂ ଗୁପ୍ତ ଯୁଗରେ ସେହି ଦେବତା ଭାରତୀୟ ଧର୍ମ ପରମ୍ପରାରେ ବିଶିଷ୍ଟ ସ୍ଥାନ ଅଧିକାର କରିସାରିଥିଲେ ।

 

ଏହାପରେ ନରସିଂହ ଅବତାରବାଦର କ୍ରମବିକାଶରେ ଏହା ଉଲ୍ଲେଖନୀୟ ପରିବର୍ତ୍ତନ ପ୍ରଥମ ଥର ପାଇଁ ଭାଗବତ ପୂରାଣରେ ସୂଚିତ ହୋଇଅଛି । (୧୫) ହାଜରାଙ୍କ ମତରେ (୧୬) ଏହି ପୁରାଣ ଖ୍ରୀଷ୍ଟୀୟ ଷଷ୍ଠ ଶତକର ପ୍ରଥମାର୍ଦ୍ଧରେ ରଚିତ ହୋଇଥିଲା । ମାତ୍ର ଏହା ଆହୁରି ପରବର୍ତ୍ତୀ କାଳର ହୋଇ ଥାଇପାରେ ବୋଲି ଅନୁମିତ ହୁଏ । (୧୭) ଏଥିରେ ବର୍ଣ୍ଣିତ ଅଛି ଯେ, ରାହା ହିରଣ୍ୟକଶିପୁ ଏକ ଉଗ୍ର ତପସ୍ୟାରେ ମଗ୍ନ ଥିବା ସମୟରେ ଦେବଗଣ ତାଙ୍କର ଦୁର୍ଗ ଆକ୍ରମଣ କରି ଗର୍ଭବତୀ ରାଣୀଙ୍କୁ ନେଇ ଯାଇଥିଲେ । ମହର୍ଷି ନାରଦ ରାଣୀଙ୍କୁ ଉଦ୍ଧାର କରି ହିରଣ୍ୟକଶିପୁଙ୍କ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ନିଜ ଆଶ୍ରମରେ ରଖିଲେ । ସେଠାରେ ପ୍ରହ୍ଲାଦ ଜନ୍ମଲାଭ କଲେ । ନାରଦ ରାଣୀଙ୍କ ନିକଟରେ ଭାଗବତ ଧର୍ମର ବ୍ୟାଖ୍ୟା କରୁଥିଲେ । ଜଣେ ସାଧାରଣ ନାରୀ ରୂପେ ରାଣୀ ଏଥିରେ ଉଦାସୀନା ଥିଲେ ଏବଂ କ୍ରମେ ତାହା ଭୁଲିଗଲେ । ମାତ୍ର ପ୍ରହ୍ଲାଦଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଲା ଏବଂ ସେ ବାଲ୍ୟକାଳରୁ ଜଣେ ବୈଷ୍ଣବ ଭକ୍ତ ରୂପେ ଖ୍ୟାତି ଲାଭ କଲେ । ଦେବତାଙ୍କର ପରମଶତ୍ରୁ ହିରଣ୍ୟକଶିପୁଙ୍କୁ ଏହା ଆଘାତ ଦେଲା ଏବଂ ଫଳରେ ପିତା ଓ ପୁତ୍ରଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଲା । ହିରଣକ୍ୟଶିପୁ ପୁତ୍ରର ବିକାଶ ପାଇଁ ଉଦ୍ୟମ କରି ବ୍ୟର୍ଥ ହେଲେ । ଶେଷରେ ସେ ଅତ୍ୟନ୍ତ କ୍ରୋଧାନ୍ୱିତ ଅବସ୍ଥାରେ ଏକ ସ୍ତମ୍ଭ ନିକଟରେ ଦଣ୍ଡାୟମାନ ହୋଇ ପ୍ରହ୍ଲାଦକୁ କହିଲେ ଯେ, ଯଦି ବିଷ୍ଣୁଙ୍କ ସର୍ବବ୍ୟାପୀ ବୋଲି କୁହାଯାଏ, ତେବେ ସେହି ସ୍ତମ୍ଭରୁ ସେ ବାହାରନ୍ତୁ । ଏହା କହି ସେ ସ୍ତମ୍ଭ ଉପରେ ମୁଷ୍ଟିପାତ କଲେ । ସ୍ତମ୍ଭଟି ସହସା ଦୁଇଭାଗରେ ବିଭକ୍ତ ହେଲା ଏବଂ ତହିଁରୁ ବିଷ୍ଣୁ ଭୟଙ୍କର ନରସିଂହ ରୂପରେ ବାହାରି ହିରଣ୍ୟକଶିପୁର ବକ୍ଷ ବିଦାରଣ କଲେ । ଏହାପରେ ଭକ୍ତ ପ୍ରହ୍ଲାଦ ଏକ ଦୀର୍ଘ ପ୍ରାର୍ଥନାରେ ବିଷ୍ଣୁଙ୍କୁ ପ୍ରଶମିତ କଲେ ।

 

ଭାଗବତ ପୁରାଣରେ ପରିବେଷିତ ତଥ୍ୟ ଲୋକପ୍ରିୟ ହେଲା ଏବଂ ଏ ସମ୍ପର୍କରେ ପୂର୍ବରୁ ପ୍ରଚଳିତ ଗଳ୍ପ ବିସ୍ମିତ ହୋଇପଡ଼ିଲା । ଏହାପରେ ସ୍ତମ୍ଭ ମଧ୍ୟରୁ ନରସିଂହଙ୍କ ଆବିର୍ଭାବ ଉପରେ ଗୁରୁତ୍ୱ ଦିଆଗଲା । ଗୋପୀନାଥ ରାଓଙ୍କ ହିନ୍ଦୁ ମୂର୍ତ୍ତି କଳା (Elements of Hindu Iconolography) ଗ୍ରନ୍ଥରେ (୧୮) ଦୁଇପ୍ରକାର ନରସିଂହ ମୂର୍ତ୍ତିର ବର୍ଣ୍ଣନା କରିଅଛନ୍ତି, ଯଥା-ଗିରିଜା ଓ ସ୍ଥୌଣ । ଗିରିଜା ନରସିଂହଙ୍କ ଆବିର୍ଭାବ ଗିରି-ଗୁହାରୁ ଓ ସ୍ଥୌଣ ନରସିଂହଙ୍କ ଆବିର୍ଭାବ ସ୍ତମ୍ଭରୁ କଳ୍ପନା କରାଗଲା । ପ୍ରଥମ ପ୍ରକାର ମୂର୍ତ୍ତି ଅଧିକ ପ୍ରାଚୀନ ଏବଂ ଦ୍ୱିତୀୟ ପ୍ରକାର ମୂର୍ତ୍ତି ଅଧିକ ଲୋକପ୍ରିୟ ବୋଲି ଗୋପୀନାଥ ରାଓ ମତ ଦେଇଅଛନ୍ତି ।

 

ନରସିଂହ ଅବତାରବାଦର ବିବର୍ତ୍ତନରେ ସ୍ତମ୍ଭର କଳ୍ପନା ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ଓଡ଼ିଶାର ଅନେକ ଆଦିବାସୀ ସଂପ୍ରଦାୟ ମଧ୍ୟରେ ସ୍ତମ୍ଭ ପୂଜା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ରହିଅଛି । ତେରାସିଙ୍ଗା ତାମ୍ର ଫଳକର ରାଜା ତୁଷ୍ଟିକାର ସ୍ତମ୍ଭେଶ୍ୱରୀ ପାଦ ଭକ୍ତ ଥିଲେ । (୧୯) ଲିପି ଦୃଷ୍ଟିରୁ ଏହି ତାମ୍ର ଫଳକ ପ୍ରାୟ ୫୦୦ ଖ୍ରୀ:ର ବୋଲି ନିର୍ଣ୍ଣିତ ହୋଇଅଛି । ଦେବୀ ସ୍ତମ୍ଭେଶ୍ୱରୀ କୋଦାଳକ ମଣ୍ଡଳର ଶୁଳକି ରାଜାମାନଙ୍କର କୁଳ-ଦେବତା ଥିଲେ । ଏହି ସମୟରେ ରଣଭଞ୍ଜ ଓ ଅନ୍ୟ କେତେକ ରାଜା ମଧ୍ୟ ‘‘ସ୍ତମ୍ଭେଶ୍ୱରୀ ଲବ୍‍ଧ ବର ପ୍ରସାଦ’’ ଉପାଧିରେ ବିଭୂଷିତ ଥିଲେ । ଏହି ସବୁ ରାଜା ପ୍ରଥମେ ଆଦିବାସୀ ସଂପ୍ରଦାୟର ଥିଲେ ଏବଂ ପରେ ଆର୍ଯ୍ୟ ଧର୍ମ ଓ ସଂସ୍କୃତ ଗ୍ରହଣ କରିଥିଲେ ମଧ୍ୟ ମୂଳ ଦେବତାଙ୍କୁ ପ୍ରତ୍ୟାଖ୍ୟାନ କରିପାରି ନଥିଲେ । ମଧ୍ୟପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଆଦିବାସୀମାନଙ୍କ ମଧ୍ୟରେ ବୈଷ୍ଣବ ଧର୍ମକୁ ଲୋକପ୍ରିୟ କରିବା ପାଇଁ କେତେକ ବିଜ୍ଞ ପ୍ରଚାରକ ନରସିଂହ ଅବତାର ସହିତ ଆଦିବାସୀଙ୍କର ସ୍ତମ୍ଭକୁ ସଂଶ୍ଲିଷ୍ଟ କରି ଏକ ଅଭିନବ ଗଳ୍ପର ଅବତାରଣ କଲେ । ଏଥିରେ ଆଉ ମଧ୍ୟ ପ୍ରଚାର କରାଗଲା ଯେ, ନରସିଂହ ଯେଉଁ ସ୍ତମ୍ଭରୁ ଆବିର୍ଭାବ ହୋଇଥିଲେ, ସେହି ସ୍ତମ୍ଭରୁ ଶକ୍ତି ସାହାଯ୍ୟରେ ହିରଣ୍ୟକଶିପୁକୁ ସଂହାର କରିଥିଲେ । (୨୦) ଏହି ଦୃଷ୍ଟିରୁ ସ୍ଥୌଣ ନରସିଂହ କଳ୍ପନାର ଉତ୍ପତ୍ତି ଆଦିବାସୀ ବହୁଳ ଓଡ଼ିଶାରେ ହୋଇଥିଲା ବୋଲି ମନେ କରିବାର ଯଥେଷ୍ଟ କାରଣ ରହିଅଛି ।

 

ପରବର୍ତ୍ତୀ କାଳରେ ନରସିଂହ ଅବତାର ବାଦରେ ଆଉ ଏକ ପରିବର୍ତ୍ତନ ଦେଖା ଦେଲା । ଏଥିରେ ପ୍ରହ୍ଲାଦଙ୍କର ବିଷ୍ଣୁ ଭକ୍ତି ବିରୁଦ୍ଧରେ ହିରଣ୍ୟକଶିପୁଙ୍କୁ ଶିବଙ୍କର ଜଣେ ପରମ ଭକ୍ତ ରୂପେ ବର୍ଣ୍ଣନା କରାଗଲା । ମଧ୍ୟ ଯୁଗରେ ଶୈବ ଓ ବୈଷ୍ଣବ ସଂପ୍ରଦାୟ ମଧ୍ୟରେ ଯେଉଁ ସଂଘର୍ଷ ଜାତ ହୋଇଥିଲା, ଏହା ତାହାର ପ୍ରତିଫଳନ ବୋଲି ମନେହୁଏ । ଏ ସମ୍ପର୍କରେ ବିଶାଖା ପତନମର ୧୦ ମାଇଲ ଉତ୍ତରରେ ୮୦୦ ଫୁଟ ଉଚ୍ଚର ଏକ ପର୍ବତ ଉପରେ ସୀମାଚଲମ୍‍ର ଲକ୍ଷ୍ମୀ ନରସିଂହ ମନ୍ଦିର ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରେ । ଷୋଡ଼ଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ ସୀମାଚଳମ୍ ଓଡ଼ିଶାର ଅନ୍ତର୍ଗତ ଥିଲା । ସୀମାଚଳମ୍‌ର ମନ୍ଦିର ଖ୍ରୀଷ୍ଟୀୟ ଦଶମ ଏକାଦଶ ଶତକ ଯାଏ ଏକ ପ୍ରସିଦ୍ଧ ଶିବାୟତନ ରୂପେ ପ୍ରତିଷ୍ଠିତ ଥିବାର ଯଥେଷ୍ଟ ପ୍ରମାଣ ମିଳିଥାଏ । ଯେଉଁ ପର୍ବତ ଉପରେ ମନ୍ଦିରଟି ବିଦ୍ୟମାନ ତାହା ଅଦ୍ୟାପି କୈଳାଶ ପର୍ବତ ନାମରେ ଅଭିହିତ ହୋଇ ରହିଅଛି । ଏହି ପର୍ବତର ଝରଣାମାନଙ୍କ ମଧ୍ୟରେ ଗଙ୍ଗାଧର ଝର ସର୍ବପ୍ରଧାନ ଅଟେ । ମାତ୍ର ମନ୍ଦିରର ଗର୍ଭ ଗୃହର କେନ୍ଦ୍ରରେ ସୁବାସିତ ଚନ୍ଦନର ପ୍ରଲେପରେ ଆବୃତ ଏକ ଶିବଲିଙ୍ଗ ସବୁଠାରୁ ବେଶୀ ଆକର୍ଷଣୀୟ ବୋଲି ମନେହୁଏ । ବାରଖଣ୍ଡ ରେଶମ ବସ୍ତ୍ରରେ ପ୍ରସ୍ତ ପ୍ରସ୍ତ ଚନ୍ଦନ ପ୍ରଲେପ ଦେଇ ଏହି ଲିଙ୍ଗକୁ ଆବୃତ କରି ରଖିଦିଆଯାଇଅଛି । ପ୍ରତିବର୍ଷ କେବଳ ଗୋଟିଏ ଦିନ ବୈଶାଖ ଶୁକ୍ଲ ଅକ୍ଷୟ ତୃତୀୟାରେ ଚନ୍ଦନ ପ୍ରଲେପିତ ରେଶମ ବସ୍ତ୍ର କାଢ଼ି ନିଆଯାଏ ଏବଂ ୧୨ ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନେ ଶିବଲିଙ୍ଗର ‘‘ନିଜ ସ୍ୱରୂପ’’ ଦର୍ଶନ କରିଥାନ୍ତି । ତାହାପରେ ପୁଣି ଚନ୍ଦନ ବସ୍ତ୍ରର ଆବରଣରେ ଲିଙ୍ଗ ଲୁଚି ଯାଆନ୍ତି । କଥିତ ଅଛି ଯେ ଦ୍ୱାଦଶ ଶତକରେ ବୈଷ୍ଣବଚାର୍ଯ୍ୟ ରାମାନୁଜ ଏହି ଶିବ ମନ୍ଦିରକୁ ବୈଷ୍ଣବ ତୀର୍ଥରେ ପରିଣତ କରାଇ ଗର୍ତ୍ତ-ଗୃହର ଲିଙ୍ଗ ସ୍ଥାନରେ ବରାହ-ନରସିଂହଙ୍କ ମୂର୍ତ୍ତି ତୋଳିବା ପାଇଁ ନିଦ୍ଦେର୍ଶ ଦେଲେ । ମାତ୍ର ଲିଙ୍ଗର ବିଭାଜନ ସମୟରେ ପ୍ରଚୁର ରକ୍ତସ୍ରାବ ହେଲା ଏବଂ ଚନ୍ଦନ ବସ୍ତ୍ରର ଆବରଣ ଦେଲା ପରେ ଯାଇ ରକ୍ତସ୍ରାବ ପ୍ରଶମିତ ହେଲା । ଏହା ପରେ ଲକ୍ଷ୍ମୀ-ନରସିଂହ ସୀମାଚଳମ ମନ୍ଦିରର ମୁଖ୍ୟ ଦେବତା ହୋଇରହିଲେ । ସେହି ଦିନରୁ ଏହି ମନ୍ଦିର ଶୈବଧର୍ମ ଉପରେ ନରସିଂହ ଅବତାରର ବିନୟର ସଙ୍କେତ ସ୍ୱରୂପ ଦଣ୍ଡାୟମାନ ହୋଇ ରହିଅଛି । (୨୧) ହିରଣ୍ୟକଶିପୁର ଶିବଭକ୍ତି ଉପରେ ପ୍ରହ୍ଲାଦର ବିଷ୍ଣୁ ଭକ୍ତିର ବିଜୟ ଏଥିରେ ସୂଚିତ ହୋଇଅଛି ବୋଲି କୁହାଯାଇ ପାରେ ।

 

ସୀମାଚଳମ୍‍ର ଲକ୍ଷ୍ମୀ-ନରସିଂହଙ୍କ ବିବର୍ତ୍ତନରେ ଆଉ ଏକ ପ୍ରଗତି ଥିଲା । ଏଥିରେ ନରସିଂହ କୋଳରେ ମହାଦେବୀ ଲକ୍ଷ୍ମୀଙ୍କୁ ନେଇ ବସିଥିବାର ଦେଖାଯାଏ । ଏହା ଦ୍ୱାରା ବିଷ୍ଣୁଙ୍କର ଅବତାରମାନଙ୍କ ମଧ୍ୟରେ ନରସିଂହଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇଲା । ଓଡ଼ିଶାର ଗଜପତି ରାଜାଗଣ ଲକ୍ଷ୍ମୀ-ନରସିଂହଙ୍କୁ ଇଷ୍ଟ ଦେବତା ରୂପେ ଗ୍ରହଣ କରିଥିଲେ ଏବଂ ସେମାନଙ୍କର ରାଜକୀୟ ମୁଦ୍ରା (ସିଲ୍‌)ରେ ଲକ୍ଷ୍ମୀ-ନରସିଂହ ମୂର୍ତ୍ତି ଅଙ୍କିତ ହୋଇ ରହିଲା । ଏହି ଅଭିନବ ମୂର୍ତ୍ତି ଓଡ଼ିଶାର ଅବଦାନ ବୋଲି ମନେହୁଏ ।

 

ଓଡ଼ିଶାର ଧର୍ମ ଓ ସଂସ୍କୃତିର କେନ୍ଦ୍ର ପୁରୀର ଜଗନ୍ନାଥ ମନ୍ଦିରରେ ନରସିଂହ ଦେବତାଙ୍କର ପ୍ରଭାବ ଓ ପ୍ରାଧାନ୍ୟ ମୂଳରୁ ରହି ଆସିଛନ୍ତି । ଶ୍ରୀମନ୍ଦିରରେ ପ୍ରବେଶ ମାତ୍ରେ ତୋରଣର ଦକ୍ଷିଣରେ ଦକ୍ଷିଣାଭିମୁଖୀ ନରସିଂହ ଦେବତାଙ୍କ ଦର୍ଶନ ମିଳେ । ମୁକ୍ତିମଣ୍ଡପର ପଶ୍ଚିମରେ ପୁର୍ବାଭିମୁଖୀ ନରସିଂହଙ୍କୁ ଆଦିନରସିଂହ ବୋଲି କୁହାଯାଏ । ଏହି ମୂର୍ତ୍ତି ଆଦ୍ୟରୁ ଏଠାରେ ପ୍ରତିଷ୍ଠିତ ଥିଲେ ବୋଲି ତାଙ୍କର ଏହିପରି ନାମକରଣ ହୋଇଅଛି । ବିମାନର ପଶ୍ଚିମ ଭାଗରେ ପାର୍ଶ୍ଵ ଦେବତା ରୂପେ ଅଧିଷ୍ଠିତ ନିଶା ନରସିଂହଙ୍କ ମୂର୍ତ୍ତିର କାରୁକାର୍ଯ୍ୟ ଦର୍ଶକଙ୍କୁ ବିହଳିତ କରେ । ଅନ୍ୟ ଦୁଇ ପାର୍ଶ୍ଵ ଦେବତା ବରାହ ଓ ବାମନ ବିମାନର ଯଥାକ୍ରମେ ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରେ ରହି ଅଛନ୍ତି । ବିମାନ ଉପରେ ମଧ୍ୟ କେତେକ ନରସିଂହ ମୂର୍ତ୍ତି ରହିଅଛି । ତନ୍ମଧ୍ୟରେ ବିମାନର ଉତ୍ତର ମୁଖରେ ଜ୍ୱାଳା ବା ଜିଆଳ ନରସିଂହ ଅନ୍ୟତମ । ବିଭିନ୍ନ ପର୍ବପର୍ବାଣିରେ ଜଗନ୍ନାଥ ନରସିଂହ ବେଶ ଧାରଣ କରିଥାନ୍ତି-। ସ୍ନାନ ଯାତ୍ରା ପରେ ପନ୍ଦର ଦିନର ଅନବସର (ଅଣସର) ସମୟରେ ମନ୍ଦିରରେ ଲକ୍ଷ୍ମୀ-ନରସିଂହଙ୍କ ପୂଜା ହୁଏ । ଶ୍ରାବଣ ଶୁକ୍ଳ ନବମୀ ଓ ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ-ନରସିଂହଙ୍କ ପରିକ୍ରମା ହୁଏ । ରଥଯାତ୍ରା ସମୟରେ ବଳଦେବଙ୍କର ତାଳଧ୍ୱଜ ରଥକୁ ପ୍ରଥମେ ନରସିଂହ ମୂର୍ତ୍ତି ନିଆଯାଏ । ନରସିଂହ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ରକ୍ଷକ ରୂପେ ସମ୍ମାନିତ ହୋଇଥାନ୍ତି । ଜର୍ମାନ ଗବେଷିକା ଏସମାନ୍ ଦୃଢ଼ ଯୁକ୍ତି ସହ ଜଗନ୍ନାଥଙ୍କ ମୂର୍ତ୍ତି ନରସିଂହ ମୂର୍ତ୍ତି କ୍ରମ ବିକାଶର ପରିଣତ ବୋଲି ପ୍ରତିପାଦନ କରି ଅଛନ୍ତି । (୨୨)

 

ଓଡ଼ିଶାର ପୁର ପଲ୍ଲୀରେ ନରସିଂହ ପୂଜା ଅଦ୍ୟାପି ଲୋକପ୍ରିୟ ରହିଅଛି । ଏହି ପ୍ରଦେଶରେ ଏବେ ସୁଦ୍ଧା ଦଶଟି ଲକ୍ଷ୍ମୀ-ନରସିଂହଙ୍କ ମନ୍ଦିର ସମେତ ୧୦୫ ଟି ନରସିଂହ ମନ୍ଦିରର ଭୂସମ୍ପତ୍ତି ରହିଅଛି । (୨୩) ଏହି ମନ୍ଦିରମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ପଦ୍ମପୁର ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରେ ନରସିଂହନାଥ ମନ୍ଦିର ଅନ୍ୟତମ । ଉକ୍ତ ମନ୍ଦିରର ପ୍ରାଚୀରରେ ଉତ୍କୀର୍ଣ୍ଣ ଅଭିଲେଖରୁ ଜଣାଯାଏ ଯେ ଏହା ୧୪୧୩ ଖ୍ରୀ ମାର୍ଚ୍ଚ ମାସ ୧୭ ତାରିଖ ଚୈତ୍ର ପୂର୍ଣ୍ଣମୀ ଦିନ ପାଟଣାର ଚୌହାଣ ରାଜା ବୈଜଳଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ବିଡ଼ାଳ-ନରସିଂହ ନାମରେ ଅଭିହିତ ମନ୍ଦିରର ମୁଖ୍ୟ ଦେବତାଙ୍କର ମୂର୍ତ୍ତିରେ ସିଂହର ଶରୀର ଓ ମାର୍ଜାରର ମୁଖମଣ୍ଡଳ ଦେଖାଯାଏ । ଏହି ଅଂଚଳରେ ପ୍ରଚଳିତ ଏକ କିମ୍ବଦନ୍ତୀ ଅନୁସାରେ ଭଗବାନ ନରସିଂହ ମୂଷିକ ଦୈତ୍ୟ ନାମକ ଅସୁରର ସଂହାର ପାଇଁ ଏହି ଅବତାର ଗ୍ରହଣ କରିଥିଲେ । ପଶ୍ଚିମ ଓଡ଼ିଶା ଓ ମଧ୍ୟ ପ୍ରଦେଶର ଆଦିବାସୀ ଲୋକମାନଙ୍କ ପାଇଁ ଏହି ମନ୍ଦିର ଏକ ତୀର୍ଥ ସ୍ଥାନ ହୋଇ ରହିଅଛି । ନରସିଂହଙ୍କ ମାର୍ଜାର କେଶରୀ ରୂପ ଭାରତର ଅନ୍ୟ କୌଣସିଠାରେ ଦେଖାଯାଏ ନାହିଁ ।

 

ନରସିଂହ ଦେବତାଙ୍କର ପୂଜା ଅନେକ ବିଳମ୍ବରେ ସମ୍ଭବତଃ ସୋମବଂଶୀ ଓ ଗଙ୍ଗମାନଙ୍କ ରାଜତ୍ୱ କାଳରେ ଓଡ଼ିଶାରେ ପ୍ରବେଶ ଲାଭ କରିଥିଲା । ମାତ୍ର ନରସିଂହ ଅବତାରବାଦର ବିକାଶ ଓ ବିବର୍ତ୍ତନରେ ଏହି ପ୍ରଦେଶର ଅବଦାନ ଅନ୍ୟାନ୍ୟ ଅଂଚଳ ଅପେକ୍ଷା ନ୍ୟୂନ ନଥିଲା ବୋଲି କୁହାଯାଇପାରେ ।

 

ସଙ୍କେତ ସୂଚୀ :-

୧.

ରାଜେନ୍ଦ୍ର ଲାଲ ମିତ୍ର–Taittaeiya Aranyaka Bibliotheka Indian Series PP 8-9.

ସୁବୀରା ଜୟଲାଲ–The Origin & Devlopment of Vaishnavism, P. 17

୨.

ମହାଭାରତ (Critical ed) ତୃତୀୟ, ୧୦୦:୧୯, ଦ୍ୱାଦଶ ୩୨୬:୭୨-୭୩

୩.

ଉଇଣ୍ଟରନିଜ୍ Hist. Of Indian Literture, P. 464 fn 2.

୪.

ହାଜରା Indian Culture II. P. 237.

୪.

ହରିବଂଶ (ଗୀତା ପ୍ରେସ୍) ତୃତୀୟ,୪୧:୪୭

୫.

ମତ୍ସ୍ୟ ପୁରାଣ ଅଧ୍ୟାୟ ୧୬୧-୧୬୩

୬.

ପଦ୍ମ ପୁରାଣ (ଆନନ୍ଦାଶ୍ରମ), ଅଧ୍ୟାୟ ୪୨

୭.

କୂର୍ମ ପୁରାଣ. ପ୍ରଥମ ; ୧୫:୧୮ ରୁ କ୍ରମଶଃ

୮.

ବିଷ୍ଣୁ ପୁରାଣ (ଗୀତାପ୍ରେସ) ପ୍ରଥମ : ୧୬,ଉଇଲସନଙ୍କ ସମ୍ପାଦନା –P. 118 f

୯.

The Visva Bharati Quarterly, Vol. I, Pt. 17

୧୦.

ସୁବୀରା ଜୟସ୍ଵାଲ-The Origin & Develpoment of Vaishnavism P. 122-23

୧୧.

ବିଷ୍ଣୁ ଧର୍ମୋତ୍ତର ପୁରାଣ ; ତୃତୀୟ,୧୧୯:୧୩

୧୨.

ତତ୍ରୈବ ତୃତୀୟ, ୧୨୩:୮୯

୧୩.

ତତ୍ରୈବ, ଦ୍ଵିତୀୟ,୧୯:୭-୮

୧୪.

ତତ୍ରୈବ ତୃତୀୟ ପୁରାଣ ୧୨୧;୪

୧୫.

ଭାଗବତ ପୁରାଣ, ସପ୍ତମ ୧-୧୦

୧୬.

ହାଜରା-Studies in the Puranic Records on Hindu Rites and customs. P. 155 fn 97

୧୭.

ହରପ୍ରସାଦ ଶାସ୍ତ୍ରୀଙ୍କ ମତରେ ଏହି ପୁରାଣ ତିନୋଟି ପର୍ଯ୍ୟାୟରେ ରଚିତ ହୋଇଥିଲା । JBORS, 1428. P. 335

୧୮.

ଟି.ଗୋପୀନାଥ ରାଓ-Elements of Hindu Iconology. P. 149 fn,

୧୯.

Journal of Kalinga Historical Research Society, Vol II No. II, PP 107-10.

୨୦.

Eschmann’s Article in the cult of Jagannath and the Regional Tradditions of Orissa. Ch. V, P. 111

୨୧.

କେ. ସୁନ୍ଦରମ – Simha Chalam Temple, P. 67-71. ସୁନ୍ଦରମ, ଏହି ତଥ୍ୟକୁ ପ୍ରତ୍ୟାଖ୍ୟାନ କରିଅଛନ୍ତି ।

୨୨.

The cult of Jagannath and the Regional Tradditions of Orissa. Ch. V.

୨୩.

ତତ୍ରୈବ P. 103. fn 14.

 

ଅନୁଗୁଳ ସରକାରୀ କଲେଜ

ଅନୁଗୁଳ,

 

ଓଡ଼ିଆ ନାଥ-ସାହିତ୍ୟ

ଅଧ୍ୟାପିକା ଶ୍ରୀମତି ଚିନ୍ମୟୀ ମହାପାତ୍ର

 

ସାହିତ୍ୟର ଧାରା ସ୍ରୋତସ୍ୱତୀର ଧାରା ପରି ନିରବଚ୍ଛିନ୍ନ । ମାନବର ମନ-ଗହରରୁ ଜନ୍ମ ନେଇ ସେ ଝରିଯାଇଛି ଝର୍ଝର ନାଦରେ-ନାନା ଭାବର ବିଚିତ୍ର ସମାବେଶରେ ସେ ପରିପୃଷ୍ଟ ଅବୟବା, ଭାଷାର ବିଭଙ୍ଗ ତରଙ୍ଗରେ ଜଳ-ପ୍ଲାବିନୀ ଗତିରେ ଛନ୍ଦର ମାଧୁର୍ଯ୍ୟ, ଛାତିରେ ବିଶ୍ୱ-ସଂସାରର ସମସ୍ତ ଚିନ୍ତା, ସମସ୍ତ ଚେତନା, ସକଳ ଭାବ, ସକଳ ବାସନା, ସବୁ ଉପଲବଧି ଓ ସବୁ ଦର୍ଶନର ଅପର୍ଯ୍ୟାପ୍ତ ଐଶ୍ଵର୍ଯ୍ୟ । ମାତ୍ର ଆଦ୍ୟାବସ୍ଥାରେ ଗିରି ନିର୍ଝରିଣୀ ପରି ବାଣୀର ପ୍ରବାହିନୀ ମଧ୍ୟ କ୍ଷୀଣସ୍ରୋତା, ସଂକୀର୍ଣ୍ଣ ପରିସରା-ସେଠି ନାହିଁ ଭାଷାର ଚିତ୍ତମୋହୀ ଚାତୁର୍ଯ୍ୟ, ନାହିଁ ମଧ୍ୟ ଭାବର ଅପ୍ରତୁକ ଐଶ୍ଵର୍ଯ୍ୟ, ଆଧୁନିକ ସାହିତ୍ୟ ପରି ବିପୁଳ, ବିଚିତ୍ର ବିଷୟର ବର୍ଣ୍ଣାଢ଼୍ୟ ବର୍ଣ୍ଣନ ପ୍ରାଚୀନ ସାହିତ୍ୟରେ ସମ୍ଭବ ହୋଇନାହିଁ । ସକଳ ଭାଷାର ପ୍ରାଚୀନ ସାହିତ୍ୟରେ ମାନବୀୟ ଆବେଗ ଓ ଅନୁଭୂତିର କିୟତ ପରିମିତ ପରିପ୍ରକାଶ ସହିତ ମୁଖ୍ୟ ବିଭାବ ହୋଇ ଦେଖା ଦେଇଛି, ଧର୍ମୀୟ ଜିଜ୍ଞାସା ଓ ପରମାର୍ଥବୋଧ । ପୁଣି ଅନ୍ୟାନ୍ୟ ଦେଶର ସାହିତ୍ୟ ତୁଳନାରେ ଭାରତୀୟ ସାହିତ୍ୟରେ ଏ ଜାତୀୟ ପ୍ରବଣତାର ଆଧିକ୍ୟ ପରିଲକ୍ଷିତ ହୋଇଥାଏ । ଧର୍ମ ଓ ଆଧ୍ୟାତ୍ମିକତାକୁ ଭିତ୍ତି କରି ଭାରତର ପ୍ରାୟ ସକଳ ପ୍ରାଦେଶିକ ସାହିତ୍ୟର ଉନ୍ମେଷ ଓ ବିକାଶ ଘଟିଛି । ସେହି ଅଧ୍ୟାତ୍ମ ଚେତନା, ପରମାର୍ଥବୋଧ, ଧର୍ମପ୍ରାଣତା ହିଁ ପ୍ରାଚୀନ ଓଡ଼ିଆ ସାହିତ୍ୟର ସ୍ରୋତକୁ ପରିପୁଷ୍ଟ ଓ ଗତିକୁ ନିୟନ୍ତ୍ରିତ କରିଛି । ଏ ପ୍ରବାହ ଆଧୁନିକ ଯୁଗ ପର୍ଯ୍ୟନ୍ତ ମଧ୍ୟ ଶୁଷ୍କ ହୋଇନାହିଁ । କାହ୍ନୁପା, ହାଡ଼ିପା, ଲୁଇପାଙ୍କ ଠାରୁ ଆରମ୍ଭ କରି ସାରଳାଙ୍କ ଯାଏ, ଜଗନ୍ନାଥ, ବଳରାମ, ଅଚ୍ୟୁତାଦି, ପଂଚସଖାଙ୍କ ଠାରୁ ଦୀନକୃଷ୍ଣ, ଉପେନ୍ଦ୍ର, ଭୂପତି, ଦେବଦୁଲ୍ଲର୍ଭ, ଅଭିମନ୍ୟୁ, ଭକ୍ତଚରଣଙ୍କ ବାଟଦେଇ ପରେ ପରେ ସାହିତ୍ୟର ପ୍ରଧାନ ଉପଜୀବ୍ୟ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟର ତଥାକଥିତ ଆଦ୍ୟ ନିଦର୍ଶନ ବୌଦ୍ଧ ସହଜ-ସାଧକମାନଙ୍କର ଚର୍ଯାସାହିତ୍ୟର ପରବର୍ତ୍ତୀ ଓଡ଼ିଆ ରଚନା ରୂପେ ଅନୁମିତ ଅଦ୍ୟାବିଧି ସଂଗୃହୀତ ନାଥପନ୍ଥୀମାନଙ୍କର ସ୍ୱଳ୍ପ ପରିମିତ ସାହିତ୍ୟକୁ ଅମର୍ଯ୍ୟାଦା କରାଯାଇନ ପାରେ ।

 

ବହୁକାଳ ଅବଧି ମହାକବି ସାରଳା ଦାସ କୃତ ମହାକାବ୍ୟ ମହାଭାରତ ହିଁ ଓଡ଼ିଆ ସାହିତ୍ୟର ଆଦ୍ୟତମ ନିଦର୍ଶନ ରୂପେ ପରିଗୃହୀତ ହେଉଥିଲା । ପରବର୍ତ୍ତୀ କାଳରେ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କର କୃତିକୁ ଓଡ଼ିଆ ଭାଷାର ଆଦି-ସାହିତ୍ୟ ରୂପେ ପ୍ରତିପାଦିତ କରାଯାଇଛି । ତେବେ, ସିଦ୍ଧାଚାର୍ଯ୍ୟମାନଙ୍କର ଚର୍ଯ୍ୟା-ସାହିତ୍ୟ (ଖ୍ରୀ: ୭ମରୁ ୧୧ଶ ଶତାବ୍ଦୀ) ଓ ଓଡ଼ିଆ ସାହିତ୍ୟର ଗର୍ବ ଓ ଗୌରବର ମହାର୍ଘ ସମ୍ପଦ ସାରଳା ଦାସଙ୍କ ବିରାଟ କୃତି (ଖ୍ରୀ: ୧୫ ଶ ଶତାବ୍ଦୀ)ର ମଧ୍ୟବର୍ତ୍ତୀ ଦୀର୍ଘକାଳ ମଧ୍ୟରେ ସାହିତ୍ୟ ରଚନାର ଉଦ୍ୟମ ଓ ଅନୁଶୀଳନ ଆଦୌ ହୋଇ ନଥିଲେ ସାରଳା ଦାସ ଏପରି ବିପୁଳ, ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରିବାରେ ସମର୍ଥ ହୋଇ ନଥାନ୍ତେ ବୋଲି ମନେ ହୁଏ ନାହିଁ । ‘କଳସା ଚଉତିଶା’ ହିଁ ଏହି ସମୟର ଏକମାତ୍ର ସାହିତ୍ୟିକ ମୂଲ୍ୟ ସମ୍ପନ୍ନ ରଚନା ରୂପେ ଗୃହୀତ । ତାର ଯଥାର୍ଥ ସୃଷ୍ଟିକାଳ ନେଇ ମଧ୍ୟ ସମାଲୋଚକମାନଙ୍କ ମଧ୍ୟରେ ମତାନୈକ୍ୟ ପରିଲକ୍ଷିତ ହୁଏ । କିନ୍ତୁ ସାରଳା ମହାଭାରତର ରଚନା ସମୟକୁ ଓଡ଼ିଆ ଭାଷା ଓ ଓଡ଼ିଆରେ ରଚନା ପଦ୍ଧତି ଭାରତୀୟ ବାଙ୍‌ମୟରେ ଏକ ନିର୍ଦ୍ଦିଷ୍ଟ ପ୍ରତିଷ୍ଠା ଲାଭ କରିଥିବାର ଆଭ୍ୟନ୍ତରୀଣ ପ୍ରମାଣ ସାରଳାଙ୍କ ମହାଭାରତରେ ନିହିତ ଥିବା ବିଷୟ ଓଡ଼ିଆ ସାହିତ୍ୟର ବରେଣ୍ୟ ସମାଲୋଚକ ଶ୍ରୀ ସୁରେନ୍ଦ୍ର ମହାନ୍ତି ତଦୀୟ ‘ଓଡ଼ିଆ ସାହିତ୍ୟର ଆଦିପର୍ବ’ରେ ଦର୍ଶାଇଛନ୍ତି । (୧) ଭୌମ, କେଶରୀ ତଥା ଗଙ୍ଗବଂଶୀୟ ନରପତିମାନଙ୍କର ରାଜତ୍ୱ ସମୟରେ ଓଡ଼ିଶାର ରାଜନୀତିକ ତଥା ସାଂସ୍କୃତିକ ବାତାବରଣ ଓଡ଼ିଆଭାଷା –ସାହିତ୍ୟ ବିକାଶର ଅନୁକୂଳ ନ ଥିଲା । ପ୍ରଥମ ଦୁଇ ରାଜବଂଶର ରାଜନ୍ୟବର୍ଗଙ୍କର ସଂସ୍କୃତି, ଭାଷା ଓ ସାହିତ୍ୟର ପୃଷ୍ଠପୋଷକତା, ଦକ୍ଷିଣାଗଡ଼ ଗଙ୍ଗମାନଙ୍କର ସଂସ୍କୃତ ସଙ୍ଗେ ସଙ୍ଗେ ତାମିଲ ଭାଷା ପ୍ରତି ସହଜ ମମତା ଓ ସମ୍ମାନ ଓଡ଼ିଆ ଭାଷା ସାହିତ୍ୟରେ ଅଗ୍ରଗତି ପଥରେ ଅବହେଳା ଓ ଉପେକ୍ଷାର କଙ୍କରିଳ ମାଳଭୂମି ସୃଷ୍ଟି କରିଥିଲା । ତଥାପି ସେ ଭୂମିର ଅଭ୍ୟନ୍ତରରେ କ୍ଷୀଣ ହେଲେହେଁ ଅନାହତ ଧାରାରେ ପ୍ରବାହିତ ହେଉଥିଲା ଓଡ଼ିଆ ସାହିତ୍ୟର ଅନ୍ତଃସଲିଳା ଫଲଗୁ ସଂଯମ ଓ ସାଧନାନିଷ୍ଠ ନାଥଧର୍ମର ପବିତ୍ର ସଲିଳକୁ ସମ୍ବଳ କରି । ଏହି ପ୍ରବାହର ପୂର୍ଣ୍ଣ ପରିଚୟ ଅଦ୍ୟାବିଧି ଉପଲବ୍‍ଧ ହୋଇନଥିଲେ ହେଁ ପୁଣି ଉପଲବ୍‍ଧ ଯତକଞ୍ଚିତ୍‍ ସାହିତ୍ୟର କଳାତ୍ମକ ତଥା ରସାତ୍ମକ ମାନ ବିଶେଷ ନ ଥିଲେ ହେଁ ଓଡ଼ିଆ ସାହିତ୍ୟର ସେହି ତମସାଚ୍ଛନ୍ନ ପର୍ଯ୍ୟାୟ ଉପରେ ଆଲୋକପାତ ଦିଗରେ ଏହାର ମୂଲ୍ୟ ଯଥେଷ୍ଟ । ସାରଳାଙ୍କ ପରବର୍ତ୍ତୀ କାଳରେ ମଧ୍ୟ ବହୁ କବିଙ୍କ ରଚନାରେ ଏହି ଧର୍ମର ସଙ୍କେତ ପରିଲକ୍ଷିତ ହୋଇଥାଏ ।

 

ଖ୍ରୀଷ୍ଟୀୟ ୧୨ଶ ଶତକ ବେଳକୁ ନାଥଧର୍ମ ଓଡ଼ିଶା ତଥା ଭାରତର ଅନ୍ୟାନ୍ୟ ବିଭିନ୍ନ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା । ଏହି ଧର୍ମ ସମ୍ପର୍କରେ ନାନା ମୁନିଙ୍କର ନାନା ମତ ପରିଲକ୍ଷିତ ହୁଏ । କେତେକ ନାଥ ସଂପ୍ରଦାୟକୁ ସିଦ୍ଧ ସଂପ୍ରଦାୟର ଏକ ବିକଶିତ ଓ ଶକ୍ତିଶାଳୀ ରୂପ ବୋଲି ଗ୍ରହଣ କରିନ୍ତି । ଡଃ ରାମକୁମାର ବର୍ମା ‘ହିନ୍ଦୀ ସାହିତ୍ୟ ବା ଆଲୋଚନାତ୍ମକ ଇତିହାସରେ ବ୍ୟକ୍ତ କରିଛନ୍ତି ଯେ, ବଜ୍ରଯାନର ସହଜ ସାଧନା ଦ୍ୱାଦଶ ଶତାବ୍ଦୀ ବେଳକୁ ନାଥ ସଂପ୍ରଦାୟ ରୂପରେ ପଲ୍ଲବିତ ହୋଇଥିଲା । ଶ୍ରୀ ସୁରେନ୍ଦ୍ର ମହାନ୍ତି ନାଥ ସାହିତ୍ୟ ଓ ଧର୍ମ ଦର୍ଶନରେ ଚର୍ଯ୍ୟାପଦକର୍ତ୍ତା ବୌଦ୍ଧ ସହଜିଆ ସିଦ୍ଧାଚାର୍ଯ୍ୟା କାହ୍ନୁପା, ହାଡ଼ିପା, ଲୁଇପା, ତନ୍ତୀପା ପ୍ରଭୁତିଙ୍କ ନାମ ପ୍ରସଙ୍ଗତଃ ଉଲ୍ଲେଖ କରିଥିବାରୁ ନାଥଧର୍ମକୁ ସହଜିଆ ବୌଦ୍ଧଧର୍ମର ଏକ ଶାଖା ବୋଲି ମନେ କରିଛନ୍ତି ଓ ନାଥଧର୍ମର ନବ ଆବରଣ ତଳେ ବୌଦ୍ଧଧର୍ମ ଆତ୍ମରକ୍ଷାର୍ଥ ଶେଷ ପ୍ରୟାସ କରିଥିଲା ବୋଲି ମତ ପୋଷଣ କରିଛନ୍ତି । (୨) ଆଚାର୍ଯ୍ୟ କ୍ଷିତିମୋହନ ସେନଶାସ୍ତ୍ରୀ (ଦାଦ୍ୱ) ମଧ୍ୟ ଏହି ମତର ପୋଷକତା କରିଛନ୍ତି । ବହୁ ସମାଲୋଚକ ଓ ଗବେଷକ ମଧ୍ୟ ଶୈବଧର୍ମ ଓ ଶୈବାଚାର ସହ ଏହାର ଘନିଷ୍ଠ ସମ୍ବନ୍ଧ ଲକ୍ଷ୍ୟ କରିଛନ୍ତି । ଡଃ ହଜାରୀ ପ୍ରସାଦ ଦ୍ୱିବେଦୀ ପ୍ରାମାଣିକ ରୀତିରେ ଆଲୋଚନା କରି ନାଥଧର୍ମକୁ ଶୈବଧର୍ମର ଏକ ଶାଖାରୂପେ ପ୍ରତିପାଦିତ କରିଛନ୍ତି । ଡଃ ବଂଶୀଧର ମହାନ୍ତି ‘ଓଡ଼ିଶାର ନାଥ ସଂପ୍ରଦାୟ ଓ ନାଥ ସାହିତ୍ୟ’ ଶୀର୍ଷକ ଗବେଷଣାମକ ନିବନ୍ଧରେ ଭାରତର ସମସ୍ତ ନାଥ ଯୋଗୀ ସେମାନଙ୍କର ଉତ୍ପତ୍ତି ଶିବଙ୍କଠାରୁ ବୋଲି କହି ନିଜକୁ ‘ଶିବଗୋତ୍ରୀ’ ରୂପେ ପରିଚିତ କରାଉଥିବା ବିଷୟ ଉଲ୍ଲେଖ କରିଛନ୍ତି । ଡଃ ଦୋଳଗୋବିନ୍ଦ ଶାସ୍ତ୍ରୀ ‘ନାଥ ଧର୍ମର କ୍ରମବିକାଶ ଗ୍ରନ୍ଥରେ ଦର୍ଶାଇଛନ୍ତି ଯେ, ନାଥଧର୍ମର ପ୍ରଧାନ ଉପାସନା ପଦ୍ଧତି ଯୋଗ ଏବଂ ଉପାସ୍ୟ ଯୋଗୀଶ୍ରେଷ୍ଠ ପଶୁପତି ଶିବ । ଶ୍ରୀ ସୁରେନ୍ଦ୍ର ମହାନ୍ତି ମଧ୍ୟ ‘‘ନାଥଧର୍ମ ଶୈବମତବାଦ ଓ ଶୈବ ସଙ୍କେତ ଦ୍ୱାରା ପ୍ରଭାବିତ ହୋଇଅଛି’’ ପୁଣି ନାଥସିଦ୍ଧମାନେ ‘‘ଶୈବାଚାରରେ ଦୀକ୍ଷିତ ହୋଇଥିଲେ ଏବଂ ଶିବ ଓ ଚଣ୍ଡୀ ଏମାନଙ୍କର ଆରାଧ୍ୟ ଦେବତା’’ ବୋଲି କହିବାକୁ କୁଣ୍ଠିତ ହୋଇନାହାନ୍ତି । ଭାରତର ପ୍ରାଗବୈଦିକ ଶିବକେନ୍ଦ୍ର ଯୋଗମାର୍ଗ ପରବର୍ତ୍ତୀ ସମୟରେ ନାଥଧର୍ମ ରୂପେ ଆତ୍ମପ୍ରକାଶ କରିଛି ବୋଲି ଆଚାର୍ଯ୍ୟ କ୍ଷିତିମୋହନ ସେନଶାସ୍ତ୍ରୀ ମତ ପ୍ରକାଶ କରଛନ୍ତି । (୩) ଅଧ୍ୟାପକ ଏ.ପି. କରମକର, ଅଧ୍ୟାପକ ଜେ.ଡବଲ୍ୟୁ ହଲାର ପ୍ରମୁଖ ମଧ୍ୟ ଏହି ଧର୍ମକୁ ଆର୍ଯ୍ୟେତର ବ୍ରାତ୍ୟ ଶୈବଧର୍ମର ଶାଖା ବୋଲି ସ୍ୱୀକାର କରିଛନ୍ତି । ବୈଦିକ ଆର୍ଯ୍ୟ ଓ ଅବୈଦିକ ବ୍ରାତ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ସାଂସ୍କୃତିକ ବିନିମୟ ଘଟିବାର ପରବର୍ତ୍ତୀ କାଳରେ ଉଭୟ ଗୋଷ୍ଠୀର ଦେବ-ଦେବୀଙ୍କର ସମନ୍ୱିତ ସ୍ୱରୂପର କ୍ରମପରିବର୍ତ୍ତନ ପର୍ଯ୍ୟାୟରେ ସମୟକ୍ରମେ ବ୍ରାତ୍ୟ ଦେବତା ‘ଶିବ’ ବୈଦିକ ‘ରୁଦ୍ର’ଙ୍କ ସହ ଏକ ଓ ଅଭିନ୍ନ ରୂପେ ପରିଗୃହିତ ହେବାର କ୍ରମବିକାଶ ପଥରେ ସୃଷ୍ଟି ହୋଇଥିବା ଶୈବଧର୍ମ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ନାଥ ବା ଗୋରଖ ସଂପ୍ରଦାୟର ନାମ ଉଲ୍ଲେଖଯୋଗ୍ୟ । ଡଃ ଗଙ୍ଗାଧର ବଳ ଅଧ୍ୟାପକ କରମ କରଙ୍କ ମତକୁ ସମର୍ଥନ କରି ପାଗ ବୈଦିକ ବ୍ରାତ୍ୟ ଶୈବଧର୍ମ, ଅଥର୍ବବେଦୀୟ ବ୍ରାତ୍ୟ ଶିବପୂଜା ପରବର୍ତ୍ତୀ କାଳରେ ଆଦିନାଥ ନବନାଥ ମତ୍ସ୍ୟେନ୍ଦ୍ର-ଗୋରକ୍ଷନାଥଙ୍କ ଦ୍ୱାରା ପ୍ରଚାରିତ ନାଥଧର୍ମ ନାମରେ ଆତ୍ମପ୍ରକାଶ କରିଥିବା ଦର୍ଶାଇଛନ୍ତି । ବ୍ରାତ୍ୟ ଶୈବଧର୍ମ ପୁରାଣ ଯୁଗରେ ନାଥଧର୍ମ ଭାବରେ ପୂର୍ଣ୍ଣତା ଲାଭ କରିଥିବା ବିଷୟ ଡଃ କାହ୍ନୁଚରଣ ମିଶ୍ର ପ୍ରକାଶ କରିଛନ୍ତି (୪) ରାମାୟଣ-ମହାଭାରତ-ଯୁଗରେ ଶିବ ‘ମହାଦେବ’ ସଙ୍ଗେ ସଙ୍ଗେ ‘ମହାଯୋଗୀ’ ତଥା କାନଫଟା ଯୋଗୀମାନଙ୍କର ବିଶେଷ ଚିହ୍ନ କୁଣ୍ଡଳଧାରୀ ରୂପେ ବର୍ଣ୍ଣିତ ।

 

ମାତ୍ର ଡକ୍ଟର ବେଣୀମାଧବ ପାଢ଼ୀଙ୍କ ମତରେ, ‘‘ନାଥପନ୍ଥୀମାନେ ଅର୍ହତ କିମ୍ବା ବୌଦ୍ଧଙ୍କ ଭଳି ଅବୈଦିକ ନୁହନ୍ତି । ଏମାନେ ପୁରାପୁରି ବୈଦିକ ।’’ (୫) ଅଥର୍ବବେଦ ତଥା ବୃହଦାରଣ୍ୟକ, କଠ, ଛାନ୍ଦୋଗ୍ୟ, ମୈତ୍ରୀ, ଶ୍ୱେତାଶ୍ୱେତର ଆଦି ଉପନିଷଦର ଯୋଗମାର୍ଗର ସଙ୍କେତ ପରିଲକ୍ଷିତ ହେଉଥିବାରୁ ଓ ଐତରେୟ ଉପନିଷଦର ‌ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ ସୃଷ୍ଟି ତତ୍ତ୍ୱରେ ନାଥଧର୍ମର ପିଣ୍ଡବ୍ରହ୍ମାଣ୍ଡତତ୍ତ୍ୱର ମୌଳିକ ଉପାଦାନ ଉପଲବ୍‍ଧ ହେଉଥିବାରୁ, ପୁଣି ‘ତ୍ରିଶିଖ ବ୍ରାହ୍ମଣ ‘, ‘ଅଦ୍ୱୟ ତାରକ’, ‘ଯୋଗକୁଣ୍ଡଳ’, ‘ଧ୍ୟାନବିନ୍ଦୁ’, ‘ବରାହ’, ‘ନାଦବିନ୍ଦୁ’, ‘ଶାଣ୍ଡିଲ୍ୟ’ ପ୍ରଭୃତି ଏକ ବିଂଶତି ଉପନିଷଦକୁ ନାଥଧର୍ମ ବିଶିଷ୍ଟ ଯୋଗଶାସ୍ତ୍ର ରୂପେ ଗ୍ରହଣ କରୁଥିବାରୁ ମୀନନାଥ, ଗୋରକ୍ଷନାଥ ପ୍ରଭୃତି ନାଥଧର୍ମର ସିଦ୍ଧଯୋଗୀମାନଙ୍କ ରଚନାରେ ପରିଲକ୍ଷିତ ଯୋଗ ପ୍ରାଗବୈଦିକ, ବୈଦିକ ଓ ଉପନିଷଦୀୟ ପରମ୍ପରାନୁଗ ହୋଇଥିବାରୁ ପଣ୍ଡିତ ବଳଦେବ ଉପାଧ୍ୟାୟ ଏହାକୁ ବୌଦ୍ଧ ତନ୍ତ୍ର-ମୂଳକ ନୁହେଁ, ବୈଦିକ ଓ ଉପନିଷଦମୂଳକ ବୋଲି ମତ ଦେଇଛନ୍ତି । ଶ୍ୱାସବାୟୁର ନିୟନ୍ତ୍ରଣ ଦ୍ୱାରା ଯୋଗ ସାଧନାରତ ପିଣ୍ଡବ୍ରହ୍ମାଣ୍ଡବାଦୀ ଶିବ-ଉପାସକ ବ୍ରାତ୍ୟ ଯୋଗୀମାନେ ବୈଦିକ ସଂସ୍ଥାରର ପକ୍ଷପାତୀ ନ ଥିଲେ ହେଁ ଏକ ବିଶେଷ ପ୍ରକାରର ଦୀକ୍ଷାଦ୍ୱାରା ବ୍ରାହ୍ମଣ ରୂପେ ଗଣ୍ୟ ହେଉଥିବା ବିଷୟ ଅଥର୍ବ ବେଦର ପଂଚଦଶ ଅଧ୍ୟାୟ ବ୍ରାତ୍ୟସୂକ୍ତରୁ ଜଣାଯାଏ । ପୌରାଣିକ ଯୁଗରେ ଏହି ଯୋଗମାର୍ଗୀ ଶିବୋପାସକ ଗୋଷ୍ଠୀ ଏକ ସ୍ୱତନ୍ତ୍ର ଧର୍ମାନୁସାରୀ ବିଶିଷ୍ଟ ଜାତି ରୂପେ ଗଣ୍ୟ ହେବାକୁ ଆରମ୍ଭ କଲେ । ସେହି ଯୋଗୀ ଜାତିର ଅନୁସୁତ ବିଶିଷ୍ଟ ଧର୍ମ କାଳକ୍ରମେ ‘ନାଥଧର୍ମ’ ନାମରେ ଅଭିହିତ ହୋଇଛି । ସେମାନଙ୍କର ଆଦିପୁରୁଷ ମହାଯୋଗୀ ଶିବ ‘ଆଦିନାଥ’ ରୂପେ ସେ ଧର୍ମର ଉପାସ୍ୟ ପରଂବ୍ରହ୍ମ ‘ନାଥସ୍ୱରୂପ’ ରୂପେ ଆଖ୍ୟାୟିତ ହୋଇଛନ୍ତି – ସେମାନେ ଗୃହୀ-ସନ୍ନ୍ୟାସୀ ନିର୍ବିଶେଷରେ ନାଥ ଉପାଧିରେ ଭୂଷିତ ହୋଇଛନ୍ତି ।

 

୧.

ଓଡ଼ିଆ ସାହିତ୍ୟର ଆଦିପର୍ବ–ପୃଷ୍ଠା–୫୮

୨.

ତତ୍ରୈବ, ପୃଷ୍ଠା–୫୯-୬୦

୩.

The Natha cult is closely connected with the doctrines of yoga. It is also linked with worship of Pasupati Siva, i.e., with the worship of Siva as the lord of animals. Among the Indus valley relies, the Pasupati Icon and Images of yogis have been found which suggest that the cult my be very old indeed. Later all these cults came into close contact with Buddhism, Jainism and popular Hindusm.

(On Hinduism)

୪.

In the Puranic age Vryatya Saiva cult or Yoga Marga attained its perfection as Natha Dharma or Nathism. Siva was termed as Natha by the followers of Saivism.

(The Jagannath cult)

୫.

ଦାରୁଦେବତା–ଡକ୍ଟର ପାଢ଼ୀ

 

ପ୍ରତ୍ୟେକ ଧର୍ମର ପୃଷ୍ଠଭୂମିରେ ତାର ପୂର୍ବବର୍ତ୍ତୀ ଧର୍ମବିଶେଷ ବା ଧର୍ମସମୂହର ନେପଥ୍ୟ ଭୂମିକା ଅନସ୍ୱୀକାର୍ଯ୍ୟ ଅବଶ୍ୟ । ତଥାପି କୌଣସି ଧର୍ମକୁ ପୂର୍ବବର୍ତ୍ତୀ ଧର୍ମର ରୂପାନ୍ତର ବା ପରବର୍ତ୍ତୀ ଧର୍ମର ପୂର୍ବରୂପ ବୋଲି ମନ୍ତବ୍ୟ ଦେବା ସମୀଚୀନ ବୋଧ ହୁଏନାହିଁ । ପୂର୍ବବର୍ତ୍ତୀ ବୌଦ୍ଧଧର୍ମ ଓ ପରବର୍ତ୍ତୀ ବ୍ୟାପକ ଶିବୋପାସନା ପରମ୍ପରାର ମଧ୍ୟବର୍ତ୍ତୀ କାଳରେ ଅଭ୍ୟୁତଥିତ ନାଥଧର୍ମର ଆଚାର ବିଚାରରେ ଏ ଉଭୟର ସମନ୍ୱିତ ପ୍ରଭାବ ପରିଲକ୍ଷିତ ହେଉଥିଲେହେଁ ଏହାକୁ ବୌଦ୍ଧ, ଶୈବ କିମ୍ବା ବୈଦିକ ଧର୍ମର ଶାଖା ବୋଲି ଅଭିହିତ କରିବା ଉଚିତ ନୁହେଁ । ବସ୍ତୁତଃ ଏହା ଏକ ସ୍ୱତନ୍ତ୍ର ଧର୍ମ । ବୌଦ୍ଧ ସହଜଯାନର ସାଧନମାର୍ଗର କୁଟିଳତା, ତତ୍ତ୍ୱଗତ ଜଟିଳତା ଓ ଦୁର୍ବୋଧ୍ୟ ରୂପକାତ୍ମକ ତାକୁ ପରିହାର କରି ନାଥଧର୍ମ ଅନିତ୍ୟ ସାଂସାରିକ ବିଷୟ ପ୍ରତି ସଚେତନ ବୈରାଗ୍ୟ, ଭୋଗବିଳାସବିହୀନ ନିର୍ଲିପ୍ତ ନିଃସ୍ପୃହ ସନ୍ନ୍ୟାସ ଓ ସଂଯମ ତଥା ନିରନ୍ତର ନିଷ୍କାମ ଯୋଗଭ୍ୟାସ ମାଧ୍ୟମରେ ମୁକ୍ତିଲାଭର ବାର୍ତ୍ତା ପ୍ରଚାର କରିଥିଲା । ସମ୍ଭବତଃ ସେହି ହେତୁ ଏ ଧର୍ମ ଯୋଗୀଶ୍ରେଷ୍ଠ ଶିବଙ୍କୁ ‘ଆଦିନାଥ ’ ବା ନାଥମାନଙ୍କର ଆଦିପୁରୁଷ ରୂପେ ଗ୍ରହଣ କରି ନେଇଥିଲା ।

 

ନାଥଧର୍ମର ଦାର୍ଶନିକ ମହତ୍ତ୍ୱ-ଜ୍ଞାନ ପ୍ରଧାନ ସଂଯମ ପିଣ୍ଡିତ ଯୋଗମାର୍ଗ ଯେପରି ନାନା ସଂପ୍ରଦାୟର ମୁମୁକ୍ଷୁ ସାଧକମାନଙ୍କୁ ଆକୃଷ୍ଟ କରିଥିଲା, ନାଥ ସିଦ୍ଧମାନଙ୍କର ସାଧନା–ଲବ୍‍ଧ ଅଦ୍ଭୁତ ଯୌଗିକ ବିଭୂତି ସେହିପରି ସାଧାରଣ ଜନ-ମାନସରେ ପ୍ରଭାବ ବିସ୍ତାର କରିଥିଲା । ତେଣୁ ବହୁ ସଂଖ୍ୟକ ଲୋକ ଏହି ଧର୍ମରେ ଦୀକ୍ଷିତ ହୋଇ ନିୟମାନୁଯାୟୀ କୌଳିକ ସଂଜ୍ଞା ବର୍ଜନ ପୂର୍ବକ ନାଥ ଉପାଧି ଗ୍ରହଣ କରିଥିଲେ । ଏକଦା ନାଥଯୋଗୀମାନେ ସମାଜ ତଥା ରାଜନ୍ୟଗୋଷ୍ଠୀ ମଧ୍ୟରେ ପ୍ରଭାବଶାଳୀ ସମ୍ମାନିତ ଆସନ ଅଧିକାର କରିଥିବାର ପ୍ରମାଣ ବହୁ ଦାନପତ୍ର, କିମ୍ବଦନ୍ତୀ, ଉପାଖ୍ୟାନ ଓ ନାନା ଗ୍ରନ୍ଥରେ ରହିଛି ।

 

କାଳକ୍ରମେ ନାଥଧର୍ମର ତାତ୍ତ୍ୱିକ ତଥା ଆଚାରଗତ ବୈଶିଷ୍ଟ୍ୟ ତାନ୍ତ୍ରିକ କୌଳମାର୍ଗୀ, ଭୈରବୀ,ବୌଦ୍ଧ, ବଜ୍ରଯାନୀ, ଶୂନ୍ୟବାଦୀ, ବିଜ୍ଞାନବାଦୀ, ସହଜିଆ ପ୍ରଭୃତି ସାମସାମୟିକ ଧର୍ମସଂପ୍ରଦାୟମାନଙ୍କ ସହ ମିଶ୍ରିତ ହୋଇ ନିଜର ସ୍ୱାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟର ସ୍ପଷ୍ଟତା ହରାଇ ବସିଛି । ଗବେଷକମାନଙ୍କ ମତରେ ରାଧାସ୍ୱାମୀ ସଂପ୍ରଦାୟ, ରାମାନନ୍ଦ ସଂପ୍ରଦାୟ, ନାନକପନ୍ଥୀ ଓ କବୀର ସୁରଦାସ ଓ ଦାହ ପ୍ରଭୃତି ନିର୍ଗୁଣବାଦୀ ସନ୍ଥମାନଙ୍କର ପ୍ରଚାରିତ ଧର୍ମଧାରାରେ ନାଥଧର୍ମ ଏକ ପ୍ରକାର ଆତ୍ମଗୋପନ କରିଯାଇଛି । (୬) ଓଡ଼ିଶାର ଜ୍ଞାନମିଶ୍ରା-ଭକ୍ତି-କୈନ୍ଦ୍ରିକ ବୈଷ୍ଣବ ସଂପ୍ରଦାୟରେ ମଧ୍ୟ ଏହି ଧର୍ମର ତାତ୍ତ୍ୱିକ ସଙ୍କେତ ପରିଲକ୍ଷିତ । ଓଡ଼ିଆ ସାଧାରଣ ଜନ-ମାନସରେ ଏହି ଧର୍ମର ପ୍ରଭାବ ଅଦ୍ୟାବଧି ଲକ୍ଷ୍ୟ କରାଯାଇପାରେ । ମାତ୍ର ଏ ସବୁର ଉର୍ଦ୍ଧ୍ୱରେ ବହୁ ସିଦ୍ଧ, ସନ୍ଥ, ଯୋଗୀ କବିଙ୍କ ଅକ୍ଷରସଂବଦ୍ଧା ସ୍ଥିରା କୀର୍ତ୍ତିରେ ଅବଲୁପ୍ତପ୍ରାୟ ନାଥଧର୍ମର ସ୍ୱର ଓ ସଙ୍କେତ ଚିରଭାସ୍ୱର, ଚିର ଅମଳିନ ହୋଇରହିଛି । ଓଡ଼ିଆ ସାହିତ୍ୟର ଏହି ବିଶିଷ୍ଟ ବିଭାଗଟିରେ ଅଜ୍ଞାତବାସର ଅନ୍ଧକାର ଉପରେ ଆଲୋକପାତ କରିବା ଦିଗରେ ଡକ୍ଟର ବଂଶୀଧର ମହାନ୍ତି ଓ ଶ୍ରୀ ବ୍ରହ୍ମାନନ୍ଦ ଦାସଙ୍କ ପ୍ରଶଂସନୀୟ ଉଦ୍ୟମ ଏକାନ୍ତ ଉଲ୍ଲେଖ ଯୋଗ୍ୟ ।

 

ସାରଳା ମହାଭାରତରେ ଅର୍ଜୁନଙ୍କୁ ବଶ କରିବା ପାଇଁ ସୁଭଦ୍ରା ଶ୍ରୀ ଗୋରେଖନାଥ ମୁଳେ ଚଉଷଠି ସିଦ୍ଧଙ୍କର କୋଟିଏ ଆଜ୍ଞା’ରେ ମନ୍ତ୍ରକାଟ କରିବା (ମଧ୍ୟପର୍ବ), ନକୁଳ ରାଜସୂୟ ଯଜ୍ଞ ନିମିତ୍ତ ବହୁ ରାଜ୍ୟ ଜୟ କରିବା ପରେ କଦଳୀ ବନରେ ପ୍ରବେଶ କରି ଗୋରେଖନାଥଙ୍କୁ ନିମନ୍ତ୍ରଣ କରିବା ଓ ଯୋଗଜ୍ଞାନ ସମ୍ବନ୍ଧରେ ତାଙ୍କୁ ଜିଜ୍ଞାସା କରିବା (ସଭାପର୍ବ), ରାମଚନ୍ଦ୍ର ଯୋଗାନ୍ତକ ବନରେ ଗୋରେଖନାଥଙ୍କୁ ଭେଟିବା ଓ ତାଙ୍କ ସ୍ମରଣ କରି ପଶାକାଠି ଗଡ଼ାଇ ଖେଳରେ ଜୟଲାଭ କରିବା (ସଭାପର୍ବ) ଗୋରେଖଙ୍କ କୃପାରେ ଗାରେଡ଼ି ବିଦ୍ୟାରେ ସିଦ୍ଧ ଅର୍ଜୁନ ମନ୍ତ୍ରବଳରେ ସର୍ପଦଂଷ୍ଟ ଅଭିମନ୍ୟୁକୁ ମୃତ୍ୟୁମୁଖରୁ ଉଦ୍ଧାର କରିବା (ବିରାଟପର୍ବ) ଇତ୍ୟାଦି ବହୁ ପ୍ରସଙ୍ଗ ସହ “ଶିଶୁବେଦ”ର ବହୁଳ ଉଲ୍ଲେଖ ହୋଇଛି । ପଂଚଦଶ ଶତାବ୍ଦୀ ବେଳକୁ ନାଥସିଦ୍ଧମାନଙ୍କର ମହିମା ଓଡ଼ିଶାରେ ବହୁ ପ୍ରଚାରିତ ହୋଇ ଜନ-ମାନସରେ ପ୍ରଭାବ ବିସ୍ତାର କରିଥିବା ଏଥିରୁ ଜଣାଯାଏ । ପୁଣି କେତେକ ସ୍ଥଳରେ ଯୋଗୀମାନଙ୍କର ନିନ୍ଦା ତତ୍କାଳୀନ ସମାଜରେ ଶୈବଧର୍ମର ପ୍ରତିଷ୍ଠା ଓ ପ୍ରତିପତ୍ତି ବିରୋଧୀ ବୈଷ୍ଣବ ଧର୍ମର ଅଭ୍ୟୁଦୟର ସୂଚନା ଦେଇଥାଏ । କତିପୟ ବଙ୍ଗୀୟ ପଣ୍ଡିତ ‌ବଙ୍ଗ ପ୍ରଦେଶକୁ ନାଥପନ୍ଥାର ଆଦିଭୂମି ବୋଲି ଦାବୀ କରୁଥିଲେ ହେଁ ପ୍ରମାଣ ସ୍ୱରୂପ କୌଣସି ନିର୍ଭର ଯୋଗ୍ୟ ତଥ୍ୟ ଉପସ୍ଥାପିତ କରିପାରି ନାହାନ୍ତି । ବଙ୍ଗ-ସାହିତ୍ୟରେ ନାଥସିଦ୍ଧମାନଙ୍କର ପ୍ରତିଷ୍ଠା ୧୮ଶ ଶତାବ୍ଦୀ ବେଳକୁ ହୋଇଥିବାର ଜଣାଯାଏ । ସତୁରାଂ ଓଡ଼ିଶାକୁ ନାଥଧର୍ମ ଓ ଦର୍ଶନର ଆଦିଭୂମି ରୂପେ କଲ୍ପନା କରୁଥିବା ପଣ୍ଡିତମାନଙ୍କର ଅନୁମାନ ଅଧିକ ଯଥାର୍ଥ ବୋଧ ହୁଏ । ସାହିତ୍ୟକ ଓଡ଼ିଆ ଗଦ୍ୟ ରଚନାର ଆଦ୍ୟ ନିଦର୍ଶନ ରୂପେ ପରିଗୃହୀତ ‘ରୁଦ୍ରସୁଧାନିଧି’ରେ ମଧ୍ୟ ନାଥ-ଧର୍ମର ସଙ୍କେତ ଲକ୍ଷ୍ୟ କରାଯାଏ । ଗୋରେଖ, ମତ୍ସେନ୍ଦ୍ର ଆଦି ନାଥସିଦ୍ଧଙ୍କର ସମ୍ମାନିତ ଉଲ୍ଲେଖ (୭), ଶିବଙ୍କୁ ‘ହଠଯୋଗଶ୍ୱର, ହଠଯୋଗାତୀତ, ହଠଯୋଗଗମ୍ୟ, ହଠଯୋଗବିହାର’ ବୋଲି ସ୍ତୁତି (୮) ଶିଶୁବେଦର ଉଲ୍ଲେଖ (୯) ଏତଦ୍‍ବ୍ୟତୀତ ଜାଳନ୍ଧ୍ରିମତ (୧୦), କଳ୍ପଲେପ ରସାୟନ (୧୧), ଓଡ଼ିଆଣୀ, ଖେଚରୀ ଆଦି ମୁଦ୍ରା (୧୨), ଭୀମ, ଭୈରବ, ମତ୍ତମାତ୍ତଙ୍ଗ ଜାଳନ୍ଧରୀ, ଓଡ଼ିଆଣୀ ପ୍ରଭୃତି ବନ୍ଧ (୧୩) ତଥା କର୍ଣ୍ଣରେ ମୁଦୁରା ପରିହିତ କାମାନନ୍ଦ ଯୋଗୀର ଯୋଗସାଧନା ପ୍ରସଙ୍ଗରେ ଯୋଗର ବିଭିନ୍ନ ବିଷୟ (୧୪) ବର୍ଣ୍ଣନାରୁ ସେତେବେଳକୁ ନାଥଧର୍ମ ଓଡ଼ିଶାରେ ପ୍ରସାର ଲାଭ କରିସାରିଥିବା ଜଣାଯାଏ । ପୁଣି କାମାନନ୍ଦ ଯୋଗୀକୁ କାପାଳିକ ସିଦ୍ଧରୂପେ ଅଭିହିତ କରି ସେ ମତର ସମାଲୋଚନା (୧୫) କରିବାରୁ ସେ କାଳର ନାଥଧର୍ମର ଅଖଣ୍ଡ ପ୍ରତିଷ୍ଠା ଓ ଲୋକପ୍ରିୟତା ବ୍ୟାହତ ହୋଇ ତାର କେତେକ ଦିଗ ନିନ୍ଦିତ ହେଉଥିବା ବିଷୟ ଅନୁମାନ କରାଯାଇ ପାରେ ।

 

ତେବେ ଏହି ଦୁଇ ବିଶିଷ୍ଟ ସାହିତ୍ୟକୃତିରୁ ନାଥଧର୍ମ ସମ୍ବନ୍ଧୀୟ କେତେକ ସୂଚନା ମିଳୁଥିଲେ ହେଁ ଏହାକୁ ନାଥ-ସାହିତ୍ୟ ବିଭାଗର ଅନ୍ତର୍ଭୁକ୍ତ କରିବା ସମୀଚୀନ ହେବନାହିଁ । ଅଦ୍ୟାବଧି ଆବିଷ୍କୃତ ନାଥ–ସାହିତ୍ୟ–ସମ୍ପଦ ମଧ୍ୟରୁ ଉଲ୍ଲେଖନୀୟ ରଚନା ସମୂହର ଆଲୋଚନା ଏହି ପ୍ରବନ୍ଧର ଉପଜୀବ୍ୟ ।

 

୬.

ନାଥଧର୍ମର କ୍ରମବିକାଶ–ଡକ୍ଟର ଦୋଳଗୋବିନ୍ଦ ଶାସ୍ତ୍ରୀ

୭.

‘‘ଗୋରେଖ ମତ୍ସ୍ୟେନ୍ଦ୍ର ଆଦି ସିଦ୍ଧମାନେ ହେଁ ରାଜ୍ୟମାନଙ୍କୁ ଭେଟ ଦେଇ ନିସ୍ତାର କରନ୍ତି ।’’

(ରୁଦ୍ରସୁଧାନିଧି–ସମ୍ପାଦନା : ଡଃ କରୁଣାକର କର, ପୃଷ୍ଠା-୧୬୨)

 

ଶିଶୁବେଦ :–‘କଳସା ଚଉତିଶା’ ବା ସାରଳାଙ୍କ ‘ମହାଭାରତ’ ଓଡ଼ିଆ ସାହିତ୍ୟର ପ୍ରାଚୀନତମ ରଚନା ବୋଲି ଯେଉଁ ଧାରଣା ଥିଲା ‘ଶିଶୁବେଦ’ର ପ୍ରାପ୍ତି ପରେ ତାହା ଦୂର ହୋଇଯାଇଛି । ଏହାର ରଚୟିତା ଭାବେ ଗୋରେଖନାଥଙ୍କ ନାମୋଲ୍ଲେଖ ଥିବାରୁ ଏହାର ରଚନାକାଳ ଗୋରେଖନାଥଙ୍କ ଆବିର୍ଭାବ କାଳ ଅର୍ଥାତ୍‌୧୧ଶ-୧୨ଶ ଶତାବ୍ଦୀ ବୋଲି କେତେକ ଅନୁମାନ କରନ୍ତି । ମାତ୍ର ଡଃ ବଂଶୀଧର ମହାନ୍ତିଙ୍କ ମତରେ ଏହା ୧୪ଶ ଶତାବ୍ଦୀର ରଚନା ଓ ସମ୍ଭବତଃ ଏହାର ମହତ୍ତ୍ୱ ପରିବର୍ଦ୍ଧନ ନିମିତ୍ତ କେହି ଏଥିରେ ଗୋରେଖନାଥଙ୍କ ନାମ ଯୋଗ କରିଥାଇପାରନ୍ତି । (୧୬) ଡଃ ମାୟାଧର ମାନସିଂହ ମଧ୍ୟ ଏହି ପ୍ରକାର ମତ ପୋଷଣ କରୁଛନ୍ତି । (୧୭)

 

୮.

ରୁଦ୍ର ସୁଧାନିଧି-ସଂପାଦନା ଡକ୍ଟର କରୁଣାକର କର, ପୃ. ୩୯

୯.

ତତ୍ରୈବ, ପୃଷ୍ଠା-୩୯

୧୦.

ତତ୍ରୈବ, ପୃଷ୍ଠା-୪୯

୧୧.

ତତ୍ରୈବ, ପୃଷ୍ଠା-୪୯ ପୃଷ୍ଠା. ୧୧୪

୧୨.

ତତ୍ରୈବ, ପୃଷ୍ଠା-୫୮

୧୩.

ତତ୍ରୈବ, ପୃଷ୍ଠା-୧୨୦

୧୪.

ତତ୍ରୈବ, ପୃଷ୍ଠା-୧୧୪-୧୩୦

୧୫.

‘‘ଗୁଣ ସୂକ୍ଷ୍ମ ବିଚାରିଲେ କାପାଳିକ ଦର୍ଶନ ଉଚିତ ନୁହଇ । କୌଣସି କାଳେ ପୂର୍ବେ ଗୋରେଖଖାଦି ସିଦ୍ଧମାନେ ଦେହ ଧ୍ୟାନେ ସେ ସିଦ୍ଧ ହୋଇଲେ । ପାଷାଣ୍ଡମାନଙ୍କୁ ଭଣ୍ଡିବା ନିମନ୍ତେ କାପାଳିକ ଶାସ୍ତି ଭିଆଇଲେ ।’’ [ତତ୍ରୈବ]

୧୬.

ଓଡ଼ିଶାର ନାଥ ସଂପ୍ରଦାୟ ଓ ନାଥ ସାହିତ୍ୟ-ଡକ୍ଟର ବଂଶୀଧର ମହାନ୍ତି, ପୃ.୨୧୩

୧୭.

ଓଡ଼ିଆ ସାହିତ୍ୟର ଇତିହାସ ଡକ୍ଟର ମାନସିଂହ

 

‘ବୁଦ୍ଧଦେବ ଓ ବୌଦ୍ଧଧର୍ମ’ ଗ୍ରନ୍ଥରେ ଶ୍ରୀ ସଦାଶିବ ପାତ୍ର ଲେଖିଛନ୍ତି ଯେ ମଧ୍ୟଯୁଗରେ ଯେତେବେଳେ ବୌଦ୍ଧଧର୍ମରେ ବିଷ୍ଣୁ ଓ ଅନ୍ୟାନ୍ୟ ଦେବଦେବୀଙ୍କ ପୂଜା ପ୍ରଚଳନ କଲେ ଓ ବୌଦ୍ଧଧର୍ମରୁ ଅନେକ ନୂତନ ଧର୍ମ ସୃଷ୍ଟି ହେଲା, ସେତେବେଳେ ‘ଶିଶୁବେଦ’ ନାମକ ପଞ୍ଚମ ବେଦର ସୃଷ୍ଟି ହେଲା । (୧୮) ‘ଶିଶୁବେଦ’ ସାରଳା-ମହାଭାରତରେ ବିଭିନ୍ନ ସ୍ଥାନରେ ‘ସିଷୁମୁନା’ ବେଦ ରୂପେ ଉଲ୍ଲିଖିତ ହୋଇଅଛି । ସାରଳା ଯେଉଁ ସପ୍ତବେଦର ନାମ ଉଲ୍ଲେଖ କରିଛନ୍ତି, ତନ୍ମଧ୍ୟରୁ ‘ସିଷୁମୁନ’ ବେଦ ଅନ୍ୟତମ । ‘ସିଷୁମୁନା’ ବେଦର ଅର୍ଥ ‘ସିଷୁମୁନା’ (ସୂସୂମ୍ନା) ନାଡ଼ିରେ ପବନ ସାଧନା କରିବାର ଯୋଗ (ସଭାପର୍ବ) । ସପ୍ତାଙ୍ଗ-ଅଷ୍ଟାଙ୍ଗ ସାଧନାର ମୌଳିକ ସ୍ୱରୂପ ଏହି ‘ଶିଶୁବେଦ’ରେ ନିହିତ । ତେଣୁ ଓଡ଼ିଆ ସନ୍ଥ ସାହିତ୍ୟର ଛତ୍ରେ ଛତ୍ରେ ନାଥଧର୍ମର ଏହି ସୁଷୁମ୍ନା–ସାଧନାକୁ ଶିଶୁବେଦ ଭାବରେ ଏତେ ପ୍ରାଧାନ୍ୟ ଦିଆଯାଇଛି । ସାରଳା-ମହାଭାରତ ବ୍ୟତୀତ ‘ଯୋଗାନ୍ତ ସୂତ୍ର’ ‘ସିଦ୍ଧାନ୍ତ ଚନ୍ଦ୍ରିକା’ ‘ବିରାଟ ଗୀତା’ ‘ବ୍ରହ୍ମଗୀତା’ ‘ଦିପ୍ତୀସାର ଗୀତା’ ‘ଛତିଶ ଗୁପ୍ତଗୀତା’ ‘ମଣ୍ଡିବନ୍ଧ ଗୀତା’ ‘ଅଣାକାର ସଂହିତା’, ‘ଗୁରୁଗୋବିନ୍ଦ ମାଳିକା’ ‘ଘଟସାଗର’ ‘ବ୍ରହ୍ମଶାଙ୍କୋଳି’, ‘ନାମବ୍ରହ୍ମ ଗୀତା’, ଲୋହି ଗୀତା’, ‘ଜ୍ଞାନ ସାଗର’, ‘ଶିବ ପୁରାଣ’ ପ୍ରଭୁତି ପରବର୍ତ୍ତୀ ଗ୍ରନ୍ଥ ସମୂହରେ ମଧ୍ୟ ‘ଶିଶୁବେଦ’ର ଉଲ୍ଲେଖ ଦେଖାଯାଏ । ‘ବିଷ୍ଣୁଗର୍ଭ ପୁରାଣ’ ଅନୁଯାୟୀ ‘ଶିଶୁବେଦ’ ପଞ୍ଚମ ବେଦ ଓ ଶିବ ଏହାର ସ୍ରଷ୍ଟା ।

 

ଏ ଯାବତ୍‌ ‘ଶିଶୁବେଦ’ ନାଥଧର୍ମୀୟ ଶୂନ୍ୟ ଦର୍ଶନର ପ୍ରାଚୀନତମ ଗ୍ରନ୍ଥ ରୂପେ ପରିଗଣିତ-। ଏଥିରେ ନାଥଧର୍ମର ତତ୍ତ୍ୱ ଓ ତଥ୍ୟର ସୂଚନା ଲକ୍ଷ୍ୟ କରାଯାଏ, ଯଥା :-

 

‘‘ପବନ ପାଲଟିବେ ଷଡ଼ଯକ୍ର ଫୁଟିବେ

ତତ ରହିବେ ଶୁଖିଯିବ ପାଣି ।

ଚନ୍ଦ୍ର ସୂର୍ଯ୍ୟଂ ଯେହୁ ଗଣ୍ଠି କରି ପାରଇ

ସେ ଯୋଗୀ ଅତି ଗହୁର ବିନ୍ଧାଂଣି ।’’ (୧୯)

 

ସୂସୂମ୍ନା ନାଡ଼ିରେ ପବନ-ସାଧନା ବା ଷଟ୍‌ଚକ୍ର ସାଧନାର ଯୌଗିକ ପଦ୍ଧତିଟି ଓଡ଼ିଶାରେ ବହୁ ପୁରାତନ କାଳରୁ ପ୍ରଚଳିତ ଥିବା ବିଷୟ ତଦ୍‍ବିଦ୍‍ମାନେ ଅନୁମାନ କରିଥାନ୍ତି । ଏହି ଦୃଷ୍ଟିରୁ ଓଡ଼ିଶାର ଧର୍ମୀୟ ପରମ୍ପରାରେ ‘ଶିଶୁବେଦ’ର ମର୍ଯାଦାକୁ ଅସ୍ୱୀକାର କରାଯାଇ ନ ପାରେ ।

 

କେବଳ ଧର୍ମ-ଦର୍ଶନ ଦୃଷ୍ଟିରୁ ନୁହେଁ, ଭାଷା ଓ ଶୈଳୀ ଦିଗରୁ ମଧ୍ୟ ଏହାର ବୈଶିଷ୍ଟ୍ୟ ସ୍ପଷ୍ଟ ବାରି ହୋଇପଡ଼େ । ଏହାର ଭାଷାରେ ବୌଦ୍ଧଚର୍ଯ୍ୟା ପଦାବଳୀରେ ବ୍ୟବହୃତ ଅପଭ୍ରଂଶ ଭାଷାର ପ୍ରତିବିମ୍ବନ ପରିଲକ୍ଷିତ ହେଉଥିଲେ ହେଁ ଅପଭ୍ରଂଶ ଅପେକ୍ଷା ଓଡ଼ିଆ ଶବ୍ଦ ଓ ପ୍ରତ୍ୟୟର ମାତ୍ରା ଯଥେଷ୍ଟ ଅଧିକ । ତଲେ, ଧୁନି (ଧ୍ୱନି) ଅଲଗ, ବିଲଗ, ବାବି (ବାୟୁ) ଛୀର (କ୍ଷୀର), ‘ରୋବନ୍ତି(ରାବନ୍ତି), ସମ୍ବାଇ, ଗରୁହ (ଗରୁଆ), ନିରହଂ, ଲବଣୀହୁଂ, ପ୍ରଚେ (ପରଚେ), ପ୍ରମହଂସ (ପରମହଂସ), ଓଡ଼ିଆଣୀ ପ୍ରଭୃତି ପ୍ରାଚୀନ ଓଡ଼ିଆ ଶବ୍ଦର ବ୍ୟବହାର ମଧ୍ୟ ଏଥିରେ ଦେଖାଯାଏ ।

 

୧୮.

ଓଡ଼ିଶାର ନାଥସଂପ୍ରଦାୟ ଓ ନାଥ ସାହିତ୍ୟ-ଡଃ ବଂଶୀଧର ମହାନ୍ତି ପୃ. ୧୯୬

୧୯.

ତତ୍ରୈବ ; ପୃ. ୨୯୮

 

‘ଶିଶୁବେଦ’ ନାଥଧର୍ମର ନିଗୂଢ଼ ନୀରସ ତତ୍ତ୍ୱ ପରିବେଷଣ ମୂଳକ ରଚନା ହେଲେ ହେଁ ପୂର୍ବବର୍ତ୍ତୀ ବୌଦ୍ଧଗାନ ସମୂହରେ ବ୍ୟବହୃତ କେତେକ ଛନ୍ଦର ପ୍ରୟୋଗ ହେତୁ ସୁଖପାଠ୍ୟ ଓ ସୁଖଶ୍ରାବ୍ୟ ହୋଇପାରିଛି, ଯଥା :-

 

‘‘ସବଦ କୋଳାହଳ ସବଦେ ସେ ଦିନ

ଯେବଣ ସବଦ ସୟେଂ ଉତପନ ।

ସବଦ ଯାଇ ସେ ନିସବଦ ପାସ

ସବଦ ନିସବଦ ଏକଇ ଠାବେ ବାସ ।’’ (୨୦)

 

ମାତ୍ର ‘ଶିଶୁବେଦ’ର ଏହି ଛନ୍ଦୋବଦ୍ଧ ପଦ୍ୟ ଅପେକ୍ଷା ପ୍ରତି ଶ୍ଲୋକର ପ୍ରଦତ୍ତ ଗଦ୍ୟଟୀକା ଏକ ବିଶେଷ ମର୍ଯ୍ୟାଦା ଦାବୀ କରେ । ଯେପରିକି– ‘‘ସଦଗୁରୁ ବନ୍ଦିଲେ ପାଇବା ସ୍ୱରୂପ ବିଚାର । ଅଚଳ ସେ ଶୂନ୍ୟଟି ସେ । ଅଖଣ୍ଡ ନିରାକାର ସେ । ଏ ଦୁହିଁଙ୍କର ରୂପରେଖ ଚିହ୍ନ ନାହିଁ ଟି । ଚକ୍ଷୁ ନିରଞ୍ଜନ ଶୂନ୍ୟ ସେ । ଶୂନ୍ୟ ଘେନି ନିରାକାର ପୁରୁଷଙ୍କୁ ଦେଖିଲେ । ୟେହାକୁ ନିସୂତୀ ଯୋଗ ସମାଦି ବୋଲି ।’’ (୨୧) ଏ ଗଦ୍ୟରେ ଅନଭିଜ୍ଞ ଶିଶୁର କୁଣ୍ଠିତ ଗତି, ଅସ୍ପଷ୍ଟ ଅପୁଷ୍ଟ ବାଗଭଙ୍ଗି ପରିଲକ୍ଷିତ ହେଉଥିଲେ ହେଁ ଓଡ଼ିଆ ଗଦ୍ୟ ସାହିତ୍ୟର ଆଦ୍ୟ ନିଦର୍ଶନ ଭାବେ ଏହାର ମୂଲ୍ୟ ଯଥେଷ୍ଟ ।

 

ଓଡ଼ିଆ ଛନ୍ଦର କ୍ରମବିକାଶ ଦୃଷ୍ଟିରୁ ବିରାର କରି ତଦ୍‌ବିଦ୍‌ମାନେ ମତ ଦିଅନ୍ତି ଯେ, ସାରଳାଙ୍କ ‘ମହାଭାରତ’ରେ ‘ଦାଣ୍ଡିବୃତ୍ତ’ ବ୍ୟବହାର ହେବାର ପୂର୍ବବର୍ତ୍ତୀ କାଳରେ ‘ଶିଶୁବେଦ’ ପରି ଗଦ୍ୟ ପଦ୍ୟ ମିଶ୍ରିତ ଶୈଳୀରେ ପ୍ରାକୃତ ଓଡ଼ିଆ ଭାଷାରେ ସାହିତ୍ୟ ସୃଷ୍ଟି ହେଉଥିଲା । ବୋଧହୁଏ ଏହା ଏଭଳି ଏକ ସମୟର ସୃଷ୍ଟି, ଯେତେବେଳେ କି ଓଡ଼ିଆରେ ବୃତ୍ତ ବା ଛନ୍ଦ ସ୍ପଷ୍ଟ ରୂପରେଖ ପାଇ ନ ଥିଲା । (୨୨)

 

ଯାହାହେଉ, ଲେଖାର ପ୍ରାଚୀନତା ଓ ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ପ୍ରଭାବ ଏହି ରଚନାଟିର ଗୁରୁତ୍ୱ ପ୍ରତିପାଦିତ କରିଥାଏ । ଯଥାର୍ଥତା ‘‘ପ୍ରାଚୀନ ଓଡ଼ିଆ ଭାଷା ଓ ସାହିତ୍ୟର ଇତିହାସ ପର୍ଯ୍ୟାଲୋଚନାରେ ବୌଦ୍ଧଗାନ ଓ ଦୋହା ସାହିତ୍ୟଠାରୁ ସାରଳା ସାହିତ୍ୟ ମଧ୍ୟରେ ‘ଶିଶୁବେଦ’ ପ୍ରାଚୀନତମ ଓଡ଼ିଆ ସାହିତ୍ୟର ଏକ କ୍ଷୁଦ୍ର ଅଥଚ ମହତ୍ତ୍ୱପୂର୍ଣ୍ଣ ପ୍ରଧାନ ସ୍ତମ୍ଭ ।’’ (୨୩)

 

ଅମରକୋଷ ଗୀତା :– ‘ଅମରକୋଷ ଗୀତା’ ନାଥଧର୍ମ ସମ୍ବନ୍ଧୀୟ ଆବିଷ୍କୃତ ପାଣ୍ଡୁଲିପି ମଧ୍ୟରୁ ଅନ୍ୟତମ । ଏହା ୧୩ଶ ଶତାବ୍ଦୀର ରଚନା ବୋଲି କେତେକ ସମାଲୋଚକ ଅନୁମାନ କରନ୍ତି । ଭାଷା ଓ ଲିପିତତ୍ତ୍ୱ ଦୃଷ୍ଟିରୁ ବିଚାର କର ଡଃ ବଂଶୀଧର ମହାନ୍ତି ଏହାକୁ ଅତ୍ୟନ୍ତ ପ୍ରାଚୀନ ବୋଲି ଗ୍ରହଣ କରିଅଛନ୍ତି । ଏହି ଗୀତାରୁ ନାଥ ସିଦ୍ଧମାନଙ୍କର ବନ୍ଦନାମୂଳକ କେତେକ ପଦ ମିଳିଥାଏ । (୨୪) ଏହି ରଚନାଟିରେ ବ୍ରହ୍ମଜ୍ଞାନ ସର୍ମ୍ପକୀୟ ବିଚାର ହୋଇଥିବା ଲକ୍ଷ୍ୟ କରାଯାଏ ।

 

୨୦.

ଓଡ଼ିଶାର ନାଥ ସଂପ୍ରଦାୟ ଓ ନାଥ ସାହିତ୍ୟ-ଡକ୍ଟର ବଂଶୀଧର ମହାନ୍ତି, ପୃ. ୩୦୧

୨୧.

ତତ୍ରୈବ ପୃ. ୩୦୧

୨୨.

ଓଡ଼ିଆ ସାହିତ୍ୟର ଇତିହାସ (୧ମ ଭାଗ)-ଅଧ୍ୟାପକ ବୃନ୍ଦାବନ ଆଚାର୍ଯ୍ୟ

୨୩.

ଓଡ଼ିଶାର ନାଥସଂପ୍ରଦାୟ ଓ ନାଥ ସାହିତ୍ୟ-ଡଃ ବଂଶୀଧର ମହାନ୍ତି ପୃ.୨୧୨

 

‘‘ଶୂନ୍ୟେଣ ଜାତି ପୁଣ ଜନମ କାଳହୁଂ ମଲା,

କିଛି ମିଛ ଲିଣୟେ ଅଲିଖ ରଙ୍ଗ ଦେଖିଲା ।

ସେ ରଙ୍ଗ ଦେଖିବୁ ପୁତା ଚୋରଙ୍କରଂ ଜଗି ।

ତାହା ଚିହ୍ନିଲେ କେବେ ହେଁ ନୋହୁବୁଟି ରୋଗୀ ।"

 

‘ଅମରକୋଷ ଗୀତା' ଗବେଷକମାନଙ୍କ ଦ୍ୱାରା ଓଡ଼ିଆରେ ରଚିତ ଗୀତା ସାହିତ୍ୟର ଆଦିଗ୍ରନ୍ଥ ରୂପେ ବିବେଚିତ ହୋଇଛି । ଏହି ଗ୍ରନ୍ଥର ଭଣିତାରେ ‘‘ଆଦିନାଥେ କହିଲେ, ଗୋରେଖନାଥଙ୍କ ଆଗରେ ଅବଧାରୀ’’ ବୋଲି ଉଲ୍ଲେଖ ଥିବା ଶ୍ରୀ ନୀଳମଣି ମିଶ୍ର ସୂଚାଇଥାନ୍ତି । (୨୫) ଆଦିନାଥ ହିଁ ନାଥ ସମ୍ପ୍ରଦାୟର ଆଦି ଆଚାର୍ଯ୍ୟ । ଏହି ଧର୍ମରେ ଆଦିନାଥ ଶିବଙ୍କଠାରୁ ଅଭିନ୍ନ ରୂପେ ପରିକଳ୍ପିତ । ଏହି ଭଣିତା ଗୋରେଖନାଥ ଆଦିନାଥ ଶିବଙ୍କଠାରୁ ନାଥଧର୍ମର ଯୋଗତତ୍ତ୍ୱ ଓ ବ୍ରହ୍ମଜ୍ଞାନ-ଦର୍ଶନ ବିଷୟ ଶୁଣି ତାହାକୁ ହିଁ ଜନସମାଜରେ ପ୍ରଚାର କରିଥିବା ଧାରଣାକୁ ସମର୍ଥନ କରିଥାଏ ।

 

ମତ୍ସ୍ୟେନ୍ଦ୍ର ଗୀତା :-ମତ୍ସ୍ୟେନ୍ଦ୍ର ଗୀତା ଓଡ଼ିଆ ଗୀତା ସାହିତ୍ୟର ଦ୍ୱିତୀୟ ନିଦର୍ଶନ ରୂପେ ପରିଗୃହୀତ । ଶ୍ରୀ ବ୍ରହ୍ମାନନ୍ଦ ଦାସ ଏହାକୁ ଆବିଷ୍କାର କରିଛନ୍ତି ଓ ଏହାର ବାକ୍ୟଗଠନ ରୀତି ଅନୁଧ୍ୟାନ କରି ଏହା ଏକାଦଶ-ଦ୍ୱାଦଶ ଶତାବ୍ଦୀର ରଚନା ବୋଲି ମତ ଦେଇଛନ୍ତି । ମାତ୍ର ସେ ଏହାକୁ ବୌଦ୍ଧଗାନ ଓ ଦୋହା ପରେ ମିଳୁଥିବା ପ୍ରଥମ ଓଡ଼ିଆ ରଚନା ବୋଲି ଯାହା ମନେ-କରୁଛନ୍ତି, ତାହା ଏ ପର୍ଯ୍ୟନ୍ତ ଅନ୍ୟାନ୍ୟ ଅନେକଙ୍କ ଦ୍ୱାରା ସମର୍ଥିତ ହୋଇନାହିଁ । ବରଂ ମତ୍ସ୍ୟେନ୍ଦ୍ର ନାଥଙ୍କ ଆବିର୍ଭାବ କାଳ (ପ୍ରାୟ ୧୦ମ ଶତାବ୍ଦୀ) ଦୃଷ୍ଟିରୁ ବିଚାର କରି ଶ୍ରୀ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଏହାକୁ ୧୩ଶ ଶତାବ୍ଦୀର ରଚନା ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ବୋଲି ମନେକରିଛନ୍ତି । (୨୭)

 

୨୪.

‘‘ବନ୍ଦଂଇ ଆଦିନାଥ ଗୋରେଖ ଧାରିଆଂ

ବନ୍ଦଂଇ ମକ୍ଷନ୍ଦେଂଲିନାଥ ଅନନ୍ତ ଦରିଆଂ ।

ବନ୍ଦଂଇ ଚଉରଗୀଂନାଥ ନୀତକ୍ରମଧାରୀ,

ବନ୍ଦଂଇ ଗୋରେଖନାଥ ବାଳବ୍ରହ୍ମଚାରି ।

ବନ୍ଦଂଇ ସବରିନାଥ ମୂଳକଧାରି

ବନ୍ଦଂଇ କକ୍ଷତନାଥ ଗହିରୀ ଗମ୍ଭୀରି

ବନ୍ଦଂଇ ଜାଳାନ୍ଦେଂଈ ଜ୍ଞାନତତ୍ତ୍ଵ ପରିମାଣି

ବନ୍ଦଂଇ ଗୋବିନ୍ଦଚନ୍ଦ୍ର ଲକ୍ଷ.....ଦମଣି

ବନ୍ଦଂଇ ଉତ୍ରରି ପାଏ ଦେହ ନିରିବାଣି

ଧର୍ମ ନରିନ୍ଦ୍ରଂ ବନ୍ଦଇଂ ହରିଚନ୍ଦନ ନୃପମଣି

ସତ୍ୟବାଦୀ ବନ୍ଦଂଇ ଯୁଜେଷ୍ଠି ଧର୍ମରାଏ

ଜେ ନିତ୍ୟ ସୁମରଇ ବାୟୁ ଦିଦ୍ଧ ହୋଏ ।’’

(ଓଡ଼ିଶାର ନାଥସଂପ୍ରଦାୟ ଓ ନାଥ ସାହିତ୍ୟ-ଡଃ ବଂଶୀଧର ମହାନ୍ତି) ପୃ. ୩୧୧-୩୧୨

୨୫.

ଓଡ଼ିଆ ଲିପି ଭାଷା ଓ ସାହିତ୍ୟ-ନୀଳମଣି ମିଶ୍ର

 

‘ମତ୍ସ୍ୟେନ୍ଦ୍ର ଗୀତା’ର ବର୍ଣ୍ଣନାନୁସାରେ ଜଗନ୍ନାଥ ବା ଜୀବନାଥ ନାଥଧର୍ମର ଆରାଧ୍ୟ ଓ ତାଙ୍କରିଠାରୁ ହିଁ ନାଥବଂଶର ଉତ୍ପତ୍ତି । ପ୍ରାଚୀ ସରସ୍ୱତୀ ତୀର ବାସୀ ଏକ ଜାତୀୟ ‌ଯୋଗୀ ଏହି ଜୀବନାଥଙ୍କର ସେବକ ଥିବା ଏହି ରଚନାରୁ ଜଣାଯାଏ । ବୃଷ ପୂର୍ଣ୍ଣିମାରେ ଅଗୁରୁ,ଚନ୍ଦନ ଆଦି ସୁବାସିତ ଦ୍ରବ୍ୟ ଲେପି ଜଗନ୍ନାଥଙ୍କୁ ବା ଜୀବନାଥଙ୍କୁ ମହାସ୍ନାନ କରାଇବା ଥିଲା, ଏମାନଙ୍କର ବିଶେଷ ସେବା । ଏହି ଯୋଗୀଗୋଷ୍ଠୀ ମଧ୍ୟରେ ମୁଖ୍ୟଥିଲେ ଶୁରିନାଥ । ଶୁରିନାଥ ଶବର ବଂଶଧର ହୋଇ ପାରନ୍ତି ବୋଲି ଅନୁମାନ କରାଯାଇଛି । ଆଦିମ ଶାବର ଉପାସନାଠାରୁ ଆରବ୍‍ଧ ସର୍ବଧର୍ମ ସମନ୍ୱିତ ଜଗନ୍ନାଥଧର୍ମର କ୍ରମବିକଶିତ ପରମ୍ପରା ମହାପ୍ରବାହରେ ନାଥଧର୍ମର ସ୍ରୋତଟି ମିଶି ଏକାକାର ହୋଇଯାଇଥିବାର ସତ୍ୟକୁ ଏହି ରଚନାଟି ସମର୍ଥନ କଲାପରି ବୋଧ ହୁଏ । ଓଡ଼ିଶାରେ ନାଥଧର୍ମର ପରମ୍ପରା ଓ ସେଥିରେ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ଅସ୍ତିତ୍ୱ ସମ୍ପର୍କିତ ସୂଚନା ହେତୁ ଏହି ପୁସ୍ତକ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦାବୀ କରେ ।

 

ଗୋରେଖଗୀତା ବା ଗୋରେଖ ସଂହିତା – ଏହି ପୁସ୍ତକର ପ୍ରଥମ ଆବିଷ୍କର୍ତ୍ତା ଶ୍ରୀ ବ୍ରହ୍ମାନନ୍ଦ ଦାସ ଭାଷା, ଛନ୍ଦ ଓ ଏଥିରୁ ମିଳୁଥିବା ଐତିହାସିକ ସତ୍ୟଗୁଡ଼ିକର ବିଚାର କରି ଏହାକୁ ଖ୍ରୀ:ଅ ୧୩୫୦ ପୂର୍ବର ରଚନା ବୋଲି ଗ୍ରହଣ କରିଛନ୍ତି । ମାତ୍ର ଏଥିରେ ‘ଶିଶୁବେଦ’ ଉଲ୍ଲେଖ ରହିଛି –

 

‘‘ନିରାଲମ୍ବ ଲଲାଟରେ ଶିଶୁବେଦ ସ୍ଥିତି

ଶିଶୁବେଦ ଭିତରୁ ଗୋରେଖ ଉତପତି ।’’

 

ପୁଣି ଏଥିରେ ସାରଳା-ମହାଭାରତକାଳୀନ ଶବ୍ଦାବଳୀର ବ୍ୟବହାର ହୋଇଛି । ତେଣୁ ଡକ୍ଟର ବଂଶୀଧର ମହାନ୍ତି ଏହି ଗ୍ରନ୍ଥଟିର ରଚନାକାଳ ୧୬ ଶ ଶତାବ୍ଦୀ ହୋଇପାରେ ବୋଲି ଅନୁମାନ କରିଛନ୍ତି ।

 

ହାଡ଼ିପା ଓ ଗୋବିନ୍ଦଙ୍କ ଉକ୍ତି-ପ୍ରତ୍ୟୁକ୍ତି ମାଧ୍ୟମରେ ରଚିତ ଏହି ପୁସ୍ତକଟିର ରଚୟିତା ନାଥଯୋଗୀ ଚନ୍ଦ୍ରଶିଖର ନାଥ । ବ୍ରହ୍ମାନନ୍ଦ ଦାସ ଏହି ଗ୍ରନ୍ଥର ପରିଚୟାତ୍ମକ ଆଲୋଚନା କରି ଏକ ପ୍ରବନ୍ଧରେ ଏହାକୁ ‘ଗୋରେଖ ଗୀତା’ ବୋଲି ନାମିତ କରିଛନ୍ତି । (୨୭) ମାତ୍ର ଗ୍ରନ୍ଥକାର ନିଜେ ଉଲ୍ଲେଖ କରିଛନ୍ତି –

 

‘‘ଶ୍ରୀ ଗୁରୁ ଗୋରେଖଙ୍କ ଅଭୟ ଚରଣ

ଚନ୍ଦ୍ରଶିଖର ନାଥଙ୍କୁ ରଖିବା ସରଣ

ଗୋରେଖ ସଙ୍ଗିତା ଶ୍ଲୋକ ଗୀତ ମୁଁହ କଲି

ଅଗାଦ ଏ ଯୋଗଘର ଥଳ ନ ପାଇଲି ।’’

 

ତେଣୁ ଏହି ଗ୍ରନ୍ଥକୁ ‘’ଗୋରେଖ ଗୀତା ‘’ ନ କହି ‘ଗୋରେଖ ସଂହିତା’ କହିବା ସମୀଚୀନ ହେବ ବୋଲି ଡକ୍ଟର ବଂଶୀଧର ମହାନ୍ତି ମତ ଦେଇଛନ୍ତି ଓ ଏହା ସମ୍ପ୍ରତି ଦୁର୍ଲ୍ଲଭ ସଂସ୍କୃତ ‘ଗୋରେଖ ସଂହିତା’ର ଛାୟାନୁବାଦ ବୋଲି ମଧ୍ୟ ଅନୁମାନ କରିଛନ୍ତି (୨୮) ଏଥି ସଙ୍ଗେ ସଙ୍ଗେ ଏହି ଗ୍ରନ୍ଥ ଉପରେ ‘ଗୋରେଖବୋଧ’ ଓ ବଙ୍ଗଳା ‘ଗୋରକ୍ଷବିଜୟ’ ଆଦି ରଚନାର ପ୍ରଭାବ ପଡ଼ିଥିବା ବିଷୟ ମଧ୍ୟ ସେ ସ୍ୱୀକାର କରିଛନ୍ତି ।

 

୨୬.

ଓଡ଼ିଆ ସାହିତ୍ୟର ଇତିହାସ, ୧ମ ଖଣ୍ଡ-ଅଧ୍ୟାପକ ବୃନ୍ଦାବନ ଆଚାର୍ଯ୍ୟ

୨୭.

ଗୋରେଖ ଗୀତା ଓ ଚନ୍ଦ୍ର ଶେଖରନାଥ–କୋଣାର୍କ, ଓଡ଼ିଶା ସାହିତ୍ୟ ଏକାଡେମୀ ୩ୟ ବର୍ଷ ୧ମ ଓ ୨ୟ ସଂଖ୍ୟା, ପୃ. ୮୫, ପୃ. ୯୦

 

‘ଗୋରେଖ ସଂହିତା’ରେ ଗୋରେଖନାଥଙ୍କ ସାଧନା ଓ ଧର୍ମପ୍ରଚାର, ନାଥଧର୍ମ ତତ୍ତ୍ୱ ଓ ‘ଶିଶୁବେଦର’ ଗୌରବ, ଅନ୍ୟାନ୍ୟ ନାଥଗୁରୁଙ୍କ ସିଦ୍ଧିପ୍ରାପ୍ତି ଓ କାର୍ଯ୍ୟକଳାପର ଏକ ଧାରାବାହିକ ସୁନ୍ଦର ବିବରଣୀ ଲିପିବଦ୍ଧ ହୋଇଛି । ଗ୍ରନ୍ଥାରମ୍ଭରେ କବି ନିରାକାର ନିରଞ୍ଜନଙ୍କୁ ବନ୍ଦନା କରିଛନ୍ତି । ତତ୍ପରେ ବିଶ୍ୱ ସୃଷ୍ଟିର ବିବରଣୀ, ମତ୍ସ୍ୟେନ୍ଦ୍ରନାଥଙ୍କ ଜନ୍ମରହସ୍ୟ ଓ ଯୋଗସାଧନା ଗୋରେଖଙ୍କ ଜନ୍ମରହସ୍ୟ, ମତ୍ସ୍ୟନ୍ଦ୍ରଙ୍କଠାରୁ ଗୋରେଖଙ୍କ ଦୀକ୍ଷାଗ୍ରହଣ, କାଶୀକ୍ଷେତ୍ରରେ ନାଥଧର୍ମ ପ୍ରଚାର, ଯାଜନଗ୍ରକୁ ଆଗମନ, ଭୁବନେଶ୍ୱରରେ ଲିଙ୍ଗରାଜ ଓ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସେତୁବନ୍ଧ ରାମେଶ୍ୱର ଯାତ୍ରା, ସେଠାରୁ ପଶ୍ଚିମମୁଖା ହୋଇ ମେରୁ କପିଳାସରେ ଅବସ୍ଥାନ ଓ ସେଠାରେ ଥିବା ଯୋଗୀଙ୍କୁ ଦୀକ୍ଷାପ୍ରଦାନ, ଏହି ଯୋଗୀଙ୍କଠାରୁ ବାରପଥ ଗୁରୁଙ୍କ ସୃଷ୍ଟି, ଗୋରେଖଙ୍କର ଲଙ୍କାଗଡ଼ରେ ପ୍ରବେଶ ଓ କଦଳୀକ୍ଷେତ୍ରକୁ ଆସି ମତ୍ସ୍ୟେନ୍ଦ୍ରଙ୍କ ଦର୍ଶନ ଲାଭ, ନିଜ ଗୁରୁ ସଂସାର-ମାୟାରେ ବାନ୍ଧି ହୋଇଥିବା ଦେଖି ଦୁଃଖିତ ହେବା ପ୍ରଭୃତି ବର୍ଣ୍ଣିତ ହୋଇଛି । ପରବର୍ତ୍ତୀ ପ୍ରସଙ୍ଗରେ ଚଉରଙ୍ଗୀ ନାଥଙ୍କ ଜୀବନ ଚରିତ ବର୍ଣ୍ଣନା, ପାର୍ବତୀଙ୍କର ସିଦ୍ଧମାନଙ୍କୁ ପରୀକ୍ଷା–ସେଥିରେ ଗୋରେଖଙ୍କ ବ୍ୟତୀତ ଅନ୍ୟ ଯେ ଗୀମାନଙ୍କର ଚାରିତ୍ରିକ ଦୁର୍ବଳତା ହେତୁ ସ୍ଖଳନ ଓ ଗୋରେଖଙ୍କ ଚାରିତ୍ରିକ ଦୃଢ଼ତା ଓ ସଂଯମଶୀଳତାର ପ୍ରତିପାଦନ, ଓଡ଼ିଶାର ଲୋକନାଥ, ପାରେଶ୍ୱର ଓ ଏକାମ୍ବର ନାଥଙ୍କୁ ଦର୍ଶନ ଓ ଧଉଳି ପର୍ବତରେ କଠିନ ଯୋଗସାଧନା, ବିରୂପାକ୍ଷଙ୍କ ଜନ୍ମ ବିବରଣୀ ଓ ଗୋରେଖଙ୍କଠାରୁ ଦୀକ୍ଷାଗ୍ରହଣ, ଭାରତର ନାନା ତୀର୍ଥ ଭ୍ରମଣ ଓ ଯାଜନଗ୍ରକୁ ଆଗମନ, ବିରୂପାଙ୍କୁ ବ୍ରାହ୍ମଣମାନଙ୍କର ନିନ୍ଦା ଓ ପରେ ତାଙ୍କ ମହିମା ବୁଝିପାରି କ୍ଷମାଭିକ୍ଷା ତାଙ୍କର ଆଜ୍ଞା ପାଳନ, ବିରୂପାଙ୍କର ଜଗନ୍ନାଥଙ୍କ ପରଂବ୍ରହ୍ମ-ସ୍ୱରୂପ ଦର୍ଶନ, କଦଳୀ କ୍ଷେତ୍ରକୁ ଯାଇ ମତ୍ସ୍ୟେନ୍ଦ୍ର ଓ ଗୋରେଖଙ୍କ ଦର୍ଶନ ଓ ପାଦୁକା ନେବା ଇତ୍ୟାଦି ଲିପିବଦ୍ଧ ହୋଇଛି ।

 

ଏହି ପୁସ୍ତକରେ ନାଥମାନଙ୍କର କେତେକ ଆଚାରପଦ୍ଧତି ଓ ନିୟମନିଷ୍ଠା ସଙ୍ଗେ ସଙ୍ଗେ ଆସନ, ମୁଦ୍ରା, ଅଜପା ଜପସାଧନ, ହଠଯୋଗ ଓ ଯୋଗ ଆଦି ନାଥଧର୍ମତତ୍ତ୍ୱର ଆଲୋଚନା ହୋଇଛି । ହିମାଳୟ ପର୍ବତର ରୁଦ୍ରାକ୍ଷ ବୃକ୍ଷତଳେ ଗୁରୁ ମତ୍ସ୍ୟେନ୍ଦ୍ରନାଥ ଓ ଶିଷ୍ୟ ଗୋରେଖନାଥଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟରେ ଯୋଗମାର୍ଗ ସମ୍ଭନ୍ଧୀୟ ବିଭିନ୍ନ ତତ୍ତ୍ୱ ସୃଷ୍ଟି ପ୍ରକ୍ରିୟା, ଜ୍ଞାନଯୋଗ, ବ୍ରହ୍ମଜ୍ଞାନ, ଶବ୍ଦ, ରବି-ଚନ୍ଦ୍ର, ଶୂନ୍ୟ, ବିଭିନ୍ନ ଚକ୍ର ଆଦି ବିଷୟ ସ୍ଥାନ ପାଇଛି । ଏହି ପର୍ଯ୍ୟାୟରେ ଗୋରେଖଙ୍କ ପ୍ରଶ୍ନ ଓ ମତ୍ସ୍ୟେନ୍ଦ୍ରଙ୍କ ଉତ୍ତର ମଧ୍ୟରେ ନାଥଧର୍ମ ଓ ଦର୍ଶନର ଗୂଢ଼ ତତ୍ତ୍ୱାବଳୀର ଆଲୋଚନା ହୋଇଛି । ‘ଗୋରେଖ ସଂହିତା’ର ଏହି ଅଂଶ ‘ଗୋରେଖ ବୋଧ’ର ରୂପାନ୍ତର ମାତ୍ର ବୋଲି ଡକ୍ଟର ବଂଶୀଧର ମହାନ୍ତି ତୂଳନା କରି ଦେଖାଇଛନ୍ତି । ‘ଗୋରେଖ ସଂହିତା’ରେ ବ୍ରହ୍ମଜ୍ଞାନ ସମ୍ବନ୍ଧୀ ଆଲୋଚନା ଗୁଡ଼ିକ ରୂପକର ସହାୟତାରେ ଯୁଗପତ୍‌କବିତ୍ୱ ବ୍ୟଞ୍ଜକ ଓ ଭାବଦ୍ୟୋତିକ ହୋଇପାରଛି । ଜୀବାତ୍ମା ଓ ପରମାତ୍ମାକୁ ହଂସ ସହିତ, ଉଷ୍ଣୀଶ ଚିତ୍ରକୁ କାଳିନ୍ଦୀ ଓ ସହସ୍ରାରକୁ ସହସ୍ର ଦଳ ପଦ୍ମ ସହ ତୁଳନାକୁ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ ।

 

୨୮.

ଓଡ଼ିଶାର ନାଥ ସଂପ୍ରଦାୟ ଓ ନାଥ ସାହିତ୍ୟ–ଡକ୍ଟର ବଂଶୀଧର ମହାନ୍ତି, ପୃ. ୨୬୦

 

ଓଡ଼ିଶାର ଯାଜନଗ୍ର, କପିଳାସ, ଏକାମ୍ର, କାଣିଅର୍କ (କୋଣାର୍କ) ପୁରୁଷୋତ୍ତମ କ୍ଷେତ୍ର ଆଦି ବିଶିଷ୍ଟ ପୀଠକୁ ନାଥଗୁରୁମାନଙ୍କର ଗମନାଗମନ ଓ ସେସବୁ ସ୍ଥାନରେ ସେମାନଙ୍କ କ୍ରିୟା କଳାପର ବର୍ଣ୍ଣନା କରି ଗ୍ରନ୍ଥକାର ଚନ୍ଦ୍ରଶେଖର ସ୍ୱଦେଶପ୍ରେମର ପରାକାଷ୍ଠା ଦେଖାଇଛନ୍ତି । ଏ ସ୍ୱଦେଶବାତ୍ସଲ୍ୟ ଆଦିକବି ସାରଳାଙ୍କ କୃତିରେ ପ୍ରକାଶିତ ମାତୃଭୂମି ପ୍ରୀତି ସହ ତୁଳନୀୟ । ବିରୂପାକ୍ଷ ନାଥଙ୍କ ଜଗନ୍ନାଥ ନିର୍ଦ୍ଦେଶ ଓ ତାଙ୍କ ପ୍ରତି ଜଗନ୍ନାଥଙ୍କ ନିର୍ଦ୍ଦେଶ ପ୍ରସଙ୍ଗରୁ ନାଥ ସଂପ୍ରଦାୟରେ ଜଗନ୍ନାଥଙ୍କ ସୁପ୍ରତିଷ୍ଠିତ ଆସନ ତଥା ଶ୍ରୀଜଗନ୍ନାଥଙ୍କ ପ୍ରତି କବିଙ୍କର ଅଗାଧ ଭକ୍ତିର ପରିଚୟ ମିଳିଥାଏ ।

 

ସ୍ଥୂଳତଃ ଏତିକି କୁହାଯାଇପାରେ ଯେ, ‘ଗୋରେଖ ସଂହିତା’ ଓଡ଼ିଆ ନାଥ ସାହିତ୍ୟ ଭଣ୍ଡାରର ଏକ ବିଶିଷ୍ଟ ମୂଲ୍ୟବାନ ସଂପଦ । ଏଥିରୁ ନାଥଧର୍ମ ତଥା ନାଥସିଦ୍ଧମାନଙ୍କ ସମ୍ପର୍କରେ ଏହି ସଂପ୍ରଦାୟରେ ପ୍ରଚଳିତ ଧାରାବାହିକ ଇତିହାସର ସୂଚନା ସଙ୍ଗେ ସଙ୍ଗେ ଓଡ଼ିଶାରେ ଏହି ଧର୍ମର ଭୂମିକା ସମ୍ବନ୍ଧୀୟ ବର୍ଣ୍ଣନା ମଧ୍ୟ ମିଳିଥାଏ । ଓଡ଼ିଶାର ଧର୍ମ ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିବା ଦିଗରେ ଏ ଗ୍ରନ୍ଥର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ ।

 

ସପ୍ତାଙ୍ଗ ଯୋଗଧାରଣମ୍‌ ଓ ସପ୍ତାଙ୍ଗ ଯୋଗସାର ଟୀକା :- ‘ସପ୍ତାଙ୍ଗ ଯୋଗଧାରଣମ୍‌’ ପଦ୍ୟରେ ଲିଖିତ ଏକ ଯୋଗ ସମ୍ବନ୍ଧୀୟ ରଚନା । ଏହା ଗୋରେଖନାଥଙ୍କ ନାମରେ ଭଣିତ । କିନ୍ତୁ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ପଣ୍ଡିତ ବିନାୟକ ମିଶ୍ର, ଡଃ ମାୟାଧର ମାନସିଂହ ପ୍ରମୁଖ ସମାଲୋଚକଗଣ ଅନୁମାନ କରିଛନ୍ତି ଯେ, ସମ୍ଭବତଃ ଅନ୍ୟକେହି ଉତ୍କଳବାସୀ ନାଥ ସନ୍ନ୍ୟାସୀ ନିଜେ ଏ ଗ୍ରନ୍ଥଟି ଲେଖି ଗୋରେଖନାଥଙ୍କ ନାମରେ ଭଣିତ କରିଦେଇଛନ୍ତି ।

 

‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ଅନୁଯାୟୀ ତିଥି, ବାର, ନକ୍ଷତ୍ର, ଯୋଗ ଓ କରଣ–ଏହି ଜ୍ୟୋତିଷ-ପଞ୍ଚାଙ୍ଗ ସହିତ ରାଶି ଓ ରବ୍ୟଂଶ ଯୋଗକରି ଜ୍ୟୋତିଷ-ସପ୍ତାଙ୍ଗ ବୋଲି କେହି କେହି କହନ୍ତି । ମାତ୍ର ‘ସପ୍ତାଙ୍ଗ ଯୋଗଧାରଣମ୍’ରେ ଏଥି ମଧ୍ୟରୁ କେବଳ ବାର ଓ ତିଥି ବ୍ୟତୀତ ଅନ୍ୟ କୌଣସି ଅଙ୍ଗର ଉଲ୍ଲେଖ ମିଳେ ନାହିଁ । ଅଧ୍ୟାପକ ପ୍ରହ୍ଲାଦ ପ୍ରଧାନ ‘ଅଙ୍ଗ’ ଶବ୍ଦକୁ ଦିନ ବା ବାର ଅର୍ଥରେ ଗ୍ରହଣ କରିଛନ୍ତି (୨୯) । ଗ୍ରନ୍ଥରେ ସାତ ବାରରେ ଯୋଗ ସାଧନାର ବିଭିନ୍ନ ପର୍ଯ୍ୟାୟକୁ କ୍ରମାନ୍ୱୟରେ ଆୟତ୍ତ କରିବାର କୌଶଳ ସୂଚିତ ହୋଇଥିବା ହେତୁ ଏହାର ଏପରି ନାମକରଣ ହୋଇଛି । ମାତ୍ର ଆଉ କେହି କେହି ମନେ କରନ୍ତି, ଯେ ଯୋଗସାଧନାର ମାଧ୍ୟମ ମନୁଷ୍ୟର ଇନ୍ଦ୍ରିୟ-। ସତୁରାଂ ମନୁଷ୍ୟ ଶରୀରର ପ୍ରଧାନ ସାତଟି ଅଙ୍ଗ ଯଥା – ହସ୍ତ, ପଦ, ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା ଓ ତ୍ୱକ ମଧ୍ୟରେ ଯୌଗିକ ପ୍ରକ୍ରିୟାର ଧାରଣାହିଁ ‘ସପ୍ତାଙ୍ଗ ଯୋଗଧାରଣା’ । ସେ ଯାହା ହେଉ, ନାଥଧର୍ମରେ ଅନୁସୂତ ହେଉଥିବା ଯୋଗସାଧନାର ପନ୍ଥା ଏହି କ୍ଷୁଦ୍ର ପଦ୍ୟ-ଗ୍ରନ୍ଥରେ ବର୍ଣ୍ଣିତ । ପଣ୍ଡିତ ବିନାୟକ ମିଶ୍ର ମତ ଦେଇଥିଲେ ଯେ, ‘‘ସପ୍ତାଙ୍ଗ ଯୋଗରେ ସହଜିଆ ଧର୍ମର, ଯୋଗସାଧନ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି’’ । ମାତ୍ର ଅଧ୍ୟାପକ ପ୍ରହ୍ଲାଦ ପ୍ରଧାନ ଓ ଅଧ୍ୟାପକ ଡଃ ବଂଶୀଧର ମହାନ୍ତି ଏହି ମତ ଖଣ୍ଡନ କରିଛନ୍ତି ।

 

୨୯.

ସପ୍ତାଙ୍କ ଯୋଗଧାରଣମ-ସାହିତ୍ୟାୟନ ଅଧ୍ୟାପକ ପ୍ରହ୍ଲାଦ ପ୍ରଧାନ

 

ଶରୀରହିଁ ସାଧନାର ପ୍ରଧାନ କ୍ଷେତ୍ର । ତେଣୁ ଶରୀରର ସୁରକ୍ଷା ଲାଗି ବିନ୍ଦୁଧାରଣର ମହତ୍ତ୍ୱ ଏ ଗ୍ରନ୍ଥରେ ପ୍ରତିପାଦିତ ହୋଇଅଛି । ସାତବାର ସହିତ ଚନ୍ଦ୍ର ସୂର୍ଯ୍ୟ, ଇଅଁଳା-ପିଅଁଳା ଆଦିର ସମ୍ବନ୍ଧ ପ୍ରଦର୍ଶିତ ହୋଇଅଛି । ସାତବାରରେ କର୍ତ୍ତବ୍ୟ-ଅକର୍ତ୍ତବ୍ୟ ଆଦିର ଉଲ୍ଲେଖ କରାଯାଇଛି । ସାତବାରର ବ୍ୟତିକ୍ରମ ହେଲେ ବା ‘ଅଷ୍ଟାଙ୍ଗ’ ହେଲେ ‘ଅବଶ୍ୟ ପୂରେ କାଳ’ । ସ୍ଥୂଳତଃ ଏହି ଏହି ଗ୍ରନ୍ଥରେ ଯମ, ନିୟମ, ଆସନ, ପ୍ରାଣାୟାମ, ଇଡ଼ା, ପିଙ୍ଗଳା, ସୁଷୂମ୍ନା, ଓ ଷଡ଼ଯନ୍ତ୍ର ଭେଦ କରି ସହସ୍ରାର ପଦ୍ମରେ ସ୍ୱାଧିଷ୍ଠାନ ଚକ୍ରରେ ଈଶ୍ୱର-ସାକ୍ଷାତକାର ବିଷୟ ଯୋଗୀସୁଲଭ ରୀତିରେ ମତ୍ସ୍ୟେନ୍ଦ୍ର ଓ ଗୋରେଖଙ୍କ କଥୋପକଥନ ମାଧ୍ୟମରେ ବର୍ଣ୍ଣିତ ହୋଇଅଛି । ମାତ୍ର ପୁସ୍ତକଟିର କୌଣସି ପ୍ରକାର ସାହିତ୍ୟିକ ମୂଲ୍ୟ ଅଛି ବୋଲି କୁହାଯାଇପାରିବ ନାହିଁ । ଅସାହିତ୍ୟିକ ହେଲେହେଁ ଏହାର ପ୍ରାଚୀନ ଭାଷାହିଁ ଏହାର ବୈଶିଷ୍ଟ୍ୟର ହେତୁ ।

 

ବଳରାମ ଦାସ କୃତ ‘ସପ୍ତାଙ୍ଗ ଯୋଗସାର ଟୀକା’ ସାମାନ୍ୟ ବ୍ୟତିକ୍ରମ ସହିତ ‘ସପ୍ତାଙ୍ଗ ଯୋଗଧାରଣ’ର ଅବିକଳ ଅନୁରୂପ । ‘ସପ୍ତାଙ୍ଗ ଯୋଗଧାରଣମ୍‌’ର ପଦସଂଖ୍ୟା ୨୫୯ ଓ ‘ସପ୍ତାଙ୍ଗ ଯୋଗସାର ଟୀକା’ର ପଦସଂଖ୍ୟା ୨୬୫; ଅର୍ଥାତ୍ ‘ସପ୍ତାଙ୍ଗ ଯୋଗସାର ଟୀକା’ର ୯ଟି ପଦ ‘ସପ୍ତାଙ୍ଗ ଯୋଗଧାରଣମ୍’ରେ ଓ ‘ସପ୍ତାଙ୍ଗ ଯୋଗଧାରଣମ୍’ର ୩ଟି ପଦ ସପ୍ତାଙ୍ଗ ଯୋଗସାରଟୀକାରେ ନାହିଁ । ଏହା ବ୍ୟତୀତ କେତେକ ସ୍ଥାନରେ ସାମାନ୍ୟ ପାଠ ଭେଦ ପରିଲକ୍ଷିତ ହୁଏ । ତେଣୁ ଅଧ୍ୟାପକ ପ୍ରହ୍ଲାଦ ପ୍ରଧାନ ମତ ଦେଇଛନ୍ତି ଯେ- ‘‘ସପ୍ତାଙ୍ଗ ଯୋଗଧାରଣ’’ ଏବଂ ‘‘ସପ୍ତାଙ୍ଗ ଯୋଗସାର ଟୀକା’’ ଗୋଟିଏ ବହିର ଦୁଇଟି ପାଠାନ୍ତର ମାତ୍ର । ଆହୁରି ମଧ୍ୟ ସାଧାରଣତଃ ‘ସପ୍ତାଙ୍ଗ ଯୋଗସାର ଟୀକା’ର ପାଠ ହେଉଛି ଉତ୍କଷ୍ଟତର ।’’ ଏହି ହେତୁ ‘ସପ୍ତାଙ୍ଗ ଯୋଗସାର ଟୀକା’କୁ ‘ସପ୍ତାଙ୍ଗ ଯୋଗଧାରଣମ୍’ର ପରବର୍ତ୍ତୀ ସଂସ୍କରଣ ବୋଲି ଗ୍ରହଣ କରାଯାଇପାରେ ।

 

ଅଷ୍ଟାଙ୍ଗ ଯୋଗଧାରଣା :– ୧୦୮ ପଦ ବିଶିଷ୍ଟ ଏହି ରଚନାଟି ମଧ୍ୟ ଗୋରେଖଙ୍କ ନାମରେ ଭଣିତ ହୋଇଛି । ମାତ୍ର ଏହାର ଆବିର୍ଷ୍କର୍ତ୍ତା ଡଃ ବଂଶୀଧର ମହାନ୍ତି ଭାଷା ଦୃଷ୍ଟିରୁ ବିଚାର କରି ଏହାକୁ ୧୬ ଶ ଶତାବ୍ଦୀର ରଚନା ବୋଲି ଅନୁମାନ କରିଛନ୍ତି ।

 

‘ଅଷ୍ଟାଙ୍ଗ ଯୋଗଧାରଣା’ରେ ଗୋରେଖ-ମଲ୍ଲିକା ବଚନିକା ମାଧ୍ୟମରେ ମତ୍ସ୍ୟେନ୍ଦ୍ରନାଥଙ୍କ ଜନ୍ମଚରିତ ବର୍ଣ୍ଣିତ । ମଲ୍ଲିକାନାଥ ଗୋରେଖନାଥଙ୍କ ନିକଟରୁ ଯୋଗତତ୍ତ୍ୱ ସମ୍ବନ୍ଧୀୟ ଉପଦେଶ ଶୁଣିବାକୁ ଇଚ୍ଛା କରିଛନ୍ତି –

 

‘‘ସର୍ବଯୋଗେଶ୍ୱର ଆହେ ସିଦ୍ଧେଶ୍ୱର ବିଷ୍ଣୁ କଟାକ୍ଷରେ କହି ମୋତେ

ଯେମନ୍ତେ ରହିବି ପ୍ରସନ୍ନୋପାଇବି କାଳ ପଳାଇବ ଯେଉଁ ମତେ ।’’

 

ଗୋରେଖ ଅଲେଖ-ଧ୍ୟାନ ପୂର୍ବ ମଚ୍ଛିନ୍ଦ୍ରଙ୍କ ମୁଖରୁ ଯାହା ଶୁଣିଥିଲେ, ତାହା ବର୍ଣ୍ଣନା କରିଛନ୍ତି । ମତ୍ସ୍ୟେନ୍ଦ୍ର କିପରି ଯୋଗତତ୍ତ୍ୱ ଜାଣିଲେ,ସେ ବିଷୟ ମଲ୍ଲିକା ପ୍ରଶ୍ନ କରନ୍ତେ ଗୋରେଖ ତାହା ବର୍ଣ୍ଣନା କରିଛନ୍ତି-ଏକଦା ଶିବ ପାର୍ବତୀଙ୍କ ସହିତ ପ୍ରଭାସ ତୀର୍ଥକୁ ଯାଇଥିଲେ । ଏକ ବାଲିକୁଦ ଉପରେ ବସି ଆନନ୍ଦ-ସମ୍ଭାଷଣ କାଳରେ ପାର୍ବତୀ ପତିଙ୍କର କଣ୍ଠରେ ମୁଣ୍ଡ-ମାଳ ଧାରଣର ତତ୍ତ୍ୱ ଜିଜ୍ଞାସା କଲେ । ଉତ୍ତରରେ ଶିବ କହିଲେ ଯେ, ପାର୍ବତୀଙ୍କ ପରି ସକଳ ଶିବ-ରମଣୀ ମହା-ପ୍ରଳୟ ଦେଖି ନାଶ ଗଲେ । ସ୍ନେହବଶତଃ ସେ ସେମାନଙ୍କର ମୁଣ୍ଡକୁ ମାଳ କରି କଣ୍ଠରେ ଧାରଣ କରିଛନ୍ତି । ଏହା ଶୁଣି ପାର୍ବତୀ ଭୀତ-ବିହ୍ୱଳା ହୋଇ ଶିବ ବୋଲି କିପରି ସିଦ୍ଧ ଦେହ ଧରି ଯୁଗ ଯୁଗ ବଞ୍ଚି ରହିଛନ୍ତି ।, ତତ୍‌ ସମ୍ପର୍କରେ ପଚାରିଛନ୍ତି ଓ ଶିବ ସିଦ୍ଧ ଦେହ ଧାରଣର ବିଭିନ୍ନ ତତ୍ତ୍ୱ ଯଥା;-ଯୋଗସାଧନା, ଇଡ଼ା, ପିଙ୍ଗଳା ଓ ଖେଚରୀ ମୁଦ୍ରା ସମ୍ବନ୍ଧୀୟ ବିଭିନ୍ନ ତତ୍ତ୍ୱ, ସପ୍ତାଙ୍ଗ ଯୋଗ ଇତ୍ୟାଦି ବିଷୟ ବର୍ଣ୍ଣନା କରିଛନ୍ତି । ଶିବ ଯୋଗତତ୍ତ୍ୱର ବୟାନ କରୁ କରୁ ଲକ୍ଷ୍ୟ କଲେ ଯେ, ପାର୍ବତୀ ନିଦ୍ରାଭିଭୂତା ହୋଇ ପଡ଼ିଛନ୍ତି ; ତାଙ୍କ କଥିତ ସମସ୍ତତତ୍ତ୍ୱ ଶୁଣିଛି ଜଳରେ ଥିବା ଏକ ମତ୍ସ୍ୟ-ଗର୍ଭସ୍ଥ ପୁରୁଷ । ତାଙ୍କ ଆହ୍ୱାନ କ୍ରମେ ମତ୍ସ୍ୟଟି ସମ୍ମୁଖକୁ ଆସିଲା ଓ ତଦ୍‌ଗର୍ଭସ୍ଥ ପୁରୁଷ ଉଦ୍ଦେଶ୍ୟରେ ସେ କହିଲେ-

 

“ମଚ୍ଛିଂନ୍ଦ୍ର ବୋଲିଣ ହେଉ ତୋର ନାମ ଗର୍ଭେ ଯେଣ କଲ ସ୍ଥାନ ।” ମତ୍ସ୍ୟ-ଗର୍ଭସ୍ଥ ପୁରୁଷ ତାଙ୍କୁ ମୀନ ଗର୍ଭରୁ ମୁକ୍ତ କରି ଦୃଷ୍ଟିଦାନ କରିବା ନିମିତ୍ତ ଶିବଙ୍କୁ ପ୍ରାର୍ଥନା କଲେ ଓ ଶିବ ତ୍ରିଶୂଳ ଦ୍ୱାରା ତାଙ୍କୁ ମୁକ୍ତ କରି ଚକ୍ଷୁ ଦାନ କଲେ । ଶିବ ମାୟାନ୍ଧ ମତ୍ସ୍ୟେନ୍ଦ୍ରଙ୍କୁ ତତ୍ତ୍ୱ-ଜ୍ଞାନ ରୂପକ ତ୍ରିଶୁଳ ସାହାଯ୍ୟରେ ମୁକ୍ତ କରି ସଦଜ୍ଞାନ ଚକ୍ଷୁ ଉନ୍ମୀଳନ କରିବା ବିଷୟ ଏଥିରୁ ସୂଚିତ ହୁଏ । ‘ଅଷ୍ଟାଙ୍ଗ ଯୋଗଧାରଣା’ରେ ବର୍ଣ୍ଣିତ ପ୍ରସଙ୍ଗ ବଙ୍ଗଳା ‘ଗୋରକ୍ଷବିଜୟ’ର ମୀନନାଥ ବା ମତ୍ସ୍ୟେନ୍ଦ୍ର-ନାଥଙ୍କ ଜନ୍ମ ବୃତ୍ତାନ୍ତର ପ୍ରାୟ ଅନୁରୂପ ହେଲେହେଁ ଏହି ବିଶେଷ ଭାବାତ୍ମକ ପ୍ରସଙ୍ଗଃ ‘ଗୋରକ୍ଷବିଜୟ’ ରେ ନାହିଁ ।
 

ଏଥିରେ ବର୍ଣ୍ଣିତ ଅଷ୍ଟାଙ୍ଗ ଯୋଗ ଯମ-ନିୟମ-ଆସନ-ପ୍ରାଣାୟାମାଦିକୁ ବୁଝାଏ ନାହିଁ; ଏଥିରେ ସପ୍ତାଙ୍ଗ ଯୋଗ ବା ସପ୍ତାବାରରେ ଚନ୍ଦ୍ର-ସୂର୍ଯ୍ୟ ନାଡ଼ିର ବିଚାର ରହିଛି । ଚନ୍ଦ୍ର ଚାରିକଳା ଓ ସୂର୍ଯ୍ୟ ଚାରି କଳା, ଏହି ଆଠ କଳାହଁ ଏଥିରେ ‘ଅଷ୍ଟାଙ୍ଗ’ ଭାବରେ ଗୃହୀତ । ସପ୍ତବାର ମଧ୍ୟରେ ଅଷ୍ଠାଙ୍ଗ ଯୋଗର ଧାରଣା ଗୁପ୍ତ ଭାବରେ ରହିଛି –

 

“ରାତ୍ର ଦିବସରେ ଚନ୍ଦ୍ର ସୂର୍ଯ୍ୟ କରେ ବାର ବାର କଳା ଉଦେ ହୋନ୍ତି

ସୂର୍ଯ୍ୟ ଚାରିକଳା ଚନ୍ଦ୍ର ଚାରିକଳା ସୁଧମା ସଭାରେ ବସିଥାନ୍ତି ।

ଏହି ଆଠ ଯୋଗ ହୋଇଲା ଅଷ୍ଟାଙ୍ଗ ପ୍ରଳୟର କାଳେ ଉଦେ ହୋଇ

ୟେ ବେନି ସଙ୍ଗମ ମଧ୍ୟରେ ନିଗମଂ ବାରେଣୀ ଯୋଗ ପଡ଼ଇଂ ତହିଁ ।”

 

ଏତଦ୍‌ବ୍ୟତୀତ ଗୋରେଖଙ୍କ ମୁଖରେ ଗୋଲାହାଟର ବର୍ଣ୍ଣନା ଓ ଊର୍ମ, ଧୂର୍ମ, ଜ୍ୟୋତି, ଜ୍ୱାଳା ପ୍ରଭୃତିର ତାତ୍ତ୍ୱିକ ବ୍ୟାଖ୍ୟା ହୋଇଛି ।

 

ବସ୍ତୁତଃ ଆକାରରେ କ୍ଷୁ‌ଦ୍ର ହେଲେହେ ନାଥଧର୍ମ-ଦର୍ଶନ ଦୃଷ୍ଟିରୁ ଏହି ରଚନାଟିର ଗୁରୁତ୍ୱକୁ ଅସ୍ୱୀକାର କରାଯାଇ ନପାରେ ।

 

ଗୋବିନ୍ଦଚନ୍ଦ୍ର :- ରାଜପୁତ୍ର ଗୋବିନ୍ଦଚନ୍ଦ୍ରଙ୍କ ସନ୍ନ୍ୟାସ ବୃତ୍ତାନ୍ତ ନାଥସାହିତ୍ୟର ସର୍ବଶେଷ୍ଠ ପ୍ରସିଦ୍ଧ ଓ ଜନପ୍ରିୟ ଉପାଖ୍ୟାନ । ଓଡ଼ିଆ କବି ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦଚନ୍ଦ୍ର ଗୀତ’ ଓ ଯୋଗୀନ୍ଦ୍ର ଦୈବଜ୍ଞ ବିପ୍ର (ଅନ୍ୟତ୍ର ଉଦ୍ଧବ ଦାସ)ଙ୍କ ‘ଟୀକା ଗୋବିନ୍ଦଚନ୍ଦ୍ର’ ଏହି ଉପାଖ୍ୟାନ ଉପରେ ଆଧାରିତ । ଉପାଖ୍ୟାନଟି ଏହିପରି–ବଙ୍ଗୀୟ ରାଜା ରିପୁଚନ୍ଦ୍ରଙ୍କ ଔରସରେ ରାଣୀ ମୁକ୍ତା ଦେଈଙ୍କ ଗର୍ବରୁ ଗୋବିନ୍ଦଚନ୍ଦ୍ରଙ୍କର ଜନ୍ମ । ପିତାଙ୍କର ମୃତ୍ୟୁ ପରେ ସେ ସଂହାସନରେ ଅଧିଷ୍ଠିତ ହେବାର କଥା ; ମାତ୍ର ମୁକ୍ତା ଦେଈ ତାଙ୍କୁ ସାଂସାରିକ ସୁଖର ଅନିତ୍ୟତା ଓ ବୈରାଗ୍ୟର ଉତ୍କର୍ଷ ସମ୍ବନ୍ଧରେ ବୁଝାଇ ଆପଣା ସ୍ୱାମୀଙ୍କ ଦୃଷ୍ଟାନ୍ତ ଦେଲେ-

 

“ଏହି ହାତୀଘୋଡ଼ା ଏହି ପାଟ ଯୋଡ଼ା ତୋହରି ବାପର ଥିଲା

ମରିଗଲା ବେଳେ ଗୋବିନ୍ଦଚନ୍ଦ୍ରରେ ଛିଣ୍ଡା ପଲଙ୍କରେ ଗଲା ।

 

ପ୍ରାସାଦରେ ମେହେନ୍ତର କାର୍ଯ୍ୟ କରୁଥିବା ହାଡ଼ିପାଙ୍କଠାରୁ ସନ୍ନ୍ୟାସଦୀକ୍ଷା ନେବାକୁ ମାତା ପୁତ୍ରଙ୍କୁ ଉପଦେଶ ଦେଲେ । ଗୋବିନ୍ଦ ପ୍ରଥମେ କୁଣ୍ଠିତ ହୋଇଥିଲେ ହେଁ ପରେ ହାଡ଼ିପାଙ୍କର ଅସାଧାରଣ ବିଭୂତି ଲକ୍ଷକରି ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ ଓ ରାଜ୍ୟତ୍ୟାଗୀ ହେଲେ । ରାଣୀ, ପୁତ୍ର ଓ ଅନ୍ୟାନ୍ୟ ମାତାଗଣ ତାଙ୍କୁ ଏଥିରୁ ନିବୃତ୍ତ କରାଇବା ପାଇଁ ପ୍ରଯତ୍ନ କରିଥିଲେ ହେଁ ସେ ସମସ୍ତ ବନ୍ଧନ ଛିନ୍ନ କରି ଯୋଗ ସାଧନାରେ ହିଁ ଜୀବନ ସାର୍ଥକ କରିବାକୁ ଚାହଁଲେ । ବଙ୍ଗଳାରେ ମଧ୍ୟ ଗୋବିନ୍ଦଚନ୍ଦ୍ର ଆଖ୍ୟାନ ପ୍ରଚଳିତ । ତେବେ, ଓଡ଼ିଶା ଓ ବଙ୍ଗର ଗୋବିନ୍ଦଚନ୍ଦ୍ର ଆଖ୍ୟାନ ମଧ୍ୟରେ ପାର୍ଥକ୍ୟ ଏହି ଯେ, ଓଡ଼ିଆ ରଚନା ଓ ଚରିତ୍ରରେ ସଂସାରର ତୁଚ୍ଛତା ଓ ଜୀବନର ଅଳୀକତାର ମହାନ ଉପଲବଧି ଥିବା ସ୍ଥଳେ, ବଙ୍ଗୀୟ ଆଖ୍ୟାନରେ ସମ୍ଭୋଗ ଓ ଲାଳସା ଜର୍ଜରିତ ଅଭିଚାରଗ୍ରସ୍ତ ମଧ୍ୟଯୁଗୀୟ ବଙ୍ଗ ସଂସ୍କୃତିର ଛାୟାପାତ ଦେଖା୍‌ଯାଏ । (ହାଡ଼ିପା ତନ୍ତ୍ରବଳରେ ଗୋବିନ୍ଦ ଚନ୍ଦ୍ରଙ୍କୁ ଭସ୍ମ କରିଦେବାର ଭୟ ଦେଖାଇବାରୁ ସେ ସିଂହାସନ ପରିହାର କରି ସନ୍ନ୍ୟାସ ଦୀକ୍ଷା ନେଲେ) ଭାରତର ଅନ୍ୟାନ୍ୟ ଅଞ୍ଚଳ ଯଥା – ବିହାର, ଆସାମ, ରାଜସ୍ଥାନ ପ୍ରଭୃତିରେ ମଧ୍ୟ ଗୋବିନ୍ଦ ଚନ୍ଦ୍ର ବା ଗୋପୀ ଚନ୍ଦ୍ରଙ୍କ ସମ୍ବନ୍ଧୀୟ ଏହି ଉପାଖ୍ୟାନ ସାମାନ୍ୟ ବ୍ୟତିକ୍ରମ ସହ ଲୋକଗୀତ ତଥା ଶିଷ୍ଟ ସାହିତ୍ୟରେ ପ୍ରଚଳିତ । ସଂସ୍କୃତରେ ମଧ୍ୟ ରାଜା ମଞ୍ଜୁବଜ୍ରଙ୍କ ପୁତ୍ର ଅଚଳସେନ ଓ ତଦୀୟ ମାତା ବଜ୍ରଡାକିନୀ ପ୍ରସଙ୍ଗରେ ଏହି କାହାଣୀ ବର୍ଣ୍ଣିତ । ଏ ସମସ୍ତ ରଚନାରେ ସଂସାରର ନଶ୍ୱରତା ଓ ବୈଭବ-ବିଳାସର ନିଃସାରତା ବିଶେଷ ଭାବନାମୟ ଶବ୍ଦ ମାଧ୍ୟମରେ ପ୍ରକାଶିତ ହୋଇଛି ଓ ତତ୍‌ସଙ୍ଗେ ସଙ୍ଗେ ଯୌଗିକ ସିଦ୍ଧାନ୍ତଗୁଡ଼ିକୁ ବ୍ୟବହାରିକ ରୂପରେ ବୁଝାଇବାର ପ୍ରୟାସ କରାଯାଇଛି । ଜନତାର ହୃଦୟରେ ବୈରାଗ୍ୟ-ଭାବନାର ବୀଜ ରୋପଣ କରିବାରେ ଏ ଧରଣର ସାହିତ୍ୟିକ କୃତି ଯୁଗେ ଯୁଗେ ସ୍ୱକୀୟ ମହତ୍ତ୍ୱ ବଜାୟ ରଖି ଆସିଛି ।

 

‘ଗୀତ ଗୋବିନ୍ଦଚନ୍ଦ୍ର’ ଓ ‘ଟୀକା ଗୋବିନ୍ଦଚନ୍ଦ୍ର’ –ଏହି ଦୁଇ ରଚନାର ତୁଳନା କଲେ ଜଣାଯାଏ ଯେ ଭାଷା, ଭାବ ଓ କଥାବସ୍ତୁ ଦୃଷ୍ଟିରୁ ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦଚନ୍ଦ୍ର’ ବିଶେଷ ମହତ୍ତ୍ୱପୁର୍ଣ୍ଣ । ଏଥିରେ କବିଙ୍କର କଳ୍ପନାବିଳାସ ଓ ବର୍ଣ୍ଣନା ବେଚିତ୍ର୍ୟ ସହିତ ଗ୍ରନ୍ଥର ବିଭିନ୍ନ ସ୍ଥଳରେ ସୁନ୍ଦର ଉପମା-ରୂପକ ସମନ୍ୱିତ ପଦାବଳୀ ଓ ସୂକ୍ତିସମୂହ ପରିଦୁଷ୍ଟ ହୁଏ । ମାତ୍ର ଲୋକପ୍ରିୟ ଗୀତିକାବ୍ୟ ଭାବରେ ‘ଗୀତ ଗୋବିନ୍ଦଚନ୍ଦ୍ର’ ଅପେକ୍ଷ ‘ଟୀକା ଗୋବିନ୍ଦଚନ୍ଦ୍ର’ର ସ୍ଥାନ ଉଚ୍ଚତର । କବିତ୍ଵପୂର୍ଣ୍ଣ ଅଥଚ ସରଳ ସାବଲୀଳ ଭାଷା ଓ ଲଲିତ ଛନ୍ଦ ଏହାକୁ ଅଧିକତର ଲୋକପ୍ରିୟ କରିଛି । ଡଃ. ବଂଶୀଧର ମହାନ୍ତିଙ୍କ ମତରେ ଏହା ୧୮ଶ ଶତାବ୍ଦୀର ରଚନା ।

 

ଅମରପଟଳ :- ଏହି ଗ୍ରନ୍ଥଟିର ଆବିଷ୍କାର ଶ୍ରୀ ବ୍ରହ୍ମନନ୍ଦ ଭାହା ଦୃଷ୍ଟିରୁ ବିଚାର କରି ଏହା ୧୬ଶ ଶତାବ୍ଦୀର ରଚନା ବୋଲି ମତ ପ୍ରଦାନ କରିଛନ୍ତି । ଏହା ଗୋରେଖନାଥଙ୍କ ନାମରେ ଭଣିତ । ହୁଏତ କୌଣସି ଯୋଗଣାସ୍ୱଜ୍ଞ ନାଥଧର୍ମୀ ଗ୍ରନ୍ଥଟି ରଚନା କରି ଗୋରେଖଙ୍କ ନାମରେ ଭଣିତା କରିଥାଇ ପାରନ୍ତି କିମ୍ବା ଗୋରେଖଙ୍କ ମୂଳ ରଚନାକୁ ସମସାମୟିକ ଓଡ଼ିଆଭାଷାରେ ଲେଖିଥାଇପାରନ୍ତି । (୩୦)

 

ନବାକ୍ଷରୀ ଛନ୍ଦରେ ରଚିତ ଏହି ଗ୍ରନ୍ଥରେ ପବନ ନିଷ୍ଠା ଯୋଗର ସୁନ୍ଦର ବର୍ଣ୍ଣନା ରହିଛି-

 

“ପବନ ଉଠାଇଣ ନେଇ, ମୁଖର ବିଜେ ଭଜ ତୁହି ।

କେଣେ ହେ କେବେ ନ ଛାଡ଼ିବୁ, ନିତ୍ୟରେ ଗ୍ରାସ ତୁ କରିବୁ ।

ପଦ୍ମାସନେ ବସି ନିରୋଳେ, ପବନ ଟେକ ଦୁଇ ଦଳେ ।

ସେଠାରେ ନାମକୁ ଧରିବୁ, ଲୟେ ଲଗାଇଣ ରହିବୁ ।

ପହରେ ରହିବୁ ସେଠାରେ, ପବନ ଥିବ ସଙ୍ଗତରେ ।

ତଦ ଅନ୍ତରେ ଛାଡ଼ିଦେବୁ, ଦିନକୁ ଦିନ ବଳାଇବୁ ।

ତେବେ ହେଁ ଦେହି ପୁଷ୍ପ ହୋଇ ପବନ ନିଷ୍ଠା ଯୋଗ ଏହି ।

ଏହି ଆହର କରି ମୁନି, ଅଛନ୍ତି ସିଦ୍ଧ ଦେହି ଘେନି ।’’

 

ଗୋରେଖ ମଲ୍ଲିକା ସମ୍ବାଦ :- ଗୋରେଖ ନାଥଙ୍କ ନାମରେ ଭଣିତ ଏହି ନାମଧର୍ମ ସମ୍ବନ୍ଧୀ ରଚନାଟିକୁ ମଧ୍ୟ ଶ୍ରୀ ବ୍ରହ୍ମାନନ୍ଦ ଦାସ ଭାଷା-ବିଚାରରେ ୧୬ଶ ଶତକରେ ଅବସ୍ଥାପିତ କରିଛନ୍ତି । ଏହା ମଧ୍ୟ ନବାକ୍ଷରୀ ଭାଗବତ-ବୃତ୍ତରେ ରଚିତ । ଏଥରେ ଚନ୍ଦ୍ର-ସୂର୍ଯ୍ୟ ନାଡ଼ୀରେ ପବନ ସାଧନାର ବର୍ଣ୍ଣନା ଦେଖାଯାଏ –

 

“ଚନ୍ଦ୍ର ଘରେ ସୂର୍ଯ୍ୟକୁ ଭରି ଜୀବ ରହେ ଘଟ ଆବୋରି

ରବି ସୋମ ସୂର୍ଯ୍ୟରେ ଖେଳା ମଙ୍ଗଳ ବୁଧ ଚନ୍ଦ୍ରରେ ଖେଳା

ଗୁରୁ ଶୁକ୍ର ଯେ ଦୁଇବାର ସୂର୍ଯ୍ୟ ଘରେ ଚନ୍ଦ୍ରକୁ ଭର ।’’

 

ପରଚେ ଚୂଡ଼ାମଣି :- ଏହା ଏକ ଭଣିତାହୀନ ଗଦ୍ୟ ରଚନା । ଶ୍ରୀ ଦାସ ଏହାକୁ ୧୭ଶ ଶତାବ୍ଦୀର ରଚନା । ଶ୍ରୀ ଦାସ ଏହାକୁ ୧୭ଶତାବ୍ଦୀର ରଚନା ବୋଲି ଅନୁମାନ କରିଛନ୍ତି । ଏହା ଗୁରୁଶିଷ୍ୟ ପ୍ରଶ୍ନୋତ୍ତର କ୍ରମରେ ରଚିତ ଓ ରଚନାଟିରେ ‘ହାଡ଼ିପା ଗୋସେଇଁଙ୍କର ତତ୍ତ୍ୱଭେଦ’ ବୋଲି ଉଲ୍ଲେଖ ଅଛି । ୰ଡ଼ଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଏହା ଦ୍ୱାରିକା ଦାସଙ୍କ ରଚନା ।

 

ଏତଦ୍‌ବ୍ୟତୀତ ଡଃ ପୀତାମ୍ବର ଦତ୍ତ ବଡ଼ଥ୍ୱାଲଙ୍କ ‘ଗୋରେଖ ବାଣୀ’ ରେ ସନ୍ନିବେଶିତ ପଦଗୁଡ଼ିକର ଭାଷା ଅପଭ୍ରଂଶ ଭାଷାର ପରବର୍ତ୍ତୀ ଓ ତନ୍ନଧ୍ୟରୁ କେତୋଟିର ଭାଷା ଓଡ଼ିଆ ଭାଷାର ଖୁବ୍‌ ନିକଟବର୍ତ୍ତୀ ବୋଲି ଡକ୍ଟର ବଂଶୀଧର ମହାନ୍ତି ଦର୍ଶାଇଛନ୍ତି । ଚୌରଙ୍ଗୀ ନାଥଙ୍କ ‘ପ୍ରାଣ ସଙ୍କଳୀ’ର କେତେକ ଅଂଶର ଭାଷାତାତ୍ତ୍ୱିକ ଆଲୋଚନା କରି ସେ ଏହାକୁ ଓଡ଼ିଆ ଭାଷାରେ ରଚିତ ଓ ଉତ୍ତରାଞ୍ଚଳର କୌଣସି ଲିପିକାରଙ୍କ ଲେଖନୀରେ ବିକୃତ ହୋଇପଡ଼ିଥିବାର ସୂଚାଇଛନ୍ତି । ଅନ୍ୟାନ୍ୟ ଅନେକ ମଧ୍ୟଯୁଗୀୟ ରଚନା, ଯଥା :-ବଳରାମ ଦାସଙ୍କ ‘ବିରାଟଗୀତା’ ‘ବ୍ରହ୍ମାଣ୍ଡ-ଭୂଗୋଳ’, ‘ଅମରକୋଷଗୀତା’ ‘ଛତିଶ ଗୁପ୍ତଗୀତା’, ଜଗନ୍ନାଥ ଦାସଙ୍କ ‘ତୂଳାଭିଣା’, ଅଚ୍ୟୁତାନନ୍ଦ ଦାସଙ୍କ ‘ଶୂନ୍ୟ ସଂହିତା’, ‘ଅଣାକାର ସଂହିତା’, ‘ବ୍ରହ୍ମଶଙ୍କୁଳୀ’, ଯଶୋବନ୍ତ ଦାସଙ୍କ ‘ଶିବସ୍ୱରୋଦୟ’, ପ୍ରେମଭକ୍ତି ‘ବ୍ରହ୍ମଗୀତା’, ଅନନ୍ତ ଦାସଙ୍କ ‘ଶୂନ୍ୟନାମ ଭେଦ’, ଦ୍ୱାରିକା ଦାସଙ୍କ ‘ପରଚେ ଗୀତା’ ‘ଗୋବିନ୍ଦ ଗୀତା’ ପ୍ରଭୃତିରେ ନାଥଧର୍ମର ଯୌଗିକ ସିଦ୍ଧାନ୍ତ ତଥା ମତ୍ସ୍ୟେନ୍ଦ୍ରନାଥ, ଗୋରେଖନାଥ ଆଦିଙ୍କ କାର୍ଯ୍ୟାବଳୀର ବର୍ଣ୍ଣନା ମିଳେ ।
 

୩୦.

ସୃଷ୍ଟି ଓ କୃଷ୍ଟି-ଶ୍ରୀ ବ୍ରହ୍ମାନନ୍ଦ ଦାସ-ପୃ. ୩୧

 

ନାଥଧର୍ମ-ସମ୍ବନ୍ଧୀ ଗୀତିସାହିତ୍ୟ ମଧ୍ୟ ଓଡ଼ିଆ-ସାହିତ୍ୟର ଏକ ଉଲ୍ଲେଯୋଗ୍ୟ ସମ୍ପଦ । ଏଥି ମଧ୍ୟରେ ଗୋରେଖନାଥଙ୍କ ନାମରେ ଭଣିତ କେତେକ ଭଜନ ମଧ୍ୟ ରହିଛି । ଏହି ଗୀତିକା-ଗୁଡ଼ିକରେ ନାଥଧର୍ମର ତତ୍ତ୍ୱ ଓ ସାଧନା ପଦ୍ଧତି ବିଷୟକ ବର୍ଣ୍ଣନା ରହସ୍ୟମୟ ଶବ୍ଦ ସମ୍ଭାର ମାଧ୍ୟମରେ କରାଯାଇଛି । ଯୋଗ ସମ୍ବନ୍ଧୀୟ ପାରିଭାଷିକ ଶବ୍ଦାବଳୀ ସଂଯୋଗରେ ଏ ସାହିତ୍ୟ ସାଧାରଣ ଜନତାର ଦୁର୍ବୋଧ୍ୟ ହୋଇପଡ଼ିଛି ।

 

ସର୍ବଧର୍ମ ସମନ୍ୱୟର କ୍ଷେତ୍ର ଏହି ପୂର୍ଣ୍ଣଭୂମି ଓଡ଼ିଶାରେ ବହୁ ଧର୍ମର ବିକାଶ ଓ ବିଲୟ ଘଟିଛି । କାଳର କରାଳ କବଳରେ ନିଜ ନିଜର ସ୍ୱତନ୍ତ୍ର ସତ୍ତା ହରାଇ ବସିବାକୁ ବାଧ୍ୟ ହେଲେହେଁ ସେହି ସକଳ ଧର୍ମ ଓଡ଼ିଶାର ଜନ-ମାନସ ଓ ସାଂସ୍କୃତିକ ଚେତନାରେ ଛାଡ଼ିଯାଇଛନ୍ତି ସ୍ୱପ୍ନ ସଙ୍କେତ । ନାଥପନ୍ଥା ମଧ୍ୟ ଅନୁରୂପ ଭାବରେ ଉତ୍କଳୀୟ ଜନତାର ଧର୍ମ ଭାବନାରେ ଗଭୀର ପ୍ରଭାବ ପାତ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ସଂସ୍କୃତିର ମହୋଦରରେ ନିଜକୁ ମିଶାଇ ଦେଇଛି । ନାଥଧର୍ମର ଯୌଗିକ ସାଧନା, ପିଣ୍ଡ ବ୍ରହ୍ମାଣ୍ଡବାଦ ଆଦିର ପ୍ରତୁଳ ସଙ୍କେତ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ରହିଛି ଷୋଡ଼ଶ ଶତାବ୍ଦୀର ବୈଷ୍ଣବ ପଞ୍ଚସଖାଙ୍କ ସାହିତ୍ୟ ଓ ତତ୍ପରେ ସନ୍ଥଧର୍ମ ଓ ସାହିତ୍ୟରେ ନାଥପନ୍ଥାର ତାତ୍ତ୍ୱିକ ସଙ୍କେତ ସୁସ୍ପଷ୍ଟ । ସରସ ସାହିତ୍ୟ ଭାବରେ ଓଡ଼ିଆ ସାହିତ୍ୟର ଇତିହାସରେ ନାଥ ସାହିତ୍ୟର ସ୍ଥାନ ବିଶେଷ ଉଚ୍ଚକୋଟୀର ନ ହେଲେହେଁ ସାରଳା ପୂର୍ବଯୁଗର ଓଡ଼ିଆ ଭାଷା ଓ ସାହିତ୍ୟର କ୍ରମ-ଅଭିବ୍ୟକ୍ତିର ଅନୁଧ୍ୟାନ ଦୃଷ୍ଟିରୁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସାରଳା-ପରବର୍ତ୍ତୀ ଯୁଗର ମଧ୍ୟ ନାଥ-ସାହିତ୍ୟ ଏକ ଗୌରବମୟ ଆସନ ଦାବୀ କରେ ।

 

 

ମାର୍ଫତ୍-ଆଡଭୋକେଟ ଅଶୋକ କୁମାର ମହାପାତ୍ର,

ଜଗନ୍ନାଥ ବଲ୍ଲଭ, କଟକ-୧

***

 

Unknown

ଆଧୁନିକ ସାହିତ୍ୟ-ସମାଲୋଚନା-ସଙ୍କଟ ଓ ସମ୍ଭାବନା

ଶ୍ରୀ ଦେବେନ୍ଦ୍ର କୁମାର ଦାଶ

 

॥ ଏକ ॥

 

‘ସମାଲୋଚନାର ସ୍ୱରୂପ କ’ଣ ହେବା ଉଚିଚ, ଏହିଭଳି ଏକ ଉଚିତ ଅନୁଚିତର ପ୍ରଶ୍ନ ପ୍ରାଚୀନ କାଳର ସମାଲୋଚକମାନଙ୍କୁ ବିବ୍ରତ କରୁନଥିଲା । ସାହିତ୍ୟ ସମାଲୋଚନା ଥିଲା ସାହିତ୍ୟ ସମ୍ପର୍କିତ ନିର୍ଦ୍ଦିଷ୍ଟ ଆଦର୍ଶର ଭିତ୍ତିରେ ଭଲ ସାହିତ୍ୟ ମନ୍ଦ ସାହିତ୍ୟର ନିରୂପଣ । ସମାଲୋଚକ କୌଣସି ପ୍ରତ୍ୟୟ-ଗତ ବିଚାରକୁ ନ ପଶି ସିଧାସଳଖ ଭଲମନ୍ଦର ବିଚାର କରୁଥିଲେ, ରାୟ ବି ଦେଉଥିଲେ । ସେମାନଙ୍କ ବିବେଚନାରେ କ୍ଲାସିକ-ସାହିତ୍ୟର ବିଶ୍ୱସ୍ତ ଅନୁସରଣ ପରବର୍ତ୍ତୀ ସାହିତ୍ୟର ଏକମାତ୍ର କର୍ତ୍ତବ୍ୟ । କ୍ଲାସିକ–ସାହିତ୍ୟର ସନାତନ ଆଦର୍ଶ ସାହିତ୍ୟ ବିଚାରର ଅଭ୍ରାନ୍ତ ଓ ନିତ୍ୟ ଆଦର୍ଶ-ପ୍ରାକ୍‌-ଉନବିଂଶ ଶତାବ୍ଦୀ ପଶ୍ଚିମୀ ସମାଲୋଚନା-ପରଂପରାରେ ଏହା ଗୃହୀତ । ଭାରତୀୟ ପରଂପରା ସାମାନ୍ୟ ବ୍ୟତିକ୍ରମ ସହ ଏହିଭଳି ଏକ ଆଦର୍ଶରୂପକୁ ସାର୍ବକାଳିକ ମାନଦଣ୍ଡ ରୂପେ ଗ୍ରହଣ କରିଥିଲା । ସେହି ଆଦର୍ଶ ରୂପ ଥିଲା ‘ରସ’ । ମୋଟ ଉପରେ ସାହିତ୍ୟ-ପ୍ରତ୍ୟୟ ସଂପୂର୍ଣ୍ଣ ପ୍ରଶ୍ନାତୀତ ଥିଲା ।

 

ସାହିତ୍ୟ-ସମାଲୋଚନାର ଏହି ସ୍ୱର୍ଗ-ଉଦ୍ୟାନରେ ବହୁକାଳ ଧରି କୌଣସି ପ୍ରଶ୍ନ-ସର୍ପ ପ୍ରବେଶ କରି ପାରିନଥିଲା । କିନ୍ତୁ ଜୀବନ ତ ଅଚଳାୟତନ ନୁହେଁ । ସମୟ କ୍ରମେ ସମାଜ-ଅଚଳାୟତନର ଗବାକ୍ଷ ଓ ବାତାୟନ ଇତିହାସ ନିୟତର ନିର୍ଦ୍ଦେଶରେ ଖୋଲାଯାଇ ତା’ ଭିତରକୁ ବାହାରର ଆଲୋକ ଓ ବାୟୁ କେବଳ ପଶି ଆସେନାହିଁ – ତାହା ସ୍ୱୟଂ ଚଳମାନ ହୋଇଯାଏ । ସମାଜର ପରିବର୍ତ୍ତନ ସହ ଭିତରେ ସାହିତ୍ୟ ଓ ସାହିତ୍ୟରୁଚିରେ ପରିବର୍ତ୍ତନ ଆସିଥାଏ । ସାହିତ୍ୟ ଓ ସାହିତ୍ୟରୁଚିର ପରିବର୍ତ୍ତନ ଅଲକ୍ଷ୍ୟରେ ସମାଲୋଚନାର ଆଦର୍ଶକୁ ବଦଳିବା ପାଇଁ ବାଧ୍ୟ କରେ । ସେହି କାରଣରୁ ଅଠର ଶତକର ଶେଷ ଓ ଉଣେଇଶ ଶତକର ପ୍ରଥମ ଭାଗରେ ରୋମାଣ୍ଟିକ୍‌ କାବ୍ୟ ଆନ୍ଦୋଳନ ସହ ସାହିତ୍ୟ-ସମାଲୋଚନାର ନୂତନ ଆଦର୍ଶ ଅଭାବିତ ଦ୍ରୁତତା ନେଇ ପ୍ରତିଷ୍ଠିତ ହୋଇଥିଲା ଏହି ନୂତନ ସମାଲୋଚନା ଧାରା ସୃଜନଧର୍ମୀ-ସମାଲୋଚନା ଭାବରେ ପରିଚିତ । ଗୌରବ କଲାଭଳି ବହୁ ମହତ ସମାଲୋକଚକଙ୍କର ପୃଷ୍ଠପଷୋକତା ଓ ସାଧନାରେ ଏହା ପୃଷ୍ଠ ହୋଇଥିଲେ ମଧ୍ୟ ଏହାର ତତ୍ତ୍ୱଗତ ଦୁର୍ବଳତା ବହୁକାଳ ଗୋପନ ରହି ପାରିନଥିଲା । ଟିକିଏ ତଳେଇ କରୁ ଦେଖିଲେ ଜଣାଯାଏ ଯେ, ଉନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ପ୍ରବର୍ଦ୍ଧମାନ ଏହି ସମାଲୋଚନା ଥିଲା ସାହିତ୍ୟିକ ସ୍ୱେଚ୍ଛାବିହାର ତଥା ବିଶ୍ରାମ୍ଭାଳାପର ସ୍ୱର୍ଗୋଦ୍ୟାନ । ଏଠାରେ ଅନ୍ତରଙ୍ଗ ଆଳାପ, ଆତ୍ମଗତ ଭାବୋଚ୍ଛ୍ୱାସ, ବ୍ୟକ୍ତିଗତ ଭଲ ଲାଗିବା ନ ଲାଗିବା ତଥା ସ୍ୱାଧୀନ ରସ-ସୃଷ୍ଟି ପାଇଁ ସ୍ଥାନ ଥିଲା ପ୍ରଶସ୍ତ । କିନ୍ତୁ ବିଚାର ବୁଦ୍ଧି ଓ ସଂଯମ, ସ୍ଥିର ସାହିତ୍ୟ-ଆଦର୍ଶ, ନିରପେକ୍ଷ ତଥ୍ୟ ନିଷ୍ଠା ତଥା ମୂଲ୍ୟାୟନ ପାଇଁ ଏହି ଧରଣର ସାହିତ୍ୟ ସମାଲୋଚନାର ପ୍ରଙ୍ଗଣରେ ସ୍ଥାନାଭାବ । ରୋମାଣ୍ଟିକ ଆନ୍ଦୋଳନର ଉତ୍‌କେନ୍ଦ୍ରିକ ପରିଣତି ଶେଷରେ ବୋଧହୁଏ ନିଜେ ନିଜର ଅବସାନକୁ ତ୍ୱରାନ୍ୱିତ କରିଥିଲା ।

 

ମଝିରେ ଗୋଟିଏ ଛୋଟିଆ ଦୃଶ୍ୟର ଅଙ୍କ । ସେହି ଅଙ୍କର ସମାପ୍ତି ପରେ ରଙ୍ଗମଞ୍ଚରେ ଆଧୁନିକ ସମାଲୋଚନାର ପ୍ରବେଶ । କ୍ଲାସିକ ଐତିହ୍ୟ ନିଷ୍ଠା ଓ ରୋମାଣ୍ଟିକ୍‌-ସୃଜନଧର୍ମିତା–ଏହି ଦୁଇ ବୃହତ ଆଦର୍ଶର ପତନଗତ ଅଭିଜ୍ଞତା ଓ ଉପଲବ୍‍ଧି ନେଇ ଆଧୁନିକ ସାହିତ୍ୟ-ସମାଲୋଚନାର ଜନ୍ମ ।

 

କ୍ଲାସିକ୍-ନିଶ୍ଚିତି ତଥା ରୋମାଣ୍ଟିକ୍-ଉନ୍ମାଦନା-ଏହି ଦୁଇଟି ମଧ୍ୟରୁ କୌଣସିଟିକୁ ଅବଲମ୍ବନ ଭାବେ ଗ୍ରହଣ କରିବାର ସୌଭାଗ୍ୟ ଆଜିର ସମାଲୋଚକଙ୍କର ନାହିଁ । ବିଚାର ତଥା ବିଶ୍ରାମ୍ଭାଳାପ ; ଉଭୟ ସ୍ୱର୍ଗୋଦ୍ୟାନରୁ ଆଧୁନିକ ସାହିତ୍ୟ-ସମାଲୋଚକ ବିତାଡ଼ିତ । କେଉଁ ସାହିତ୍ୟା-ଦର୍ଶକୁ ଆଶ୍ରୟ ରୂପେ ଗ୍ରହଣ କରି ଆଜିର ସମାଲୋଚନା ଗଢ଼ି ଉଠିବ-ସମାଲୋଚକଙ୍କ ନିକଟରେ ଏହା ସବୁଠାରୁ ଜଟିଳ ପ୍ରଶ୍ନ ।

 

ରୋମାଣ୍ଟିକ୍‌ ସାହିତ୍ୟାଦର୍ଶର ଉଚ୍ଛ୍ୱାସ ସ୍ତୀମିତ ହେଲାପରେ କାସିକ ସ୍ୱର୍ଗରେ ପୁନଃ ପ୍ରତିଷ୍ଠିତ ହେବାର ସ୍ୱପ୍ନ, ସମାଲୋଚକ କ’ଣ ଦେଖିବା ସମ୍ବବ ? ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ଇଂରେଜୀ ସମାଲୋଚନାରେ ଏହିଭଳି ଏକ ସମ୍ଭାବନା ଦେଖା ଦେଇଥିଲା । ସଂପ୍ରତି ସେଭଳି ସ୍ୱପ୍ନ ସାର୍ଥକ ହେବାର ଆଶା ବିଲୁପ୍ତପ୍ରାୟ । ପୂର୍ଣ୍ଣତଃ ନ ହେଲେ ବି କ୍ଲାସିକ ଆଦର୍ଶ ନିଷ୍ଠାର କେତେ ଅଂଶ ଅଧୁନା ସମାଲୋଚନାରେ ଗୃହୀତ ହୋଇପାରେ ?–ଆଜିର ସମାଲୋଚକ ନିକଟରେ ଏହା ଅନ୍ୟତମ ପ୍ରଶ୍ନ ।

 

ଆଦର୍ଶ ଯାହା ହେଉନା କାହିଁକି, ମୂଲ୍ୟାୟନର ଆଉଥରେ ଫେରିଯିବା ସମ୍ଭବ କି ? ଭବିଷ୍ୟତ ସମ୍ପର୍କରେ ମନ୍ତବ୍ୟ ଦେବା କଠିନ । ତେବେ ବର୍ତ୍ତମାନ ଯେ ଆମେ ସମସ୍ତେ ବିଚାରକ ହେବା ଅଧିକାରରୁ ବଂଚିତ, ଏଥିରେ ସନ୍ଦେହ ନାହିଁ । ସମସ୍ତ ଧରଣର ନିଶ୍ଚିତି ଓ ନିଶ୍ଚନ୍ତତାକୁ ଆଜିର ମଣିଷ ସମାଜ ନିର୍ବାସିତ । କେଉଁ ଆଇନ ବା ଆଦର୍ଶକୁ ଅବଲମ୍ବନ କରି ସମାଲୋଚକ ବିଚାରପତି ଆସନରେ ବସି ରାୟ ଦେବେ ? ଏହି ବିଡ଼ମ୍ବନା ଆଜିର ଜୀବନର ବିଡ଼ମ୍ବନା । ପାଶ୍ଚାତ୍ୟ ନବ-ଜାଗରଣର ନବପ୍ରଭାତ ଯେତେଗୁଡ଼ିଏ ପ୍ରତିଶ୍ରୁତିର ସ୍ୱର୍ଗଦ୍ୱାର ଆମ ନିକଟରେ ଖୋଲି ରଖିଥିଲା, ସେସବୁ ଗୋଟିଏ ପରେ ଗୋଟିଏ ଆମ ସାମନାରେ ବନ୍ଦ ହୋଇ ଯିବାକୁ ବସିଛି । ଆଧୁନିକ ବିଜ୍ଞାନ ମଣିଷର ମହତ୍ତ୍ୱ ଓ ବୃହତ୍ତ୍ୱ ସମ୍ପର୍କରେ ଆମ ମନର ବହୁ ଧାରଣକୁ ଓଲଟ ପାଲଟ କରି ଦେଇଛି । ତା’ ପରେ ମାନବ-ମହନୀୟତା ନେଇ ଯେତିକି ବିଶ୍ୱାସ ଆମ ମନଃ ପାତ୍ରରେ ଅବଶିଷ୍ଟଥିଲା, ଆଧୁନିକ ରାଜନୀତି ଓ ରଣନୀତି ସେତିକି ନିଃଶେଷ କରିଦେଇଛି । ଗୋଟିଏ ଦିଗରେ ଭୟଙ୍କର ଆଶାଭଙ୍ଗ, ଅନ୍ୟ ଦିଗରେ ସମସ୍ତ ପ୍ରତ୍ୟୟର (ତାହା ସହ ଆତ୍ମପ୍ରତ୍ୟୟ ମଧ୍ୟ) ଅବଲୁପ୍ତି, ସମସ୍ତ ମୂଲ୍ୟବୋଧର ବିନାଶ-ସମ୍ବାବନା ଓ ଚୂଡ଼ାନ୍ତ ମାନସିକ ନୈରାଶ୍ୟ, ଯେ କୌଣସି ମୂଲ୍ୟାୟନ ବା ବିଚାରକୁ ଅସାର କରିଦେଇଛି । ଜୀବନରେ କୌଣସି କ୍ଷେତ୍ରରେ ମୂଲ୍ୟ-ବିଚାରର ସ୍ପର୍ଦ୍ଧା ପୋଷଣ କରିବା ଆକଶ-କୁସୁମ ହେଲାବେଳେ, ସାହିତ୍ୟ-ସମାଲୋଚନା କ୍ଷେତ୍ରରେ ମୂଲ୍ୟାୟନକୁ ପୁନଃପ୍ରତିଷ୍ଠା କରିବାର ଉଦ୍ୟମ ମାନସିକ ବାଚଳତାର ହିଁ ପରିଚୟ ।

 

ଆଧୁନିକ କାଳର ସମାଲୋଚକ ସେଇଥପାଇଁ ବିଚାର କରନ୍ତି ନାହିଁ । କଲେ ମଧ୍ୟ, କାର୍ଯ୍ୟତଃ ସେ ତାକୁ ବିଚାର ବୋଲି ସ୍ୱୀକାର କରନ୍ତି ନାହିଁ । ସ୍ୱୀକାର କଲେ ମଧ୍ୟ ଗୁରୁତ୍ୱ ଆରୋପ କରନ୍ତି ନାହିଁ । ତ’ ର କାରଣ, ପ୍ରଥମତଃ, କୌଣସି ଅବିଚଳ ସାହିତ୍ୟଦର୍ଶରେ ପ୍ରାୟତଃ ସମସ୍ତେ ଅସ୍ଥାହୀନ । ଦ୍ୱିତୀୟତଃ, ବିଚାର କଲାଭଳି ଯଥେଷ୍ଟ ଆତ୍ମପ୍ରତ୍ୟୟ ସମାଲୋଚକଙ୍କର ନାହିଁ । ତୃତୀୟତଃ, ମୂଲ୍ୟାୟନ କ୍ରିୟାକୁ ଅର୍ଥହୀନ ଓ ପୁରୁଣାକାଳିଆ କହି ଉଡ଼େଇ ଦେଇ ପାରିଲେ ଅନେକଗୁଡ଼ିଏ ଅଶାନ୍ତି କବଳରୁ ନିଷ୍କୃତ ସମ୍ଭବ ।

 

ଜୀବନର ସକଳକ୍ଷେତ୍ରରୁ ମୂଲ୍ୟାୟନକୁ ଅପସାରିତ କରିବା ଅସମ୍ଭବ । ଏହାର ଅପର ନାମ ଆତ୍ମହତ୍ୟା । କିନ୍ତୁ ଯେ କୌଣସି ଗୋଟିଏ କ୍ଷେତ୍ରରେ ମୂଲ୍ୟାୟନକୁ ସ୍ୱୀକାର କରିନେଲେ, ଜୀବନର ସମସ୍ତ କ୍ଷେତ୍ରରେ ମୂଲ୍ୟାୟନ-ସ୍ୱୀକରଣର ଦାୟିତ୍ୱ ବହନ କରିବାକୁ ପଡ଼ିବ । ବିଶେଷତଃ ସାହିତ୍ୟ-ଆଲୋଚନା କ୍ଷେତ୍ରରେ ବିଚାରକୁ ସଂପୂର୍ଣ୍ଣ ବାଦ ଦେଲେ, ସାହିତ୍ୟ-ଆଲୋଚନାର ମୂଳ ପ୍ରେରଣା ଶେଷ ପର୍ଯ୍ୟନ୍ତ ଅତୃପ୍ତ ହୋଇ ରହିଯାଏ । ସାହିତ୍ୟପାଠକ ସାହିତ୍ୟର ରସ କେବଳ ଆସ୍ୱାଦନ କରନ୍ତି ନାହିଁ, ତାହା ସହ ରସର ତାରତମ୍ୟ ମଧ୍ୟ ସେ ଉପଲବ୍ଧ କରିଥାଆନ୍ତି । (କୌଣସି ସହୃଦୟ ପାଠକଙ୍କର ମନ ସାଦାକାଗଜ ଭଳି ଅନୁଭୂତି-ଚିହ୍ନହୀନ ବା ନିଷ୍କ୍ରିୟ ନୁହେଁ ; ବୋଧର ସହିତ ତୁଳନା ଓ ତାରତମ୍ୟର ଚେତନା ଓତପ୍ରୋତ ଭାବେ ଜଡ଼ିତ ।) ଶିଳ୍ପ ସମ୍ବୋଗଗତ ତାରତମ୍ୟ ଭିତରେ ତୁଳନାର ଉପସ୍ତିତ ଅନିବାର୍ଯ୍ୟ । ଏହି ତୁଳନା ସାହିତ୍ୟଗୁଣର ଅନୁଗତ । ଗୁଣ ସଂପର୍କରେ ସଚେତନତା ମୂଲ୍ୟବୋଧ ପ୍ରତିଷ୍ଠା କରେ ତଥା ମୂଲ୍ୟାୟନକୁ ଉତ୍ସାହିତ କରେ । ଆସ୍ୱାଦନରେ ସମାଲୋଚନାର ଆରମ୍ଭ, ବିଚାରରେ ତା’ର ପରିଣତି । କିନ୍ତୁ ଆସ୍ୱାଦନ ମଧ୍ୟ ଅବିମିଶ୍ର ନୁହେଁ, ତାହା ବିଚାର-ମିଶ୍ରିତ । ଠିକ୍‌ ସେହିଭଳି ବିଚାର କଲାବେଳେ ଆସ୍ୱାଦନଗତ ଅନୁଭୂତିରେ ଅନୁପ୍ରବେଶ ଘଟିଥାଏ । ପ୍ରକୃତ କ୍ଷେତ୍ରରେ ରସସ୍ୱାଦନ ଓ ମୂଲ୍ୟାୟନ ସମକାଳରେ ପାଠକର ମନରେ ଘଟିଥାଏ-। ମୂଲ୍ୟାୟନ, ମୂଲ୍ୟବୋଧ ଓ ବିଚାର ମାନଦଣ୍ଡର ସ୍ଥିତିକୁ ଯେତେ ଅସ୍ତିତ୍ୱହୀନ ମନେ କଲେ ବି ଆମର କର୍ଯ୍ୟ ପରମ୍ପରା ତାହାର ଅସ୍ତିତ୍ୱକୁ ଦୃଢ଼ ଭାବରେ ପ୍ରତିଷ୍ଠା କରେ । ସମୟ ଚାପରେ ମୂଲ୍ୟବୋଧ ଅପାଙ୍‍କ୍ତେୟ ମନେ ହେଲେ ବି ମଣିଷ ସଭ୍ୟତାର ସ୍ଥିତ ପ୍ରମାଣ କରେ ଯେ ଏହାର ନିଶ୍ଚିତ ମୃତ୍ୟୁ ସମ୍ଭବ ହୋଇପାରେ ନାହଁ । ସାହିତ୍ୟ-ଅଧ୍ୟୟନ ପାଇଁ ଉତ୍ସୁକ ହେବା, ସାହିତ୍ୟ-ସମାଲୋଚନାରେ ପ୍ରବୃତ୍ତ ହେବା, ସର୍ବୋପରି ସାହିତ୍ୟକୁ ମୂଲ୍ୟବାନ ଜ୍ଞାନ କରିବା ଇତ୍ୟାଦି କ୍ରିୟା ମୂଲ୍ୟବୋଧର ଅସ୍ତିତ୍ୱ ନେଇ ନିସଃହାୟ ପ୍ରମାଣ ।

 

ମୂଲ୍ୟାୟନ ପାଠକ ଓ ସମାଲୋଚକଙ୍କ ଚିତ୍ତର ସ୍ୱଧର୍ମ । ପାଠକ ବା ସମାଲୋଚକ ସ୍ୱକୃତ ମୂଲ୍ୟାୟନକୁ ବେଳେ ବେଳେ ନିଚ୍ଛକ ବ୍ୟକ୍ତିଗତ ରୁଚିର ଖାମଖୟାଲ ରୂପରେ ଉପସ୍ଥାପିତ କରିଥାନ୍ତି । ବୋଧହୁଏ ଏହିଭଳି ଆତ୍ମପ୍ରତାରଣା (?) ଅନ୍ତରାଳରେ ରହଛି ନିଭରସାର ଅଭାବ, ତର୍କ ଭିତରକୁ ନ ପଶିବାର ଇଚ୍ଛା, ନିଜକୁ ଭଲ ଲାଗିବା ଓ ନ ଲାଗିବା କେବଳ ନିଜ ମନର ଅହେତୁକ ଲୀଳା–ଏହା କଥା ଛଳରେ କୁହାଯାଇପାରେ ସିନା, ବକ୍ତାର ପ୍ରକୃତ ବିଶ୍ୱାସ ପ୍ରକଟିତ କରେ ନାହିଁ । ସାହିତ୍ୟରେ ଭଲ ଓ ମନ୍ଦ ବୋଲି କିଛି ନାହିଁ–କାର୍ଯ୍ୟକ୍ଷେତ୍ରରେ ଏହାକୁ ସତ୍ୟ ଭାବରେ ଗ୍ରହଣ କରିନେବାର ମନୋବୃତ୍ତି ବା କନ୍‌ଭିକ୍ସନ୍‌ (Conviction)ର ଅଭାବ ଆଧୁନିକ ମାନସିକତାର ଧାତୁଗତ ଅକ୍ଷମତା । ସମାଲୋଚକ ତାଙ୍କର ସ୍ୱଧର୍ମର ଅନୁସରଣରେ ନିଜର ବୋଧ ବା ରୁଚିକୁ ସ୍ୱୀକାର କରିନେଇ, ଯୁକ୍ତିକୁ ଭିତ୍ତି ରୂପରେ ଗ୍ରହଣ କରୁ ଅନୁସନ୍ଧାନ କରିପାରନ୍ତି । କିନ୍ତୁ ମୂଳରୁ ଉକ୍ତ ଯୁକ୍ତି ଭିତ୍ତିର ଗ୍ରହଣ ଯୋଗ୍ୟତା ଓ ସାମର୍ଥ୍ୟ ସମ୍ପର୍କରେ ସନ୍ଦେହ କରି ବସିଲେ, ସମାଲୋଚନା କାର୍ଯ୍ୟରେ ପ୍ରବୃତ୍ତହୋଇ ପାରନ୍ତି ନାହିଁ । ଏଭଳି ସନ୍ଦେହ ସମାଲୋଚନା ପ୍ରବୃତ୍ତିର ମୌଳ ଉତ୍ସକୁ ନସ୍ୟାତ କରିଦିଏ । ସମାଲୋଚକଙ୍କର ପ୍ରାଥମିକ ଦାୟିତ୍ୱ ହେଲା, ନିଜର ମୂଲ୍ୟାୟନକୁ ଯଥାସମ୍ଭବ ତଥ୍ୟ ଓ ସତ୍ୟ-ପରିଚୟ ଉପରେ ପ୍ରତିଷ୍ଠିତ କରିବା । ମୂଲ୍ୟାୟନରେ ଯଥାସମ୍ଭବ ସାର୍ବଜନୀନ ଓ ବସ୍ତୁମୂଖୀ ମାନଦଣ୍ଡର ପ୍ରୟୋଗ କରିବା । ଏଭଳି ଏକ ମାନଦଣ୍ଡ ଅଜ୍ଞାତ ଭାବରେ ଯୁଗପତ୍‍ ତାଙ୍କର ରୁଚି ଓ ବିଚାରଶୀଳତା ଦ୍ୱାରା ସମର୍ଥିତ ହୋଇଥାଏ । ମାନଦଣ୍ଡ ସ୍ଥିର କରିବା ପରେ ଆଉ ଅଧିକ ଦୂର ତତ୍ତ୍ଵ ଅଭିମୁଖରେ ସମାଲୋଚକ ଅଗ୍ରସର ହେବା ଅନାବଶ୍ୟକ । ଅଧିକ ଦୂର ଗଲେ ସମାଲୋଚକ ସାହିତ୍ୟ ସମାଲୋଚନା କାର୍ଯ୍ୟ ଛାଡ଼ି ଦର୍ଶନ ବା ପ୍ରାୟୋଗିକ ବିଦ୍ୟାର ଅଭ୍ୟନ୍ତରରେ ପ୍ରବେଶ କରିବାର ସମ୍ଭାବନା ଅଧିକ । ତା’ ବୋଲି ନିର୍ଦ୍ଦିଷ୍ଟ ଲକ୍ଷ୍ୟଠାରୁ କମ୍‌ବାଟ ଯିବା, ଅର୍ଥାତ୍‌ କୌଣସି ମାନଦଣ୍ଡ ଗ୍ରହଣକୁ ସଚେତନ ଭାବରେ ପରିତ୍ୟାଗ କରି ମୂଲ୍ୟାୟନକୁ ଏଡ଼ାଇଯିବା ସମାଲୋଚକଙ୍କର ପରିଶୀଳନର ଦୁର୍ବଳତା ହିଁ ସୂଚିତ କରେ ।

 

କେବଳ କୌଣସି ସାହିତ୍ୟ ସୃଷ୍ଟି ଭଲ ଲାଗିବା ବା ନ ଲାଗିବା କଥା କହି ସମାଲୋଚକ ତାଙ୍କର କାର୍ଯ୍ୟ ଶେଷ କରିଦେଲେ, ତାହା ଶେଷରେ ବ୍ୟକ୍ତିଗତ ନିନ୍ଦା ପ୍ରଶଂସାର ଖସରା ରୂପରେ ବିବେଚିତ ହୁଏ–ରୋମାଣ୍ଟିକ ସମାଲୋଚନାର ପରିଣାମରୁ ଆଧୁନିକ ସମାଲୋଚକ ଏ ସମ୍ପର୍କରେ ସଚେତନ । ସମାଲୋଚକଙ୍କୁ କୌଣସି ଲେଖା ଭଲ ଲାଗିବା ନ ଲାଗିବାର ‘କାରଣ’ ବା ‘ହେତୁ’ ଦେଖାଇବାକୁ ପଡ଼ିବ । ଏହି କାରଣ ଦେଖାଇବା ଛଳରେ ରଚନାର ସାହିତ୍ୟିକ–ମୂଲ୍ୟ ସମ୍ପର୍କରେ ଜ୍ଞାତ ବା ଅଜ୍ଞାତ ସାରରେ ଗୋଟିଏ ‘ରାୟ‘ ଦେବା ସମାଲୋଚକଙ୍କ ପକ୍ଷେ ଅପରିହାର୍ଯ୍ୟ । ଏହି ‘ରାୟ’ ସେଭଳି ମନମୁଖୀ ନୁହେଁ, ସେଭଳି ଆପ୍ତବାକ୍ୟ ମଧ୍ୟ ନୁହେଁ । ଏହା ବ୍ୟକ୍ତିଗତ ରସବୋଧ ଓ ସର୍ବଗତ ବିଚାର ବୁଦ୍ଧି ସମ୍ମିଳିତ ମୂଲ୍ୟ-ବିଚାର ତତ୍‌ଗତ, ନିରପେକ୍ଷ ଓ ସାର୍ବଜନୀନ ରସ ବିଚାର ।

 

ଆଧୁନିକ ସମାଲୋଚକଙ୍କର ମୂଲ୍ୟାୟନ ପ୍ରତି ବିମୁଖତା ଓ ବିଚାରକୁ ଅସ୍ୱୀକାର କରିବା ମନୋବୃତ୍ତି ଉପରୋକ୍ତ ତତ୍ତ୍ୱଗତ ଅଜ୍ଞତା ଉପରେ ଆଧାରିତ ତାହା ନୁହେ । ବରଂ ଏହି ତତ୍ତ୍ୱ ସମ୍ପର୍କରେ ସେ ଅଧିକ ସଚେତନ । ଜାଣି ନ ଜାଣିଲା ପରି ବିଚାର ବିମର୍ଷ ପ୍ରତି କୁଣ୍ଠା ବୈରାଗ୍ୟ ପ୍ରଦର୍ଶନର କାରଣ ଅନ୍ୟତ୍ର ନିହିତ । ତାହା ନିଚ୍ଛକ ସାହିତ୍ୟିକ ବା ଦାର୍ଶନିକ କାରଣ ନୁହେଁ–ପ୍ରଧାନତଃ ସାମାଜିକ, ରାଜନୈତିକ ଓ ଐତିହାସିକ କାରଣରୁ ଏହି ବିଚାର-ପରାଙ୍‌ମୁଖତାର ଉଦ୍‍ଭବ । ଆଧୁନିକ ଜୀବନକୁ ଆକ୍ରାନ୍ତ କରିଥିବା ବ୍ୟାଧି ସାହିତ୍ୟ-ସମାଲୋଚନାକୁ ମଧ୍ୟ ସଂକ୍ରମିତ-। କୁଣ୍ଠା, ଆତ୍ମସଂକୋଚ ଓ ନିରାପତ୍ତା-ନୀତି (Principle of safty first) ଆଧୁନିକ ସମାଲୋଚନାର ମର୍ମମୂଳରେ ଯାଇ ବସା ବାନ୍ଧିଛି ! ସେଇ ଅନୀତିଗୋପନ ଓ ହୀନମନ୍ୟତା ଠକାମି ଓ ଭଣ୍ଡାମୀର ଭୟ । ସମାଲୋଚନାକୁ ଗ୍ରାସ କରିଥିବା ଏହି କ୍ଲୈବ୍ୟ ସାଂପ୍ରତିକ କାଳର ପ୍ରଧାନ ସଂକଟ ।

 

॥ ଦୁଇ ॥

 

ରୋମାଣ୍ଟିକତାର ଗୌରବ ଯୁଗ ଆଜି ଅତିକ୍ରାନ୍ତ, କିନ୍ତୁ ତା’ର ସମସ୍ତ ସମ୍ପଦ କ’ଣ ନିଃଶେଷ ହୋଇଯାଇଛି ? ଅତୀତ ବର୍ତ୍ତମାନ ଭିତରେ ଯେଉଁଭଳି ଆଶ୍ରୟ ଲାଭ କରେ, ଆଧୁନିକ ସମାଲୋଚନାରେ ସେହିଭଳି ଭାତରେ ରୋମାଣ୍ଟିକ୍‌-ସମାଲୋଚନାର କିଛି ଅଂଶ ସ୍ଥାନ ପାଇପାରେ କି ନାହିଁ ? ଅପର ପକ୍ଷରେ, ବିଂଶ ଶତକର ପ୍ରଥମାର୍ଦ୍ଧରେ କ୍ଲାସିକ ମାନସିକତାର ପୁରୋଗମନର ଦେଖା ଦେଇଥିବା ସମ୍ଭାବନା, ସତରେ କ’ଣ ଏକ ନବତର କ୍ଲାସିକ ଯୁଗର ସମାଲୋଚନା ? ଏସବୁ ପ୍ରଶ୍ନର ଉତ୍ତର ପ୍ରତିଲୋମଗତିରେ ଯାଇ ଟିକେ ପଛରୁ ଖୋଜିବାକୁ ପଡ଼ିବ ।

 

ସନାତନ ମାନଦଣ୍ଡ ଓ ସାର୍ବଜନୀନ ବୁଦ୍ଧି ; ଏହି ଉଭୟ ଉପରେ ରୋମାଣ୍ଟିକ୍‌ ସାହିତ୍ୟ ସମାଲୋଚନାର ପ୍ରଚଣ୍ଡ ଅନାସ୍ଥା । ତା’ର ଆସ୍ଥା କଳ୍ପନା ଶକ୍ତି, ଦୈବୀ ପ୍ରେରଣା, କବି ପ୍ରତିଭାର ଅଘଟଣ-ସଂଘଟନକାରୀ ଶକ୍ତି ଉପରେ । ସ୍ୱୈରବାଦୀ (Romanticist) ସାହିତ୍ୟ ସମାଲୋଚକଙ୍କ ମତରେ ପ୍ରତିଭା ପ୍ରକୃତି-କୃତ ନିୟମର ଅଧୀନ ନୁହେଁ, ସୃଜନର ରହସ୍ୟ ବୁଦ୍ଧିର ଅଧିଗମ୍ୟ ନୁହେଁ । ମନଃ-ବିଶ୍ଲେଷଣର ଶାସ୍ତ୍ରଗତ ପ୍ରସିଦ୍ଧି ଓ ପ୍ରସାରର ବହୁ ଆଗରୁ ସେମାନେ ଘୋଷଣା କରି ଆସିଛନ୍ତି ଯେ, କଳା ବା ଆର୍ଟ (art) ମୂଳତଃ ‘ଅବୁଦ୍ଧି ଲୋକର’ କ୍ରିୟା । କଳାର ରହସ୍ୟ-ବିଶ୍ଲେଷଣ ସହଜ ବୁଦ୍ଧିରେ ଧରା ପଡ଼େନାହିଁ । ସେହି କାରଣରୁ ରୋମାଣ୍ଟିକ ସମାଲୋଚକଙ୍କ ମତରେ ସାହିତ୍ୟ ସମାଲୋଚନାରେ ବିଚାର-ବିଶ୍ଲେଷଣ, ମୂଲ୍ୟାୟନରେ ପ୍ରବେଶ-ନିଷେଧ । ସାହିତ୍ୟ ହେଲା ହୃଦୟ ଦେଇ ହୃଦୟ ଅନୁଭବରୁ କ୍ଷେତ୍ର । ବିଚାରକ ଭୂମିକା ନେଇ ସାହିତ୍ୟ ସମାଲୋଚନାରେ ପ୍ରବୃତ୍ତ ହେବା ପଦ୍ମବନରେ ମତ୍ତହାତୀ ପଶିବା ସହ ସମାନ ।

 

ରୋମାଣ୍ଟିକ ସମାଲୋଚନାର କାର୍ଯ୍ୟ ହେଲା ସାହିତ୍ୟଗତ ଅନୁଭୂତିକୁ ଅନୁଭବ କରିବା ଓ ଅନୁଭବ କରେଇବା । ଫଳରେ ଏହି ଧରଣର ସମାଲୋଚନା ମୂଳତଃ ଆବେଗ ଆଶ୍ରିତ ଓ କଳ୍ପନାଭିତ୍ତିକ । ସାହିତ୍ୟ-ଇତିହାସ ପ୍ରତି ଦୃକ୍‍ପାତ କଲେ ଦେଖାଯାଏ, ଏହି କଳ୍ପନାଭିତ୍ତିକ ହାର୍ଦ୍ଦ୍ୟ ସମାଲୋଚନା ଅଗ୍ରସର ହୋଇଛି ପାଖାପାଖି ଦୁଇଟି ପଥରେ, ଦୁଇଟି ସ୍ୱତନ୍ତ୍ର ଧାରାରେ । ପ୍ରଥମତଃ, ବସ୍ତୁମୁଖୀ (objective) ବିଚାର ପରିବର୍ତ୍ତରେ ବ୍ୟକ୍ତିଗତ ରୁଚିର ବିଚାର । ତା’ ଠାରୁ ଆଉଟିକେ ଦୂରବର୍ତ୍ତୀ ହେଲା, ଭଲ ମନ୍ଦ ଲାଗିବାର ବିଶ୍ରାମ୍ଭଳାପ । ଏହି ପ୍ରକାର ସମାଲୋଚନାର ଶେଷ ସ୍ତର ହେଲା, ସ୍ୱାଧୀନ ରସସଷ୍ଟି ଅର୍ଥାତ ଇମ୍ପ୍ରେ ସନିଷ୍ଟ ସମାଲୋଚନା (Impressionist Criticism), ନ ହେଲେ ବିଶୃଦ୍ଧ ଆତ୍ମ କଣ୍ଡୁ-ତୃପ୍ତି । ଅଧିକାଂଶ ସ୍ଥଳରେ ଏହି ସମସ୍ତ ଯୁଗପତ୍ ପ୍ରକାଶିତ ହୋଇଥାଏ । ଏହି ଧାରାର ଗୋଟିଏ ବିଶିଷ୍ଟ ରୂପ ହେଲା ପୁନଃ-ସୃଷ୍ଠି ଧର୍ମୀ (Re-creative) ସମାଲୋଚନା-ସମାଲୋଚ୍ୟ ବିଷୟର ଶୈଳ୍ପିକ ପୁନଃ-ଗଠନ । କାର୍ଯ୍ୟତଃ ସର୍ଜ୍ଜନାତ୍ମକ ସମାଲୋଚନା ଏକ ସ୍ୱାଧୀନ ସୃଷ୍ଟି । ତତ୍ତ୍ୱ ଦୃଷ୍ଟିରୁ ପୁନଃ-ଗଠନର କଥା କୁହାହେଲେ ବି, ବସ୍ତୁତଃ ଏହି ସମାଲୋଚନା ମଧ୍ୟ ଦେଇ ଏକ ନୂତନ ସୃଷ୍ଟିର ଅଭ୍ୟାଗମ ଘଟିଥାଏ । ରୋମାଣ୍ଟିକ୍‌ ସମାଲୋଚନା ସମାଲୋଚକଙ୍କର ନିଜସ୍ୱ ଆତ୍ମପ୍ରକାଶ । ରୋମାଣ୍ଟିକ୍‌ ସମାଲୋଚନାର ସବୁ ଧାରା ବହିଆସି, ଗୋଟିଏ ଅଭିନ୍ନ ତୀର୍ଥରେ ସବୁ ଧାରାର ସଙ୍ଗମ ଘଟିଛି, ଯାହାର ନାମ ସମାଲୋଚକଙ୍କର ‘ଅହଂ’ ।

 

ରୋମାଣ୍ଟିକ୍‌ ସମାଲୋଚନାର ଦ୍ୱିତୀୟ ଧାରା କିଛିଦୂର ପ୍ରଥମ ଧାରା ସହ ସମାନ୍ତରାଳ ଓ ନିକଟବର୍ତ୍ତୀ ହୋଇ ଅଗ୍ରସର ହେଲା ପରେ ବିପରୀତ ଦିଗରେ ଭିନ୍ନ ମୋଡ଼ ନେଇଛି । ତା’ର ଲକ୍ଷ୍ୟ ଅନ୍ୟ ଏକ ତୀର୍ଥର ସଙ୍ଗମ । ଏହାର ପଥ ହେଉଛି ତଥ୍ୟ-ସନ୍ଧାନର ପଥ । ସଂପୃକ୍ତ ପଥରେ ସମା-ଲୋଚକ ଯେତେ ଆଗେଇଛନ୍ତି, ତାଙ୍କର ଅହଂ ସେତେ କ୍ଷୀଣତର ହୋଇ କ୍ରମଶଃ ଅଦୃଶ୍ୟ ପ୍ରାୟ ହୋଇଯାଇଛି । ମୂଳରୁ ରୋମାଣ୍ଟିକ୍‌ ଉତ୍ସରୁ ଉତ୍ସାରିତ ହେଲେହେଁ ଆବେଗ ଓ ଅସଂଯମ ପରିତ୍ୟାଗ କରୁ କରୁ, ବ୍ୟକ୍ତିମୁଖୀ ଓ ଅନୁଭୂତିଗମ୍ୟ (empirical) ଅନୁସନ୍ଧାନ ପଥରେ ଆଗେଇ ଯାଇଛି । ଏହି ଦ୍ୱିତୀୟ ଧାରା ତା’ର ଗନ୍ତବ୍ୟ ମାର୍ଗରେ ବହୁଶ୍ରେଣୀର ଭିନ୍ନ ଗୋତ୍ରର ରୋମାଣ୍ଟିକ୍‌ ବିରୋଧୀ ସମାଲୋଚନର ସମ୍ପର୍କରେ ଆସି ନିଜକୁ ନୂତନ ଭାବରେ ସଙ୍ଗଠିତ କରିଛି । ସାତ ବ୍ୟୋଭ ଓ ଟେଇନ (ଉଭୟଙ୍କ ଦୃଷ୍ଟିଭଙ୍ଗୀ ଓ ମାନସିକତା ମଧ୍ୟରେ ପ୍ରଭୂତ ପାର୍ଥକ୍ୟ ଥିବା ସତ୍ତ୍ୱେ) ଏହି ଧାରାର ଶ୍ରେଷ୍ଠ ସମାଲୋଚକ । ଶେଷରେ ଏହି ତଥ୍ୟାନୁସନ୍ଧାନର ପଥ ଯାଇ ମିଶିଛି ଖୋଦ ବିଜ୍ଞାନର ଇଲାକାରେ । ବିଜ୍ଞାନର ସାହାଯ୍ୟ ନେବାକୁ ଯାଇ ସମାଲୋଚକ ନିଜେ ବିଜ୍ଞାନର ମାନସିକତା ଅର୍ଜନ କରିଛନ୍ତି, ସାହିତ୍ୟ-ସମା-ଲୋଚନାକୁ ବିଜ୍ଞାନର ଏକ ବିଶିଷ୍ଠ ଶାସ୍ତ୍ର ଭାବରେ ଦେଖିବାକୁ ଆରମ୍ଭ କରୁଛନ୍ତି । ଆଜିର ବହୁଖ୍ୟାତ ବୈଜ୍ଞାନିକ-ସମାଲୋଚନା ଓ ସଂମ୍ପୃକ୍ତ ବିଜ୍ଞାନମୁଖୀ ସମାଲୋଚନା କେତେକାଂଶରେ ଭିନ୍ନ । ତେବେ ଏଠାରେ ଏତିକି କୁହାଯାଇ ପାରେ ଯେ ରୋମାଣ୍ଟିକତା ଓ ରୋମାଣ୍ଟିକ୍‌ ସମାଲୋଚନା ବର୍ତ୍ତମାନ କାଳରେ ଘୋର ଦୁର୍ଦ୍ଦିନର ସମ୍ମୁଖୀନ ହୋଇଥିବାବେଳେ ତାହାର ଏକ ଧାରା ଆଜିର ବୈଜ୍ଞାନିକ ସମାଲୋଚନା ଭିତରେ ନବକଳେବର ଲାଭ କରି ବଞ୍ଚି ରହିଛି ।

 

ରୋମାଣ୍ଟିକ୍‌ ସମାଲୋଚନର ପ୍ରଥମୋକ୍ତ ଧାରା ସମ୍ପର୍କରେ ଅଧିକ ଆଲୋଚନା ନିଷ୍ପ୍ରୟୋଜନ । ବ୍ୟକ୍ତିମୁଖୀ ଓ ଅହଂସର୍ବସ୍ୱତାର ଅବଶ୍ୟମ୍ଭାବୀ ପରିଣାମ ସର୍ବବିଦିତ । ବିଚାର ବୁଦ୍ଧିକୁ ସନ୍ଦେହ କରିବା ଫଳରେ ଏହି ସମାଲୋଚନା ଧାରାରେ ବେପରୁଆ ଓ ଦୁଃସାହସୀ ଆପ୍ତବାକ୍ୟ, ଅସୁସ୍ଥ ଭାବ-ବିଳାସ, ଅସ୍ପଷ୍ଟତାର ଧୃମଜାଲ ଇତ୍ୟାଦି ପାଇଁ ପଥ ଉନ୍ନୁକ୍ତ ମୂଳ ବିଷୟବସ୍ତୁର ନିଃଶଦ୍ଦ ଅପସାରଣର ଆୟୋଜନ ମଧ୍ୟ ତ୍ରୁଟିହୀନ । କ୍ଲାସିକ-ପନ୍ଥିମାନଙ୍କରେ ସନାତନ-ଆଦର୍ଶରେ କିମ୍ବା ବୁଦ୍ଧିର ବହୁ ବିଘୋଷିତ ସାର୍ବଭୌମତ୍ୱରେ ଯାହାଙ୍କର ସାମାନ୍ୟତମ ଆସ୍ଥା ନାହିଁ ସେମାନେ ମଧ୍ୟ ରୋମାଣ୍ଟିକ୍‌ ଆଦର୍ଶର ପରିଣାମ ଦେଖି ଆଶ୍ଚର୍ଯ୍ୟ-ବିମୁଢ଼ ।

 

ରୋମାଣ୍ଟିକ୍‌ ସମାଲୋଚନାର ବିଶୃଙ୍ଖଳା ଓ ଅସଙ୍ଗତି ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କ୍ଲାସିକ-ଆଦର୍ଶର ଆଂଶିକ ପୁନଃ-ଅଭ୍ୟୁତ୍‌ଥାନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲା । ଅନୁଭୂତିର ଅମିତ-ଚାରର ସ୍ୱାଭାବିକ ପ୍ରତିକ୍ରିୟା ଅନୁଭୂତି-ବର୍ଜନ । ବୁଦ୍ଧିର ପୁନଃ ଆକ୍ରମଣ ବୁଦ୍ଧି-ଅବଦମନର ଅନିବାର୍ଯ୍ୟ ପରିଣତି । ନିର୍ଲଜ ବ୍ୟକ୍ତିତ୍ୱ-ବିଳାସର ସ୍ୱାଭାବିକ ଫଳ ହେଲା ବ୍ୟକ୍ତି-ବିଶିଷ୍ଟତାର ବିଲୋପ-ଚେଷ୍ଟା-impersonality ବା de-personalisation ସାଧନା-ଯାହାର ଅପର ନାମ ନୈରାତ୍ମ୍ୟ-ସାଧନା । ଐତିହ-ଅସ୍ୱୀକାରର ପ୍ରତକ୍ରିୟା ପ୍ରବଳ ଐତିହ୍ୟନିଷ୍ଠା । ବିଂଶ ଶତକର ନବ୍ୟ-କ୍ଲାସିକ ପନ୍ଥୀମାନଙ୍କର ମନୋଭାବରେ ଏହି ପ୍ରତିକ୍ରିୟାଶୀଳତାର ସବୁଗୁଡ଼ିକ ରୂପ ସୁପରିସ୍ଫୁଟ । ନବ୍ୟ-କ୍ଲାସିସିଜମ (New-Classicism)ର ନଡ଼ର୍ଥକ ଦିଗ ଯେତିକି ଶକ୍ତିଶାଳୀ, ତା’ର ସମର୍ଥକ ଦିଗ ସେତିକି ଶକ୍ତିଶାଳୀ ନୁହେଁ ।

 

ଆସ୍ତିସୂଚକ ଦିଗ ଦୁର୍ବଳ ହୋଇଥିବାରୁ ବିଂଶ ଶତାବ୍ଦୀରୁ କ୍ଲାସିସିଜମ ମହତ୍ତ୍ୱର ସମ୍ଭାବନାର ଅଗ୍ରଦୂତ ହୋଇପାରି ନାହିଁ । ନବ୍ୟ କ୍ଲାସିସିଜମ ଅଭ୍ୟୁଦୟର ବହୁ ବର୍ଷ ପରେ ଆଜି ସ୍ୱଷ୍ଟ ଯେ, ବାବିଟ୍‌ ପ୍ରମୁଖ ମାନବବାସୀ ବା ହ୍ୟୁମାନିଷ୍ଟ କିମ୍ବା ଏଲିୟଟ ପ୍ରମୁଖ ନବା-କ୍ଲାସିକ ପନ୍ଥୀମାନଙ୍କର ଆକ୍ରମଣରେ ରୋମାଣ୍ଟିକ ଭାବାଦର୍ଶର ଏକାଧିପତ୍ୟ ବିଲୟ ରହିଛି । କିନ୍ତୁ ସୃଷ୍ଟି ଧର୍ମୀ ନ ହୋଇ ପ୍ରତିକ୍ରିୟାଶୀଳ ହୋଇଥିବାରୁ କ୍ଲାସିକଧର୍ମୀ ସମାଲୋଚନା ପକ୍ଷରେ ତା ପୁରୁଣାଦିନର ହଜି ଯାଇଥିବା ସିଂହାସନ ଫେରି ପାରିବା ସମ୍ଭବ ହୋଇନାହିଁ । ଆଧୁନିକ ଯୁଗଧର୍ମ ସନାତନ ଆଦର୍ଶ ପ୍ରତି ପ୍ରତିକୂଳାଚରଣ କରିବା ପାଇଁ ବଦ୍ଧପରିକର । କୌଣସି ବ୍ୟକ୍ତିବିଶେଷ ହୁଏତ ବିଶିଷ୍ଟ କୌଣସି ଧର୍ମନୀତି ଗୀର୍ଜା ବା ମନ୍ଦିରର ଶୀତଳ ଛାୟାରେ ଆଶ୍ରୟ ନେଇ ସାନ୍ତ୍ୱନା ଖୋଜିପାରନ୍ତି, କିନ୍ତୁ ଏହି ପଥକୁ ସଭ୍ୟତା ସଂସ୍କୃତ ବା ସାହିତ୍ୟର ରାଜପଥ ମନେ କରିବା ସମ୍ପୂର୍ଣ୍ଣ ଯୁକ୍ତିହୀନ । ସାହିତ୍ୟ ସୃଷ୍ଟିରୁ ଅପରିହାର୍ଯ୍ୟ ସର୍ତ୍ତ ହେଲା ବଳିଷ୍ଠ ଜୀବନାଦର୍ଶ । ଜୀବନର ଭିତ୍ତିରେ ଆଦର୍ଶର ଅଭାବ ଘଟୁଥିବା ବେଳେ ସାହିତ୍ୟ କ୍ଷେତ୍ରରେ ସେହି ଆଦର୍ଶର ଅଭିମାନ-ପ୍ରକଟ କରିବା ନିତାନ୍ତ ଆତ୍ମତାରଣା ମାତ୍ର । ଜୀବନର ଆଦର୍ଶ ପଛକୁ ଫେରିଯିବା ନୁହେଁ, ଆଗକୁ ବଢ଼ିଚାଲିବା, ଧର୍ମ ଆଗତର ଆଦର୍ଶ, ନା ଆଗକୁ ନେଇଯିବା ଅର୍ଥ ଜୀବନର ଆଦର୍ଶକୁ ଅସ୍ୱୀକାର କରିବା । ଯେଉଁମାନେ ଧର୍ମ, ଗୀର୍ଜା ବା ମନ୍ଦିରକୁ ଫେରିଯାଇ ସୁସ୍ଥିର ଆଦର୍ଶ-ପ୍ରତିଷ୍ଠାର ଦିବାସ୍ୱପ୍ନ ଦେଖିଛନ୍ତି, ସେମାନେ ଆଦର୍ଶର ମୌଳ ଭିତ୍ତି–ଜୀବନାଦର୍ଶକୁ ଅସ୍ୱୀକାର କରିଛନ୍ତି । ଆଧୁନିକ କ୍ଲାସିକପନ୍ଥୀ ଏହି ଦ୍ଵନ୍ଦ୍ଵ ଓ ଆତ୍ମପ୍ରତାରଣାରେ ପୀଡ଼ିତ ।

 

ରୋମାଣ୍ଟିକ୍‌ ସମାଲୋଚନାର ଅଧୋଗତି ବା ଅପମୃତ୍ୟୁ ଆଜିର ସମାଲୋଚନା ପକ୍ଷେ ଅବିମିଶ୍ର ଲାଭଫଳ ; ଏଭଳି ମନେ କରିବା ଅସଙ୍ଗତ । ରୋମାଣ୍ଟିକ୍‌ ସମାଲୋଚନାରୁ ଆଧୁନିକ ସମାଲୋଚନାର କିଛି ନେବାର ନାହିଁ; ନୁହେଁ । କଳ୍ପନା ବା ଅନୁଭୂତିର ଆତିଶଯ୍ୟକୁ ଅସ୍ୱୀକାର କରାଯାଇପାରେ । କିନ୍ତୁ ଯଥାଯଥ ସ୍ଥାନରେ ଏହାର ନିର୍ଦ୍ଦିଷ୍ଟ ଭୂମିକାରୁ ଅସ୍ୱୀକାର କରାଯାଇପାରିବ ନାହିଁ । ସଂଯମ, ବୁଦ୍ଧି ଓ ଐତିହ୍ୟର ଗୁତୁତ୍ୱ ଅବଶ୍ୟ ସ୍ୱୀକାର୍ଯ୍ୟ, ମାତ୍ର ଏସବୁର ଆତିଶଯ୍ୟ ମଧ୍ୟ ବର୍ଜନୀୟ । ସାହିତ୍ୟ କେବଳ ସଚେତନ ମନ ବା ବୁଦ୍ଧି ଲୋକର କ୍ରିୟା ନୁହେଁ । କଳ୍ପନା-କ୍ରିୟା ମଧ୍ୟରେ ଅବୁଦ୍ଧି ଲୋକ (unconscious) ବା ଅଚେତନ ମନର ଭୂମିକା ସେ ଅନେକ ବେଶୀ, ଆଧୁନିକ ସମାଲୋଚକ ଏହା ଅସ୍ୱୀକାର କରିପାରିବେ ନାହିଁ । ବିଶ୍ଲେଷଣ ବୁଦ୍ଧିର ଦିବାଲୋକରେ ସ୍ପଷ୍ଟ ହେଉଥିବା ସାହିତ୍ୟର ଅଂଶ ବିଶେଷରେ ତା’ର ପୂର୍ଣ୍ଣ ପରିଚୟ ନିହିତ, ଆଧୁନିକ ସମାଲୋଚକଙ୍କ ପକ୍ଷରେ ଏଭଳି ମିଥ୍ୟାର ଆଶ୍ରୟ ନେବା ଅନାବଶ୍ୟକ ।

 

ସମାଲୋଚ୍ୟ ସାହିତ୍ୟକୃତିର ଶୈଳ୍ପିକ ପୁନର୍ଗଠନ ସମାଲୋଚନାର ଅନ୍ୟତମ ଉଦ୍ଦେଶ୍ୟ । ସମାଲୋଚନାର ପ୍ରାଥମିକ ସର୍ତ୍ତ ହେଲା ସମାଲୋଚ୍ୟ କୃତିର ସତ୍ୟ ଓ ଯଥାଯଥ ପରିଚୟ ଉପସ୍ଥାପନା । ବିଚାର୍ଯ୍ୟ ବିଷୟର ସତ୍ୟ ପରିଚୟ ସ୍ପଷ୍ଟ ହୋଇ ନ ଉଠିଲେ ସାହିତ୍ୟ-କୃତିର କଳାରୂପ ପାଠକ ବା ସମାଲୋଚକଙ୍କ ଧ୍ୟାନ ଭିତରେ ଜୀବନ୍ତ ଓ ମୃତ ହୋଇ ପ୍ରକଟ ନହେଲେ, ସତ୍ୟ ବିଚାର ସମ୍ଭବ ନୁହେଁ । ଏହି ପରିଚୟର ପ୍ରଥମ ଅବଲମ୍ବନ ସାହିତ୍ୟ-କୃତିର ଟେକ୍ସଟ୍‌ (Text) ବା ମୁଦ୍ରିତ ପାଠ । କିନ୍ତୁ ଟେକ୍‍ସଟ୍‍ ଜଡ଼ବସ୍ତୁ ମାତ୍ର । ସେଥିରେ ପ୍ରାଣ ସଂଚାର ହେବା ଆବଶ୍ୟକ । ଗୋଟିଏ ଦିଗରେ ଜୀବନରେ ଅଭିଜ୍ଞତାର ଆସ୍ୱାଦ । ଜୀବନର ପ୍ରତ୍ୟକ୍ଷ ଚେତନା; ଅପରିଦିଗରେ ସୃଜନଶୀଳ କଳ୍ପନା ଉଭୟର ଶୁଭ ସଂଯୋଗରେ ମୁଦ୍ରିତପାଠ ପ୍ରାଣବାନ ହୁଏ । ସମାଲୋଚନାରେ ଏହି ପୁର୍ନଗଠନ ପକ୍ରିୟା ସବୁ ସମୟରେ ଚାଲିଥାଏ । ସାର୍ଥକ ସାହିତ୍ୟ ଅଧ୍ୟୟନ ଯେଭଳି ସର୍ଜନାତ୍ମକ ସାହିତ୍ୟ-ଅଧ୍ୟୟନ, ସାର୍ଥକ ସାହିତ୍ୟ-ସମାଲୋଚନା ଠିକ୍‌ ସେହି ଅର୍ଥରେ ସବୁ ସମୟରେ ସର୍ଜନାତ୍ମକ ସାହିତ୍ୟ ସମାଲୋଚନା । କିଛି ପରିମାଣରେ ସୃଜନଶୀଳତା ସାହିତ୍ୟ ସମାଲୋଚନା ପାଇଁ ଅପରିହାର୍ଯ୍ୟ । ଏଭଳି ଏକ ସତ୍ୟକୁ ରୋମାଣ୍ଟିକ୍‌ ସମାଲୋଚକଗଣ ସବୁଠାରୁ ଭଲକରି ବୁଝିଥିଲେ । ରୋମାଣ୍ଟିକ୍‌ ମନୋବୃତ୍ତି ପ୍ରତି ଅଶ୍ରଦ୍ଧାବଶତଃ ଏହି ମୂଲ୍ୟବାନ ସତ୍ୟକୁ ଆଧୁନିକ ସାହିତ୍ୟ ସମାଲୋଚକ ପ୍ରାୟତଃ ବିସ୍ମୃତ ହୋଇଛନ୍ତି । ଅନିୟନ୍ତ୍ରିତ କଳ୍ପନାର ସ୍ୱେଚ୍ଛାଚାର କ୍ଷତିକାରକ ନିଶ୍ଚୟ । କିନ୍ତୁ ସୃଜନାତ୍ମକ–କଳ୍ପନାର ଅଭାବ ମଧ୍ୟ ସାହିତ୍ୟ ସମାଲୋଚନା ପକ୍ଷରେ କମ୍‌ କ୍ଷତିକାରକ ନୁହେଁ । ଆଧୁନିକ ‘ଟେକସଚୁଆଲ ସମାଲୋଚନା’ (Textual Criticism)ରେ ଏହି ଜାତୀୟ କ୍ଷତିର ଭୀତିପ୍ରଦ ନିଦର୍ଶନ ଆଜି ଅତ୍ୟନ୍ତ ସୁଲଭ ।

 

॥ ତିନି ॥

 

ପାଠ୍ୟଭତ୍ତିକ ବା ଟେକସଚୂଆଲ ସମାଲୋଚନା (Textual Criticism) ପ୍ରସଙ୍ଗ କୌଣସି ନୂଆ କଥା ନୁହେଁ, କିନ୍ତୁ ଆଧୁନିକ କାଳରେ ଏହି ସମାଲୋଚନାର ମନୋବୃତ୍ତି ସମ୍ପୂର୍ଣ୍ଣ ନୂଆ । ନୂତନ ପୃଷ୍ଠପୋଷକମାନଙ୍କ ସହାୟତାରେ ଏହାର ପରିଣତର ସମ୍ଭାବନା ମଧ୍ୟ ନୂତନ ।

 

ସମାଲୋଚ୍ୟ ସାହିତ୍ୟକୃତିର ମୁଦ୍ରିତ ପାଠ୍ୟ ବା ଟେକ୍‌ସଟକୁ ଏକାନ୍ତ ନିର୍ଭର ଭାବରେ ଗ୍ରହଣ କରିବା, ସମାଲୋଚନାକୁ ଟେକ୍‌ସଟର ନିର୍ଦ୍ଦିଷ୍ଟ ପରିଧି ଭିତରେ ବନ୍ଦୀ କରି ରଖିବା, ଆଧୁନିକ ଟେକ୍‍ସଚୁଆଲ ସମାଲୋଚନାର ପ୍ରଧାନତମ ଉଦ୍ଦେଶ୍ୟ । ଶବ୍ଦାର୍ଥର ବୈଚେିତ୍ୟ ଓ ବହୁତ୍ୱ, ବାକ୍ୟ ପ୍ରୟୋଗର ବୈଶିଷ୍ଟ୍ୟ, ଉପମା-ପ୍ରତୀକ ରୂପକଳ୍ପର ରହସ୍ୟ ଅନୁସନ୍ଧାନ ପଥରେ ଅଗ୍ରଗତି କରି ସମାଲୋଚ୍ୟ ସାହିତ୍ୟକୃତିର ଟିକିନିଖି ବିଶ୍ଲେଷଣ–ଏହି ଧାରାର ସମାଲୋଚକ ଏକମାତ୍ର ପବିତ୍ର କର୍ତ୍ତବ୍ୟ ବୋଲି ବିବେଚନା କରନ୍ତି । ସାହିତ୍ୟକୃତି ଗୋଟିଏ ଅନନ୍ୟ ସାପେକ୍ଷ ସତ୍ତା, ଏକାନ୍ତ ଭାବରେ ସ୍ୱାଧୀନ ଓ ସ୍ୱୟଂସମ୍ପୂର୍ଣ୍ଣ ଏଭଳି ତତ୍ତ୍ୱର ନାନା ପରିଣତି ମଧ୍ୟରୁ ଅନ୍ୟତମ ହେଲା ରୁଦ୍ଧଦ୍ୱାର ଟେକ୍‍ସଟ-ନିର୍ଭରଶୀଳ ମତବାଦ । ରଚନା–ବିଶେଷର ତଥା କଥିତ ସାହିତତ୍ୱ ତା’ର ଶବ୍ଦ ଓ ଅର୍ତସମଷ୍ଟି ମଧ୍ୟରେ ନିହିତ । ସାହିତ୍ୟର ସମାଲୋଚନା କେବଳ ମୁଦ୍ରିତ ସାହିତ୍ୟ ପାଠ୍ୟରେ ସମାଲୋଚନା । ଟେକ୍‌ସଟ ବାହାରେ ସାହିତ୍ୟର ସତ୍ତା ଅନୁପସ୍ଥିତ । ଶବ୍ଦ ଓ ଅର୍ଥର ସମବାୟରେ ସାହିତ୍ୟଗଠିତ । ତେଣୁ ସମାଲୋଚକଙ୍କର ଏକମାତ୍ର କାର୍ଯ୍ୟ ହେଲା ସମାଲୋଚ୍ୟ ସାହିତ୍ୟକୃତିର ଶବ୍ଦ ଓ ଅର୍ଥଗତ ରହସ୍ୟର ଉଦ୍‌ଘାଟନ । ସାଂପ୍ରତିକ ପାଶ୍ଚାତ୍ୟ ସାହିତ୍ୟ-ସମାଲୋଚନା ଜଗତରେ ସବୁଠାରୁ ସମାହୃତ, ସବୁଠାରୁ ଅଭିଜାତ ଧାରା ହେଲା ଏହି ଟେକ୍‌ସଚୂଆଲ ସମାଲୋଚନାର ଧାରା ।

 

ନବ୍ୟ-ସମାଲୋଚନା ବା New-criticism (ଆମେରିକାର ସାହିତ୍ୟ ନକ୍ଷତ୍ରରେ ଏହା ବିଶେଷ ପ୍ରତିଷ୍ଠିତ) ମୂଳତଃ ଏହି ଟେକ୍‌ସଚୁଆଲ ସମାଲୋଚନାର ଗୋଟିଏ ଚରମପନ୍ଥୀ ଧାରା । ବର୍ତ୍ତମାନର ସମସ୍ତ ନବ୍ୟ ସମାଲୋଚକଗଣ ଖାଣ୍ଟି ଟେକ୍‌ସଟ-ପନ୍ଥୀ ସମାଲୋଚକ ନୁହନ୍ତି, ତେବେ ଟେକ୍‌ସଚୁଆଲ ସମାଲୋଚନା ପଥରେ ନବ୍ୟ-ସମାଲୋଚନାର ଯାତ୍ରାରମ୍ଭ । ତତ୍ତ୍ୱ ଦିଗରୁ ଏଲିୟଟ ; ତତ୍ତ୍ୱ ଓ ବ୍ୟବହାରିକ ଦୁଇଦିଗରୁ ରିଚାର୍ଡ଼ସ, ଏମ୍ପସନ ପ୍ରମୁଖ ଏହି ଧାରାର ସମାଲୋଚକମାନଙ୍କର ଆଦି ପଥ ପ୍ରଦର୍ଶକ (କାରୋଲିନ୍‌ ସ୍ପର୍ଜନଙ୍କର ସେକ୍‌ସପିୟରଙ୍କ ଉପମା ସମ୍ପର୍କରେ ଗବେଷଣାର ବିଶିଷ୍ଟ ଦାନ ଏହି ପ୍ରସଙ୍ଗରେ ଉଲ୍ଲେଖ ଯୋଗ୍ୟ ।)

 

ଜନ୍‌ କ୍ରୋ ଭାନସମଙ୍କର ‘The New Criticism’ ପୁସ୍ତକ ପ୍ରକାଶ ପରଠାରୁ, ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ନବ୍ୟ ସମାଲୋଚକମାନଙ୍କର ଗୋଷ୍ଠୀରୂପ ନେଇ ଆବିର୍ଭାବ । ବ୍ରୁକସ, ବ୍ଲାକମୁର ପ୍ରମୁଖ ପ୍ରଭାବଶାଳୀ ଆମେରିକୀୟ ସମାଲୋଚକମାନଙ୍କ ରଚନାର ଅନୁସରଣ ଫଳରେ ଏହି ଧାରାର ବିକାଶ । ରଚୟି ତାଙ୍କର ଅଭିପ୍ରାୟ, କବି-କଳ୍ପନାର ବୈଚିତ୍ର୍ୟ, ପାଠକର ରସାସ୍ୱାଦନ ସମାଜର ନେିତିକ ବା ଐତିହାସିକ ଲାଭକ୍ଷତି–ଏସବୁ ମଧ୍ୟରୁ କୌଣସିଟି ସାହିତ୍ୟ ସମାଲୋଚନା ପାଇଁ ଉଦ୍ଦିଷ୍ଟ ନୁହେଁ । ସ୍ୱୟଂ ସାହିତ୍ୟବସ୍ତୁ ଉପରେ ନବ୍ୟ-ସମାଲୋଚନାର ତତ୍ତ୍ୱଗତ ପ୍ରତିଷ୍ଠା । ଶବ୍ଦ ବାକ୍ୟ-ବ୍ୟବହାର, ଭାଷା ନେଇ ସାହିତ୍ୟ ରଚିତ । ତାହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ଭାଷିକ କଳାସୃଷ୍ଟି । ଭାଷା ମଧ୍ୟ ଦେଇ ତା’ର କଳାତ୍ମକ ତା’ର ସମ୍ପୂର୍ଣ୍ଣତା । ସାହିତ୍ୟ ଯେଭଳି ଭାଷା ମଧ୍ୟରେ ସମ୍ପୂର୍ଣ୍ଣ, ତାହାର ସମାଲୋଚନା ସେହିଭଳି ଟେକ୍‌ସଟ ମଧ୍ୟରେ ସୁନିର୍ଦ୍ଦିଷ୍ଟ । ସାହିତ୍ୟ-ସମାଲୋଚନା ଏକ ଶବ୍ଦାର୍ଥ-ସନ୍ଧାନୀ ରୋମାଣ୍ଟିକ (Semantic) ପ୍ରକ୍ରିୟା । ତାହାର ଲକ୍ଷ୍ୟ ହେଲା ଶବ୍ଦାର୍ଥର ଗଭୀରତା ମଧ୍ୟରେ ଅନୁପ୍ରବେଶ କରି ଲକ୍ଷଣା-ବ୍ୟଞ୍ଜନା ଓ ପ୍ରତିମା-ପ୍ରତୀକର ମର୍ମସନ୍ଧାନ, ବିବିଧାର୍ଥ ଦ୍ୟୋତନା ଓ ବୈପରୀତ୍ୟର ତାତ୍ପର୍ଯ୍ୟ ନିରୂପଣ, ଆଇରନି (Irony) ଓ ଟେନସନ (Tension)ର ତାତ୍‌ପର୍ଯ୍ୟ-ବିଶ୍ଲେଷଣ । ସହଜ ଭାଷାରେ କହିଲେ, ସାହିତ୍ୟ ସମାଲୋଚନାର କାର୍ଯ୍ୟ ହେଲା ଟେକ୍‌ସଟର ଅର୍ଥ ସନ୍ଧାନ; ବାଗାର୍ଥର ରହସ୍ୟ-ଉଦ୍‌ଘାଟନ ।

 

ଟେକ୍‌ସଟର ନିର୍ଦ୍ଦିଷ୍ଟ ଗଣ୍ଡି ଭିତରେ ଆଲୋଚନାର ରଖିବାର ସଙ୍କଳ୍ପ ନେଇ ଯାତ୍ରାରମ୍ଭ କରିଥିଲେ ବି ଅଧିକାଂଶ ନବ୍ୟ-ସମାଲୋଚକ ଶେଷ ପର୍ଯ୍ୟନ୍ତ ଏହି ସଙ୍କଳ୍ପ ଅକ୍ଷୁର୍ଣ୍ଣ ରଖିପାରି ନାହାନ୍ତି । ବିଶ୍ଲେଷଣ ଦାବୀ ପୂରଣ କରିବାକୁ ଯାଇ ସମାଲୋଚନା ଟେକ୍‌ସଟ ଗଣ୍ଠିର ବାହାରକୁ ଚାଲିଯାଇଛି । ସମାଲୋଚ୍ୟ କବିତା ବା ଗଳ୍ପର ନବନିର୍ମାଣ ଓ ତା’ର ମୂଲ୍ୟାୟନ-ଏ ଦୁଇ ପଥକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ଆଗେଇବାକୁ ହେଲେ, ବ୍ୟାଖ୍ୟାମୂଳକ ସମାଲୋଚନାକୁ ବିଶୁଦ୍ଧ ତଥ୍ୟ ପଥରେ ଚାଲିବାକୁ ପଡ଼େ । କିନ୍ତୁ ବିଶୁଦ୍ଧ ତଥ୍ୟ ପଥରେ ଟିକେ ଆଗେଇ ଗଲେ ପଡ଼େ ବିଜ୍ଞାନର ଇଲାକା । ଅନୁସନ୍ଧାନ ଐକାନ୍ତିକ ହେଲେ ମଧ୍ୟ ପଥରୁ ଫେରି ଆସିବା ସମ୍ଭବ ନୁହେଁ । ସାହିତ୍ୟ ସମାଲୋଚନା ଅବଧାରିତ ଭାବେ ଅସାହିତ୍ୟର ଅର୍ଥାତ୍ କୌଣସି ବିଜ୍ଞାନର ଦ୍ୱାରସ୍ଥ ହୁଏ । ଅନ୍ୟ ଭାଷାରେ କହିଲେ, ସାହିତ୍ୟ-ସମାଲୋଚନାରେ ବିଜ୍ଞାନର ପ୍ରବେଶ ଅନିବାର୍ଯ୍ୟ ହୋଇ ପଡ଼େ । କୌଣସି ଗୋଟିଏ ବିଶେଷ ବିଜ୍ଞାନ ମାତ୍ର ନୁହେଁ, ତଥ୍ୟ ପଥରେ ଭାଷା ବିଜ୍ଞାନ, ଧ୍ୱନି ବିଜ୍ଞାନ, ନୃବିଜ୍ଞାନ, ଇତିହାସ, ସମାଜ-ବିଜ୍ଞାନ, ମନୋବିଜ୍ଞାନ ସବୁ ହାତ ଧରାଧରି ଚାଲିବାକୁ ଆରମ୍ଭ କରନ୍ତି-

 

ସାହିତ୍ୟ-ସମାଲୋଚନାରେ, ଅନ୍ୟ ଶାସ୍ତ୍ରର ଅନୁପ୍ରବେଶକୁ ବିରୋଧ କରୁଥିବା ଟେକସ୍‌ଚୁଆଲ ସମାଲୋଚକ ଅବଶ୍ୟ ଦୁର୍ଲ୍ଲଭ ନୁହନ୍ତି । ଏମାନଙ୍କ ସମାଲୋଚନା ‘ବିଚାରଶୀଳ’ ବା ‘ସୃଜନଶୀଳ’ ନୁହେଁ । ବ୍ୟାଖ୍ୟା- ବିଶ୍ଲେଷଣର ସଂକୀର୍ଣ୍ଣ ପରିଧି ଭିତରେ ଏହା ସୀମାବଦ୍ଧ । ବସ୍ତୁତଃ, ଏହା ଗୋଟିଏ ଧରଣର ପଣ୍ଡିତ ସମାଲୋଚନା-ଅନେକାଂଶରେ ଗ୍ରନ୍ଥବିଦ୍ୟା ବା Bibliography ଅନ୍ତର୍ଗତ । ବୈଷୟିକ ବିଦ୍ୟା ହିସାବରେ ଏହା କେତେକାଂଶରେ ମୂଲ୍ୟବାନ । ଅନେକ ସମୟରେ ସାହିତ୍ୟ ସମାଲୋଚନା ପାଇଁ, ଅପରିହାର୍ଯ୍ୟ ଭିତ୍ତି । କିନ୍ତୁ ଏହାକୁ ସାହିତ୍ୟ- ସମାଲୋଚନା କୁହାଯାଇ ପାରିବ ନାହିଁ । ଏହାର ଗୁରୁତ୍ୱ ବୈଶିଷ୍ଟ୍ୟ ଓ ଅଧିକାର ନିଶ୍ଚୟ ରହିଛି ; କିନ୍ତୁ ତା’ର କ୍ଷେତ୍ର ସୀମିତ । ଦୁଃଖର କଥା, ବହୁ ସମୟରେ ବିଚଳିତ ଓ ଦାୟିତ୍ୱଠାରୁ ପଳାୟନ କରୁଥିବା ସମାଲୋଚକଙ୍କ ପାଇଁ ଏହା ଦୁର୍ଗଭଳି ଏକ ଅତ୍ୟନ୍ତ ନିରାପଦ ଆଶ୍ରୟସ୍ଥଳୀ ।

 

॥ ଚାରି ॥

 

ବିଜ୍ଞାନ ସାହାଯ୍ୟରେ ସାହିତ୍ୟର ମର୍ମଗ୍ରହଣ ନବ୍ୟ-ସମାଲୋଚନାର ନବ୍ୟତା । ନବ୍ୟ-ସମାଲୋଚନାର ଜଣେ ସ୍ପଷ୍ଟବାସୀ ପ୍ରବକ୍ତା କହିଛନ୍ତି, ନବ୍ୟ-ସମାଲୋଚନା ହେଲା – ‘‘The organised use of non-literary techniques and bodies of knowledge to obtain into literature.

 

ନବ୍ୟ ସମାଲୋଚନା ପ୍ରଧାନ କାର୍ଯ୍ୟ ବ୍ୟାଖ୍ୟା । ପ୍ରଧାନ ପ୍ରବୃତ୍ତି ଅନୁସନ୍ଧତ୍ସା । ଏଭଳି ସମାଲୋଚନାରେ ମାନ-ନିର୍ଦ୍ଧାରଣ ବା ନରମେଟିଭ (Normative) ପ୍ରକ୍ରିୟା ପାଇଁ ସ୍ଥାନାଭାବ । (ବେଳେ ବେଳେ ମାନ-ନିର୍ଦ୍ଧାରଣର ଉଦ୍ୟମ ନବ୍ୟ-ସମାଲୋଚନାରେ କରା ହୋଇଥିବା ଆଖିରେ ପଡ଼େ ଏହାକୁ ପଦସ୍ଖଳନ ଭାବରେ ବିଚାର କରାଯାଇପାରେ ।) ନବ୍ୟ-ସମାଲୋଚନା ସ୍ୱଭାବତଃ ବର୍ଣ୍ଣନାତ୍ମକ । ପ୍ରଥମେ ଏଲିୟଟଙ୍କ ଦ୍ୱାରା କେତେକାଂଶରେ ଅନୁପ୍ରାଣିତ ହୋଇଥିଲେ ମଧ୍ୟ, ବର୍ତ୍ତମାନର ନବ୍ୟ-ସମାଲୋଚକମାନେ ଆଦୌ ଏଲିୟଟ-ପ୍ରଭାବିତ ନୁହନ୍ତି । ଏଲିୟଟଙ୍କ ସାହିତ୍ୟିକ ନୈର୍ବକ୍ତିକତାବାଦ (Theroy of Literary impersonality)କୁ ଏମାନେ ବୈଜ୍ଞାନିକ ନୈର୍ବକ୍ତିକତାରେ ପରିଣତି କରିଛନ୍ତି । ଏଲିୟଟ–ସମାଦୃତ ଐତିହ୍ୟ-ନିଷ୍ଠା ଏମାନଙ୍କ କ୍ଷେତ୍ରରେ ରୂପାନ୍ତରିତ ହୋଇଛି ଐତିହ୍ୟ ଅନୁସନ୍ଧାନରେ । ଏଲିୟଟୀ କ୍ଲାସିସିଜମ ଏମାନଙ୍କ ନିକଟରେ ଅର୍ଥହୀନ, ଏଲିୟଟୀ ଧର୍ମ ନିର୍ଭରତା ଏମାନଙ୍କ ବିବେଚନାରେ ଅବାନ୍ତର । ସଂପୃକ୍ତ ସମାଲୋଚନା ବିଜ୍ଞାନ-ପରିତୋଷିତ କେବଳ ନୁହେଁ, ଏହା ନିଜେ ଏକ ବିଜ୍ଞାନ, ସାହିତ୍ୟ-ସମାଲୋଚନାକୁ ବିଜ୍ଞାନର ସ୍ତରକୁ ଉନ୍ନୀତ କରିବା ନବ୍ୟ-ସମାଲୋଚକମାନଙ୍କର ପରମ-ଆକାଙ୍‌କ୍ଷା ।

 

ପୂର୍ବରୁ ରୋମାଣ୍ଟିକ୍‌ ସମାଲୋଚନାର ଗୋଟିଏ ବିଜ୍ଞାନ-ମୁଖୀ ଧାରାର କରାଯାଇଥିଲା । ସମାଲୋଚ୍ୟ ସାହିତ୍ୟକୃତିର ଶୈଳ୍ପିକ ପୁନଃ ନିର୍ମାଣ ସାର୍ଥକ କରିବା ପ୍ରେରଣାର ବଶବର୍ତ୍ତୀ ହୋଇ (ବିଚାରକୁ ପରିହାର କରିବାର ଆବଶ୍ୟକତା ହେତୁ ମଧ୍ୟ) ରୋମାଣ୍ଟିକ୍‌ ସମାଲୋଚକମାନଙ୍କ ମଧ୍ୟରେ କେହି କେହି ମୂଳରୁ ତଥ୍ୟ-ସନ୍ଧାନ ଉପରେ ଗୁରୁତ୍ୱ ଦେଇଛନ୍ତି । ରଚନାର ସ୍ଥାନ କାଳ ପରିବେଶ, ଐତିହାସିକ ପଟ୍ଟଭୂମି, ଉତ୍ପତ୍ତିର ଇତିହାସ, ରଚୟିତାଙ୍କର ଜୀବନ, ରଚୟିତାଙ୍କ ମନୋଗଠନର ବେିଶିଷ୍ଟ୍ୟ ଓ ତାର କାରଣ–ଏ ସମସ୍ତ ତଥ୍ୟର ଅନୁସନ୍ଧାନ ଓ ସେସବୁ ଭିତ୍ତିରେ ରଚନାର ଚରିତ୍ର-ବ୍ୟାଖ୍ୟା, ଏହି ସମସ୍ତ ପ୍ରବଣତା କ୍ରମେ ରୋମାଣ୍ଟିକ୍‌–ସମାଲୋଚନାର ଗୋଟିଏ ଧାରାକୁ ଆକ୍ରାନ୍ତ କରିଥିଲା । ବିଶୁଦ୍ଧ ଅଭିଜ୍ଞତାଭିତ୍ତିକ (empirical) ଅନୁସନ୍ଧାନ, କାର୍ମ–କାରଣ ପରମ୍ପରା ଅବିଷ୍କାରର ଅଭିଯାନ ଅବଶେଷରେ ସାହିତ୍ୟ ସମାଲୋଚନାକୁ ନେଇ ବିଜ୍ଞାନର ରାଜ୍ୟରେ ପହଞ୍ଚାଇ ଦେଉଛି । ରୋମାଣ୍ଟିକ ସମାଲୋଚନାର ଏହି ଧାରା ସହ ନବ୍ୟ ସମାଲୋଚକମାନଙ୍କର ବୈଜ୍ଞାନିକ ସମାଲୋଚନାର କାର୍ଯ୍ୟତଃ ଏଭଳି କୌଣସି ତଫାତ୍‌ନାହିଁ । ବରଂ, କୁହାଯାଇପାରେ ରୋମାଣ୍ଟିକ୍‌ ସମାଲୋଚନାର ଗୋଟିଏ ଧାରା ନବ୍ୟ-ସମାଲୋଚନା ମଧ୍ୟରେ ଆଶ୍ରୟ ଗ୍ରହଣ କରିଛି ।

 

ମୂଲ୍ୟାୟନରେ ଯେଉଁମାନେ ବିଶ୍ୱାସ କରନ୍ତି, ସମାଲୋଚନାକୁ ଏକ ବିଜ୍ଞାନ ରୂପରେ ଦେଖିବା ପାଇଁ ସେମାନେ କୁଣ୍ଠିତ । ଆଧୁନିକ କାଳର ସମାଲୋଚକ ଯଦି ବିଚାର ଉପରେ ଆସ୍ଥା ସ୍ଥାପନ କରନ୍ତି. ସମାଲୋଚନାରେ ସୃଜନଶୀଳତାର ଭୂମିକା ସ୍ୱୀକାର କରନ୍ତି, ତେବେ ନବ୍ୟ-ସମାଲୋଚକମାନଙ୍କର ତଥାକଥିତ ବୈଜ୍ଞାନିକ ସମାଲୋଚନାରେ ତାଙ୍କର ଆଗ୍ରହ ନରହିବା ସ୍ୱାଭାବିକ । ବିଚାରଶୀଳ ସୃଜନଶୀଳତା ପରିହାର ନକରି ମଧ୍ୟ ସାହିତ୍ୟ –ସମାଲୋଚନାରେ ଇତିହାସ ଓ ବିଜ୍ଞାନର ସାହାଯ୍ୟ ଗ୍ରହଣ ସମ୍ଭବ–କେତେକାଂଶରେ ଅତ୍ୟାବଶ୍ୟକ ମଧ୍ୟ । ତା ପୂର୍ବରୁ କେତେକ ପ୍ରଶ୍ନର ସମାଧାନ ଆବଶ୍ୟକ ।

 

ପ୍ରଥମ ପ୍ରଶ୍ନ ସାହିତ୍ୟ-ସମାଲୋଚନା କେଉଁ ବିଜ୍ଞାନର ସାହାଯ୍ୟ ନେବ ? କୌଣସି ବିଶେଷ ବିଜ୍ଞାନର ପ୍ରମାଣ ଅନେକ ସମୟରେ ଅନ୍ୟ ଗୋଟିଏ ବିଜ୍ଞାନର ପ୍ରମାଣ ଓ ତଥ୍ୟ ସହ ମିଳେନାହିଁ-। ସେଭଳି କ୍ଷେତ୍ରରେ ସମାଲୋଚକ କେଉଁ ପ୍ରମାଣ ବା ସିଦ୍ଧାନ୍ତକୁ ଶ୍ରେୟ ବୋଲି ଗ୍ରହଣ କରିପାରିବେ ? ପୂର୍ବରୁ the oraganised use of non-literary techniques and bodies of knowledge ପ୍ରସଙ୍ଗର ଉଦ୍ଧାର କରାଯାଇଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ବିଜ୍ଞାନର ସେହି ସୁସଙ୍ଗଠିତ ଐକ୍ୟ ସଂପ୍ରତି ସମ୍ଭବ ହୋଇପାରିଛି କି ? ଯଦି ବା ସମ୍ଭବ, ତେବେ ସେହି ସୁସଙ୍ଗଠିତ କରିବା ତାହାର କାମ ? ବୈଜ୍ଞାନିକଙ୍କର, ଦାର୍ଶନିକଙ୍କର ନା ସାହିତ୍ୟ ସମାଲୋଚକଙ୍କର ? ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ବା ମୂଳତଃ ବିଜ୍ଞାନର ସାଧନା ଓ ପ୍ରୟୋଗ-ବିଶିଷ୍ଟ କ୍ଷେତ୍ରର ସାଧନା । ସାମଗ୍ରିକ ଐକ୍ୟ ବିଧାନ କ୍ଷେତ୍ରରେ ନିକଟ ଅତୀତରୁ ବିଜ୍ଞାନ ଅଗ୍ରସର ହେଉଛି ମାତ୍ର । ତେବେ, ସାହିତ୍ୟ-ସମାଲୋଚକ ଏହି ଐକ୍ୟ ବିଧାନ କାର୍ଯ୍ୟ ନିଜେ କରିନେଇ ପାରିବେ ? କେଉଁ ଜ୍ଞାନକୁ ସେ ଭିତ୍ତି କରି କରିବେ ? କ’ଣ କୌଣସି ବିଶିଷ୍ଟ ବିଜ୍ଞାନର ଜ୍ଞାନକୁ ଭତ୍ତିକରି ?

 

ବିଭିନ୍ନ ବିଜ୍ଞାନର ଦ୍ୱାରଦେଶରେ ଭିକ୍ଷାପାତ୍ର-ହାତରେ ଛିଡ଼ା ହୋଇ ସମାଲୋଚକ ବୈଷୟିକ ସମ୍ବାଦର କେତୋଟି ଖୁଦକଣା ମାତ୍ର ସଂଗ୍ରହ କରିପାରନ୍ତି । କିନ୍ତୁ ସେଥିରେ ପ୍ରାଚୁର୍ଯ୍ୟର ସମ୍ଭାବନା ତ ଦୂରର କଥା ଦୈନନ୍ଦିନ ଗୁଜୁରାଣ ମଧ୍ୟ ମେଣ୍ଟିବ ନାହିଁ । ବରଂ ସମାଲୋଚକଙ୍କୁ ଭିକ୍ଷାର୍ଥୀର ହୀନମନ୍ୟତା ନେଇ ବଞ୍ଚିବାକୁ ପଡ଼ିବ । ସେଇଥିପାଇଁ ବିଜ୍ଞାନର କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟ ନେଇ ଏକନିଷ୍ଠ ହେବା ସମାଲୋଚକଙ୍କ ପକ୍ଷରେ ବାଞ୍ଛନୀୟ ।

 

ଅନେକ ବିଷୟକୁ ଛାଡ଼ି ଗୋଟିଏ ବିଶେଷ ବିଜ୍ଞାନ ବିଷୟକୁ ବାଛିନେଲେ ମଧ୍ୟ ସମାଲୋଚକ ନିଶ୍ଚିତ ହେବାର ଉପାୟ ନାହିଁ । କେଉଁ ବିଦ୍ୟାକୁ ଛାଡ଼ି କେଉଁ ବିଦ୍ୟାକୁ ଗ୍ରହଣ କରିବେ, ସମାଲୋଚକଙ୍କ ନିକଟରେ ଏହା ଏକ ଜଟିଳ ପ୍ରଶ୍ନ ? ଏଭଳି ଗ୍ରହଣ ଓ ପରିତ୍ୟାଗ ପଛରେ ଯୁକ୍ତି ମଧ୍ୟ ରହିବା ଉଚିତ । ନବ୍ୟ-ସମାଲୋଚକମାନଙ୍କ ମଧ୍ୟରୁ ଅନେକଜଣ ବ୍ୟକ୍ତିଗତ ରୁଚିର ନିର୍ଦ୍ଦେଶରେ କୌଣସି ନା କୌଣସି ବିଜ୍ଞାନ-ବିଦ୍ୟାକୁ ସମାଲୋଚନାର ଭିତ୍ତି ରୂପରେ ଗ୍ରହଣ କରି ନେଇଛନ୍ତି । (କେହି ଇତିହାସକୁ ଗ୍ରହଣ କଲାବେଳେ ଅନ୍ୟ କେହି ଗ୍ରହଣ କରିଛନ୍ତି ନୃତତ୍ତ୍ୱ ବା ମନସ୍ତତ୍ତ୍ୱକୁ) । କିନ୍ତୁ ପ୍ରତ୍ୟେକ ବିଦ୍ୟାର ବିଭିନ୍ନ ପନ୍ଥା ମଧ୍ୟରୁ କେଉଁଟିକୁ ସମାଲୋଚକ ନିର୍ବାଚନ କରିବେ, ସେଥିପାଇଁ ତାଙ୍କୁ ନୂତନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ସଂପ୍ରତି ଏଭଳି କୌଣସି ଶାସ୍ତ୍ର ନାହିଁ, ଯାହାର ବିଶେଷଜ୍ଞମାନଙ୍କ ଭିତରେ ମତ ପାର୍ଥକ୍ୟ ନାହିଁ । ଅନେକ ସମୟରେ ଏଭଳି ମତପାର୍ଥକ୍ୟ ମୌଳିକ । ସାହିତ୍ୟ ସମାଲୋଚକ ଅନ୍ୟାନ୍ୟ ଶାସ୍ତ୍ରର ଜଣେ ଅବିଶେଷଜ୍ଞ ଆଲୋଚକ ମାତ୍ର । ଏଭଳି କ୍ଷେତ୍ରରେ ନିରୂପାୟ ବୋଧ କରିବା ତେଣୁ ତାଙ୍କ ପକ୍ଷରେ ନିହାତି ସ୍ୱାଭାବିକ । ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଅନ୍ୟାନ୍ୟ ଶାସ୍ତ୍ର ଅପେକ୍ଷା ମନୋବିଜ୍ଞାନର ପ୍ରୟୋଗ ଓ ପ୍ରତିଷ୍ଠା ବର୍ତ୍ତମାନ ସବୁଠାରୁ ଅଧିକ । ସ୍ୱୟଂବରର ସୁଯୋଗ ଥିଲେ ହୁଏତ ଅନେକ ମନୋବିଜ୍ଞାନକୁ ବରଣ କରିବାକୁ ଉତ୍ସକୁ ହୁଅନ୍ତେ, ଏଥିରେ ସନ୍ଦେହ ନାହିଁ । ବରଣ କରିବାରେ ଆପତ୍ତିଜନକ ମଧ୍ୟ କିଛି ନାହିଁ । କିନ୍ତୁ ସେଠାରେ ମଧ୍ୟ ସମାଲୋଚକଙ୍କୁ ଶାନ୍ତି ମିଳିବ ନାହିଁ । ମନୋବିଜ୍ଞାନ ଆଜି ଗୋଟିଏ ଦୁଇଟି ନୁହେଁ, ଅଗଣିତ ପରସ୍ପର ବିରୋଧୀ ମତବାଦ । ପ୍ରତିଦ୍ୱନ୍ଦୀ ଗୋଷ୍ଠୀ ବା ସ୍କୁଲକୁ ନେଇ ଦ୍ୱନ୍ଦ୍ଵମୁଖର । ଅ-ବିଶେଷଜ୍ଞ ସାହିତ୍ୟ-ସମାଲୋଚକ ମନୋବିଜ୍ଞାନର କେଉଁ ମତବାଦ ଓ ଗୋଷ୍ଠୀକୁ ଆଦର୍ଶ ରୂପେ ଗ୍ରହଣ କରିବେ ? ବାଧ୍ୟ ହୋଇ ସେ ଚୂଡ଼ାନ୍ତ ମାନସିକ ଔଦାର୍ଯ (eclecticism) ନିକଟରେ ଆତ୍ମସମର୍ପଣ କରିବେ । ଆଇ.ଏ.ରିଚାର୍ଡ଼ସଙ୍କ ଭଳି ସମାଲୋଚକଙ୍କୁ ମଧ୍ୟ ସେଭଳି କରିବାକୁ ପଡ଼ିଛି । ଧରାଯାଉ, ସମାଲୋଚକ ମହାଶୟ ମନୋବିକଳନ-ପନ୍ଥୀ ମାନଙ୍କର (Psycho-analytic School) ମତବାଦକୁ ଅଦ୍ୱିତୀୟ ଓ ଅଭ୍ରାନ୍ତ ବୋଲି ମାନିନେଲେ । ତା’ ପରେ ସେଠାରେ ମଧ୍ୟ ଭେଟିବେ ଫ୍ରୟେଡ଼୍, ଆଡ଼ଲର ଓ ୟୁଙ୍ଗ ପ୍ରମୁଖଙ୍କୁ । ଅବଶ୍ୟ ଆର୍ଣ୍ଣେଷ୍ଟ ଜୋନସ୍‌ ଇତିପସ୍‍ କମ୍ପ୍ଲେକସ ସାହାଯ୍ୟରେ ଓ ମଡ୍‍ ବଡ଼କିନ୍ ଆର୍କିଟାଇପାଲ ପ୍ୟାଟର୍ଣ୍ଣ ଦେଇ ସାହିତ୍ୟର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଏଭଳି ବିଭିନ୍ନ ଚିନ୍ତାନାୟକଙ୍କ ମତବାଦ ସମ୍ପର୍କରେ ଆସି ସମାଲୋଚକ ଶେଷରେ ଏକ୍ଲେକ୍‌ଟିକ୍‌ (electic)ର ଖେଚୁଡ଼ିକୁ ନିଜ ଅଜ୍ଞାତ ସାରରେ ଗ୍ରହଣ କରିନିଅନ୍ତି ।

 

ଏହି ସମସ୍ତ ଆନୁସଙ୍ଗିକ ପ୍ରଶ୍ନର ଉତ୍ତର ଗୋଟିଏ ମୌଳିକ ପ୍ରଶ୍ନ ସହ ଜଡ଼ିତ । ପ୍ରଶ୍ନଟି ହେଲା, ଅ-ସାହିତ୍ୟର ଭଣ୍ଡାରରୁ ସଂଗୃହୀତ ତଥ୍ୟ ସାହିତ୍ୟ-ଆଲଲୋଚନା କ୍ଷେତ୍ରରେ କିଭଳି ଭାବରେ ବ୍ୟବହୃତ ହୋଇପାରେ ? ସାହିତ୍ୟ ବିଚାରରେ ସାହିତ୍ୟିକ–ତଥ୍ୟ-ପ୍ରମାଣ ଏକମାତ୍ର ପ୍ରମାଣ । ଅ-ସାହିତ୍ୟିକ ତଥା ସାହିତ୍ୟିକ–ତଥ୍ୟରେ ପରିଣତ ନ ହେଲା ପର୍ଯ୍ୟନ୍ତ ତାହା ସାହିତ୍ୟ ବା ସାହିତ୍ୟ-ସମାଲୋଚନା ପାଇଁ ମୂଲ୍ୟହୀନ । କିନ୍ତୁ ପ୍ରଶ୍ନ ହୁଏ, ଅ-ସାହିତ୍ୟିକ ତଥ୍ୟ କେତେବେଳେ ସାହିତ୍ୟିକ–ତଥ୍ୟରେ ପରିଣତ ହୁଏ । ଏହାର ସ୍ୱାଭାବିକ ଉତ୍ତର ହେଲା : ଯେତେବେଳେ ଅ-ସାହିତ୍ୟିକ–ବସ୍ତୁ ସାହିତ୍ୟ-କଳ୍ପନାର ଅନନ୍ୟ ସତ୍ତାରେ ପରିଣତ ହୁଏ ।

 

କୌଣସି ବିଷୟର ବିଚାର ପାଇଁ ପରିଚୟ, ଅତ୍ୟାବଶ୍ୟକ । ପ୍ରତ୍ୟେକ ପରିଚୟ, ବିଶେଷତଃ କୌଣସି କଳାକର୍ମ, ଯୁଗ୍ମ ବା ଦ୍ୱୈତ ପରିଚୟର ଅଧିକାରୀ । ଗୋଟିଏ ତାହାର କଳାତ୍ମକ ବା ସାହିତ୍ୟଗତ ପରିଚୟ । ଅପର ପରିଚୟ ହେଲା, ତାହାର ବସ୍ତୁସତ୍ତାର ପରିଚୟ, ତାର ଐତିହାସିକ ପରିଚୟ । ଉଭୟ ପରିଚୟ ସତ୍ୟ; କିନ୍ତୁ ସେଗୁଡ଼ିକର ପରିଚୟ ଭିନ୍ନଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ସେଗୁଡ଼ିକର ମୌଳ–ବନ୍ଧନ ରହିଛି, କିନ୍ତୁ ତାହା ଅପ୍ରତ୍ୟକ୍ଷ । ବେଳେବେଳେ ପାଠକ ଓ ସମାଲୋଚକଙ୍କ ନିକଟରେ ଏହି ସାଯୁଜ୍ୟ ଅସ୍ପଷ୍ଟ । ପ୍ରଥମ ପରିଚୟର ସତ୍ୟତା ଭାବ-ଲୋକ ବା ସଂଭୋଗ ଲୋକରେ । ଦ୍ୱିତୀୟ ପରିଚୟ ସତ୍ୟତା ବସ୍ତୁ ବା factର ଜଗତରେ । ପ୍ରଥମଟି ଗୁଣର ପରିଚୟ । ସମାଲୋଚକ ସାହିତ୍ୟ କୃତିରେ ଗୁଣର ପରିଚୟ ଅନୁସନ୍ଧାନ କରନ୍ତି ନାହିଁ । ସାହିତ୍ୟର ଦ୍ଵୈତ ପରିଚୟ ମଧ୍ୟରୁ ପ୍ରଥମଟିରେ ସମାଲୋଚକଙ୍କର ସ୍ୱାଭାବିକ ଆଗ୍ରହ ଓ ଉତ୍ସାହ । ଯେକୌଣସି ତଥ୍ୟ ରଚନା, ବିଶେଷର କଳାତ୍ମକ ପରିଚୟ ଅଂଶୀଭୂତ ହେଲେ, ତାହା ସାହିତ୍ୟିକ ତଥ୍ୟରେ ପରିଣତ ହୁଏ ।

 

ଦୃଷ୍ଟାନ୍ତ ସ୍ୱରୂପ, ମାନସିଂହଙ୍କ ପ୍ରାକ୍‌-ବୈବାହିକ ପ୍ରେମ-ଜୀବନ ସହ ‘ଧୂପ ’ କବିତା ଗ୍ରନ୍ଥର ଐତିହାସିକ ସତ୍ତାର ସମ୍ପର୍କଥିବା ଅସମ୍ଭବ ନୁହେଁ । ଉକ୍ତ ସମ୍ପର୍କ ‘ଧୂପ’ ଗ୍ରନ୍ଥର କବିତାଗୁଡ଼ିକର ଗୁଣାଗୁଣକୁ ପ୍ରଭାବିତ ଓ ନିୟନ୍ତ୍ରିତ କରିଥିବା ସମ୍ଭବ । ସାହିତ୍ୟ–ସମୀକ୍ଷକ ଯେତେବେଳେ ‘ଧୂପ’ର କଳାତ୍ମକ ପରିଚୟ ଉପସ୍ଥାପନ କରିବାରେ ଆଗ୍ରହୀ, ସେତେବେଳେ ତାଙ୍କ ସମ୍ମୁଖରେ ମୂଳ ପ୍ରଶ୍ନ ହେଲା, ଉକ୍ତ ପ୍ରେମ-ସମ୍ପର୍କ । ‘ଧୂପ ’ସାହିତ୍ୟଗୁଣର ଏକ ଅଂଶବିଶେଷ କି ନୁହେଁ ! ତଥ୍ୟ ବେଳେ ବେଳେ ଗୁଣର ଅବଲମ୍ବନ ହୋଇପାରେ, ଗୁଣକୁ ବୁଝିବାରେ (ଗୁଣର କାରଣକୁ ନୁହେଁ) ସାହାଯ୍ୟ କରେ, ଗୁଣର ପରିଚୟକୁ ପୂର୍ଣ୍ଣାଙ୍ଗ କରିଥାଏ । ସେହି ପ୍ରକାର ତଥ୍ୟହିଁ ସାହିତ୍ୟିକ ତଥ୍ୟ । ତାହା ପ୍ରତ୍ୟକ୍ଷ ଭାବେ ମୁଲ୍ୟାୟନକୁ ସ୍ପର୍ଶକରେ । ଯେଉଁ ତଥ୍ୟ ଉପରେ ଅନ୍ତତଃ ପରୋକ୍ଷଭାବେ ମୂଲ୍ୟାୟନ ନିର୍ଭର କରେ ନାହିଁ, ତାହା ସମାଲୋଚକଙ୍କ ନିକଟରେ ଅନେକ ସମୟରେ ଅନାବଶ୍ୟକ ବୋଝ ମାତ୍ର ।

କୌଣସି ସାହିତ୍ୟକୃତି ଶୂନ୍ୟରୁ ସୃଷ୍ଟି ହୁଏ ନାହିଁ । ଲେଖକଙ୍କର ମନସ୍ତତ୍ତ୍ୱ, ସାହିତ୍ୟ ରଚନାର ଇତିହାସ, ଲେଖକଙ୍କର ବ୍ୟକ୍ତିଗତ ଜୀବନ, ତଥ୍ୟ ଭାବରେ ସାହିତ୍ୟରେ ଉପସ୍ଥାପିତ ବିଷୟ-ବସ୍ତୁର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ । ସାମାଜିକ-ଇତିହାସ ରଚନା ପାଇଁ ସାହିତ୍ୟ ସୃଷ୍ଟିଗୁଡ଼ିକ ଅପରିହାର୍ଯ୍ୟ ଉପାଦାନ । କିନ୍ତୁ ସାହିତ୍ୟର ମୂଲ୍ୟାୟନ କ୍ଷେତ୍ରରେ ଏହି ସମସ୍ତ ତଥ୍ୟ ଅବାନ୍ତର ସାହିତ୍ୟ-ସୃଷ୍ଟି ସହ ଏହାର କୌଣସି ଜୈବିକ ସମ୍ପର୍କ ନାହିଁ । ରଚନାର ଗୁଣ ବିଚାର କ୍ଷେତ୍ରରେ ଏହାର ଭୂମିକା ଗୌଣ । ସମଗ୍ର ମାନବଜୀବନ ଏକ ଐତିହାସିକ ବସ୍ତୁସତ୍ତା ଦ୍ୱାରା ନିୟନ୍ତ୍ରିତ । ସାହିତ୍ୟ-ଗୁଣକୁ ମଧ୍ୟ ଏହି ବସ୍ତୁସତ୍ତା ନିୟନ୍ତ୍ରିତ କରେ । ସାହିତ୍ୟ-ସମାଲୋଚନା ପାଇଁ ସେହି ଐତିହାସିକ ପ୍ରକ୍ରିୟାର ଅବବୋଧ ଏକାନ୍ତ ଆବଶ୍ୟକ । ଜୀବନର ରୂପକୁ ପ୍ରଭାବିତ ଓ ନିୟନ୍ତ୍ରିତ କରୁଥିବା ତଥ୍ୟ (ବସ୍ତୁସତ୍ତା ଓ ମାନବ-ଚୈତନ୍ୟ) ସାହିତ୍ୟର କଳାରୂପକୁ ସିଧାସଳଖ ସ୍ପର୍ଶ କରେ । ଏହି ତଥ୍ୟର ଜ୍ଞାନ ଓ ଅବରୋଧ ସମାଲୋଚକଙ୍କ ପାଇଁ ଅପରିହାର୍ଯ୍ୟ । ସାହିତ୍ୟ-ସମାଲୋଚକଙ୍କର ଜୀବନବୋଧ ଓ ମୂଲ୍ୟବୋଧକୁ ସ୍ପର୍ଶ କରୁଥିବା ତଥ୍ୟ-ଜ୍ଞାନ ପାଇଁ ସାହିତ୍ୟ-ବିଚାର କ୍ଷେତ୍ରରେ ପ୍ରବେଶ ପଥ ଉନ୍ମୁକ୍ତ । ସାହିତ୍ୟ ଓ ସାହିତ୍ୟ-ଗୁଣକୁ ସ୍ପର୍ଶ କରୁ ନଥିବା ତଥ୍ୟ ଜ୍ଞାନ ଅନ୍ୟାନ୍ୟ ଶାସ୍ତ୍ର ପାଇଁ ଉପଯୋଗୀ ହୋଇପାରେ-କିନ୍ତୁ ସମାଲୋଚନା ପାଇଁ ଅବାନ୍ତର ଓ ଅନାବଶ୍ୟକ ।

 

॥ ପାଞ୍ଚ ॥

 

ଏକମାତ୍ର ମାନବ ଜୀବନ ମଧ୍ୟଦେଇ ସାହିତ୍ୟ ଓ ବିଜ୍ଞାନ ପରସ୍ପରକୁ ସ୍ପର୍ଶ କରେ–ସାହିତ୍ୟ ବିଜ୍ଞାନ-ଆଶ୍ରିତ ମଧ୍ୟ ହୋଇଥାଏ । ସାହିତ୍ୟକୁ ଯଦି ଜୀବନଠାରୁ ବିଚ୍ଛିନ୍ନ ସତ୍ତା ଭାବରେ ଗଣନା ସ୍ୱୀକାର କରାଯାଏ; ତେବେ ସାହିତ୍ୟ ଓ ବିଜ୍ଞାନ, ସୁନ୍ଦର ଓ ସତ୍ୟ ମଧ୍ୟରେ ସଂଯୋଗ କଳ୍ପନା ଅସମ୍ଭବ, କିନ୍ତୁ ଏଭଳି ପ୍ରତ୍ୟୟ ଓ ବିଶ୍ୱାସ ନିକଟ ଅତୀତରେ ସାହିତ୍ୟମାନଙ୍କର ଧାରଣାରେ ପ୍ରତିଷ୍ଠିତ ହୋଇ, ସାହିତ୍ୟ–ସତ୍ୟକୁ ବିଜ୍ଞାନ ସତ୍ୟଠାରୁ ବିଚ୍ଛିନ୍ନ ଓ ବୃହତ୍ତର ରୂପରେ ପ୍ରତିପାଦନ କରାହେବା ଫଳରେ ସାହିତ୍ୟର ହିଁ ବିଶେଷ କ୍ଷତିସାଧନ କରାଯାଇଛି । (ଏ ସମ୍ପର୍କରେ ଏହି ଲେଖକ ‘କବିତା ଓ ବିଜ୍ଞାନ’ ପ୍ରବନ୍ଧରେ କିଞ୍ଚିତ ବିସ୍ତାରିତ ଆଲୋଚନା କରିଛି । ଦ୍ର ‘ନବପତ୍ର’–ପୂଜାସଂଖ୍ୟା୧୯୮୪) ସାହିତ୍ୟର ଗତି ସ୍ରୋତ ଜୀବନ-ଉତ୍ସରୁ ଉତ୍ସାରିତ ଓ ସାଂପ୍ରତିକ ଜୀବନର ମୁଖ୍ୟ ନିୟାମକ ଶକ୍ତି ବିଜ୍ଞାନ, ଜୀବନ ସାହିତ୍ୟର ନିୟାମକ । ତେଣୁ ଜୀବନ ସାହିତ୍ୟର ସାହିତ୍ୟ-ମୂଲ୍ୟର ମଧ୍ୟ ନିୟାମକ । ସାହିତ୍ୟର ଗତି ଓ ପ୍ରକୃତି ବା କାର୍ଯ୍ୟ କାରଣ–ପରଂପରା କେବଳ ନୁହେଁ–ସ୍ରଷ୍ଟା. ସୃଷ୍ଟି ଓ ସହୃଦୟ, ସମସ୍ତକୁ ଜୀବନ ଅଦୃଶ୍ୟଚାଲିତ ଶକ୍ତି ଭଳି ନିୟନ୍ତ୍ରିତ କରେ, ସବୁ ଭିତରେ ନୂତନ ସମ୍ଭାବନା ସଞ୍ଚାର କରେ । ଫଳରେ ମାନଭିତ୍ତିକ ମୂଲ୍ୟାୟନ ଓ ଅଭିଜ୍ଞତାଭିତ୍ତିକ ତଥ୍ୟାନୁସନ୍ଧାନ ଭିତରେ କୌଣସି ଚରମ ବିଭାଜକ ରେଖା ନାହିଁ । ଯଦି ବିଶ୍ୱାସ କରାଯାଏ, ଯେ, ଜୀବନର ସତ୍ୟତା ଓ ଅଭିଜ୍ଞତା ହେଲା ସାହିତ୍ୟ–ସମାଲୋଚନାର ମାନଦଣ୍ଡ, ତେବେ ସାହିତ୍ୟ ଓ ବିଜ୍ଞାନ ମଧ୍ୟରେ ସମନ୍ୱୟର ଚେଷ୍ଟା ସହଜରେ ସଫଳ ହୋଇଥାଏ ।

 

ବିଜ୍ଞାନ, ଜୀବନର ଅଭିଜ୍ଞତା ଓ ମୂଲ୍ୟବୋଧ–ଏହି ତିନୋଟି ବିଷୟକୁ ସାଧାରଣତଃ ଯେଭଳି ପରସ୍ପର ସ୍ୱତନ୍ତ୍ର ବୋଲି ମନେ କରାଯାଏ, ସେଗୁଡ଼ିକ ସେହିଭଳି ପରସ୍ପର ବିଚ୍ଛିନ୍ନ ନୁହେଁ । କୋପର୍ନିକାସଙ୍କର ସୌରଜଗତ ସମ୍ପର୍କିତ ତତ୍ତ୍ୱ କେବଳ ବିଜ୍ଞାନଜଗତରେ ନୁହେଁ, କେବଳ ମଣିଷର ଚିନ୍ତା ଓ ଅବରୋଧ ଜଗତରେ ନୁହେଁ, ମଣିଷର ଜୀବନ-ଯାପନ କ୍ଷେତ୍ରରେ ମଧ୍ୟ ବିପ୍ଲବର ସୁତ୍ରପାତ କରିଛି–ମଣିଷର ମାନବରୂପକୁ ମଧ୍ୟ କେତେକାଂଶରେ ପରିବର୍ତ୍ତିତ କରିଦେଇଛି । ମଣିଷର ନିଜ ସମ୍ପର୍କରେ ଧାରଣା ମଧ୍ୟ ବଦଳି ଯାଇଛି । ମଣିଷର କୃଷ୍ଟି କ୍ଷେତ୍ରରେ ମୂଲ୍ୟବାନ (value-standard)ର ପରିବର୍ତ୍ତନ ହୋଇଛି । ଏଭଳି ପରିପ୍ରେକ୍ଷୀରେ ସାହିତ୍ୟର ରୂପ ବଦଳିଯିବା ଓ ସାହିତ୍ୟ ମୂଲ୍ୟର ରୁପାନ୍ତର ଘଟିବା ନିଶ୍ଚିତ–ତାହା ହୋଇଛି ମଧ୍ୟ । ସେହି ପରିବର୍ତ୍ତନ ସ୍ରୋତରୁ ବିଚ୍ଛିନ୍ନ ହେବା ସମାଲୋଚନାର ଚରମ ମାପକାଠି ରୂପରେ ଗ୍ରହଣ କରିଗଲେ, ମୂଲ୍ୟମାନର ପରିବର୍ତ୍ତନ ସତ୍ତ୍ୱେ ସମାଲୋଚନାର ମୂଳ ଆଦର୍ଶ ଅକ୍ଷୁର୍ଣ୍ଣ ଥାଏ ।

 

ଏବେ, ବିଜ୍ଞାନ ପ୍ରତ୍ୟେକ ଦିନ ପ୍ରତି ପଦକ୍ଷେପରେ ମଣିଷର ଜ୍ଞାନ ରାଜ୍ୟକୁ ଅଳ୍ପ-ବହୁତ ପରିବର୍ତ୍ତିତ ଓ ସଂପ୍ରସାରିତ କରୁଛି । ପ୍ରତିଦିନର ଏହି ଅଲକ୍ଷ୍ୟ ପରିବର୍ତ୍ତନ ସହ ମାନବ-ସଭ୍ୟତା ବା ମାନବ-ସ୍ୱଭାବ । ତାହା ସାହିତ୍ୟ-ସତ୍ୟର ଉତ୍ସ ଓ ସାହିତ୍ୟ –ସମାଲୋଚନାର ମାନଦଣ୍ଡ ।

 

ସଭ୍ୟତାର ପ୍ରତ୍ୟେକ ବିଶିଷ୍ଟ ପଦକ୍ଷେପରେ ମାନବ-ଜୀବନର ମୌଳିକ ପରିବର୍ତ୍ତନ ସଂଘଟିତ ହୁଏ । ଏଭଳି ପରିବର୍ତ୍ତନ ସାହିତ୍ୟରେ ନୂତନ ମୂଲ୍ୟବୋଧର ଆବିର୍ଭାବ ଘଟେ । ଭଲ ମନ୍ଦର ଧାରଣା କେବଳ ବଦଳିଯାଏ ନୁହେଁ, ନୂଆ ଭଲମନ୍ଦର ଜନ୍ମ ହୁଏ । ସଚେତନ ସମାଲୋଚକଙ୍କର ସମାଲୋଚନାକୁ ଏହି ମୂଲ୍ୟବୋଧର ଅବବୋଧ ସାର୍ଥକ କରିଥାଏ ।

 

ସମାଲୋଚକ ବିଚାରଶୀଳ, ସୃଜନଶୀଳ ଓ ଦାୟିତ୍ୱବୋଧସମ୍ପନ୍ନ ହେବାକୁ ବାଧ୍ୟ । ଏଭଳି ଗୁଣର ଅଧିକାରୀ ହେବାପାଇଁ ସମୀକ୍ଷକଙ୍କୁ–ଇତିହାସର ଅଗ୍ରଗତି ସହ ଜୀବନ ତଥା ଜୀବନର ମୂଲ୍ୟବୋଧର ସଂଯୋଗ କେଉଁଠି; ଜୀବନର ଅଗ୍ରଗତି ସହ ସାହିତ୍ୟର ଓ ସାହିତ୍ୟର ମୂଲ୍ୟବୋଧର ସଂଯୋଗ କେଉଁଠି ? ଗଭୀର ଭାବରେ ଅନୁସନ୍ଧାନ କରିବାକୁ ହେବ । ଏହି ସଂଯୋଗ ସମ୍ପର୍କରେ ଅସଚେତନ ସମାଲୋଚକଙ୍କର ସମସ୍ତ ତଥ୍ୟ-ସଂଗ୍ରହ ବ୍ୟର୍ଥ ଉଦ୍ୟମ । ସେ ବିଜ୍ଞାନ-ତଥ୍ୟର ଗନ୍ଧମାର୍ଦ୍ଦନ ହୁଏତ ବହନ କରି ଆଣିପାରନ୍ତି, କିନ୍ତୁ ବିଶଲ୍ୟକରଣୀ ସନ୍ଧାନ କରିବା ପାଇଁ ତାଙ୍କର ବୁଦ୍ଧି ତାଙ୍କର ବୁଦ୍ଧି ବତ୍ତିୃର ଅଭାବ ।

 

॥ ଛଅ ॥

 

କ୍ଲାସିକ, ରୋମାଣ୍ଟିକ୍‌, ନବ୍ୟ-କ୍ଲାସିକ, ଟେକ୍‌ସଚୁଆଲ ବା ବୈଜ୍ଞାନିକ ସମାଲୋଚନା-ପ୍ରତ୍ୟେକ ଧରଣର ସମୀକ୍ଷା ପଦ୍ଧତି ସ୍ୱତନ୍ତ୍ର ଓ ଏକାକୀ ସାହିତ୍ୟ-ଲୋକର ରହସ୍ୟ ଉଦ୍‌ଘାଟନ ଓ ସାହିତ୍ୟ ସୃଷ୍ଟିର ମୂଲ୍ୟ ନିର୍ଦ୍ଧାରଣ କରିବା ଦିଗରେ ଅକ୍ଷମ ଓ ସ୍ୱଭାବତଃ ଅପୂର୍ଣ୍ଣ–ଉପର ଆଲୋଚନାରେ ତାହାର ସୂଚନା ମାତ୍ର ଦିଆଯାଇଛି । ତେଣୁ ଲେଖକର ଧାରଣା ସାହିତ୍ୟର ମୂଲ୍ୟାୟନ, ବିଶ୍ଲେଷଣ ଓ ସେ ସମ୍ପର୍କିତ ସିଦ୍ଧାନ୍ତ ଉପସ୍ଥାପନା ପାଇଁ ସମାଲୋଚନାକୁ ସୁସମନ୍ୱିତ ସଂହିତ ସମାଲୋଚନା ହେବାକୁ ପଡ଼ିବ-ଅନ୍ୟ ଭାଷାରେ ଏହାକୁ କୁହାଯାଇପାରେ ଇଣ୍ଟିଗ୍ରେଟିଭ ସମାଲୋଚନା (Intergative Criticism) । ଏଭଳି ସଂହିତ ଓ ସଂପୂର୍ଣ୍ଣତା ନିଚ୍ଛୁକ ବିଜ୍ଞାନ ବୁଦ୍ଧି ବା କିତାବୀ ଦାର୍ଶନିକତା ଦ୍ୱାରା ସାଧନ କରାଯାଇପାରିବ ନାହିଁ, ଗଭୀର ଜୀବନ-ଚେତନା ଦ୍ୱାରା ତାହା କେବଳ ସମ୍ଭବ । ପାଣ୍ଡିତ୍ୟ କଳ୍ପନାଶକ୍ତି ବା ସୌଖୀନ ଉପବୋଧ ସଂହିତା ସମାଲୋଚନାର ନିୟାମକ ନୁହେଁ । ଜୀବନ ସହ ସକ୍ରିୟ ସହଯାଗିତା, ଜୀବନ ଓ ଜଗତ ପ୍ରତି ଅକପଟ ପ୍ରୀତିରୁ ଏହି ସଂହିତ ବା ଇଣ୍ଟିଗ୍ରେଟିଭ ସମାଲୋଚନାର ଜନ୍ମ ।

 

ଜୀବନର ସତ୍ୟକୁ ସାହିତ୍ୟ ବିଚାରର ଆଦର୍ଶ ରୂପେ ଗ୍ରହଣ ଓ ସାହିତ୍ୟ ଯେ ମାନବ-ଅଭିଜ୍ଞତାର ଜୀବନ୍ତ ବିଗ୍ରହ, ଏହିଭଳି ଏକ ବିଶ୍ୱାସ-ଇଣ୍ଟିଗ୍ରେଟିଭ ସମାଲୋଚନାର ଭିତ୍ତି । ଏହିଭଳି ଜୀବନବାଦୀ ଓ ଅଖଣ୍ଡ-ଦୃଷ୍ଟି ସମ୍ପନ୍ନ ସମାଲୋଚନାକୁ ରିଅଲିଷ୍ଟିକ (Realistic) ବା ବାସ୍ତବବାଦୀ ସମାଲୋଚନା କହିଲେ ଭୁଲ ହେବ ନାହିଁ । ତେବେ, ମନେ ରଖିବାକୁ ହେବ, ଏହି ରିଅଲିଜମ ବାସ୍ତବର ଦାସତ୍ୱ କରେ ନାହିଁ, ବରଂ ବାସ୍ତବକୁ ଭଲ ପାଏ । ସାର୍ଥକ ସମାଲୋଚକ କୌଣସି ଧାରକରା ମାପକାଠି ନେଇ ସାହିତ୍ୟର ସୀମା ସରହଦ ଉପରେ ଅମିନଗିରି ଦେଖାନ୍ତି ନାହିଁ । ସେ ନୂତନ ମୂଲ୍ୟର ଅନୁସନ୍ଧାନ ଓ ଉଦ୍ଭାବନ କରନ୍ତି । ଏହି ଦିଗରୁ ଦେଖିଲେ, ସାର୍ଥକ ସାହିତ୍ୟ ସମାଲୋଚନା ସବୁବେଳେ ସୃଷ୍ଟିଧର୍ମୀ ସମାଲୋଚନା । ସୃଷ୍ଟି ଭିତର ଦେଇ ସେ ବିଚାର ଓ ମୂଲ୍ୟାୟନ କରନ୍ତି । ସାହିତ୍ୟ-ସମାଲୋଚନା ତେଣୁ ସାହିତ୍ୟ-ବିଶ୍ଲେଷଣ କେବଳ ନୁହେଁ, ଜଗତ ଓ ଜୀବନ ପ୍ରତି ଅଗାଧପ୍ରୀତିବଶତଃ ଯେଉଁ ମୂଲ୍ୟବୋଧ ସମାଲୋଚକଙ୍କର ବିଚାରବୋଧକୁ ଉଜ୍ୱଳ କରିଥାଏ, ତାହାର ଭିତ୍ତିରେ ସାହିତ୍ୟର ମୂଲ୍ୟାୟନ । ବିଶ୍ଲେଷଣ ଓ ବିଚାର ଭିତର ଦେଇ ସମାଲୋଚନରେ ଯୁଗରୁଚିର ପ୍ରତିଫଳନ ଘଟିଥାଏ, ରୁଚି ପରିବର୍ତ୍ତନର ସଙ୍କେତ ମଧ୍ୟ ମିଳିଥାଏ । ସମୟର ମହାପ୍ରବାହ ଭିତରେ ସାହିତ୍ୟ-ରୂପ ପରିବର୍ତ୍ତନର କାରଣ ସମାଲୋଚନା ଭିତରେ ଉଭାସିତ ହୋଇ ଉଠେ ।

 

 

ଓଡ଼ିଆ ବିଭାଗ

ରାଉରକେଲା ମ୍ୟୁନିସିପାଲି ମହାବିଦ୍ୟାଳୟ

ରାଉରକେଲା-୭୬୯୦୧୨

 

***

 

ଆଜୀବକର ଅଟ୍ଟହାସ (୩)

(ପୁର୍ବ ପ୍ରକାଶିତ ଉତ୍ତାରୁ)

ସୁରେନ୍ଦ୍ର ମହାନ୍ତି

 

ଉପନନ୍ଦ ଓ କ୍ଷେମା ସେଦିନ ବୈଶାଳୀ ମହାବିହାରରୁ ମହାକଶ୍ୟପଙ୍କ ଆଦେଶରେ ବହିଷ୍କୃତ ହେବାଦିନୁ, ଉପନନ୍ଦ ସେହି ଳାଞ୍ଛନା ଓ ଗ୍ଲାନିକୁ ନୀରବ ଉପେକ୍ଷା ବା ଉଦାସୀନତାରେ ଗ୍ରହଣ କରିନଥିଲା ! କିଛିଦିନ ସେ କ୍ଷେମା ସହିତ ଅନିର୍ଦ୍ଦିଷ୍ଟ ଭାବରେ ଇତସ୍ତତଃ ଶୁଖିଲାପତ୍ର ପରି ଉଡ଼ି ବୁଲିବା ପରେ ତାହାର ବିତାଡ଼ନର ପ୍ରଶ୍ନକୁ ଏକ ନୈତିକ ଓ ସାଙ୍ଗଠନିକ ପ୍ରଶ୍ନରେ ପରିଣତ କରିବା ପାଇଁ ସ୍ଥିର କରିନେଲା । ତା’ ପରେ ସେ କ୍ଷେମା ସହିତ ଘୂରିବୁଲିଲା ସଂଘାରାମକୁ ସଂଘାରାମ, ବିହାରରୁ ବିହାର ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କ ମଧ୍ୟରେ ତାହାର ବାର୍ତ୍ତା ପ୍ରଚାର କରିବା ପାଇଁ ! କୌଣସି ଭିକ୍ଷୁ ବା ଭିକ୍ଷୁଣୀ ଶୀଳଭଙ୍ଗ ଅଭିଯୋଗରେ ସାଂଘାରାମରୁ ବିତାଡ଼ିତ ହେଲେ, ବୌଦ୍ଧସଂଘର ଅପାଙ୍‍କ୍ତେୟ ରୂପେ ବିବେଚିତ ହୋଇଥାଆନ୍ତି । ତାପରେ ଅନ୍ୟ ସଂଘାରାମ ଓ ବିହାରରେ ସେମାନେ ରହିପାରିବା ତ ଦୂରର କଥା, ପ୍ରବେଶ ଅଧିକାର ସୁଦ୍ଧା ସେମାନଙ୍କୁ ମିଳିନଥାଏ ! କିନ୍ତୁ ବୌଦ୍ଧ ସଂଘାରାମମାନଙ୍କରେ ଏହି ନିର୍ବାସିତ ଭିକ୍ଷୁ ଭିକ୍ଷୁଣୀଙ୍କୁ ଦେଖି ତରୁଣ ଭିକ୍ଷୁମାନଙ୍କ ଭିତରେ କେବଳ ଯେ କୌତୂହଳ ସୃଷ୍ଟି ହୋଇଥିଲା, ତା ନୁହେଁ; ସେମାନଙ୍କ ବକ୍ତବ୍ୟ ଜାଣିବା ପାଇଁ ମଧ୍ୟ ତରୁଣ ଭିକ୍ଷୁମାନଙ୍କର ଜାଗିଥିଲା ଆଗ୍ରହ । ବସ୍ତୁତଃ ଭିକ୍ଷୁ ଉପନନ୍ଦ ଯେପରି ସେମାନଙ୍କର ନିରୁଦ୍ଧ କାମନା ଓ ବାସନାର ପ୍ରତିନିଧିତ୍ୱ କରୁଥିଲା । ସେମାନେ ନାରୀର ସାହଚର୍ଯ୍ୟ ଓ ସାନ୍ନିଧ୍ୟ ପାଇଁ ସେମାନଙ୍କର ସହଜ ପ୍ରବୃତ୍ତିକୁ ଦମନ କରିପାରୁ ନଥିଲେ ! ସେମାନଙ୍କ ଦୃଷ୍ଟିରେ ଏହା ଥିଲା, ଅପ୍ରାକୃତିକ ଓ ଅବାସ୍ତବ ! ସେମାନଙ୍କ ମଧ୍ୟରୁ ଅନେକେ ଏପରି କୃତ୍ରିମ ନିଗ୍ରହ ବିରୁଦ୍ଧରେ ବିଦ୍ରୋହ କରିବାକୁ ମନେ ମନେ ଯେ ଚାହୁଁ ନ ଥିଲେ, ନୁହେଁ ! ମାତ୍ର ସେଥିପାଇଁ କେହି ଭରସିପାରୁ ନ ଥିଲେ ! ଏ ପ୍ରକାର କୃତ୍ରିମ ବ୍ୟାବହାରିକ ଆଚରଣରୁ ଜନ୍ମ ନେଇଥାଏ ନୈତିକ ଅଂଶ । ତେଣୁ ବହୁ ତରୁଣ ଭିକ୍ଷୁ ବାହାରେ ଶୀଳଚର୍ଯ୍ୟା ଓ ବ୍ରତନିଷ୍ଠାର ଭେକ ଧରି ବୁଲୁଥିଲେ ସିନା, ସୁବିଧା ପାଇଲେ; କିନ୍ତୁ ଦଶଶୀଳନର ପ୍ରତ୍ୟେକଟି ଅନୁଶାସନ ନିର୍ବିଚାରରେ ଭଙ୍ଗ କରୁଥିଲେ ! ସେମାନଙ୍କ ମଧ୍ୟରୁ କେହି କେହି ନଗରବଧୂମାନଙ୍କ ପ୍ରମୋଦଭବନକୁ ସୁଦ୍ଧା ଗୋପନରେ ଯାଉଥିଲେ ! ସୁବିଧା ପାଇଲେ ପାନଶାଳାମାନଙ୍କରେ ସେମାନେ ମଧ୍ୟ ଅପରିଚିତ ନଥିଲେ ! କିନ୍ତୁ ଏସବୁ ଚାଲିଥିଲା, ଗୈରିକ ବା ପୀତ ଚୀବରର ନେପଥ୍ୟରେ !

 

କିନ୍ତୁ, ଉପନନ୍ଦ ଏହା ବିରୁଦ୍ଧରେ ଖୋଲା ଖୋଲି ବିଦ୍ରୋହ ଘୋଷଣା କରିବାର ବୃତ୍ତାନ୍ତ ଶୁଣିବା ପରେ, ଉପନନ୍ଦ ସେମାନଙ୍କ ଦୃଷ୍ଟିରେ ଯେପରି ହଠାତ୍‌ ଏକ ଆଚାର୍ଯ୍ୟରେ ପରିଣତ ହୋଇପଡ଼ିଲା ! ନିଗ୍ରହର ଅନ୍ଧକୂପ ମଧ୍ୟରୁ ଉପନନ୍ଦ, ଦେଖାଇଛି ଯେପରି ମୁକ୍ତିର ସଂଘାରାମମାନଙ୍କରେ ଉପନନ୍ଦ ଓ କ୍ଷେମା ପାଇଁ ମିଳିଗଲା, ଅକୁଣ୍ଠିତ ଆତିଥ୍ୟ ଓ ଆଶ୍ରୟ ! ସେମାନେ ସଂଘାରାମରୁ ବୁଲି ଏହି ବିଦ୍ରୋହୀ ତରୁଣ ଭିକ୍ଷୁକମାନଙ୍କୁ ଥେରବାଦୀମାନଙ୍କ ବିରୁଦ୍ଧରେ ଶେଷ ମୁକାବିଲା ପାଇଁ ସଂଗ୍ରହ କରିବାରେ ଲାଗି ପଡ଼ିଲେ !

 

ଏହିପରି ଭାବରେ ବର୍ଷେକାଳ ବୁଲିବା ପରେ ଦିନେ ସେମାନେ ଫେରି ଆସିଲେ, ବୈଶାଳୀ । କ୍ରମେ ଶ୍ରେଷ୍ଠୀପୁତ୍ର ଓ ରାଜପୁତ୍ରମାନେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇ ଉଠୁଥିଲା; ଅଧ୍ୟାତ୍ମିକ କାରଣରୁ ଯେତେ ନୁହେଁ, ସେତେବେଶୀ ବ୍ୟାବହାରିକ କାରଣରୁ । ସେମାନଙ୍କ ମଧ୍ୟରୁ କେହି କେହି ଗୈରିକ ବା ପୀତ ଚୀବର ସୁଦ୍ଧା ପରିଧାନ କରୁଥିଲେ । ନିଜକୁ ବୌଦ୍ଧ ବୋଲି ପରିଚିତ କରାଇବାରେ ସେଦିନ ସେମାନଙ୍କର ଲାଭଥିଲା ଅନେକ ! ପ୍ରଥମତଃ ସେମାନେ ଲୋକ ଦୃଷ୍ଟିରେ ଗୋଟାଏ ନୂତନ ସମ୍ଭ୍ରାନ୍ତ୍ୟ ଆହରଣ କରିପାରିଥିଲେ । ପୁଣି ନିଜର ଚୀବରଧାରୀ ଭାବମୂର୍ତ୍ତି ପ୍ରସାରିତ କରି, ନିରୀହ ଜନତାକୁ ଶୋଷଣ ଓ ଲୁଣ୍ଠନ କରିବା ପାଇଁ ସେମାନଙ୍କ ପକ୍ଷରେ ଅଧିକ ସୁବିଧାଜନକ ହେଉଥିଲା ।

 

ବୁଦ୍ଧଙ୍କ ଜୀବଦ୍ଦଶାରେ ଅନାଥପିଣ୍ଡଦ ପରି ଶ୍ରେଷ୍ଠୀ, ପ୍ରତି ଅଙ୍ଗୁଳି ପରିମିତ ଭୂମି ପାଇଁ, ଗୋଟିଏ ଗୋଟିଏ ସ୍ୱର୍ଣ୍ଣମୁଦ୍ରା । ଦେଇ କିଣିଥିବା ଜୋତବନ ପ୍ରମୋଦ ଉଦ୍ୟାନକୁ ବୌଦ୍ଧସଂଘକୁ ଦାନ କରିଦେଇଥିଲା ଅନାଥପିଣ୍ଡଦଙ୍କର ତଥାଗତଙ୍କ ପାଇଁ ଥିଲା ଅଚଳା ଭକ୍ତି ; ତାଙ୍କ ପ୍ରଚାରିତ ଧର୍ମରେ ଥିଲା ବିଶ୍ୱାସ ଓ ନିଷ୍ଠା । କିନ୍ତୁ ଏବେ ବୈଶାଳୀର ଶ୍ରେଷ୍ଠୀପୁତ୍ର ଧନଞ୍ଜୟ, ତରୁଣ ଭିକ୍ଷୁ-ଜଗତରେ ଆଦୃତ ନୂତନ ଆଚାର୍ଯ୍ୟ ଉପନନ୍ଦକୁ ତାଙ୍କର ଅଶୋକ-ଉଦ୍ୟାନ ଓ ସେଥିରେ ଥିବା ସୁଦୃଶ୍ୟ ହର୍ମ୍ୟଟିକୁ ଦାନ କଲାବେଳେ, ଶ୍ରେଷ୍ଠୀପୁତ୍ର ଧନଞ୍ଜୟଙ୍କର ଆଧ୍ୟାତ୍ମିକ ଅଭିପ୍‌ସା ଯେତେ ନ ଥିଲା, ସେତେ ଥିଲା ଏହି ନବ ବୌଦ୍ଧଭିକ୍ଷୁ ମଣ୍ଡଳୀରେ ପ୍ରତିଷ୍ଠିତ ଓ ଆଦୃତ ହେବାର ଏକ ସ୍ଥୂଳ ଭାବନା । ସାଧାରଣ ଜନତା ଯେତେବେଳେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ, ପୁଣି ଏହା କ୍ରମେ ରାଜ-ପୃଷ୍ଠପୋଷକତା ଲାଭ କରିବାରେ ଲାଗିଲାଣି, ସେତେବେଳେ ବୌଦ୍ଧଭିକ୍ଷୁ ଓ ସଂଘାରାମ-ମାନଙ୍କର ପୃଷ୍ଠପୋଷକ ରୂପେ ପରିଚିତ ହେବାରେ ସେ ଗୋଟାଏ ମସ୍ତ ଲାଭଥିଲା, ତାହା ଶ୍ରେଷ୍ଠୀପୁତ୍ର ଧନଞ୍ଜୟଙ୍କ ପରି ଶ୍ରେଷ୍ଠୀମାନେ ଠିକ୍‌ କଳନା କରିପାରୁଥିଲେ । ସେଥିପାଇଁ ଏତେ ସହଜରେ ଉପନନ୍ଦକୁ ମିଳିଗଲା ବୈଶାଳୀର ଅଶୋକ ଉଦ୍ୟାନରେ ଏହି ସୁରମ୍ୟ ଅଟ୍ଟାଳିକା । ତାହା ଲୋକମୁଖରେ ଅଶୋକ ବନବିହାର ନାମରେ କ୍ରମେ ପରିଚିତ ହୋଇ ଉଠିଲା । ଏଠାରେ ମଧ୍ୟ ଉପନନ୍ଦର ନୂତନ ବାଣୀରେ ଉଦବୁଦ୍ଧ ହୋଇ ଉଠିଲେ ବହୁ ଭିକ୍ଷୁ ଓ ଭିକ୍ଷୁଣୀ ।
 

ଉପନନ୍ଦର ଯୁକ୍ତି କ୍ଷୁରଧାର ପରି ଅତି ତୀକ୍ଷ୍‍ଣ । ସମବେତ ଭିକ୍ଷୁ ଓ ଭିକ୍ଷୁଣୀଙ୍କୁ ଅଶୋକ ବନବିହାରରେ ପ୍ରବଚନ ଦେବାବେଳେ ସେ ପଚାରେ, ତଥାଗତ କହିଥିଲେ, ଏହି ଜଗତରେ ସବୁ ଅନିତ୍ୟ, ସବୁ ଅସତ୍ୟ । ବ୍ରାହ୍ମଣମାନେ ଏହାକୁ କହୁଥିଲେ ! ସଂସାର ଯଦି ଅନିତ୍ୟ ଓ ମାୟା, ତାହାହେଲେ ସାମାନ୍ୟ ଟିକିଏ ଲବଣକୁ ମୋକ୍ଷ ପଥରେ ଗୋଟିଏ ପର୍ବତ ଜ୍ଞାନରେ ପ୍ରତିବନ୍ଧକ ରୂପେ ବିଚାର କରାଯିବ କାହିଁକି ? ସାମାନ୍ୟ ଟିକିଏ ଲବଣ କ’ଣ ଗୋଟାଏ ମାୟା ନୁହେଁ ? ଏହାକୁ ସତ୍ୟ ବୋଲି ନ ବିଚାର, ଭିକ୍ଷାନ୍ନରେ ମିଶାଇ ଖାଇବାରେ କ୍ଷତି କ’ଣ ? ସୁସ୍ୱାଦୁ ଖାଦ୍ୟ ଖାଇ ମୋକ୍ଷାଲାଭ କଲେ ଉଭୟ ଇହଜୀବନ ଓ ପରଜୀବନରେ ଲାଭ ଛଡ଼ା ତ କ୍ଷତି ନାହିଁ !’

 

ସମବେତ ତରୁଣ ଭିକ୍ଷୁ ଓ ଭିକ୍ଷୁଣୀମାନେ ସୋଲ୍ଲାସରେ କହନ୍ତି, ‘ସାଧୁ ! ସାଧୁ !’

 

ଉପନନ୍ଦ କହି ଚାଲନ୍ତି, ‘‘କୁହାଯାଇପାରେ, ସୁସ୍ୱାଦରୁ ଜନ୍ମ ନିଏ ଖାଦ୍ୟପ୍ରତି ଆସକ୍ତି ଓ ଲୋଭ ! କିନ୍ତୁ ଲବଣବିହୀନ ଖାଦ୍ୟ ଯଦି ଖାଦ୍ୟପ୍ରତି ଆସକ୍ତି ଆଣୁ ନ ଥାନ୍ତା, ତାହାହେଲେ ବୃଦ୍ଧ ଶ୍ରମଣ ଓ ଭିକ୍ଷୁମାନେ ମୁଠାଏ ମୁଠାଏ ଲବଣହୀନ ଭିକ୍ଷାନ୍ନ ପାଇଁ ଦ୍ୱି ପହରର ମୁଣ୍ଡଫଟା ଖରାରେ ଲୋକାଲୟମାନଙ୍କରେ ଗୃହସ୍ଥମାନଙ୍କ ଘରକୁ ଧାଉଁଥାନ୍ତେ କାହିଁକି ?’

 

ବାସ୍ତବିକ ଏ ପ୍ରଶ୍ନର ଉତ୍ତର ବା କ’ଣ ?

 

ଉପନନ୍ଦ ଦିନେ ଏହିପରି ପ୍ରବଚନ ଦେଉଥିବା ବେଳେ, ଜଣେ ଭିକ୍ଷୁ ପଚାରିଲା. ‘ତଥାପି ମାଂସ ଭକ୍ଷଣ ଭିକ୍ଷୁମାନଙ୍କ ପକ୍ଷରେ ଅନୁଚିତ କଥା ! କିନ୍ତୁ ଏବେ ଭିକ୍ଷୁମାନେ କ୍ରମେ ଗୃହସ୍ଥମାନଙ୍କ ଘରେ ମାଂସାହାର ସୁଦ୍ଧା ଦାବୀ କଲେଣି !’’

 

ଉପନନ୍ଦ ସ୍ମିତ ହସି ଉତ୍ତର ଦେଲେ, ‘‘ତୁମେ ଜାଣିଥିବ, ସ୍ୱୟଂ ତଥାଗତ ବୁଦ୍ଧ କୁଶୀନର ପଥରେ ଆସୁଥିବାବେଳେ ଜଣେ କୁମ୍ଭାର ଘରେ ଶୂକର ମାଂସ ଖାଇ ଅତିସାର ରୋଗରେ ପଡ଼ି ପରିନିର୍ବାଣ ପ୍ରାପ୍ତ ହେଲେ ! ତା ହେଲେ ମାଂସ ଭକ୍ଷଣରେ ବାଧା କେଉଁଠି ? ମାଂସ ପ୍ରତି ସ୍ୱୟଂ ତଥାଗତଙ୍କର ତ ଅରୁଚି ନ ଥିଲା !’’

 

      କିନ୍ତୁ ସେହି ଭିକ୍ଷୁ ଜଣକ ଯୁକ୍ତି କଲେ, ‘‘ତେବେ, ବୌଦ୍ଧଶୀଳ ଅନୁସାରେ ନିଜର ଅଜ୍ଞାତସାରରେ ଜୀବକୁ ହତ୍ୟାକରି ମାଂସ ପ୍ରସ୍ତୁତ ହୋଇଥିଲେ, ତାହାକୁ ଖାଇବାରେ ବାଧା ନାହିଁ । ମାତ୍ର ଏବେ ଭିକ୍ଷୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଜୀବହତ୍ୟା କରି ମାଂସାହାର ଦାବୀ କରାଯାଉଥିବା ବେଳେ ସେହି ନିୟମର କ’ଣ ଲଘଂନ ହେଉନାହିଁ ?’’

 

ଉପନନ୍ଦ ସେହିପରି ସ୍ମିତ ହସି ଉତ୍ତର ଦେଲେ; ‘‘ତୁମେ ଯେଉଁ ନିୟମ କଥା କହୁଛ, ତାହା କ’ଣ ଆଉ ଏକ ଶଠତା ନୁହେଁ ?’’

 

ହଁ, ଏବେ ସେଦିନ ସେହିପରି ଗୋଟିଏ ଘଟଣା ଘଟିଗଲା ! ଚାରିଜଣ ଭିକ୍ଷୁ ଶ୍ରାବସ୍ତିର ଉପକଣ୍ଠରେ ଗୋଟିଏ ଗ୍ରାମରେ ଜଣେ ଗୃହସ୍ଥ ଘରକୁ ଭିକ୍ଷାନ୍ନ ପାଇଁ ଯାଇଥିଲେ । ସେଠାରେ ପହଞ୍ଚି ସେମାନେ ଗୃହସ୍ଥର ଉଦ୍ୟାନରେ ଦେଖିଲେ, ଗୋଟିଏ ମୃଗୁଣୀ ତା’ର ଶାବକ ସହିତ ଉଦ୍ୟାନରେ ବୁଲୁଛି । ନ୍ୟଗ୍ରୋଧ ଜାତକର କାହାଣୀ ସତ୍ତ୍ୱେ, ଭିକ୍ଷୁମାନଙ୍କର ଜିହ୍ଵା ମୃଗମାଂସ ଭକ୍ଷଣ ପାଇଁ ଲାଳାସିକ୍ତ ହେଲା ! ଗୃହସ୍ଥ ମୃଗୁଣୀକୁ ହତ୍ୟା କରି ମାଂସ ପ୍ରସ୍ତୁତ କରିବା ପାଇଁ କି ତ ହେବାରୁ ଭିକ୍ଷୁମାନେ ଭିକ୍ଷାନ୍ନ ଭୋଜନ ନ କରି, ଗୃହସ୍ଥକୁ ଅଭିଶାପ ଦେବା ପାଇଁ ଭୟ ଦେଖାଇଲେ ! ଭିକ୍ଷୁମାନେ ଅଭିଶାପ ଦେଲେ, ଗୃହସ୍ଥ ମୋକ୍ଷ ଲାଭରୁ ବଞ୍ଚିତ ହେବାର ଆଶଙ୍କରେ ମ୍ରିୟମାଣ ହୋଇ ଅଗତ୍ୟା ମୃଗ ଶାବକଟିକୁ ହତ୍ୟା କରି, ଭିକ୍ଷୁମାନଙ୍କୁ ସେହି ମାଂସ ସେଦିନ ଦ୍ୱିପହର ଅତିକ୍ରାନ୍ତ ହେବାର ବହୁପରେ ଖାଇବାକୁ ଦେଇଥିଲା ! ଏହିପରି ଆଚରଣକୁ ଆଉ ତ ସମର୍ଥନ କରାଯାଇନ ପାରେ ।

 

‘’ନିଜ ଆଖିରେ ଦେଖି ହେଉ, ବା ନ ଦେଖି ହେଉ ଜୀବକୁ ହତ୍ୟା ନ କଲେ ତ ଆଉ ମାଂସ ପ୍ରସ୍ତୁତ ହୋଇପାରିବ ନାହିଁ । ମାଂସ ଖାଇବା ପାଇଁ ଜୀବହତ୍ୟା ଆଖିରେ ଯାହା, ନ ଦେଖିଲେ ତାହା ! ତେଣୁ ମତ୍ସ୍ୟ ଓ ମାଂସାହାରରେ କୌଣସି ନିଷେଧ ରଖି ଲାଭ କ’ଣ ?

 

ସେଠାରେ ସମବେତ ତରୁଣ ଭିକ୍ଷୁମଣ୍ଡଳୀ ଦେଖିଲେ, ଯଦି ଏହିପରି ମତ ଓ ଆଚରଣ ବୌଦ୍ଧ ସଂଘାରାମମାନଙ୍କରେ ପ୍ରଚଳିତ ହୁଏ, ତାହାହେଲେ ସିଝା-ଅଲଣା ଖାଦ୍ୟ ଖାଇବା ପରିବର୍ତ୍ତେ ପ୍ରତ୍ୟହ ଦିବ୍ୟ ମାଂସାହାର ମିଳିପାରିବ । ଶୂକର ମାଂସ ଖାଇ ତଥାଗତ ବୁଦ୍ଧଙ୍କର ମୋକ୍ଷ ପ୍ରାପ୍ତିରେ ଯଦି ପ୍ରତ୍ୟବାୟ ନ ହେଲା, ତାହାହେଲେ ସେମାନଙ୍କର ବା ହେବ କାହିଁକି ? ସେମାନେ କରତାଳି ଦ୍ୱାରା ଉପନନ୍ଦଙ୍କୁ ସମର୍ଥନ ଜଣାଇଲେ !

 

ଅଶୋକ ବନବିହାର କ୍ରମେ ଏହି ନୂତନ ଭିକ୍ଷୁସଂପ୍ରଦାୟର ଗୋଟିଏ ପ୍ରଧାନ ପୀଠ ଓ ଉପନନ୍ଦ ଜଣେ ମହାନ୍‌ ଆଚାର୍ଯ୍ୟ ରୂପେ ପ୍ରଚାରିତ ହେବାପାଇଁ ଲାଗିଲା । ବିହାରରେ ତରୁଣ ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କ ସଂଖ୍ୟା ମଧ୍ୟ କ୍ରମେ ବୃଦ୍ଧି ପାଇବାରେ ଲାଗିଲା !

 

କିନ୍ତୁ ସମୂହ ବୌଦ୍ଧଭିକ୍ଷୁ ସମାଜରେ ଏ ମତ ପ୍ରାମାଣିକ ଭାବରେ ପ୍ରତିଷ୍ଠିତ ନ ହେବା ପର୍ଯ୍ୟନ୍ତ ଏସବୁ କେବଳ ବିକୃତ ବ୍ୟତୀତ ଆଉ କ’ଣ ବୋଲି ବିବେଚିତ ହୋଇପାରେ ? ମାତ୍ର ପ୍ରବୀଣ ବୃଦ୍ଧ ଆଚାର୍ଯ୍ୟ ଓ ଅର୍ହତମାନେ ଏସବୁ ଶୁଣି ଦୁଇ କାନରେ ଆଙ୍ଗୁଠି ଦେଉଥିଲେ । ସେମାନେ ମଧ୍ୟ ଲୋକାଳୟମାନଙ୍କରେ ବୁଲି ବୁଲି ଏପରି ମତକୁ ଅକାର୍ଯ୍ୟବାଦ ବୋଲି ପ୍ରଚାର କରି ଚାଲିଥିଲେ । ଶ୍ରାବକ ଓ ଗୃହସ୍ଥମାନେ କରିପାରିବେ ବା କ’ଣ ? ଅର୍ହତମାନେ କହୁଛନ୍ତି ତଥାଗତଙ୍କ କଥା ! ତରୁଣ-ଭିକ୍ଷୁମାନେ ମଧ୍ୟ ସେହି ତଥାଗତଙ୍କ ଦ୍ୱାହି ଦେଉଛନ୍ତି ! ପ୍ରକୃତରେ ତଥାଗତ କ’ଣ ଥିଲେ, କ’ଣ କରୁଥିଲେ କ’ଣ କହୁଥିଲେ ; ତାହା ସେମାନେ ବୁଝି ପାରିବେ ବା କିପରି ? ଏପରି ବିଭ୍ରାନ୍ତ ମଧ୍ୟରେ ଦଶଶୀଳର ଗୋଟିକ ପରେ ଗୋଟିଏ ଶୀଳ ବା ଆଚାରର ଲଘଂନ ଅନାବୃତ ଭାବରେ ଚାଲିଥିଲା । ବୃଦ୍ଧ ଅର୍ହତ ଓ ଆଚାର୍ଯ୍ୟମାନେ ଏହାର ଚରମ ମୁକାବିଲା ପାଇଁ ପ୍ରସ୍ତୁତ ହେବା ବେଳକୁ ତରୁଣ-ଭିକ୍ଷୁମାନେ ତାହାର ସମୁଚିତ ଉତ୍ତର ଦେବାପାଇଁ ମଧ୍ୟ ଅଣ୍ଟା ଭିଡ଼ୁ ଥିଲେ ।

ଏ ପରିସ୍ଥିତିରେ ଉପନନ୍ଦ କ୍ରମେ ତରୁଣ-ଭିକ୍ଷୁମାନଙ୍କ ଦୃଷ୍ଟିରେ ହୋଇଉଠିଲା, ଜଣେ ମହାଚାର୍ଯ୍ୟ । ତାଙ୍କୁ ସେମାନେ ସମ୍ବୋଧନ କରିବା ପାଇଁ ଲାଗିଲେ, ‘ଭଗବାନ’ ନାମରେ ! ଯେପରି ଏକଦା ତଥାଗତ ଓ ଅନ୍ୟ ଅର୍ହତମାନଙ୍କୁ ସମ୍ବୋଧନ କରାଯାଉଥିଲା । ଉପନନ୍ଦ ମଧ୍ୟ ଏହି ଭିକ୍ଷୁମାନଙ୍କୁ ସମ୍ବୋଧନ କଲାବେଳେ କହିବା ଆରମ୍ଭ କରିଦେଲେ ! ‘‘ଭକ୍ତେ’’

 

UR/I, Unit No-6

Bhubaneswar

***

 

॥ ଆଗାମୀ ସକାଳ ପାଇଁ ॥

ରବି ସିଂ

 

କେତେ କାଳ ଆଉ ପୂଜି ମୁଁ ପାରିବି ବେଦନାର ବୀଣାପାଣି ?

ମନବନେ ଜାଳି ଭୀମ ଦାବାନଳ, ନିରାନନ୍ଦଙ୍କୁ ଆଣି –

କେତେ ବସାଇବ ସିଂହାସନେ ମୋ, ଅପସଂସ୍‍କୃତି-ମେଢ଼ ?

ଇଚ୍ଛା ନଥାଇ କେତେ ମୁଁ ଦେଖିବି ? ଯନ୍ତ୍ରଣା ଜଡ଼ସଡ଼

ପ୍ରତାରଣା ଆଉ ଛଳନାର ବେଣୁ, ଶୋଷଣର ରାହାଜାନୀ,

ହତ୍ୟା ଓ ଖୁନ୍‌, ଅତ୍ୟାଚାରର ଘୃଣିତ ମନ୍ତ୍ରଧ୍ୱନି-

ଏ ମୋ ନିଃସଙ୍ଗ, ବିଦ୍ରୋହୀ କବି ଜୀବନକୁ କଷାଘାତ—

କରେ ଅବିରତ, ଦୁଇଟି ମୁଲ୍ୟବୋଧର ସେ ସଂଘାତ ;

ତାହାରି ଭିତରେ ଅବଶ ବାହୁ ମୋ, ଚରମ ବିହୀନ ଅସି,

ଅପଲକ ଆଖି, ନିଶାଚର ପକ୍ଷୀ ତରୁ ଶାଖେ ବସି ବସି;

ରାତିର ଆକାଶ, ବାଦଲର ଭେଳା, ଆଷାଢ଼ର ମେଘବାରି,

ବଜ୍ରନିନାଦ, ଆତ୍ମିକ କ୍ଷତ, ବିଦ୍ୟୁତ୍ ତରବାରୀ,

ମୋର ଏ ନୀରବ, ଯନ୍ତ୍ରଣାକର ଯୁଦ୍ଧକୁ ଅଛି ଦେଖି,

ପ୍ରଭାତ ଆଗମ ସମ୍ବାଦ ଦିଏ ପହିଲେ ଯେ କାକ ଡ଼ାକି;

ଏମାନେ ଆଜି ମୋ ସଖା ସହୋଦର, ନୀରବ ବନ୍ଧୁ ଦଳ

ଏଇ ନିଃସଙ୍ଗ ନିବାସକୁ ଘେରି ଘଟେ ଯାହା ତିଳ ତିଳ,

ଆତ୍ମୀୟତାର କୌରବ ଘେର ହୋଇଆସେ ଦୁର୍ବଳ

ବିଷଚକ୍ରର କମେ ଘୂର୍ଣ୍ଣନ, ପଙ୍ଗୁ ମନର ବଳ—

ହେଲାବେଳେ ଜାଗେ ନୂଆ ଅନୁଭୂତି ଆଜି ଏଇ ସନ୍ଧ୍ୟାରୁ,

ଆଗାମୀ ସକାଳ ପାଇଁ

ଶପଥ ନ ନେଲେ ଅପଥରେ ହଜି ଯିବାଛଡ଼ା ବାଟ ନାହିଁ ।

 

 

ନିଃସଙ୍ଗ ନିବାସ,

ନୂଆପଡ଼ା, କଟକ-୭୫୩୦୧୦

 

***

 

Unknown

ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସ

ଅଧ୍ୟାପିକା ଡକ୍ଟର ରେଖା ମହାନ୍ତି

 

ଅତୀତ ଜୀବନ ପ୍ରତି ବିଶ୍ୱାସ ଆଉ ନୈତିକତା ପ୍ରତି ଅସରନ୍ତି ସ୍ନେହ ନେଇ ମଣିଷ ଯେତେବେଳେ ପ୍ରଗତିର ପଥଚାରୀ ହେଲା; ସେତେବେଳେ ସେ ଗଢ଼ିଗଲା, ତା’ର ଅତୀତର ଇତିହାସ । ଇତିହାସ ହେଉଛି, ମଣିଷ ଆଉ ତାର ପ୍ରତିଷ୍ଠାନର ବିକାଶୋନ୍ମୁଖୀ ଘଟଣାର ସମୟାନୁକ୍ରମିକ ତଥ୍ୟ । ଇତିହାସର ଅର୍ଥ ବୁଝାଇବା ପାଇଁ ଚିନ୍ତାଶୀଳ ବ୍ୟକ୍ତି ବହୁଭାବରେ ପ୍ରୟାସ କରିଅଛନ୍ତି । ଇତିହାସର ସବୁଠାରୁ ବଡ଼ ଉପାଦାନ ହେଉଛି ; ପରିବର୍ତ୍ତନ କୌଣସି ନିୟମ ଓ ଶୃଙ୍ଖଳାର ଅନୁସରଣ କରେ ବା ନାହିଁ, ଏହା ସ୍ଥିର କରିବା । ଇତିହାସର ସଂଜ୍ଞା ନିରୂପଣ ଏ ଯୁଗରେ ଏକ ଅନାବଶ୍ୟକ ପ୍ରୟାସ । ନିତ୍ୟ ପ୍ରବହମାନତା ହେଉଛି ଇତିହାସର ଯଥାଥ ଦର୍ଶନ । ମଣିଷ ସଭ୍ୟତାର ଲିଖିତ ତଥ୍ୟର ଅନ୍ୟ ନାମ ହେଉଛି ଇତିହାସ । ଇତିହାସ ରଚନା ହେଉଛି, ସବୁଠାରୁ ପ୍ରାଚୀନ କଳା ଓ ଅନ୍ୟାନ୍ୟ କଳା ପରି ଏହା ବହୁ ପରିବର୍ତ୍ତିତ ଶୈଳୀ ଓ ବିଶେଷ ବ୍ୟାଖ୍ୟା ଭିତରେ ଶତାବ୍ଦୀ ବ୍ୟାପୀ ଗତିଶୀଳ । ଇତିହାସକୁ ଲିପିବଦ୍ଧ କରିବାର କଳା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ସଂସ୍କୃତିରେ ପ୍ରାୟ ସମାନ । ମାତ୍ର ସମୟ ଓ ପ୍ରଗତିର ଧାରଣାରେ ଥିବା ପାର୍ଥକ୍ୟ ଅନୁସାରେ ପ୍ରାଚ୍ୟ ଜଗତରେ ଇତିହାସ ସମ୍ବନ୍ଧୀୟ ଧାରଣା ପାଶ୍ଚାତ୍ୟ ଜଗତରେ ଅଦ୍ଭୂତ ଓ ଅର୍ଥହୀନ ଭାବରେ ଗୃହୀତ ହୋଇଥାଏ । ପ୍ରାଚ୍ୟଜଗତରେ, ବିଶେଷତଃ ଭାରତରେ ଇତିହାସ ରଚନା ପାଇଁ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇନାହିଁ । ଆଧୁନିକ କାଳରେ ଇତିହାସ ଯେଉଁ ଅର୍ଥରେ ପ୍ରଚଳିତ, ଭାରତରେ ସେହି ଅର୍ଥରେ ପ୍ରଚଳିତ ହେବାର ଦେଖାଯାଏ ନାହିଁ ।

 

ଭାରତୀୟ ଆର୍ଯ୍ୟ ସଭ୍ୟତା ଓ ସଂସ୍କୃତିର ଇତିହାସ ଅନୁଧ୍ୟାନ କଲେ ଆଜି ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼େ ଯେ, ଅତୀତରେ ଇତିହାସ ଲେଖି ରଖିବା ଆର୍ଯ୍ୟଜାତିର ପରମ୍ପରା ନ ଥିଲା । ତେଣୁ ଏଜାତିର ବହୁ ଅମୂଲ୍ୟକୀର୍ତ୍ତିରେ ସ୍ରଷ୍ଟାର ସ୍ୱାକ୍ଷର ନାହିଁ । ବେଦକୁ ଅପୌରୁକ୍ଷେୟ କୁହାଯିବାର ଯେ ଏହି ନୀତି ନଥିଲା, ଏକଥା କୁହାଯାଇ ନପାରେ । ଏହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର ଇତିହାସ ଆଧୁନିକ ଶିକ୍ଷିତ ବ୍ୟକ୍ତିର ବିଚାର ବୃଦ୍ଧିରେ ଏକ ପ୍ରହେଳିକାପୂର୍ଣ୍ଣ ସମସ୍ୟା । ଅତୀତରେ ଏଇ ଓଡ଼ିଶାର ମାଟି ଉପରେ ଘଟିଯାଇଥିବା ବହୁ ଘଟଣା ଏବେ ଯେପରି ଭାବରେ ପ୍ରଚାରିତ, ତହିଁରୁ ଇତିହାସସମ୍ମତ ଘଟଣା ଖୋଜିପାଇବା ଏକ କଠିନ ସମସ୍ୟା । ଗାଲମାଧବ ଉପାଖ୍ୟାନ, ପୁରୁଷୋତ୍ତମ ଦେବଙ୍କର କାଞ୍ଚିଅଭିଯାନ, କପିଳେନ୍ଦ୍ର ଦେବଙ୍କର ବାଲ୍ୟକାଳ, ସାକ୍ଷୀଗୋପାଳ ଉପାଖ୍ୟାନ, କଳା ପାହାଡ଼ର ଆମନ୍ତ୍ରଣ ପ୍ରଭୃତି ବହୁ ଘଟଣା ଆଧୁନିକ କାଳରେ ଏଦେଶର ଜନସାଧାରଣଙ୍କ ସରଳ ବିଶ୍ୱାସୀ ମନରେ ଇତିହାସମ୍ମତ ଘଟଣା ଭାବରେ ସ୍ଥାନ ଅଧିକାର କରିବସିଛି । ମାତ୍ର ଏଗୁଡ଼ିକ ଯେ, କିମ୍ବଦନ୍ତି ପ୍ରସୂତ, ଏକଥା ଆଜି ଚିନ୍ତା କରିବା ଦୁଷ୍କର । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଐତିହାସିକ ଘଟଣାବଳୀକୁ ଅନୁଧ୍ୟାନ ନ କଲେ ବିଚାର ବିଭ୍ରାଟର ଯଥେଷ୍ଟ ଆଶଙ୍କା ରହିଛି ।

 

ଓଡ଼ିଶାର ଇତିହାସ ବା ଐତିହାସିକ ତଥ୍ୟ ବିଷୟରେ ଯେତେବେଳେ କୌଣସି ସଠିକ ବିବରଣ ଆଜି ସନ୍ଦେହପୂର୍ଣ୍ଣ, ସେତେବେଳେ ଯେକୌଣସି ତଥ୍ୟ ଉପରେ ନିର୍ଭର କରି ରଚିତ ଐତିହାସିକ କଥା –ସାହିତ୍ୟ ଉପରେ ଆସ୍ଥା ସ୍ଥାପନ କରିବା । ସଂପୂର୍ଣ୍ଣ ନିରାପଦ ହୋଇ ନ ପାରେ-। ତଥାପି ଓଡ଼ିଆ ଐତିହାସିକ କଥା-ସାହିତ୍ୟର ବିଚାର ପାଇଁ ଯଥାଲବ୍‍ଧ ଐତିହାସିକ ତଥ୍ୟକୁ ଗ୍ରହଣ କରାଯାଇ ପାରେ ।

 

ଭାରତୀୟ ବାଙ୍‌ମୟ ସାହିତ୍ୟର ସବୁଠାରୁ ପ୍ରାଚୀନ ରୂପ ବେଦ, ବ୍ରାହ୍ମଣ, ଉପନିଷଦ ପ୍ରଭୃତିରେ, ହିତୋପଦେଶ, ପଞ୍ଚତନ୍ତ୍ର ପ୍ରଭୃତିରେ, ବେତାଳ ପଞ୍ଚବିଂଶତି, କଥା ସରିତସାଗର ପ୍ରଭୃତି ଉପଦେଶାତ୍ମକ ଗ୍ରନ୍ଥରେ ବହୁ ପ୍ରକାର କଥା ବା କାହାଣୀ ଦେଖିବାକୁ ମିଳେ; ମାତ୍ର ଧ୍ୟେୟ ଦୃଷ୍ଟିକୋଣ ଓ ଶିଳ୍ପ ଦୃଷ୍ଟିରେ ଏଗୁଡ଼ିକ ଆଧୁନିକ କଥା-ସାହିତ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ । ଓଡ଼ିଆରେ ରୁଦ୍ର ସୁଧାନିଧି, ବତ୍ରିଶ ସିଂହାସନ, ବେତାଳ ପଞ୍ଚବିଂଶତି, ଚତୁର ବିନୋଦ ପ୍ରଭୃତିରେ ଗଳ୍ପାଂଶ ଅତିରଞ୍ଜିତ ଓ ଅବାସ୍ତବ । ଏଗୁଡ଼ିକରେ ଅଲୌକିକ ଘଟଣା, ଅସାଧ୍ୟ ସାଧନ, ଅଦ୍ଭୂତ ବିଷୟର ଓ ରୂପ ବର୍ଣ୍ଣନା କାବ୍ୟଧର୍ମୀ, ଆଳଙ୍କାରିକ । ଚତୁର ବିନୋଦରେ ସମାଜର ସାଧାରଣ ସ୍ତରରୁ ଚରିତ୍ର ଗ୍ରହଣ କରାଯାଇଥିଲେହେଁ ଚରିତ୍ର ଚିତ୍ରଣ ଓ ବିଶ୍ଲେଷଣର ଅବକାଶ ନାହିଁ । ଶୃଙ୍ଗାରରସ ସମନ୍ୱିତ ବର୍ଣ୍ଣନାଧିକ୍ୟ ସଙ୍ଗେ ସଙ୍ଗେ ଉପନ୍ୟାସ ଶିଳ୍ପ ରୀତିର ଅଭାବ ଏଥିରେ ପରିଦୃଷ୍ଟ । ଏଗୁଡ଼ିକ ମୌଳିକ ସୃଷ୍ଟି ସମ୍ପଦ ନୁହେଁ, ସଂସ୍କୃତ ସାହିତ୍ୟର ଆଦର୍ଶ ଅନୁସରଣରେ ରଚିତ ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟି ପୂର୍ବରୁ ଭାରତୀୟ ସାହିତ୍ୟ ଓ ଓଡ଼ିଆ ସାହିତ୍ୟରେ ଔପନ୍ୟାସିକ ଶିଳ୍ପରୀତିର ସାମାନ୍ୟତତ୍ତ୍ଵ ବିକ୍ଷିପ୍ତ ଭାବରେ କେତେକ ସ୍ଥାନରେ ପ୍ରକାଶ ପାଇଥିଲେ ହେଁ ଆମର ପ୍ରାଚୀନ ସାହିତ୍ୟ ଏ ଯୁଗର ଉପନ୍ୟାସ ସାହିତ୍ୟର ଆଦର୍ଶ ନୁହେଁ । ଓଡ଼ିଆ ସାହିତ୍ୟରେ ଉନବିଂଶ ଶତାବ୍ଦୀର ଅଷ୍ଟମ ଦଶକରେ ଐତିହାସିକ ଉପନ୍ୟାସର ଜନ୍ମ । ଇଂରାଜୀ ଓ ବଙ୍ଗଳା ଉପନ୍ୟାସ ଦ୍ୱାରା ପ୍ରଭାବିତ ହେବ । ପୂର୍ବରୁ ଓଡ଼ିଆ ସାହିତ୍ୟ ବାସ୍ତବତା କ୍ଷେତ୍ରରେ କେତେଦୂର ପ୍ରତିଷ୍ଠିତ ହୋଇଥିଲା, ତାହା ସୁବିଦିତ । ଓଡ଼ିଆ ସାହିତ୍ୟରେ ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ସାହିତ୍ୟର ଇତିହାସ ଅନୁଶୀଳନରୁ ଜଣାଯାଏ ଯେ,ପ୍ରଥମେ ସାମାଜିକ ଓ ପରେ ଐତିହାସିକ ଉପନ୍ୟାସର ସୃଷ୍ଟି, ମାତ୍ର ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସର ଗୌରବ ଦାବୀ କରେ ।

 

୧୮୭୮ ମସିହାରେ; ରାମଶଙ୍କର ରାୟଙ୍କ ଦ୍ୱାରା ରଚିତ ଏକ ଅସମାପ୍ତ ଐତିହାସିକ ଉପନ୍ୟାସ ସୌଦାମିନୀର ଐତିହାସିକ ଉପାଦାନ ଅତ୍ୟନ୍ତ ଅସ୍ପଷ୍ଟ ଓ ଅବାସ୍ତବ । ଏହାର ଐତିହାସିକତା କୁହେଳିକାଚ୍ଛନ୍ନ । ସମଗ୍ର ଉପନ୍ୟାସବ୍ୟାପୀ ରୋମାନ୍ସର କଳ୍ପନା ପ୍ରବଣତା, ଅତିରଞ୍ଜନ ଓ ଅବାସ୍ତବତା ପରିଦୃଷ୍ଟ । ଚିତୋରର ରାଣୀ ଭୀମ ସିଂହଙ୍କ ଭୁବନମୋହିନୀ ପତ୍ନୀ ପଦ୍ମିନୀ ପ୍ରାପ୍ତି ପାଇଁ ଅଲାଉଦ୍ଦିନ ଖିଲ୍‌ଜିଙ୍କ ଚିତୋର ଆକ୍ରମଣ ଐତିହାସିକ ସତ୍ୟ ଘଟଣା ନୁହେଁ । ଏହି ବିଷୟଟି କିମ୍ବଦନ୍ତୀ ଆଧାରିତ । କିମ୍ବଦନ୍ତୀକୁ ଅନୁସରଣ ନ କରି ଔପନ୍ୟାସିକ ଜୟ ସିଂହ ଓ କାଳ୍ପନିକ ନାୟିକା ସୌଦାମିନୀଙ୍କ ପ୍ରେମ ଉପାଖ୍ୟାନକୁ ପ୍ରଧାନ ବିଷୟ ଭାବରେ ଗ୍ରହଣ କରିଛନ୍ତି । କେବଳ କେତେକ ଐତିହାସିକ ସ୍ଥାନ ଓ ବ୍ୟକ୍ତିର ଉଲ୍ଲେଖରେ କୌଣସି ଉପନ୍ୟାସ, ଐତିହାସିକ ଉପନ୍ୟାସ ଭାବରେ ସ୍ୱୀକୃତି ଲାଭ କରିପାରେ ନାହିଁ । ଐତିହାସିକ ଉପନ୍ୟାସ ରଚନା କରିବାକୁ ଯାଇ ସ୍କଟ୍ ଯେପରି ପ୍ରଚଳିତ ଗାଥାଗଳ୍ପ ଓ ଲୋକଗୀତକୁ ଉପନ୍ୟାସରେ ସ୍ଥାନ ଦେଇଛନ୍ତି, ରାମଶଙ୍କର ସେହିପରି ସୌଦାମିନୀରେ ଚରଣକବିଙ୍କ ଗାଥାରୁ ଉପାଖ୍ୟାନ ଗ୍ରହଣ କରିଥିବା ସମ୍ଭବ । ଏଥିରେ ଉଜ୍ୱୟିନୀର ରାଣୀ ପଦ୍ମାବତୀଙ୍କ ମୁଖରେ ଛଡ଼ାଗୀତ ଦିଆଯାଇଛି । ଏହାର ଚରିତ୍ରଗୁଡ଼ିକ ଭାବର ଆବେଗରେ ଉଚ୍ଛ୍ଵସିତ । ଚରିତ୍ରଗୁଡ଼ିକ ଆଦର୍ଶବାଦୀ, ମାତ୍ର ବାସ୍ତବ ପରିବେଶରେ ବଳିଷ୍ଠ ଆଦର୍ଶ ପ୍ରତିଷ୍ଠା କରିବା ଭଳି ଯୋଗ୍ୟତା ସେମାନଙ୍କର ନାହିଁ । ଉପନ୍ୟାସରେ ବର୍ଣ୍ଣିତ ଘଟଣାବଳୀ ପାଠକମାନଙ୍କ ମନରେ କୌତୂହଳ ସୃଷ୍ଟି କରେ, ମାତ୍ର ଏଥିରେ ସାଧାରଣ ମଣିଷର ଦେିନନ୍ଦିନ ଜୀବନଚିତ୍ର ନାହିଁ । ସୌଦାମିନୀର ଅର୍ଦ୍ଧପ୍ରକାଶିତ ଅଂଶର ଘଟଣା ଓ ଚରିତ୍ର ଅନୁସରଣରେ କୁହାଯାଇପାରେ, ଏହା ଇତିହାସ ନୁହେଁ ବା ଉପନ୍ୟାସ ନୁହେଁ, ଏହା ଏକ ରୋମାନ୍‌ସ ।

 

ଉନବିଂଶ ଶତାବ୍ଦୀର ଶେଷ ଦଶକରେ ଓଡ଼ିଆ ଐତିହାସିକ ଉପନ୍ୟାସର ସୁତ୍ରପାତ । ୧୮୮୮ ମସିହାରେ ପ୍ରକାଶିତ ଉମେଶଚନ୍ଦ୍ର ସରକାରଙ୍କ ରଚିତ ପଦ୍ମମାଳୀ ଓଡ଼ିଆ ସାହିତ୍ୟରେ ଏକାଧାରରେ ଉପନ୍ୟାସ ଓ ଐତିହାସିକ ଉପନ୍ୟାସର ପଥିକୃତ । ପଦ୍ମମାଳୀ ଓଡ଼ିଆ ସାହିତ୍ୟରେ ପ୍ରଥମ ଐତିହାସିକ ଉପନ୍ୟାସ ରୂପେ ଗୃହୀତ, ମାତ୍ର ସମାଲୋଚକ ମତରେ ଏହାକୁ ଉପନ୍ୟାସ ନ କହି ଘଟଣା, ଇତିହାସ ଓ ବହୁ ଚରିତ୍ରପୂର୍ଣ୍ଣ ଏକ ଦୀର୍ଘ କାହାଣୀ ଭାବରେ ଗ୍ରହଣ କରାଯାଇପାରେ (୧) । ପଦ୍ମମାଳୀର କାହାଣୀ ବହୁମୁଖୀ ବା ଜଟିଳ ନୁହେଁ । ନୀଳଗିରିର ରାଜକର୍ମଚାରୀମାନଙ୍କର ପାଞ୍ଚଗଡ଼ ଓ ହରିହର ଭ୍ରମରବରଙ୍କର ନୀଳଗିରି ଆକ୍ରମଣ-ଏହି ଦୁଇଗୋଟି ଐତିହାସିକ ଘଟଣାକୁ କେନ୍ଦ୍ରକରି ଉପନ୍ୟାସର କଥାବସ୍ତୁ ଗଢ଼ିଉଠିଛି । ସ୍ଥୂଳତଃ ଦୁଇଗୋଟି ଐତିହାସିକ ଘଟଣାର ରସ ରୂପାୟନ ପାଇଁ ଲେଖକ ଅତ୍ୟନ୍ତ ଚତୁରତାର ସହ ଅପଶାସନକୁ ତା’ର ମୂଳ କାରଣ ରୂପେ ଗ୍ରହଣ କରି ସେହି ଅପଶାସନର ସ୍ୱରୂପ ପ୍ରଖ୍ୟାପମ ଓ ଉପଯୁକ୍ତ ଘଟଣା ଏବଂ ଚରିତ୍ରର ପ୍ରାକୃତିକ ବିକାଶ ସାଧନ ପ୍ରତି ସମଧିକ ଦୃଷ୍ଟିପାତ କରିଛନ୍ତି । (୨)

 

ପଦ୍ମମାଳୀରେ ରୋମାନ୍ସର କୌତୂହଳ, ଆକସ୍ମିକତା ବା ରହସ୍ୟର ପ୍ରାଚୁର୍ଯ୍ୟ ପରିଲକ୍ଷିତ ହୁଏନାହିଁ । ପରୀକ୍ଷିତ ଓ ପଦ୍ମମାଳୀ ମଧ୍ୟରେ ପ୍ରେମଚିତ୍ର ଆଦୌ ସ୍ୱାଭାବିକ ଭାବାନୁମୋଦିତ ନୁହେଁ-। ବଙ୍କିମଚନ୍ଦ୍ର ଦୁର୍ଗେଶ ନନ୍ଦିନୀରେ ଯେପରି ଅଭିଭାବକୋଚିତ ମନୋଭାବ ନେଇ ପ୍ରେମଦୃଶ୍ୟର ବର୍ଣ୍ଣନା କରିଛନ୍ତି, ସ୍କଟ୍ ଯେପରି ପିତୃସୁଲଭ ରୀତିରେ ପ୍ରେମଦୃଶ୍ୟ ପରିସ୍କୁଟ କରୁଛନ୍ତି, ଉମେଶ ଚନ୍ଦ୍ର ଅବିକଳ ସେହିଭାବରେ ପରୀକ୍ଷିତ-ପଦ୍ମାମାଳୀଙ୍କର ପ୍ରେମଭାବକୁ ପ୍ରକାଶ କରିଛନ୍ତି । ପଦ୍ମମାଳୀରେ ଦୁଃସାହସିକତା, ବୀରତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ, ଅଭିଜାତ ଶ୍ରେଣୀର ପ୍ରେମ ଉପାଖ୍ୟାନର ସମାବେଶ ଉଚ୍ଚକୋଟିର ନହେଲେହେଁ ଚିତ୍ତାକର୍ଷକ । ରୋମାନ୍ସର କାହାଣୀ, ଘଟଣା ଚରିତ୍ର ଓ ପରିବେଶ ସବୁ ରହସ୍ୟମୟ ଓ ସସ୍ପଷ୍ଟ । ଏଗୁଡ଼ିକ ବିକ୍ଷିପ୍ତ ଭାବରେ ମଧ୍ୟ ବର୍ଣ୍ଣିତ । ୧୮୩୫ ମସିହା ଫେବୃୟାରୀ ମାସରେ ମାଣତ୍ରୀ ଯାତ୍ରାରୁ ଘଟଣାର ଆରମ୍ଭ ଓ ଜୁଲାଇ ମାସରେ ପଦ୍ମମାଳୀ ପରୀକ୍ଷିତ ସିଂହଙ୍କ ବିବାହରେ ପରିସମାପ୍ତ । ପଦ୍ମମାଳୀର ଐତିହାସିକ ଅଂଶ ମୁଖ୍ୟତଃ ଘଟଣାର ପର୍ଯ୍ୟବେସିତ । ମାତ୍ର ଇତିହାସର କଳେବରରେ କଳ୍ପନାର ପକ୍ଷ ଲଗାଇ ଲେଖକ ପରିକ୍ଷିତ ସିଂହଙ୍କୁ ମାର୍ଜନା ଦେଇ ରିକେଟ୍ ସାହେବଙ୍କ ଦ୍ୱାରା ପଦ୍ମମାଳୀ ସହିତ ପରିକ୍ଷିତ ସିଂହଙ୍କର ବିବାହର ଆୟୋଜନ କରାଇଛନ୍ତି । ଏଥିରେ ଇତିହାସ ଏକ ଆଭ୍ୟନ୍ତରୀଣ ସତ୍ୟମୂର୍ତ୍ତି ନେଇ ପ୍ରକଟିତ ନୁହେଁ ; କେବଳ ବାହ୍ୟ ଆବରଣ । ପଦ୍ମମାଳୀର ଏକ ବିଶିଷ୍ଟ ମୂଲ୍ୟ ତା’ର ଔପନ୍ୟାସିକ ସୌନ୍ଦର୍ଯ୍ୟରେ ନାହିଁ, ଅଛି ଐତିହାସିକ ଉପନ୍ୟାସ ରଚନାର ଐକାନ୍ତିକ ଆକାଙ୍‍କ୍ଷାରେ । ପଦ୍ମମାଳୀର ସୃଷ୍ଟି ପରିକଳ୍ପନା ଓ ଶିଳ୍ପକର୍ମରେ ବହୁ ତୃଟି ବିଚ୍ୟୁତ ପରିଲକ୍ଷିତ ହୁଏ । ଏହି ଦୃଷ୍ଟିରୁ ପଦ୍ମମାଳୀ ଏକ ସଫଳ ଉପନ୍ୟାସ ନ ହୋଇପାରେ ବା ଐତିହାସିକ ଉପନ୍ୟାସର ମରୁପ୍ରାନ୍ତରରେ ଏହା ଏକ ମରୁଦ୍ୟାନ ।

 

ଉମେଶଚନ୍ଦ୍ର ସରକାରଙ୍କର ଅତୀତ ପ୍ରତି ଶ୍ରଦ୍ଧା ଓ ସ୍ୱଦେଶପ୍ରୀତିର ଅନ୍ୟ ଏକ ନିଦର୍ଶନ କେନ୍ଦୁଝର ବିଦ୍ରୋହ । ଏହାକୁ ଏକ ଅସମାପ୍ତ ଐତିହାସିକ ଉପନ୍ୟାସର ଆଖ୍ୟା ଦିଅଯାଇପାରେ ।

 

ଉନବିଂଶ ଶତାବ୍ଦୀର ଶେଷ ଦଶକ (୧୮୯୮ ମସିହା)ରେ ବିବାସିନୀର ଜନ୍ମ । ମରହଟ୍ଟା ସୁବାଦାରଙ୍କ ଶାସନକାଳର କଥା ମୁଖ୍ୟତଃ ଏଥିରେ ବର୍ଣ୍ଣିତ । ଏହାର ସଂଳାପ, ଚରିତ୍ରଚିତ୍ରଣ ଓ ରଚନାଶୈଳୀ ଫକୀର ମୋହନଙ୍କଠାରୁ ଭିନ୍ନ ବଙ୍କିମ ଚନ୍ଦ୍ରଙ୍କ ଉପନ୍ୟାସ ସହିତ ଏହାର ସାମଞ୍ଜସ୍ୟ ଅଧିକ (୩) । ବିବାସିନୀରେ ବର୍ଣ୍ଣିତ ଘଟଣା ୧୭୬୮ ମସିହାର କଥା, ଇଂରେଜମାନଙ୍କର ଓଡ଼ିଶା ଅଧିକାରର ୩୫ ବର୍ଷ ପୂର୍ବର ମରହଟ୍ଟା ପତନ କାଳର କାହାଣୀ । ଏହି ସମୟ ମଧ୍ୟରେ ଓଡ଼ିଶାର ଏକାଧିକ ଐତିହାସିକ ଉପନ୍ୟାସ ରଚିତ । ଐତିହାସିକ ଔପନ୍ୟାସିକମାନଙ୍କର ଏହି କଳା ନିର୍ବାଚନର କାରଣ ଏହି ଯୁଗର ଇତିହାସ ସହିତ ସାଧାରଣ ଜୀବନ ସଂଯୋଗ ପ୍ରକାଶ କରିବା ଖୁବ୍‌କଷ୍ଟସାଧ୍ୟ ନଥିଲା । ଏହି ଘଟଣା ସୁଦୂର ଅତୀତର ହୋଇ ନ ଥିବାରୁ ଲୋକମୁଖରେ ଶୁଣା ଅନେକ କଥା କପୋଳକଳ୍ପିତ ଅବାସ୍ତବ ନୁହେଁ, ସତ୍ୟଭିତ୍ତିକ । ତେଣୁ ଘଟଣାର ସତ୍ୟତା ଓ ତଥ୍ୟ ଅଧିକ, କଳ୍ପନାର ସଂଯୋଗ କେବଳ ଶୂନ୍ୟତାକୁ ପୂର୍ଣ୍ଣ କରିବା ପାଇଁ ପ୍ରୟୋଜନନୁସାରୀ । ମାତ୍ର ବିବାସିନୀରେ ଐତିହାସିକ ତଥ୍ୟ ନିତାନ୍ତ କ୍ଷୀଣ ଓ ଅସମ୍ପୂର୍ଣ୍ଣ ଭାବରେ ମୂଳ ଆଖ୍ୟାୟିକା ସହିତ କାଳନିର୍ଦ୍ଦେଶ ପାଇଁ ସଂଯୋଜିତ ।

 

ବିବାସିନୀର ସମାଜଚିତ୍ର ସୁଦୂର ଅତୀତର ନୁହେଁ । ପ୍ରକୃତରେ କୌଣସି ଗୁରୁତର ଐତିହାସିକ ଘଟଣା ସହିତ ବିବାସିନୀର ସଂଯୋଗ ନାହିଁ । ପୌଷପୂର୍ଣ୍ଣିମାରୁ ଆଷାଢ଼ ପୂର୍ଣ୍ଣିମା ଏହି ସମୟ ମଧ୍ୟରେ ଉପନ୍ୟାସର ଘଟଣା ବିସ୍ତୃତ । ଏହି ସମୟ ମଧ୍ୟରେ ଭୀଷଣ ଦୁର୍ଭିକ୍ଷ ଓ ଦୁର୍ଭକ୍ଷର କରାଳ ଛାୟାରୁ ମୁକ୍ତିର ଚିତ୍ର ବର୍ଣ୍ଣିତ । ଏଥିରେ ଐତିହାସିକତା ହେଉଛି, ମରହଟ୍ଟା ଅପଶାସନ ହେତୁ ଦୁର୍ଭିକ୍ଷର ପ୍ରକୋପରେ ଜନସାଧାରଣଙ୍କ ଅସ୍ଥି କଙ୍କାଳ ସାର ବୁଭୁକ୍ଷୁ ଚିତ୍ର । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପାଶ୍ଚାତ୍ୟ ଐତିହାସିକ ଔପନ୍ୟାସିକମାନେ ଇତିହାସକୁ ଯେପରି ଉପନ୍ୟାସ ଧର୍ମରେ ରୂପାନ୍ତିରତ କରିଛନ୍ତି, ଦୈନନ୍ଦିନ ଜୀବନ ପଥରେ ଇତିହାସର ପ୍ରାଣସତ୍ତାକୁ ଯେପରି ମିଶାଇ ଦେଇଛନ୍ତି, ଓଡ଼ିଆ ସାହିତ୍ୟର ଐତିହାସିକ ଔପନ୍ୟାସିକ ପକ୍ଷରେ ତାହା ସମ୍ଭବ ହୋଇପାରିନାହିଁ । ସମାଲୋଚକଙ୍କ ମତରେ ମରହଟ୍ଟା ସୁବାଦାର ଗଣେଶଙ୍କ କୁଶାସନକୁ ଉପନ୍ୟାସ ରୂପଦେବା ଥିଲା, ତାଙ୍କର ମୌଳିକ ଲକ୍ଷ୍ୟ (୪) । ପ୍ରାଚୀନ ଆଦର୍ଶର କଥା କେବଳ ବିବାସିନୀର ଉପଜୀବ୍ୟ ନୁହେଁ, ପ୍ରାଚୀନ ଶୁଦ୍ଧ ସଂସ୍କୃତ ଭାଷାର ଶୈଳୀରେ ଉପନ୍ୟାସ ରଚନା କରିବା ଲେଖକଙ୍କର ଅନ୍ୟତମ ପ୍ରଚେଷ୍ଟା । ବିବାସିନୀର ଭାଷାର କ୍ଲିଷ୍ଟତା ଓ ଅସ୍ୱଚ୍ଛନ୍ଦ ପ୍ରକାଶଭଙ୍ଗୀ ଏହାର ଉପନ୍ୟାସ ମର୍ଯ୍ୟାଦାକୁ ବହୁଳାଂଶରେ କ୍ଷୁର୍ଣ୍ଣ କରିଦେଇଅଛି । ବିବାସିନୀକୁ ଆଂଶିକ ଭାବରେ ଏକ ଐତିହାସିକ ଉପନ୍ୟାସର ମର୍ଯ୍ୟାଦା ଦିଆଯାଇପାରେ ।

 

ଫକୀର ମୋହନ ସେନାପତିଙ୍କ ରଚିତ ଚାରିଗୋଟି ଉପନ୍ୟାସ ଓଡ଼ିଶାର ଦୁଇଶହ ବର୍ଷର ସାମାଜିକ ଓ ସାଂସ୍କୃତିକ ଇତିହାସ ଗୃହିତ । ଲଛମା, ଛ’ମାଣ ଆଠଗୁଣ୍ଠ, ମାମୁ ଓ ପ୍ରାୟଶ୍ଚିତ୍ତ – ତାଙ୍କ ପୂର୍ବରୁ ଓ ସମକାଳର ବାସ୍ତବ ଜୀବନ୍ତ ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଇତିହାସ ପ୍ରତି ଫକୀର ମୋହନଙ୍କର ପ୍ରୀତି ପକ୍ଷପାତ ଥିଲା । ଫକୀର ମୋହନଙ୍କର ଶିଳ୍ପୀଅନ୍ତର ଏ ଜାତିର ପ୍ରାଣରେ ଏପରି ଏକ ବାସ୍ତବ ଜୀବନଭିତ୍ତିକ ମହାର୍ଘ ସାହିତ୍ୟ ଚେତନା ସୃଷ୍ଟି କରିଗଲା, ଯାହା ଏପର୍ଯ୍ୟନ୍ତ ସାହିତ୍ୟିକ ଆଦର୍ଶ ରୂପେ ସ୍ୱୀକୃତ । ଗଳ୍ପ ଉପନ୍ୟାସ ଉଭୟ କ୍ଷେତ୍ରରେ ତାଙ୍କର ଆଦର୍ଶ ହିଁ ଏ ପର୍ଯ୍ୟନ୍ତ ଅନୁସୃତ ।

 

ବଙ୍କିମଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଫକୀର ମୋହନ ଲଛମାରେ ଗଳ୍ପରସ ଓ ଇତିହାସରସର ସୁନ୍ଦର ସାମଞ୍ଜସ୍ୟ ବିଧାନ କରିଛନ୍ତି । ଏଥିରେ ଇତିହାସାଶ୍ରିତ ଘଟଣା ଯେପରି ଅନନ୍ୟ ମର୍ଯ୍ୟାଦାରେ ଅଭିଷିକ୍ତ, କପୋଳକଳ୍ପିତ କାହାଣୀ ସେହିପରି ଅପୂର୍ବ ସୌନ୍ଦର୍ଯ୍ୟରେ ବିନ୍ୟସ୍ତ-। ଫକୀରମୋହନଙ୍କ ଲଛମା ବର୍ଗୀମାନଙ୍କ ଅତ୍ୟାଚାର, ନିଷ୍ଠୁର ନରହତ୍ୟା ଓ ଲୁଣ୍ଠନର ବାସ୍ତବ କଥାଚିତ୍ର । ଲଛମାର ଯଥାର୍ଥ ବିଚାର ପାଇଁ ଉନବିଂଶ ଶତାବ୍ଦୀର ପୃଥିବୀ, ତା’ର ସଭ୍ୟତା ଓ ଚିନ୍ତାଧାରା ପ୍ରତି ଦୃଷ୍ଟି ନିବଦ୍ଧ କରିବାକୁ ପଡ଼ିବ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ବିଶ୍ୱାସ ଓ ଚିନ୍ତାଧାରା ସଂପୂର୍ଣ୍ଣ ଭିନ୍ନ । ମାତ୍ର ପାଶ୍ଚାତ୍ୟ ଜଗତର ଇଂରେଜ ବଣିକଗଣ ଭାରତର ‌ପ୍ରାଚୀନ ଆଦର୍ଶ, ବିଶ୍ୱାସ ଓ ଶିକ୍ଷା ସଂସ୍କୃତିର ଆମୁଳ ପରିବର୍ତ୍ତନ ଘଟାଇ ଆଣିଦେଲେ, ନୂତନ ଚେତନାର ପ୍ରବାହ । ଚିନ୍ତା ଓ ଚରିତ୍ରରେ ଫକିରମୋହନଙ୍କ ସାହିତ୍ୟ ଏହି ନୂତନ ପୃଥିବୀଠାରେ ଅସୀମ ଭାବରେ ଋଣୀ (୫) । ସ୍ୱଦେଶ ଓ ବିଦେଶର ଜାତୀୟଭାବ ଫକୀରମୋହନଙ୍କ ହୃଦୟକୁ ଆଲୋଡ଼ିତ କରିଥିଲା । ଲଛମାରେ ତାହାର ସଙ୍କେତ ସ୍ପଷ୍ଟ । ତତ୍‌କାଳୀନ ସାମାଜିକ ଜୀବନର ଅବ୍ୟବସ୍ଥିତ ଓ ଜାତୀୟ ଜୀବନର ମୁମୂର୍ଷାଦଶା ଅବଲୋକନ କରିଥିବାରୁ ଅନୁଭୂତିକ୍ଷମ ଫକୀରମୋହନ ଏତେବଡ଼ ସ୍ରଷ୍ଠା ହୋଇପାରି ଥିଲେ । ଫକୀରମୋହନ ଲଛମାର ଚରିତ୍ରମାନଙ୍କର ସୁଲଭ ସମାଧାନ କରିଛନ୍ତି । ନ୍ୟାୟନୀତିର ବିଚାରରେ ଚରିତ୍ରମାନଙ୍କୁ ସେ ପରିଣତି ଦିଗରେ ପ୍ରଧାବିତ କରିପାରନ୍ତି । ତାଙ୍କ ମତରେ ପାପ ଓ ପୁଣ୍ୟର ଫଳଭୋଗ ଅବଶ୍ୟମ୍ଭାବୀ ଏହା ଏକ ଐତିହାସିକ ଚେତାବନୀ ।

 

ଲଛମାର ସ୍ରଷ୍ଟା ବଙ୍କିମଚନ୍ଦ୍ରଙ୍କ ପ୍ରଭାବମୁକ୍ତ ନୁହନ୍ତି, ବଙ୍କିମଚନ୍ଦ୍ରଙ୍କ ପରି ମୁଖ୍ୟତଃ ରୋମାନସ୍‌ ସ୍ରଷ୍ଟା ନୁହନ୍ତି । ଫକୀରମୋହନ ବାସ୍ତବର ରୂପକାର । ଲଛମାର ରୋମାନ୍ସ ପ୍ରଧାନତଃ ରାଜ୍ୟ ଶାସନର ଅରାଜକତା ଓ ଶିଥିଳତା ମଧ୍ୟରୁ ସଂଜାତ । ଇତିହାସର ବିପୂଳ ଓ ଅପରିଚିତ ପରିବେଶ ମଧ୍ୟରେ ପରିଣତି ବାସ୍ତବତାର ସ୍ପର୍ଶ ପାଠକର ମନୋରାଜ୍ୟରେ ଏକ ଲଘୁ ବାତାବରଣ ସୃଷ୍ଟି କରେ । ଏହା ଫଳରେ ପାଠକ ଉପନ୍ୟାସ ସହିତ ଅନ୍ତରଙ୍ଗ ହେବାର ସୁଯୋଗ ଲାଭ କରେ ।

 

ଓଡ଼ିଆ ଜାତି ଇତିହାସର ଘୂର୍ଣ୍ଣାବର୍ତ୍ତରେ ପଡ଼ି ବିକ୍ଷୁବ୍‍ଧ ବିଚଳିତ ହୋଇପଡ଼ିଛି ସତ୍ୟ, ତଥାପି ତା’ର ପ୍ରାଣସତ୍ତା ହରାଇ ନାହିଁ । ବୀର ଓଡ଼ିଆ ଉପନ୍ୟାସରେ ଔପନ୍ୟାସିକ ରାମଚନ୍ଦ୍ର ଆଚାର୍ଯ୍ୟ ମୁସଲମାନ ରାଜତ୍ୱ କାଳରେ ପ୍ରଜାକଣ୍ଟକ ଶାସକମାନଙ୍କର ଅତ୍ୟାଚାର ଧର୍ମଦ୍ୱେଷର ବହୁବର୍ଣ୍ଣିଳ କଥାପ୍ରସଙ୍ଗ ସହିତ ଉତ୍କଳୀୟ ବୀରମାନଙ୍କର ବୀରତ୍ୱ ଓ ଧର୍ମପ୍ରାଣତାର କଥା ବର୍ଣ୍ଣନା କରିଛନ୍ତି । ନାଏବ୍‌ ନାଜିମ୍‌ ସଜାଉଦ୍ଦିନ୍‍ଙ୍କର ଜାରଜ ସନ୍ତାନ ମହମ୍ମଦ ତକିଖାଁଙ୍କର ଅତ୍ୟାଚାରରେ କୁଳକାମିନୀ ଯୁବତୀମାନଙ୍କର ସତୀତ୍ୱ ଯେତେବେଳେ ଭୂ-ଲୁଣ୍ଠିତ ହେଉଥିଲା, ସେତିକିବେଳର ଏକ ମର୍ମସ୍ପର୍ଶୀ ପୀଠିକା ଉପରେ ଗଢ଼ି ଉଠିଛି, ଏହି ଉପନ୍ୟାସ । ଔପନ୍ୟାସିକ ଏକାଧିକ ସ୍ଥଳରେ ଅତୀତ ଇତିହାସର ଗୌରବମୟ ଅଧ୍ୟାୟଗୁଡ଼ିକ ଉନ୍ମୋଚିତ କରିଛନ୍ତି ପ୍ରସଙ୍ଗ କ୍ରମରେ । କୃଷ୍ଣଚନ୍ଦ୍ରଙ୍କର ପରିଚୟ ଦେବାକୁ ଯାଇ ଔପନ୍ୟାସିକ ମୁକୁନ୍ଦଦେବଙ୍କର ପତନରେ ଓଡ଼ିଶାର ଅସ୍ତଗାମୀ ସ୍ୱାଧୀନତା ଓ ଖୋର୍ଦ୍ଧା ରାଜାଙ୍କର ସ୍ୱାଧୀନଚେତା ମନୋବୃତ୍ତିର ପରିଚୟ ଦେଇଛନ୍ତି ।

 

ଇତିହାସ ରଚନାର ନାନା ଉଦ୍ଦେଶ୍ୟ ମଧ୍ୟରେ ଗୋଟିଏ ଉଦ୍ଦେଶ୍ୟ ହେଉଛି, ଜାତିର ଉତ୍‍ଥାନ ପତନର ଆଲୋଚନାରେ ବର୍ତ୍ତମାନ କାଳ ଆତ୍ମସ୍ଥ ହୋଇପାରେ (୬) । ରାମଚନ୍ଦ୍ର ଆଚାର୍ଯ୍ୟଙ୍କର କମଳକୁମାରୀ ଉପନ୍ୟାସରେ ଏହି ଉଦ୍ଦେଶ୍ୟ ହି ମୂର୍ତ୍ତି । ସେ ରାଜପୁତ ଜାତିର, ବିଶେଷତଃ ରୂପନଗରର ଇତିହାସକୁ ଲୋକଲୋଚନ ଗୋଚର କରାଇବାକୁ ଚେଷ୍ଟା କରିଛନ୍ତି । କମଳକୁମାରୀର କଥାଭାଗ ହେଉଛି ହିନ୍ଦୁବିଦ୍ୱେଷୀ, କୂଟନୀତି ବିଶାରଦ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ପ୍ରତାରଣାର ଏକ କାହାଣୀ । ବଙ୍କିମଚନ୍ଦ୍ରଙ୍କ ରାଜସିଂହ ଓ ତେଲୁଗୁ ଭାଷାରେ ଅନୂଦିତ ମହାରାଷ୍ଟ୍ର ଭାଷାର କଥାଭାଷା ଅବଲମ୍ବନରେ ରଚିତ କମଳକୁମାରୀର କଥାବସ୍ତୁ ଅଭିନ୍ନ । କମଳକୁମାରୀରେ ଇତିହାସ ଓ ଉପନ୍ୟାସ ଦୁଇଗୋଟି ବିଭାବର ସମ୍ମିଳିତ ସୌନ୍ଦର୍ଯ୍ୟ ପ୍ରକାଶ ପାଇଅଛି । ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ଅନ୍ୟ ଏକ ଉପନ୍ୟାସ ପଦ୍ମିନୀରେ ରାଜପୁତ ଜାତିର ଶୋର୍ଯ୍ୟବୀର୍ଯ୍ୟ ଓ ରାଜପୁତ ରମଣୀର ସତୀତ୍ୱ ଓ ସୌନ୍ଦର୍ଯ୍ୟର କାହାଣୀ ରୂପାୟିତ । ଆଲାଉଦ୍ଦିନଙ୍କର ଚିତୋର ଆକ୍ରମଣ, ଆଲୋକ ସାମାନ୍ୟ ରୂପବତୀ ପଦ୍ମିନୀଙ୍କର ଜ୍ଵଳନ୍ତ ଅଗ୍ନିକୁଣ୍ଡ ପ୍ରବେଶ ଦ୍ୱାରା ଜହରବ୍ରତ ପାଳନ ଇତିହାସର ଦିଗନ୍ତକୁ ଏବେ ମଧ୍ୟ ଆଲୋକିତ କରି ରଖିଛି ।

 

ଗୋଦାବରୀଶ ମହାପାତ୍ରଙ୍କର ରାଜଦ୍ରୋହୀ ଉପନ୍ୟାସରେ ଇତିହାସ କେବଳ ଆଙ୍ଗିକ, ଆତ୍ମିକ ରସସିକ୍ତ ନୁହେଁ । ଏଥିରେ କଳ୍ପନା କୁଶଳତା ଅଧିକ । ତେଣୁ ଉପନ୍ୟାସଟି ଭାବସମୃଦ୍ଧ, ଇତିହାସସିଦ୍ଧ ନୁହେଁ । ଔପନ୍ୟାସିକ ୧୬୨୨,୧୬୪୫ ଓ ୧୬୬୦ ସାଲ, ଏହିପରି ବିଭିନ୍ନ ସମୟ ସଙ୍କେତ ମଧ୍ୟରେ କଥାବସ୍ତୁର ସଜାଇଛନ୍ତି । ସମୟର ଏହି ସୂଚନାରୁ ଜଣାଯାଏ, ଏହା ଖୋର୍ଦ୍ଧାରାଜା ନରସିଂହ ଦେବ,ବଳଭଦ୍ର ଦେବ ଓ ମୁକୁନ୍ଦ ଦେବଙ୍କ ସମୟର କଥା । ଏହାଛଡ଼ା ଅନ୍ୟାନ୍ୟ ସମସ୍ତ ଚରିତ୍ର ଓ ଘଟଣା କାଳ୍ପନିକ କିମ୍ବା କିମ୍ବଦନ୍ତୀ ।

 

୧୯୩୩ ମସିହାରେ ପ୍ରକାଶିତ ମୁକୁନ୍ଦଦାଶଙ୍କର କଳାପାହାଡ଼ ଉପନ୍ୟାସ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ ହରିଚନ୍ଦନ ଓ ବଙ୍ଗଳାର ନବାବ ସୁଲେମାନ କରରାନୀଙ୍କ ରାଜତ୍ୱ କାଳରେ କାଲାଚାନ୍ଦ ରାୟଙ୍କ ଘାତପ୍ରତିଘାତମୟ ଜୀବନ ଚରିତ ଉପରେ ଆଧାରିତ । ମୁକୁନ୍ଦଦେବଙ୍କୁ ପରାଜିତ କରି କଳାପାହାଡ଼ ଓଡ଼ିଶାର ଦେବଦେବୀ ମନ୍ଦିର ଉପରେ ଆତର୍କିତ ଆକ୍ରମଣ ଓ ଅବର୍ଣ୍ଣନୀୟ ଅତ୍ୟାଚାରର ଯେଉଁ ଆତଙ୍କ ସୃଷ୍ଟି କରିଥିଲେ ତାହାର ଆଭାସ ଏଥିରେ ଥିଲେହେଁ ମୁଖ୍ୟତଃ କଳାପାହାଡ଼ ଧର୍ମମାର୍ଗଗାମୀ ଜୀବନବୃତ୍ତାନ୍ତର ଚିତ୍ରରେ ଏହାର ପୃଷ୍ଠା ବର୍ଣ୍ଣିଳ, ସଂପୂର୍ଣ୍ଣ ଭିନ୍ନ ସ୍ୱାଦ ଓ ଭିନ୍ନ ମର୍ମରେ ଓ ଔପନ୍ୟାସିକ ହିନ୍ଦୁଧର୍ମର ଗୂଢ଼ତତ୍ତ୍ୱ, ବୌଦ୍ଧଧର୍ମର ମର୍ମବାଣୀ ଓ ଉପନିଷଦର ସାରତତ୍ତ୍ୱ ବ୍ୟାଖ୍ୟାନ କରି ଭକ୍ତିଧର୍ମ ଓ ପ୍ରେମଧର୍ମର ମାହାତ୍ମ୍ୟ ପ୍ରତିପାଦନ କରିବା ତାଙ୍କର ଅନ୍ୟତମ ଲକ୍ଷ୍ୟ । ମାନବ ଧର୍ମରେ ଦୀକ୍ଷିତ ହୋଇ କାଲାଚାନ୍ଦ ଭଗବତ୍ ଭାବନାରେ ନିମଜ୍ଜିତ ହୋଇଥିଲେ । ଲେଖକ ସମ୍ପୂର୍ଣ୍ଣରୂପେ କିମ୍ବଦନ୍ତୀ ନିର୍ଭର ଗୋଟିଏ ଘଟଣାକୁ ଉପନ୍ୟାସ ରୂପ ଦେବାକୁ ଯାଇ ବହୁ ଅବାନ୍ତର ବିଷୟର ଅବତାରଣା କରୁଛନ୍ତି । ଇତିହାସରେ କଳାପାହାଡ଼ଙ୍କୁ ଯେପରି ପ୍ରତିଶୋଧର ତୀବ୍ର ଜ୍ୱାଳାମୁଖୀ ବର୍ଣ୍ଣନା କରାଯାଇଛି, ଉପନ୍ୟାସରେ ତାହା ସମ୍ପୂର୍ଣ୍ଣ ପରିବର୍ତ୍ତିତ । କଳାପାହାଡ଼ ଏକ ଐାତିହାସିକ ଉପନ୍ୟାସ ନୁହେଁ–ଐତିହାସିକ ରୋମାନସ୍‌ । ଏଥିରେ ଇତିହାସ ଗୌଣ–କାଲାଚାନ୍ଦଙ୍କର ଜୀବନର ଏହା ଏକ କାଳ୍ପନିକ ଆଖ୍ୟାୟିକା; ଇତିହାସ ବା ଉପନ୍ୟାସ କୌଣସି ବିଷୟର ଚତୁର ପ୍ରତିନିଧି ନୁହେଁ । କଳାପାହାଡ଼ ଉପନ୍ୟାସ କାଲାଚାନ୍ଦ ରାୟଙ୍କର ଜୀବନର କଳ୍ପନା ପ୍ରସୂତ କାହାଣୀ । କଳାପାହାଡ଼ ଉପନ୍ୟାସରେ ଇତିହାସର ଅଭ୍ରାନ୍ତ ସତ୍ୟକୁ ଅନୁସରଣ କରିବାର ପ୍ରଚଣ୍ଡ ଉଲ୍ଲାସ ଅପେକ୍ଷା ଆଦର୍ଶବାସୀ ଧର୍ମନିଷ୍ଠ ଚରିତ୍ରର ମାହାତ୍ମ୍ୟ ପ୍ରଦର୍ଶନରେ ପ୍ରଗାଢ଼ ଆନ୍ତରିକତା ଲକ୍ଷ୍ୟଣୀୟ ।

ଚକ୍ରଧର ମହାପାତ୍ରଙ୍କ ରଚିତ ବଳାଙ୍ଗୀ ଏକ ଐତିହାସିକ ଉପନ୍ୟାସ ଭାବରେ ଗୃହୀତ । ଏଥିରେ ମରହଟ୍ଟାବର୍ଗୀମାନଙ୍କର ଅତ୍ୟାଚାର ଓ ଉତ୍ପୀଡ଼ନର ଯନ୍ତ୍ରଣାଦାୟକ ଅଧ୍ୟାୟ ପ୍ରଥମଭାଗରେ ବର୍ଣ୍ଣିତ ଓ ଦ୍ୱିତୀୟଭାଗରେ ନରସିଂହପୁର ରାଜ୍ୟକୁ କବଳିତ କରିବା ପାଇଁ ଅନୁଗୁଳ ଓ ଦଶପଲ୍ଲାର ଆକ୍ରମଣ ଓ ନରସିଂହପୁର ରାଜା ପ୍ରଜାଙ୍କର ପ୍ରତିରୋଧର ବିବରଣୀ ପ୍ରକାଶିତ । ଶୁଦ୍ଧ ଐତିହାସିକ ଦୃଷ୍ଟିରେ ଅନୁପ୍ରେରିତ ହୋଇ ଔପନ୍ୟାସିକ ବଲାଙ୍ଗୀର ମୂର୍ତ୍ତି ଗଢ଼ି ନାହାନ୍ତି । ଲେଖକ ଇତିହାସର ପଦାନୁସରଣ ଅପେକ୍ଷା ଆଦର୍ଶର ମନ୍ତ୍ରୋଚ୍ଚାରଣରେ ଅଧିକ ପକ୍ଷପାତୀ ।

ଇତିହାସ ପ୍ରତି ତାରିଣୀ ଚରଣ ରଥଙ୍କର ଐକାନ୍ତିକ ଆଗ୍ରହରୁ ଅନ୍ନପୂର୍ଣ୍ଣା ଉପନ୍ୟାସର ସୃଷ୍ଟି । ଔପନ୍ୟାସିକ ଅତୀତ ଓଡ଼ିଶାର ଗର୍ବ ଗୌରବ ଓ ମହତ୍ତ୍ୱକୁ ପୁନରୁଜ୍ଜୀବିତ କରିବାପାଇଁ ଷୋଡ଼ଶ ଶତାବ୍ଦୀର ଐତିହାସିକ ପୃଷ୍ଠପୀଠିକା ଉପରେ ଉପନ୍ୟାସର କଥାବସ୍ତୁକୁ ସଜାଇଛନ୍ତି । ଅନ୍ନପୂର୍ଣ୍ଣା ଉପନ୍ୟାସରେ ଇତିହାସର ଭୂମିକା ଗୌଣ ନୁହେଁ । ଚୈତନ୍ୟ ଦେବଙ୍କ ଆଗମନ ଓ ରାଜାଙ୍କର ବୈଷ୍ଣବଧର୍ମ ଗ୍ରହଣ ଫଳରେ ଉତ୍କଳର ଅଧଃପତନ ଏହି ସତ୍ୟ ଏଥିରେ ଉଦ୍‌ଘାଟିତ । ଅନ୍ନପୂର୍ଣ୍ଣା ଇତିହାସର ଏକ ବିଶିଷ୍ଟ ପରିଚିତ ଚରିତ୍ର ନୁହନ୍ତି, କିନ୍ତୁ ଉପନ୍ୟାସରେ ଅନ୍ନପୂର୍ଣ୍ଣାଙ୍କ ଚରିତ୍ର ଇତିହାସର ଇଙ୍ଗିତକୁ ପରିସ୍ପୁଟ କରି ପରିଚିତ ଓ ପ୍ରାଣ ପ୍ରାଚୁର୍ଯ୍ୟ ବିମଣ୍ଡିତ ।

ଗୋଦାବରୀଶ ମହାପାତ୍ରଙ୍କ ରଚିତ ବନ୍ଦୀର ମାୟାରେ ମରହଟ୍ଟା ସହିତ ଓଡ଼ିଆ ବୀରପାଇକର ସଂଗ୍ରାମରେ ବୀରବାଳା ଫୁଲର ପ୍ରଥମରେ ମରହଟ୍ଟାମାନଙ୍କ ପ୍ରତି ଆତ୍ୟନ୍ତିକ ଘୃଣା ଓ ପରିଶେଷରେ ମରହଟ୍ଟା ବନ୍ଦୀ ଦେବନାଥ ସହିତ ନିବିଡ଼ ପ୍ରଣୟ ବନ୍ଧନରେ ଆବଦ୍ଧ ହୋଇ ମହାନଦୀର ପାଟଳ ଜଳଧାରାରେ ଅସ୍ଥି-ବିସର୍ଜନର ଘଟଣା ସମଗ୍ର ଉପନ୍ୟାସକୁ ଏକ ଉଦ୍ଧତ –କରୁଣ ସୌନ୍ଦର୍ଯ୍ୟରେ ବିଗ୍ରହୀଭୂତ କରିଅଛି । ବନ୍ଦୀର ମାୟାକୁ ଐତିହାସିକ ଉପନ୍ୟାସ ରୂପରେ ସମାଲୋଚକମାନେ ଆଖ୍ୟାୟିତ କରିଥିଲେହେଁ ଏହା ଐତିହାସିକ ବ୍ୟକ୍ତି ବା ବୃତ୍ତାନ୍ତ ଆଧାରିତ ନୁହେଁ; ଜାତୀୟବାଦ ଚେତନାର ଋଦ୍ଧିମନ୍ତ ସଂପୂର୍ଣ୍ଣ କାଳ୍ପନିକ ଆଖ୍ୟାୟିକା ।

ଓଡ଼ିଆ ସାହିତ୍ୟରେ ଐତିହାସିକ ଅଭାବ ପୂରଣ ଦିଗରେ ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ପୀୟୁଷ ପ୍ରବାହ ଏକ ଅଭିନନ୍ଦନୀୟ ଉଦ୍ୟମ । ଫ୍ରାନସ୍‌ର ଅଦ୍ୱିତୀୟ ସମ୍ରାଟ ନେପୋଲିଅନ୍‍ଙ୍କ ବୀରତ୍ୱ ଓ ଦେଶପ୍ରେମ ସହିତ ସେ ସମୟର ସାମାଜିକ ପଟ୍ଟଭୂମିରେ କେତେକ କାଳ୍ପନିକ ଚରିତ୍ରର ଐତିହାସିକ ସମାବେଶ ପାଠକର ବିସ୍ମୟମିଶ୍ରିତ ଶ୍ରଦ୍ଧା ଆକର୍ଷଣ କରେ ।

ମହାରାଷ୍ଟ୍ରର ହୋଲକାର ରାଜବଂଶର ଇତିହାସକୁ ଅବଲମ୍ବନ କରି ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ବୀରାଙ୍ଗନା ରଚିତ । ସ୍ୱାମୀ, ଶ୍ୱଶୁର ଓ ପୁତ୍ରର ମୃତ୍ୟୁରେ ଶୋକ ମୂର୍ଚ୍ଛିତା ରାଣୀ ଅହଲ୍ୟା ବାଇ ନିଜର ବ୍ୟକ୍ତିଗତ ସୁଖଦୁଃଖକୁ ବିସ୍ମୃତ ହୋଇ ପ୍ରଜାବର୍ଗଙ୍କର ହିତସାଧନ ଉଦ୍ଦେଶ୍ୟରେ ହୋଲକାର ସିଂହାସନର ରାଜଦଣ୍ଡ ଧାରଣ କରିଛନ୍ତି । ମାତ୍ର ନାରୀର ଶାସନକର୍ତ୍ତୃତ୍ଵକୁ ସ୍ୱୀକାର କରିନାହାନ୍ତି, ସ୍ୱାର୍ଥପିଷ୍ଟ ଇର୍ଷୁକ ରାଜ କର୍ମଚାରୀବର୍ଗ, ଯାହା ଇତିହାସ ସ୍ୱାକ୍ଷରିତ ସତ୍ୟ । ଇତିହାସର ଅସମାବେଶରେ ପ୍ରାଚୁର୍ଯ୍ୟ ଉପନ୍ୟାସରେ ସର୍ବତ୍ର ପରିଦୃଷ୍ଟ ।

ଅତୀତରେ ବିଦ୍ରୋହୀ ଦେଶ ଭକ୍ତଙ୍କର ଜୀବନାଦର୍ଶ ସହିତ ନିଜର ଜୀବନାକାଙ୍‍କ୍ଷାକୁ ଓତପ୍ରୋତ ଭାବରେ ମିଶାଇ ଦେଇ ଔପନ୍ୟାସିକ ଚକ୍ରଧର ମହାପାତ୍ର ରୋଡ଼ଙ୍ଗ ବକ୍‌ସିଙ୍କର ମୂର୍ତ୍ତି ଗଠନ କରଛନ୍ତି । ରୋଡ଼ଙ୍ଗ ବକ୍‌ସିର ପରିକଳ୍ପନା ନିମିତ୍ତ ଔପନ୍ୟାସିକଙ୍କର ଚତୁର୍ଦ୍ଦିଗର ପରିବେଶ ଅତ୍ୟନ୍ତ ଅନୁକୂଳ ଥିଲା । ଏହି ଉପନ୍ୟାସର କଳାଧର୍ମ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇନାହିଁ । ଘଟଣାର ସମାବେଶ ଓ ଚରିତ୍ରର ସ୍ୱରୂପ ଉଦ୍‌ଘାଟନ ପ୍ରତି ଲେଖକ ଅଧିକ ଯତ୍ନଶୀଳ । ରୋଡ଼ଙ୍ଗ ବକ୍‌ସିର ଏକ ଉପନ୍ୟାସ ଭାବରେ ଗ୍ରହଣ ନକରି ଏକ ପ୍ରଚାରଧର୍ମୀ ଐତିହାସିକ ଉପାଖ୍ୟାନ ଭାବରେ ଗ୍ରହଣ କରିବା ଅଧିକ ସମୀଚୀନ ।

ମହାତ୍ମାଗାନ୍ଧୀଙ୍କର ଆହ୍ୱାନରେ ୧୯୪୨ ମସିହାର ମୁକ୍ତି ଆନ୍ଦୋଳନ ଓଡ଼ିଶା ଭୂଇଁର ଯୁବପ୍ରାଣରେ ଯେଉଁ ଆଲୋଡ଼ନସୃଷ୍ଟି କରିଥିଲା, ସେହି ଅନିବାର୍ଯ୍ୟ ପ୍ରାଣାବେଗର କାହାଣୀ ଗୁମ୍ପିତ ହୋଇଛି ବିବୁଧେନ୍ଦୁ ମିଶ୍ରଙ୍କର ୧୯୪୨ ଉପନ୍ୟାସରେ । ଏହା ସୁଦୂର ଇତିହାସର କଥା କାହାଣୀ ନୁହେଁ । ଏହା ଉପନ୍ୟାସିକଙ୍କର ଅଙ୍ଗେ ଲିଭେଇଥିବା ଅଦୂର ଅତୀତର ଅନୁଭୂତିସିଦ୍ଧ କାହାଣୀ । ଏହି କାହାଣୀର ଅନ୍ତରାଳରେ ଯେଉଁ ବକ୍ତବ୍ୟ କ୍ରିୟାଶୀଳ ତାହା ହେଉଛି, ମନୁଷ୍ୟର କର୍ତ୍ତବ୍ୟବୋଧ, ତାକୁ ଜାତୀୟ ଭାବରେ ଉଦ୍‍ବୁଦ୍ଧ କରେ । କର୍ତ୍ତବ୍ୟର ଆହ୍ୱାନକୁ ଯଥାର୍ଥ ମର୍ଯ୍ୟାଦା ଦେଲେ ବ୍ୟକ୍ତି ଓ ଜାତିର ଜୀବନରେ ଗଢ଼ିଉଠେ ନୂତନ ଇତିହାସ ।

ଓଡ଼ିଶାର ଭାଗ୍ୟରବି ମୋଗଲ ମରହଟ୍ଟା ଶାସନ କାଳରୁ ଅସ୍ତାଚଳଗାମୀ ହେଉଥିଲା । ଇଂରେଜ ଶାସନ କାଳରେ ତାହା କିପରି ସମ୍ପୂର୍ଣ୍ଣ ଭାବରେ ଅସ୍ତମିତ ହୋଇଗଲା, ସେହି ଅତୀତ ଇତିହାସର ଘଟଣା ଓ ଚରିତ୍ରଗୁଡ଼ିକର ଶୁଷ୍କଚିତ୍ର ତୋଳି ଧରିବା ଜାତୀୟପ୍ରାଣ ଗୋଦାବରୀଶ ମିଶ୍ରଙ୍କର ଅଠର ଶହ ସତର ଉପନ୍ୟାସର ଉଦ୍ଦେଶ୍ୟ ନୁହେଁ । ଦୁଭାର୍ଗ୍ୟର ତମିସ୍ରତଳୁ ଖୋର୍ଦ୍ଧାର ସୌଭାଗ୍ୟର ସୂର୍ଯ୍ୟ ଉଦିତ ହେବା ପର୍ଯ୍ୟନ୍ତ ଦେଶବାସୀଙ୍କୁ ବିପ୍ଲବର ଚେତନା ବଞ୍ଚାଇ ରଖିବା ନିମିତ୍ତ ଉତ୍ସାହିତ କରିବା ଔପନ୍ୟାସିକଙ୍କର ଲକ୍ଷ୍ୟ । ଅଠର ଶହ ସତରର ପରାଜୟ ଜୀବନ ପାଇଁ ଶେଷବାର୍ତ୍ତା ନୁହେଁ । ୧୮୧୭ ସାଲ ରେ ଘଟିଯାଇଥିବା ପାଇକ ବିଦ୍ରୋହର ବିଷୟବସ୍ତୁ ଉପରେ ଉପନ୍ୟାସଟି ଆଧାରିତ । ଐତିହାସିକ ସତ୍ୟ ଚିତ୍ରଣରେ ଲେଖକ ପଶ୍ଚାତ୍‌ପଦ ହୋଇନାହାନ୍ତି । ତାଙ୍କର ବୈଶିଷ୍ଟ୍ୟ ହେଉଛି, ତାଙ୍କ ଲେଖନୀର ଐତିହାସିକ ଘଟଣା ଶୁଷ୍କ ନୀରସ ଓ ପ୍ରାଣହୀନ ହୋଇନାହିଁ । ଲେଖକ ଓଡ଼ିଶାର ଆଭ୍ୟନ୍ତରୀଣ ପରିସ୍ଥିତିର ପ୍ରାଞ୍ଚଳ ଚିତ୍ରଟିଏ ଅଙ୍କନ କରି ପାଠକକୁ ସେ ସମୟର ପରିବେଶ ସହିତ ସହିତ ପରିଚିତ କରାଇଛନ୍ତି । ଓଡ଼ିଆ ଜାତିର ପ୍ରାଣରେ ଐତିହାସିକ ଉଦ୍ଦୀପନା ସୃଷ୍ଟି କରିବାରେ ଗୋଦାବରୀଶଙ୍କର ଅଠର ଶହ ସତର ନିଶ୍ଚିତ ଭାବରେ ଏକ ସଫଳ କୃତି ।

ଇତିହାସର କଥା ବସ୍ତୁକୁ ଆଦୌ ପରିବର୍ତ୍ତିତ ନକରି ଓ କଳାର ପ୍ରୟୋଜନରେ ଘଟଣାର ଅନୁକ୍ରମ ବା ପରିଣାମକୁ କ୍ଷୁର୍ଣ୍ଣ ନ କରି ସୁଲତାନା ରେଜିୟାଙ୍କର ବହୁମାନ୍ୟ ଜୀବନର ଚିତ୍ରଙ୍କନ କରିଛନ୍ତି, ଔପନ୍ୟାସିକ ବିଭୂତି ପଟ୍ଟନାୟକ ସୁଲତାନା ଉପନ୍ୟାସରେ । ଇତିହାସ ଗର୍ଭରେ ଲୁକ୍‌କାୟିତ ହୋଇ ରହିଥାଏ, ଭବିଷ୍ୟତ ପାଇଁ ଅମୋଘ ନିର୍ଦ୍ଦେଶ । ରେଜିୟାଙ୍କ ଦୃଷ୍ଟାନ୍ତ ଭାରତର ରାଜନୈତିକ ଜୀବନର ସ୍ଥିତାବସ୍ଥା ଆଣିବା ପାଇଁ ବହୁ ଭାବରେ ସହାୟକ । ଭାରତୀୟ ନେତୃତ୍ୱକୁ ରେଜିୟାଙ୍କର ଶାସନଗତ ତ୍ରୁଟି ସଂଯତ ଓ ସତର୍କ କରିଦେବାର କଥା ।

ଇତିହାସ ଓ କଳ୍ପନାର ପ୍ରଶସ୍ତ ମିଳନ ଶଯ୍ୟାରେ ସୁରେନ୍ଦ୍ର ମହାନ୍ତିଙ୍କର ନୀଳଶୈଳର କଥାଲିପି ଶାୟିତ । ଇତିହାସର ମୂଳପିଣ୍ଡକୁ ଆଧାର କରି ଲେଖକ କଳ୍ପନାର ଯେଉଁ ଜାଲ ବୁଣିଛନ୍ତି, ତାହାକୁ ଐତିହାସିକ ବିଚାର ନିକିତିରେ ତଉଲିବା ଆଦୌ ସମୀଚୀନ ନୁହେଁ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାର ରାଜନୈତିକ ପରିସ୍ଥିତିର ବିସ୍ତୃତ ପରିଚୟ ଲେଖକ ପ୍ରଦାନ କରିଛନ୍ତି । ବିଚାର ଧର୍ମଜାଗୃତିକୁ ଧରି ରଖିଛି ପୁରୀ ମନ୍ଦିର, ଆଧ୍ୟାତ୍ମିକ ଚେତନାର ତାହା ହେଉଛି କେନ୍ଦ୍ରବିନ୍ଦୁ । ବହୁକାଳରେ ପରମ୍ପରାର ସାର୍ବଜନୀନ ବୈଭବ ଜଗନ୍ନାଥ ମନ୍ଦିର । ରାଜନୈତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନାର ଗର୍ଭୀଭୂତ କରୁଛି, ଧାର୍ମିକ ଓ ନୈତିକ ବିଶ୍ୱାସକକୁ ଅଙ୍ଗୀଭୂତ କରିଛି ଶ୍ରୀକ୍ଷେତ୍ର । ଖୋର୍ଦ୍ଧା ରାଜାଙ୍କର ମହତ୍ତ୍ୱ ଶ୍ରୀ ଜଗନ୍ନାଥଙ୍କର ସେବକଭାବରେ ପ୍ରତିଷ୍ଠିତ । ସେ ଚଳନ୍ତି ବିଷ୍ଣୁ ରୂପେ ସମ୍ମାନିତ, ରାଷ୍ଟ୍ରୀୟ ଐକ୍ୟର ଓ ପ୍ରାଣଶକ୍ତିର ସଙ୍କେତ । କିନ୍ତୁ ସେହି ପରମ-ମହତ୍ତ୍ୱପୂର୍ଣ୍ଣ ସମ୍ମାନରୁ ବଞ୍ଚିତ ହୋଇ ରାମଚନ୍ଦ୍ର ଦେବ ସବୁ ପ୍ରତିଷ୍ଠା, ବିଶ୍ୱାସ ଓ ସମ୍ମାନ ହରାଇ ବସିଛନ୍ତି । ବ୍ୟକ୍ତିତ୍ୱର ବିଲୟ ଘଟିଛି ଧର୍ମର ଦ୍ୱାହି ତଳେ । ରାମଚନ୍ଦ୍ର ଦେବଙ୍କର ଅନ୍ତର୍ବେଦନାକୁ ଏତେ ବିସ୍ତୃତ ଓ ବିପୁଳ ପ୍ରତ୍ୟୟ ମଧ୍ୟରେ ଲେଖକ ପ୍ରକାଶ କରଛନ୍ତି ଯେ, କାଳ୍ପନିକ ଘଟଣା ଇତିହାସର ସ୍ରୋତରେ ମିଶି ଏକାକାର ହୋଇ ଯାଇଛି । ଐତିହାସିକ ଉପନ୍ୟାସରେ ଇତିହାସକୁ ତୋଳି ଧରିବା ବଡ଼କଥା ନୁହେଁ, ଚରିତ୍ରର ଅନ୍ତର୍ନିହିତ ରୂପକୁ ଯଥାଯଥ ଭାବରେ ଫୁଟାଇବା ସବୁଠାରୁ ବଡ଼ ସାର୍ଥକତା । ଐତିହାସିକ ଉପନ୍ୟାସରେ ଇତିହାସ ଓ କିମ୍ବଦନ୍ତୀକୁ ଐତିହାସିକ ସମ୍ମାନ ଦେଇ ଉପନ୍ୟାସର ଆଙ୍ଗିକ ସୌନ୍ଦର୍ଯ୍ୟ ଓ ଆତ୍ମିକ ନିଷ୍ଠାକୁ କିପରି ଗଢ଼ାଯାଏ, ତା’ର ଏକ ଅମ୍ଲାନ ଉଦାହରଣ ନୀଳଶୈଳ । ନୀଳଶୈଳରେ ଇତିହାସର ଛାୟା ପଟରେ ଐତିହାସିକ ଓ କାଳ୍ପନିକ ନରନାରୀଙ୍କର ଜୀବନ ବୈଚିତ୍ର ମଧ୍ୟଦେଇ ବିସ୍ତୃତ ଓ ବିବର୍ଣ୍ଣ ଯୁଗକୁ ପ୍ରାଣବନ୍ତ କରି ତୋଳିବାରେ ଔପନ୍ୟାସିକଙ୍କର ସଫଳତା ଅସାମାନ୍ୟ । ନୀଳଶୈଳରେ ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, କାହାଣୀ ଉପସ୍ଥାପନରେ ଶିଳ୍ପୀସୁଲଭ ଚତୁରୀ ।

ବୌଦ୍ଧଯୁଗର ତମସାଚ୍ଛନ୍ନ ଇତିହାସର ଭିତ୍ତି ଉପରେ ଆଧାରିତ ଏକ କାଳ୍ପନିକ ଆଖ୍ୟାୟିକା ଚନ୍ଦ୍ର ଓ ଚମ୍ପା । ଅତୀତପ୍ରେମୀ ଲେଖକ ବାମାଚରଣ ମିତ୍ର ଅତୀତର ଅନ୍ଧକାରକୁ ବିଦୀର୍ଣ୍ଣ କରି ନିଜର ତୀକ୍ଷଣ କଳ୍ପନାଶକ୍ତିର ସାହଚର୍ଯ୍ୟରେ ଓ ଐତିହାସିକ ବିବରଣୀର ସହାୟତାରେ ଚନ୍ଦ୍ର, ଓ ଚମ୍ପାର ଅଲୌକିକ ଅବିଶ୍ୱାସ୍ୟ କାହାଣୀ ପରିବେଷଣ କରିଛନ୍ତି ।

ଶାନ୍ତି ମହାପାତ୍ରଙ୍କର ନୁର୍‌ଜାହାନ୍‌ ଏକ ଐତିହାସିକ ଘଟଣାଭିତ୍ତିକ ଉପନ୍ୟାସ । ଐତିହାସିକ ଚରିତ, ଘଟଣା ଓ ପରିବେଶ ପ୍ରତି ଅତ୍ୟନ୍ତ ସଜାଗ ଓ ସଚେତନ ରହି ଔପନ୍ୟାସିକା ନୁର୍‌ଜାହାନ୍‌ ରୂପରେଖ ଅଙ୍କନ କରିଛନ୍ତି । ଏହି ଉପନ୍ୟାସରେ ମୋଗଲ ସାମ୍ରାଜ୍ୟର ତିନିପୁରୁଷର କଥା ବର୍ଣ୍ଣିତ । ଏଥିରେ ପ୍ରତ୍ୟେକ ଚରିତ୍ର ଐତିହାସିକ ମର୍ଯ୍ୟାଦାରେ ପ୍ରତିଷ୍ଠିତ । କାଳ୍ପନିକ ଚରିତ୍ର ସମାବେଶ ପାଇଁ କୌଣସି ଅବକାଶ ନାହିଁ । ନୁର୍‌ଜାହାନ୍‌ଙ୍କ ଜୀବନ କାହାଣୀ ଏକ ଚମକପ୍ରଦ ଉପନ୍ୟାସ । ତେଣୁ ବାସ୍ତବର ଚତ୍ମକାରିତା ଓ ଆକର୍ଷଣକୁ ଅତିକ୍ରମ କରି କଳ୍ପନାର ଆଶ୍ରୟ ନେବାର ଆବଶ୍ୟକତା ନାହିଁ ।

ବସନ୍ତ କୁମାର ସାମଲଙ୍କର ଶାଳବତୀ ଏକ ଇତିହାସାଶ୍ରିତ ରୋମାନ୍‍ସ । ଏହି ଉପନ୍ୟାସରେ ଯେଉଁ ବୌଦ୍ଧକାଳୀନ ଘଟଣା ବର୍ଣ୍ଣିତ, ତାହା ଇତିହାସର ଘଟଣା ନୁହେଁ, ଏକ ଐତିହାସିକ କଳ୍ପନା ମାତ୍ର । ଓପନ୍ୟାସିକ ସାମାଜିକ ଜୀବନ ଇତିହାସର ଆଧାର ଉପରେ ତାଙ୍କର ଔପନ୍ୟାସିକ କଳ୍ପନାକୁ ସୀମିତ ନ କରି ସୁଦୂର ଅତୀତର ଆଧ୍ୟାତ୍ମିକ ଜୀବନର ସିଂହଦ୍ୱାର ଉନ୍ମୋଚନ କରିବାର ଚେଷ୍ଟା କରିଛନ୍ତି ।

ଗୋପୀନାଥ ପଣ୍ଡାଙ୍କର ପାଟଳିପୁତ୍ରର ନଗରବଧୂ ଏକ ନିର୍ଦ୍ଦିଷ୍ଟ ଆଭିମୂଖ୍ୟ ନେଇ ରଚିତ-। ଅତୀତ ଭାରତର ବହୁ ଲୁପ୍ତ ରତ୍ନର ଉଦ୍ଧାର ସଙ୍ଗେ ସଙ୍ଗେ ଚିନ୍ତା ଚେତନାରେ ଭାରତ କେତେ ସମୃଦ୍ଧ ସେ ସମ୍ବନ୍ଧରେ ପ୍ରତ୍ନତାତ୍ତ୍ୱିକ ଗବେଷଣାର ଅନ୍ତ ନାହିଁ । ଭାରତର ଅତୀତ ଇତିହାସ ଆଲୋଡ଼ନ କଲେ ଜଣାଯାଏ, ଭାରତର କେତେକ ରାଜ୍ୟରେ ବହୁ ପୂର୍ବରୁ ଗଣତନ୍ତ୍ରର ବ୍ୟବସ୍ଥା ପ୍ରଚଳିତ ଥିଲା । ବୈଶାଳୀ ଗଣତନ୍ତ୍ରର ‌ପ୍ରଜାପତିଙ୍କ କନ୍ୟା ଧ୍ରୁବଦେବୀ ଓ ପାଟଳପୁତ୍ରର ନଗରବଧୂ ନୟନାଦେବୀଙ୍କ ମିଳିତ ସହଯୋଗରେ ସେଠାରେ ସ୍ଥାପିତ ହୋଇଥିଲା, ଆଦର୍ଶ ଗଣତନ୍ତ୍ର । ଏହି ଉପନ୍ୟାସର ପ୍ରସ୍ତୁତି, ସେହି ଆଦର୍ଶର ଭିତ୍ତିରେ ।

ସୁରେନ୍ଦ୍ର ମହାନ୍ତିଙ୍କର ନୀଳଶୈଳର ଉତ୍ତରପର୍ବ ନୀଳାଦ୍ରି ବିଜୟରେ ବିଶ୍ୱ ସଂସ୍କୃତିର ଆବାହକ ଶ୍ରୀ ଜଗନ୍ନାର୍ଥଙ୍କର ଚିଲିକା-ଗର୍ଭରୁ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ବୃତ୍ତାନ୍ତ ଶୈଳ୍ପିକ ଶୋଭନୀୟତା ମଧ୍ୟରେ ବର୍ଣ୍ଣିତ । ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଉପନ୍ୟାସର କଥାବସ୍ତୁ ଇତିହାସ ଓ କଳ୍ପନାର ମିଶ୍ର ଅନୁଭୂତିରେ ଗ୍ରଥିତ । ଉପନ୍ୟାସର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ବର୍ଣ୍ଣନାର ସମ୍ଭାର । ଓଡ଼ିଆ ସଂସ୍କୃତିର ଏକ ଦର୍ପିତ ଇତିହାସର ଉପନ୍ୟାସ ରୂପ ନୀଳାଦ୍ରି ବିଜୟ ! ନୀଳାଦ୍ରି ବିଜୟର ଉଚ୍ଚାଙ୍ଗ ପରିକଳ୍ପନା ସଙ୍ଗେ ଏହା ନୀଳଶୈଳର ଏକ କ୍ଲାନ୍ତିକର ରୋମନ୍ଥନ କହିଲେ ଅସମୀଚୀନ ହେବ ନାହିଁ ।

ଆମର ଐତିହାସିକ ଉପନ୍ୟାସର ସୃଷ୍ଟିର ପୃଷ୍କଲତା ଓ ଗୁଣାତ୍ମକ ବିକାଶ ସନ୍ତୋଷଜନକ ମନେ ହୁଏ । ତଥାପି ଏଥିରେ କୌଣସି ଉନ୍ନତ୍ତି ପ୍ରବୃତ୍ତି ଦେଖାଯାଏ ନାହିଁ, ଯାହା ଉଚ୍ଚକୋଟୀର ଐତିହାସିକ ସମକକ୍ଷ ହୋଇପାରିବ । ବସ୍ତୁବାଦ ଆଡ଼କୁ ଅଗ୍ରସର ହେଉଥିବା ବୁଦ୍ଧିଜୀବୀ ବିଶ୍ୱ ଆଜି ମନସ୍ୱତ୍ତ୍ୱମୂଳକ ଉପନ୍ୟାସ ଏବଂ ବୈୟକ୍ତିକ ଅନ୍ତର୍ଜଗତ ଓ ସାମଜିକ ବାହ୍ୟ ଜଗତର ସମନ୍ୱୟ ସାଧନରେ ଆଗ୍ରହୀ । ଉପନ୍ୟାସର ଭବିଷ୍ୟତ ଉଜ୍ୱଳ, କିନ୍ତୁ ଐତିହାସିକ ଉପନ୍ୟାସ ତା’ର ଗୁରୁଦାୟିତ୍ୱ ନେଇ ଉଜ୍ୱଳ ଭବିଷ୍ୟତର ସଙ୍କେତ ଦେଇପାରୁ ନାହିଁ । ଏ ଦିଗରେ ସ୍ରଷ୍ଟାମାନଙ୍କର ଅନୁଧ୍ୟାନର ଯେ ଏକାନ୍ତ ଆବଶ୍ୟକତା ରହିଛି, ଏହା ନିଃସନ୍ଦେହରେ କୁହାଯାଇପାରେ ।

ପାଦଟୀକା :

 

୧।      ପଦ୍ମମାଳୀ, ଭୀମା ଭୂୟାଁ, ବିବାସିନୀ –ଗଙ୍ଗାଧର ବଳ,

      ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ-ପୃ. ୪୦

 

୨।       ଓଡ଼ିଆ ସାହିତ୍ୟର ଇତିହାସ,

       ଡକ୍ଟର ନଟବର ସାମନ୍ତରାୟ-ପୃ.୫୧୨ ।

 

୩।      Modern Oriya Literature,

Priya Ranjan Sen-P. 101-102.

 

୪।       ଓଡ଼ିଆ ସାହିତ୍ୟର ଇତିହାସ.

      ଡକ୍ଟର ନଟବର ସାମନ୍ତରାୟ-ପୃ.୫୦୮ ।

 

୫।       ଐତିହାସିକ ଫକୀରମୋହନ,

       ଡକ୍ଟର ମନ୍ମଥନାଥ ଦାସ-ଫକୀରମୋହନ ପରିକ୍ରମା –ପୃ. ୩୨

 

୬।       ରାଜସିଂହ –ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟ,

      ବଙ୍କିମ ରଚନାବଳୀ –ଭୂମିକା, ପୃ. ୬ ।

 

***

 

ଯା’ର ନାମ ଜରା .............

ରାଧାମୋହନ ଗଡ଼ନାୟକ

 

ମୋତେ ତୁମେ ଡରୁନାହଁ, ଭଗବାନ,

ମୋତେ ତୁମେ ଡରୁନାହଁ ?

ଦିନ କାହିଁ, ରାତି ନାହିଁ

ସବୁବେଳେ

ତୁମକୁ ମୁଁ ଡରୁଥିବି ?

ସକଳ କଥାରେ

ସକଳ ପନ୍ଥାରେ

ଡରି ଡରି ହଁ ଭରୁଥିବି

ମୋ’ ଭିତରେ ସେଦିନ

ଗୋଟାଏ ମେଷ ଛୁଆ ଭରିଦେଇ

ମୋତେ ଛାଡ଼ି ଦେଇଥିଲ

ତୁମର ଏଇ ସୃଷ୍ଟିରେ,

ତୁମର ଏଇ ପୃଥ୍ୱୀରେ

ତୁମ ମୋ’ ଭିତରେ ସମ୍ପର୍କ ଖୁବ୍‌ ନିବିଡ଼-

ସ୍ରଷ୍ଟା ଓ ସୃଷ୍ଟିର

ପିତା ଓ ପୁତ୍ରର,

ତୁମ ପ୍ରତି ମୋର ଯାହା କରଣୀୟ,

ମୋ ପ୍ରତି ତୁମର ମଧ୍ୟ

ତାଇ ଅଛି ।

ତେବେ

ବେଶ୍‌ ଖେଳବାଡ଼ ତୁମେ

ମୋତେ ଖେଳନା କରି

କାହିଁକି ମୋତେ

ନିଚାଉଚ ଏମିତି ?

ଯୋଉ ପଥରେ ମୁଁ ଗତାଗତ କରୁଚି

ତୁମେ ସେଇ ପଥକୁ

ପିଚ୍ଛିଳ କରୁଚ କାହିଁକି ?

ମୋର ପତନ ହେଲେ

ଏକା ମୁଁ ଦାୟୀ ?

ତୁମେ ନୁହଁ ?

ଜହ୍ନ ଆଲୁଅରେ ମୁଁ ଗଲାବେଳେ

ମେଘ, ବର୍ଷା,ତମସାର ଗହନ,

କରି ଦେଉଚ କାହିଁକି ?

ମୁଁ ପଥ ହୁଡ଼ିଗଲେ

ତୁମେ ଦାୟୀ ନୁହ,

କୁହ ଭଗବାନ,

କୁହ !

ମୋର ଅପଥ-ଯାତ୍ରା ପାଇଁ

ମୋର ବିପଥ-ଯାତ୍ରା ପାଇଁ

ମୁଁ ତୁମକୁ କ୍ଷମା ମାଗୁଚି,

ତୁମେ କିଆଁ ମତେ

କ୍ଷମା ମାଗିବନି ?

ୟା’ ଭିତରେ,

ସେଇଆ ହୋଇ ରହିନି ମୁଁ

ମୋର ଘଟର ପରିବର୍ତ୍ତନ ଘଟିଚି,

ପୂରାପୂରି ବଦଳି ଯାଇଚି,

ୟା’ ଭିତରେ ମୁଁ ବନି ଯାଇଚି,

ଏକ ଅଭୂତ ଜୀବ,

ଏକ ଭୟଙ୍କର ଶିକାରୀ ?

ପ୍ରଥମେ ମୁଁ ଶିକାର କରିଚି

ତା କୁ

ସେଇ ମେଷ ଛୁଆକୁ,

ତା’ର ମାନେ

ମୋ ନିଜକୁ ।

ଦିନରାତି ମୁଁ ଶିକାର କରିଚି,

ଗଛବୃଚ୍ଛ

ଲତା ଗୁଳ୍ମ,

ପାହାଡ଼ ଜଙ୍ଗଲ

ପଥର ଫଟଉଚି

ପଥର ଆଉଟୁଚି

ଟିକି ଟିକି କରି ଛିଣ୍ଡଉଚି

କେତେ ରକମର ପତ୍ର

କେତେ ରକମର କଢ଼,

କେତେ ରକମର ଫୁଲ ।      

ପୁଣି ଖୋଜି ଖୋଜି ଶିକାର କରୁଚି

ବାଘ ସିଂହ,

ବାରହା,ହରିଣ

ଶାଗୁଣା, ମୟୂର

କାପ୍ତା,

କେତେ ରକମର ପଶୁ

କେତେ ରମକର ପକ୍ଷୀ ।

ମୋର ଲଲାଟରେ

ତୁମେ ଲେଖିଦେଇଥିଲ

‘ନର’ ବୋଲି ।

ଠିକ୍‌ ବୁଝିଥିଲ

ଆଉ ଯିଏ ‘ନର’

ମୋର ସିଏ ସହୋଦର ଭାଇ,

ତା’ ପାଇଁ

ସ୍ନେହ ପ୍ରୀତି କି ମମତା

ମୁଁ କିଛି ଦେଇପାରୁନାହିଁ ।

ଇଏ ଏକ ବିପରୀତ କଥା

ମୁଁ ତାର ରକ୍ତର ଶିକାର କରୁଛି

ବିକାର ନାହିଁ,

ବିଚାର ନାହିଁ ।

ପୁଣି ଯେଉଁ ନାରୀ

ଜନନୀ, ଭଗିନୀ

ବଧୂ, କନ୍ୟା

ମୁଁ ସେଇ ନାରୀର ଶିକାର କରୁଚି,

ତାକୁ ଶିକାର କରିବାରେ

କ୍ଷଧା ମୋର ଭୟଙ୍କର

ଲୋଭ ମୋର ଆହୁରି ଭୟଙ୍କର ।

ଯା’ର ନାମ ଜରା ..........

ମୋତେ ତୁମେ ଡରୁନାହଁ, ଭଗବାନ

ମୋତେ ତୁମେ ଡରୁନାହଁ ?

ଦିନ ନାହିଁ, ରାତି ନାହିଁ

ତୁମକୁ ମୁଁ ସକଳ କଥାରେ

ସକଳ ପନ୍ଥାରେ

ଡରିଡରି ହଁ ଭରୁଥିବି ।

ଶିଆରୀ ଲତାର କୋରଡ଼ରେ ।

ତୁମେ ବିଶ୍ରାମ ନେଇଚ

ନିଶ୍ଚିନ୍ତରେ

ନିରୁଦ୍ଦେଶରେ

ସୁବର୍ଣ୍ଣ ସୁଯୋଗ ମୋ’ର –

ଢମଣା ଧନୁର ବର୍ତ୍ତମାନ

ଛାଡ଼ିଦେଇ ମୋର ବାଣ,

ଭଗବାନ,

ଏଥର ଜାଣିବ ମୁଁ କିଏ ?

ସେ ଦିନର ସେ ମେଷ ଛୁଆ ନୁହଁ

ଆଉ ଏକ ଅଭୂତ ମଣିଷ,

ଆଉ ଏକ ଅଭୂତ ଶିକାରୀ,

ଯାର ନାମ ଜରା ।

 

 

୮/୯/୧୯୮୪

ଉପ-ସଭାପତି

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

***

 

ଗୁଜରାଟୀ ସାହିତ୍ୟର ସାଂପ୍ରତିକ ଧାରା-ଅଷ୍ଟଦଶକ ଓ ତତ୍ପରବର୍ତ୍ତୀ ସମୟ

ଲେଖକ :-ଡକଟର ରମନ୍‌ଲାଲ ଯୋଶୀ

ଅନୁବାଦ :-କୈଳାଶ ବିହାରୀ ଦାସ

 

ବିଗତ ଦଶକ ଏହାର ପରବର୍ତ୍ତୀ ସମୟରେ ପରୀକ୍ଷାମୂଳକ ଭାବେ ବହୁ ବିଭିନ୍ନ ଶୈଳୀର ପ୍ରବର୍ତ୍ତନ ବିଶେଷ ଭାବେ ଦେଖିବାକୁ ମିଳିଥାଏ । କିନ୍ତୁ ଏହାସତ୍ତ୍ୱେ ଏହି ସମୟ ମଧ୍ୟରେ ସାଂପ୍ରତିକ ଗୁଜରାଟୀ ସାହିତ୍ୟର ସ୍ଥିତ ଓ ଆଭିମୂଖ୍ୟରେ କୌଣସି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ବା ନୂତନ ଦିଗଦର୍ଶନର ସନ୍ଧାନ କରିଥିବା ଭଳି ଖଣ୍ଡେ ହେଲେ ପୁସ୍ତକ ଏ ପର୍ଯ୍ୟନ୍ତ ରଚିତ ହୋଇନାହିଁ । ଅବଶ୍ୟ ସାହିତ୍ୟର ପ୍ରାୟ ସକଳ ବିଭାଗରେ ପ୍ରତିଭାଶାଳୀ ଲେଖକଙ୍କର ଆର୍ବିଭାବ ହୋଇଛି । ପ୍ରଥମେ ବୋଧ ହୁଏ କାବ୍ୟ ସୃଷ୍ଟି କ୍ଷେତ୍ରରେ ଜୀବନ୍ତ ସ୍ୱରମାନଙ୍କର ସ୍ମରଣ ଘଟିଥିଲା ଏବଂ ଏମାନଙ୍କ ମଧ୍ୟରେ ରାଭଜୀ ପଟେଲଙ୍କର ସ୍ୱର ବୋଧ ହୁଏ ଅନ୍ୟମାନଙ୍କଠାରୁ ଅଧିକ ବଳିଷ୍ଠ ଓ ପ୍ରଭାବଶାଳୀ । କନିଷ୍ଠ କବି ମାନେ ତାଙ୍କ ଦ୍ୱାରା ବିଶେଷଭାବେ ପ୍ରଭାବିତ ।

 

ସ୍ୱର୍ଗତ ରାଭ୍‍ଜୀ ପଟେଲଙ୍କର ‘ଅଙ୍ଗତ୍’ ବିଗତ ଦଶକର ସାହିତ୍ୟ ଆକାଶରେ ଇନ୍ଦ୍ରଧନୁ ତୁଲ୍ୟ ବିରାଜମାନ ହୋଇଛି । ତାଙ୍କର ଏହି ମରଣୋତ୍ତର କବିତା ସଂକଳନରେ ଅହଂର ଦହନ କରି ଆତ୍ମାକୁ ଛୁଇଁବାପାଇଁ ପ୍ରବଳ ପ୍ରୟାସର ବର୍ଣ୍ଣନା ଦେଖିବାକୁ ମିଳେ । ତାଙ୍କର ନିବେଦନରେ ବିସ୍ତୃତି ଅପେକ୍ଷା କେନ୍ଦ୍ରୀଭୂତ ସଂବେଦନ ଉପରେ ଅଧିକ ଗୁରୁତ୍ୱ ଆରୋପିତ ହୋଇଛି । ନିଛକ ଅନୁଭୂତିର ପ୍ରଖର ଶକ୍ତିରେ ତାଙ୍କର ଭାବପ୍ରକାଶର ଦ୍ୱାର ସ୍ୱତଃ ଉନ୍ମୁକ୍ତ । ତାଙ୍କର ବଳିଷ୍ଠ ପଂକ୍ତି ଗୁଡ଼ିକରେ କବି ନିଜେ ପୃଥିବୀପୃଷ୍ଠରେ ନିର୍ବାସନ ଭୋଗ କରୁଥିବା ପ୍ରକାଶ କରିଛନ୍ତି । ତାଙ୍କର ଏହି ଭାବ ତାଙ୍କର ପାଠକପାଠିକାଙ୍କ ମଧ୍ୟରେ ସଂକ୍ରମିତ ହୋଇ ସେମାନଙ୍କୁ ମଧ୍ୟ ସର୍ବବ୍ୟାପକ ବିଚ୍ଛିନ୍ନତା ବୋଧରେ ଅଭିଭୂତ କରିଥାଏ ।

 

ପୃଥିବୀ ଜନଗହଳି ମଧ୍ୟରେ କବି ନିଜକୁ ଅପରିଚିତ ବୋଲି ହୃଦୟଙ୍ଗମ କରି ଯେଉଁ ତୀବ୍ର ମାନସିକ ଯନ୍ତ୍ରଣା ଅନୁଭବ କରିଛନ୍ତି, ତାହା ଆମକୁ ମଧ୍ୟ ଦୁଃସହ ବୋଧହୁଏ । କେବଳ କୌଣସି ବ୍ୟକ୍ତି ବା ବସ୍ତୁକୁ ଭୁଲିଯିବାର ଆବଶ୍ୟକତା ପାଇଁ ନୁହେଁ, ସଂପୂର୍ଣ୍ଣ ବିସ୍ମୃତି ପାଇଁ ଅବଶ୍ୟ ଅଦମ୍ୟ ପ୍ରୟାସ ଓ ଅନ୍ୱେଷଣ କବି ମାନସକୁ ଗ୍ରାସ କରିଛି ଏବଂ ମାନବ ସମାଜକୁ ସେ ଦୀର୍ଘ ସୁଷୁପ୍ତି ଉପଭୋଗ କରିବା ପାଇଁ କିମ୍ବା ତାହା ଯଦି ଅସମ୍ଭବ ହୁଏ, ତାହେଲେ ଅନ୍ତତଃ କ୍ଷଣକ ପାଇଁ ସ୍ୱର୍ଗୀୟ ନିଦ୍ରାରେ ନିମଗ୍ନ ହେବାପାଇଁ ପ୍ରବର୍ତ୍ତାଇଛନ୍ତି ।

 

ସଭ୍ୟତାରୂପୀ ‘ରାଜକୁମାରୀ’ର ଦ୍ୱନ୍ଦରେ ଅନବରତ ଛନ୍ଦି ହୋଇ କବି କ୍ଲାନ୍ତ ଓ ଅସୁସ୍ଥ ହୋଇଛନ୍ତି ଏବଂ ‘ମୁଁ ମତେ ଖୋଜି ଖୋଜି ପାଉନାହିଁ’ ବୋଲି ଖେଦୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ନଗରର ଜନାକୀର୍ଣ୍ଣ ସମାଜ ମଧ୍ୟରେ ତାଙ୍କର ଅନୁଭୂତି ଉପରେ ଆଧାରିତ କବିତା-ଗୁଡ଼ିକ ମଧ୍ୟ ଏହି ସଂକଳନର ଅନ୍ତର୍ଭୁକ୍ତ । ରାଭଜୀଙ୍କ କାବ୍ୟ ସୃଷ୍ଟିରେ ଗ୍ରାମ୍ୟ ଜୀବନର ବଳିଷ୍ଠ ଓ ଅଙ୍ଗୀକୃତ ଚିତ୍ରଣ ମୁଖ୍ୟ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଶିଳ୍ପାଞ୍ଚଳ ସମାଜର ଭାରାକ୍ରାନ୍ତ ବୁକୁ ଉପରେ ଜମି ଉଠିଥିବା ସ୍ତୂପୀକୃତ ଲାଞ୍ଛନାର ଚିତ୍ର ମଧ୍ୟ ତାଙ୍କ ଲେଖନୀ ମାଧ୍ୟମରେ ବଳିଷ୍ଠଭାବେ ଉପସ୍ଥାପିତ ହୋଇଛି । କିନ୍ତୁ ଏ ସମସ୍ତ ରଚନା ମୂଳରେ ନଗରସଭ୍ୟତା ପ୍ରତି କୌଣସି ବିରକ୍ତି ବା ଅପ୍ରୀତି ରହିଛି ବୋଲି କହିବା ଠିକ୍ ହେବନାହିଁ । ତାଙ୍କର ଆତ୍ମ ଅବବୋଧ ସର୍ବଦା ଅସ୍ତିତ୍ୱସୂଚକ । କବିଙ୍କର ଉନ୍ମାଦ ଘୋଷଣା ସହିତ ସାନ୍ତ୍ୱନାର ଅନ୍ତଃସ୍ୱର ସଙ୍କଳନର ସର୍ବତ୍ର ଶୁଣିବାକୁ ମିଳିଥିଲେହେଁ ଉନ୍ମାଦନାର ମାତ୍ରା ସ୍ଥଳବିଶେଷର ତାଙ୍କର ନିୟନ୍ତ୍ରଣଶକ୍ତିର ସୀମା ଲଙ୍ଘମ କରିଛି । ‘ଅଙ୍ଗଡ଼’ ଏକ କବି ସ୍ୱଗତୋକ୍ତି । ସୂର୍ଯ୍ୟ, ଅନ୍ଧକାର ଓ ସର୍ପ ପ୍ରଭୃତି ପ୍ରତୀକ । କୃଷ୍ଣାବତାର, ‘ଯାଦବସ୍ଥଳୀ’ ପ୍ରଭୃତି ପୌରାଣିକ ଚିତ୍ରକଳ୍ପର ବ୍ୟବହାର ଏବଂ କଥିତ ଭାଷା ଓ ପ୍ରକାଶଭଙ୍ଗୀର ଉପେଯାଗ କୌଶଳ ସହିତ ତାଙ୍କର ବଳିଷ୍ଠ ଚିତ୍ରଣ ଶୈଳୀ ତାଙ୍କ କାବ୍ୟ ସୃଷ୍ଟିକୁ ଚିରଞ୍ଜୀବି କରିବି ।

 

ସପ୍ତଦଶକର କବି ଲାଭଶଙ୍କର ଠାକୁରଙ୍କର ପୂର୍ବରୁ ପ୍ରକାଶିତ ହୋଇଥିବା ‘ମନସ୍ମିବାତ୍‌’ (ମଣିଷର ଇତିବୃତ୍ତି) ଏବଂ ମାରା ‘ନାମ-ନେ-ଦରଓ୍ୟାଜେ’ରେ ଆଧୁନିକ ସମାଜରେ ମଣିଷର ଅଧଃପତନର ଚିତ୍ର ଅଧିକ ପ୍ରାଞ୍ଜଳ ହୋଇଛି :-

 

‘‘ଗତ ବାଇଶି ବର୍ଷ ହେଲା ମୁଁ କବିତା ଲେଖୁଛି

ଭଗବାନଙ୍କର ଶବକୁ ଧ୍ୱଂସ କରିଦେବା ପାଇଁ,

ସେ ଶବ ଭାସୁଛି

ମୋ ମୃତ୍ୟୁର ବିନ୍ଦୁରେ’’

 

କବି ଏହିପରି ଭାବରେ ଭଗବାନଙ୍କର ଶବକକୁ ଧ୍ୱଂସ କରିଦେବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କର କବିତାରେ ସାଂପ୍ରତିକ ମଣିଷର ବ୍ୟର୍ଥତା, ତୁଚ୍ଛତା ଏବଂ ନୈତିକ ବିଶୃଙ୍ଖଳା ସମ୍ପର୍କରେ ଅବତାରଣା କରାଯାଇଛି । ଏପରି ଗଣ୍ଡଗୋଳିଆ ପରିସ୍ଥିତିରେ କବି ଶବ୍ଦ ଉହାଡ଼ରେ ଆତ୍ମରକ୍ଷା କରିବାପାଇଁ ପ୍ରୟାସ କରିଛନ୍ତି । ତାଙ୍କ ରଚନାରେ କୌଣସି ନୂତନତ୍ୱର ସତ୍ତା ଥିବାପରି ମନେ ହୁଏ ନାହିଁ ଗୋଟିଏ କଥାକୁ ପୁନରାବୃତ୍ତି କରି ଶେଷରେ ସେ ସ୍ଥିର ହୋଇଯାନ୍ତି । ତାଙ୍କ କବିତାର ଶବ୍ଦମାନେ ନିର୍ଜୀବ ।

 

ଏହି ସମୟ ମଧ୍ୟରେ ପ୍ରିୟକାନ୍ତ ମନିଆରଙ୍କର ‘ଲିଲେ ରୋ ଧଲ୍‌’ଏବଂ ‘ବ୍ୟୋମଲିପି ’ପ୍ରକାଶିତ ହୋଇଅଛି । ତାଙ୍କର ମରଣୋତ୍ତର ସଂକଳନ ‘ଲିଲୋ ରୋ ଧଲ୍‌’ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିବା ସମୀଚୀନ ହୋଇଛି । ପାରମ୍ପରିକ ଚିତ୍ରକଳ୍ପ ମାଧ୍ୟମରେ ଅତ୍ୟାଧୁନିକ ପ୍ରବଣତାକୁ ରୂପାୟିତ କରିବାରେ ଏବଂ ନୂତନ ଶୈଳୀର ପରୀକ୍ଷା କ୍ଷେତ୍ରରେ ପ୍ରିୟକାନ୍ତ ମନିଆରଙ୍କର ସାର୍ଥକତା ଉଲ୍ଲେଖଯୋଗ୍ୟ ।

 

ଅନ୍ୟ ଦୁଇଜଣ ପ୍ରବୀଣ କବି ଉମାଶଙ୍କର ଯୋଷୀ ଏବଂ ସୁନ୍ଦରମ୍‌ଙ୍କର କାବ୍ୟସୃଷ୍ଟିରେ ଉଭୟ ପାରମ୍ପରିକ ଏବଂ ନୂତନ ଶୈଳୀରେ ରଚିତ କେତେକ କବିତା ଅତ୍ୟନ୍ତ ଚମତ୍କାର ଓ ଆଦର୍ଶସ୍ଥାନୀୟ ହୋଇଛି । ଉମାଶଙ୍କରଙ୍କର ‘ଧାରବାସ୍ତ୍ର’ ଏବଂ ‘ସପ୍ତପଦୀ’ ଅସାଧାରଣଭାବେ ଚମତ୍କାରର ଏବଂ ସ୍ୱର ଓ ଶୈଳୀରେ ଅତ୍ୟନ୍ତ ମୌଳିକ । ଜୀବନ ପ୍ରତି ତାଙ୍କର ପୁରୋଦୃଷ୍ଟି ଏବଂ ତାଙ୍କର ନିପୂଣ ଶୈଳୀ ତାଙ୍କୁ ଜଣେ ଶ୍ରେଷ୍ଠ କବି ଭାବରେ ପ୍ରତିଷ୍ଠିତ କରିଛି ।

 

ଉମାଶଙ୍କରଙ୍କ ‘ସମଗ୍ର କବିତା’ର ପ୍ରକାଶନ ଗୁଜରାଟୀ କାବ୍ୟ-ସାହିତ୍ୟ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଘଟଣା । କାରଣ ଏପରି ଏକ ସଂକଳନ ପୂର୍ବରୁ ପ୍ରକାଶିତ ହୋଇ ନଥିଲା । ଗୋଟିଏ ବର୍ଷ ମଧ୍ୟରେ ଏହି ସଂକଳନର ଦୁଇଟି ସଂକଳନ ପ୍ରକାଶିତ ହେବା ମଧ୍ୟ ଅନ୍ୟ ଏକ ଉଲ୍ଲେଖଯାଗ୍ୟ ଘଟଣା । ଗୁଜୁରାଟୀ ପାଠକଙ୍କର କାବ୍ୟ-ସାହତ୍ୟ ପ୍ରତି ଯଥେଷ୍ଟ ଆଦର ରହିଥିବା ମଧ୍ୟ ଏଥିରୁ ପ୍ରମାଣିତ ହୋଇଛି ।

 

ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରମ୍‌, ରାଜେନ୍ଦ୍ର ଶାହ ଏବଂ ପ୍ରିୟକାନ୍ତ ମନିଆରଙ୍କର ସଂକଳନଗୁଡ଼ିକ ଉଲ୍ଲେଖଯାଗ୍ୟ । ସୁନ୍ଦରମଙ୍କର ବକ୍‍ସଞ୍ଜମତା ସତ୍ତ୍ୱେ ତାଙ୍କର କାବ୍ୟ ସୃଷ୍ଟି ମୋଟାମୋଟି ଭାବେ ଉମାଶଙ୍କରଙ୍କ ତୁଳନାରେ ନ୍ୟୂନ ନୁହେଁ । ୧୯୫୧ ମସିହାରେ ତାଙ୍କର ‘ଯାତ୍ରା’ ପ୍ରକାଶିତ ହେବା ପରେ ଆମେ ତାଙ୍କର ପରବର୍ତ୍ତୀ ସଂକଳନ ପ୍ରତୀକ୍ଷାରେ ରହିଛୁ ।

 

‘ସ୍ନେହରଶ୍ମି’ ପୂଜା ଲାଲ, ସୁନ୍ଦରଜୀ ବେତାଇ ଏବଂ ସ୍ୱର୍ଗତ ମନସୁଖଲାଲ ଜାଭେରୀ ପ୍ରଭୃତି ଗାନ୍ଧୀ ଯୁଗର କବିମାନଙ୍କର ଗୁଜରାଟୀ କାବ୍ୟ-ସାହିତ୍ୟକୁ ସ୍ୱତନ୍ତ୍ର ଅବଦାନମାନ ରହିଛି । ଜାପାନର ‘ହାଇକୁ’ ଶୈଳୀରେ କବିତା ରଚନା କରି ଲୋକପ୍ରିୟତା ଅର୍ଜନ କରୁଥିବା ‘ସ୍ନେହରଶ୍ମି’ ସେହି ଶୈଳୀର ପ୍ରବର୍ତ୍ତକ ଓ ସମାଲୋଚକ ଭାବରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ । ଆଲୋଚ୍ୟ ସମୟ ମଧ୍ୟରେ ରାଜେନ୍ଦ୍ର ଶାହ, ମକରନ୍ଦ ଡାଭେ, ଉସ୍ନାସ, ଜୟନ୍ତ ପାଠକ, ହରିନ୍ଦ୍ର ଡଭେ ଏବଂ ସୁରେଶ ଦଲାଲ ଧାରାବାହିକ ଭାବେ ରଚନା କରି ଆସୁଛନ୍ତି ।

 

ଏହି ସମୟ ମଧ୍ୟରେ ଆତ୍ମପ୍ରକାଶ କରିଥିବା ସବୁଗୁଡ଼ିକ ସଂକଳନର ତାଲିକା କରି ବସିଲେ ବହୁତ ଲମ୍ବ ହୋଇଯିବ । ତେଣୁ ଏଠାରେ କେବଳ କେତେକ ପ୍ରତିନିଧି ସ୍ଥାନୀୟ ସଂକଳନର ନାମ ଉଲ୍ଲେଖ କରାଯାଇପାରେ, ଯଥା :-ଆକାଶ (ନଳୀନ ରାଭଲ୍‌) ପଭନ ରୂପେରୀ (ଚନ୍ଦ୍ରକାନ୍ତ ଶେଠ୍‌) ସୟୁଜ୍ୟ (ହସ୍‌ମୁଖ ପାଠକ), କ୍ଷାନୋନା ମହେଲମାନ ଏବଂ ବହୁକ୍‌ (ଚିନୁ-ମୋଦୀ), ଭମଲନା ଭନମାନ (ଜଗଦୀଶ ଯୋଶୀ), ସ୍କାଇ ସ୍କ୍ରାପର (ସୁରେଶ ଦଲାଲ୍‌) ଅନ୍ତଗର୍ନ୍ଧର (ରାଜେନ୍ଦ୍ର ଶୁକ୍ଲା), ବରଫ୍‌ନା ପଙ୍ଗି (ଅନୀଲ ଯୋଶୀ), ଇତ୍ର (ସୁରେଶ ଯୋଶୀ), ଅତ୍ତ୍ୱ (ଗୁଲାମ ମହମ୍ମଦ ଶେଖ), ସଂଭାବ (ଭଗବତୀକୁମାର ଶର୍ମା), ଅତ୍କଲ (ମନୋଜ ଖଣ୍ଡେରିଆ) ।

 

ଏହି ସମୟର କାବ୍ୟ-ସାହିତ୍ୟରେ ଗୀତ କବିତାର ଆଧିପତ୍ୟ ବିଶେଷ ଭାବେ ଉପଲବ୍‍ଧି କରାଯାଏ । ଗୁଜୁରାଟୀ ସାହିତ୍ୟରେ ଗୀତ କବିତାର ବଳିଷ୍ଠ ପରମ୍ପରା ବହୁକାଳରୁ ପ୍ରଚଳିତ ରହି ଆସିଛି । ଆଲୋଚ୍ୟ ସମୟ ମଧ୍ୟରେ ଏହି ପରମ୍ପରାର ଅନ୍ତତଃ ଜଣେ ବିଶିଷ୍ଟ କବିଙ୍କର ଆବିର୍ଭାବ ଘଟିଛି । ସେ ହେଉଛନ୍ତି ରମେଶ ପାରେଖ । ତାଙ୍କର କବିତା ସବୁ ବିଭିନ୍ନ ଭାଗରେ ସଂକଳିତ ଆଧୁନିକ ଜୀବନର ନୀରସ ଚିତ୍ର ସମ୍ବଳିତ ଗଦ୍ୟ-କବିତା ରଚନା କରିବାରେ ମଧ୍ୟ ସେ ସମଭାବରେ ସିଦ୍ଧହସ୍ତ । ମନୋରମ ଛନ୍ଦ ବିନ୍ୟାସ, ସୂକ୍ଷ୍ମ ବ୍ୟଞ୍ଜନ ଏବଂ ସୂକ୍ଷ୍ମ କ୍ଷଣସ୍ଥାୟୀ ଭାବ ପ୍ରକାଶରେ ସାର୍ଥକତା ହେଉଛି, ତାଙ୍କ ଗୀତି-କବିତା ଗୁଡ଼ିକର ବିଶେଷତ୍ତ୍ୱ । ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ଶବ୍ଦର ପ୍ରୟୋଗରେ ଅସାଧାରଣ ବ୍ୟୂତ୍ପତ୍ତି ପାଇଁ ତାଙ୍କର କାବ୍ୟ ସୃଷ୍ଟି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

 

ଅନୀଲ ଯୋଶୀଙ୍କର ଗୀତ-କବିତା ଗୁଡ଼ିକରେ ବିଶେଷତ୍ତ୍ୱ ହେଉଛି, ସେ ଗୁଡ଼ିକର ଗାୟନ ଉପଯୋଗିତା । କିନ୍ତୁ ତାଙ୍କର ଗଦ୍ୟ-କବିତାଗୁଡ଼ିକ ଆମକୁ ସେତେ ଭଲ ଲାଗେନାହିଁ । ତାଙ୍କର ଗଭୀର ମନନଶୀଳତା ସହିତ ଆଧୁନିକ ଗଦ୍ୟଶୈଳୀ ଖାପ ଖାଉ ନ ଥିବା ବୋଧହୁଏ ଏହାର କାରଣ ।

 

ରାଜେନ୍ଦ୍ର ଶୁକ୍ଲାଙ୍କ କବିତାରେ ଛନ୍ଦର ସାର୍ଥକ ପ୍ରୟୋଗ ଓ ସୁନ୍ଦର ଭାଷାବିନ୍ୟାସ ବହୁ ଭାବରେ ଦେଖିବାକୁ ମିଳେ । ତାଙ୍କର ଭାଷା କଥିତଭାଷାର ନିକଟବର୍ତ୍ତୀ ଏବଂ କଥନ ଭଙ୍ଗୀ ଅତି ସାଧାରଣ ଓ ସ୍ଥଳ ବିଶେଷରେ ଇତର ।

 

‘ଅବକାଶ’ର କବି ନଳୀନ୍‌ ରାଭଲ୍‌ ତାଙ୍କର ଉଚ୍ଚ ଭାବପୂର୍ଣ୍ଣ ଭାଷାରେ ଜୀବନର ଶୂନ୍ୟତାକୁ ଦୃଢ଼ ପ୍ରତ୍ୟୟରେ ପରିପୂର୍ଣ୍ଣ କରିବା ପାଇଁ ପ୍ରୟାସ କରିଛନ୍ତି । ମନୋରମ ଶବ୍ଦ ବିନ୍ୟାସ ସହିତ ଉତ୍ତମ ଛନ୍ଦ ପ୍ରୟୋଗ ଶୈଳୀ ତାଙ୍କ ସୃଷ୍ଟିର ମାନ ବୃଦ୍ଧି କରିଛି ।

 

‘ପ୍ରଭନ ରୂପେରୀ’ର କବି ଚନ୍ଦ୍ରକାନ୍ତ ଶେଠଙ୍କର ନିଜକୁ ଖୋଜିବା ପାଇଁ ଅଭିଯାନ ମୂଳରେ ଅକୃତ୍ରିମ ଆନ୍ତରିକତା ନିହିତ ରହିଛି । ‘ଚନ୍ଦ୍ରକାନ୍ତ ତୁ କେଉଁଠି ଅଛୁ ?’ ବୋଲି ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ‘‘ଚାଲ ଆମେ ଚନ୍ଦ୍ରକାନ୍ତକୁ ଦଳିଚକଟି ଖଣ୍ଡ ଖଣ୍ଡ କରିଦେବା, ତା’ ମନ ଭିତରେ ରହିଥିବା ସମୟର ଆବର୍ଜ୍ଜନାକୁ ନିଃଶେଷ କରିଦେବା’’ ପାଇଁ ଅଗ୍ରସର ହୋଇଛନ୍ତି । ତାଙ୍କ କବିତାରେ ଆମେ ଖାଣ୍ଟି ବିଦ୍ରୋହର ସ୍ୱର ଶୁଣିବାକୁ ପାଉଁ । ପାରମ୍ପରିକ ଶବ୍ଦର ବ୍ୟବହାର ସତ୍ତ୍ୱେ ତାଙ୍କ କବିତାଗୁଡ଼ିକ ସଦ୍ୟ ଓ ନୂତନ ।

 

ସୀତାଂଶୁ ମେହେଟ୍ଟାଙ୍କର ସଫଳ ସଂକଳନ “ଓଡ଼ିସେଅସ ନନ୍‌ହାଲେସନ୍‌” ସୁପ୍ତ ଚୈତନ୍ୟ ଚିତ୍ରଣ ଏବଂ ନୂତନ ସମ୍ବେଦନ ଓ ଶୈଳୀ ପାଠମାନଙ୍କୁ ଚମତ୍କୃତ କରିଥାଏ । ସେ ସାଂପ୍ରତିକ ବୋଲି ନିର୍ଭୁଲ ଭାବେ କୁହାଯାଇପାରେ ଏବଂ ତାଙ୍କ ପାଇଁ ଗୁଜରାଟୀ ସାହିତ୍ୟ ପରିପୁଷ୍ଟ ହୋଇଛି ।

 

ନୂତନ କବିମାନଙ୍କ ମଧ୍ୟରେ ଅନ୍ୟ ଯେଉଁମାନଙ୍କର ନାମ ଅଧିକ ଉଲ୍ଲେଖଯୋଗ୍ୟ ସେମାନେ ହେଲେ, ଯଶୱନ୍ତ ତ୍ରିବେଦୀ, ରାଧେଶ୍ୟାମ ଶର୍ମା, ଟୋପିଓାଲା, ମହେଶ ଡାଭେ, ମାଧଭ୍‍ ରାମାନୁଜ, ହେମନ୍ତ ଦେଶାଇ, ଆଦିଲ୍ ମନସୁରୀ, ମନ୍‌ହର୍ ମୋଦୀ, ଜୟେନ୍ଦ୍ର ଶେଖ୍‌ଡ଼ିୱାଲା, ସାରୁପ୍‍ ଧ୍ରୁବ୍, ବିପିନ ପାରିଖ୍‌, ମେଘନାଦ ଭଟ୍ଟ, ସୁଧୀର ଦେଶାଇ, ମଫଡ଼୍ ଓଝା, ପ୍ରଭିନ୍‌ ଦର୍ଜୀ ଇତ୍ୟାଦି । ଅନ୍ୟ ଯେଉଁଜଣଙ୍କର ଦୁଇଜଣଙ୍କର ନାମ ବିଶେଷଭାବେ ଉଲ୍ଲେଖଯୋଗ୍ୟ, ସେମାନେ ହେଲେ ହସମୁଖ୍ ପାଠକ୍‌ ଏବଂ ଗୁଲାମ୍‌ ମହମ୍ମଦ ଶେଖ୍‌।

 

ଏ ଦୁହିଁଙ୍କର ସୃଷ୍ଟିର ପରିମାଣ ସ୍ୱଳ୍ପ ହେଲେ ମଧ୍ୟ ବିଶେଷ ତାତ୍ପର୍ଯ୍ୟପୁର୍ଣ୍ଣ । ସୂକ୍ଷ୍ମ ଚିତ୍ରକଳ୍ପ ଓ ନିଚ୍ଛୁକ ବାସ୍ତବତା ଚିତ୍ରଣରେ ଦୁହେଁ ଆସାଧାରଣ । ଶେଖ୍‌ ଜଣେ ଉଚ୍ଚକୋଟୀର ଚିତ୍ରଶିଳ୍ପୀ ମଧ୍ୟ । ଶିଳ୍ପ ସହରାଞ୍ଚଳ ନିଷ୍ପେସିତ ଜୀବନ ପ୍ରତି ତାଙ୍କର ତୂଳୀ ସମ୍ବେଦନଶୀଳ । ଧୀରୁ ପାରିଖ ଆଧୁନିକ ସଭ୍ୟ ସମାଜକୁ ବିଦ୍ରୂପ କରିବା ପାଇଁ ମଧ୍ୟଯୁଗୀୟ ‘ଛପପା’ ଶୈଳୀରେ ଆଧୁନିକ କବିତାମାନ ରଚନା କରିଛନ୍ତି । ନିରଞ୍ଜନ ଭଗତ୍‌ଙ୍କ ପରି ଜଣେ ବଳିଷ୍ଠ କବିଙ୍କଠାରୁ ଧାରାବାହିକ ସୃଷ୍ଟି ଆଶା କରାଯାଉଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଚୁପ୍‌ରହିଛନ୍ତି ।

 

କଥା-ସାହିତ୍ୟ କ୍ଷେତ୍ରରେ ସୃଷ୍ଟିର ଅଭାବ ନାହିଁ । ପୂର୍ବ ପୀଢ଼ିର ଔପନ୍ୟାସିକମାନେ ଏବେ ମଧ୍ୟ ସୃଷ୍ଟି ତତ୍ପର ରହିଛନ୍ତି ଏବଂ ସେମାନଙ୍କ ଉପନ୍ୟାସର କାଟ୍‍ତି ପୂର୍ବଠାରୁ ଅଧିକ ହୋଇଛି । ସେମାନଙ୍କ ମଧ୍ୟରୁ ସାହିତ୍ୟକୁ ଜୀବିକା ଭାବରେ ଗ୍ରହଣ କରିଥିବା ଲେଖକଙ୍କ ମଧ୍ୟରେ ପାନ୍ନାଲାଲ ପଟେଲ ପ୍ରଧାନ । ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ଉପନ୍ୟାସ ରଚନାରେ ପାନ୍ନାଲାଲ ଆଗ୍ରହୀ ହୋଇ ଆସିଛନ୍ତି । ଇଶ୍ୱର ପେଟ୍‍ଲିକର ଅଳ୍ପକାଳ ପୂର୍ବରୁ ପୁଣି ଲେଖିବା ଆରମ୍ଭ କରିଛନ୍ତି । ରଘୁବୀର ଚୌଧୁରୀଙ୍କର ଲେଖନୀ ପୂର୍ବପରି ସୃଜନଶୀଳ ରହିଛି । ‘ବେନୁ ବତ୍ସଳ’ରେ କିମ୍ବା ‘ଲଗନ’ ଉପନ୍ୟାସ ତାଙ୍କ ରମଣୀୟ ସୃଷ୍ଟିର ନିଦର୍ଶନ । ‘ବେନୁ ବତ୍ସଳ’ ତାଙ୍କ ନାୟିକାର ମାନସିକ ଯନ୍ତ୍ରଣା ଏବଂ ଜଟିଳ ବ୍ୟକ୍ତିତ୍ୱର ବିଭିନ୍ନ ଆୟତନର ଚିତ୍ର ଦେଖିବାକୁ ମିଳିଥାଏ । ଷଷ୍ଠ ଦଶକଠାରୁ ପୁନର୍ବାର ସୃଷ୍ଟି-ତତ୍ପର ହୋଇ ଉଠିଥିବା ଭଗବତି କୁମାର ଶର୍ମାଙ୍କର ଇପ୍‍ସିତ ଉପନ୍ୟାସ ‘ଉର୍ଦ୍ଧବ ମୂଲ’ ୧୯୮୧ରେ ପ୍ରକାଶିତ ହୋଇଛି ।

 

ହରୀନ୍ଦ୍ର ଡାଭେଙ୍କର କୃଷ୍ଣ ଉପାଖ୍ୟାନ ଉପରେ ଆଧାରିତ ଉପନ୍ୟାସ ‘ମାଧବ କ୍ୟାନା ନାଥି’ ଯଥେଷ୍ଟ ଲୋକପ୍ରିୟତା ଅର୍ଜ୍ଜନ କରିଛି । ଏହି ଉପନ୍ୟାସରେ କୃଷ୍ଣଙ୍କୁ ଉପଲକ୍ଷ୍ୟ କରି ଆଧୁନିକ ଜୀବନର ବିଚ୍ଛିନ୍ନତା ସମ୍ପର୍କରେ ଅବତାରଣା କରାଯାଇଛି । ହରୀନ୍ଦ୍ର ଡାଭେଙ୍କର ଏହି ଉପନ୍ୟାସଟି ଚଳିତ ଦଶକର ଏକ ଶ୍ରେଷ୍ଠକୃତି ଭାବରେ ଗ୍ରହଣଯାଗ୍ୟ । ‘ଦର୍ଶକ’ଙ୍କର ‘ସକ୍ରେଟିସ୍‌’ ଏହି ଦର୍ଶକର ଏହି ମର୍ଯ୍ୟାଦା ସମ୍ପନ୍ନ ଐତିହାସିକ ଉପନ୍ୟାସ ।

 

ଚନ୍ଦ୍ରକାନ୍ତ ବକ୍‌ସି, ଜୀନ୍‌କର ଯୋଶୀ, ମହମ୍ମଦ ମଙ୍କଡ଼, ବିଜୁଭାଇ ମେହେଟ୍ଟା . ଦିଲ୍ଲୀପ୍‌ ରନ୍‌ପୂରା, ଡଃ ଦାମୋଦର ବଲାର ପ୍ରଭୃତି ଉପନ୍ୟାସ ବିଭାଗରୁ ଧାରାବାହିକ ଭାବେ ପରିପୃଷ୍ଟ କରି ଆସିଛନ୍ତି ।

 

୧୯୭୯ ରେ ପ୍ରକାଶିତ ହୋଇଥିବା ରାଧେଶ୍ୟାମ ଶର୍ମାଙ୍କର ‘ସ୍ୱପ୍ନ ତୀର୍ଥ’ରେ ନିଜକୁ ଖୋଜିବା ପାଇଁ ଯେଉଁ ପ୍ରୟାସ କରାଯାଇଛି ତାହା ଆରମ୍ଭରୁ ହିଁ ପାଠକମାନଙ୍କୁ ପ୍ରଭାବିତ କରିଛି । ପିନାକିଁ ଡାଭେଙ୍କର ‘ଛାୟା’ ଓ ‘ମୋହାନିସ୍ନା’ରେ ନୂତନ ଅଭିଜ୍ଞାନର ସନ୍ଧାନ କରାଯାଇଛି ।

 

ସାଂପ୍ରତିକମାନଙ୍କ ମଧ୍ୟରେ ଦୁଇଜଣ ଉଦୀୟମାନ ଔପନ୍ୟାସିକଙ୍କର ନାମ ଉଲ୍ଲେଖ ଯୋଗ୍ୟ । ସେମାନେ ହେଲେ ଧୀରେନ୍ଦ୍ର ମେହେଟ୍ଟା ଓ ରାମଚନ୍ଦ୍ର ପଟେଲ୍‌ (ସୁତ୍ରିତ) । ଧୀରେନ୍ଦ୍ରଙ୍କର ଉଲ୍ଲେଖନୀୟ ସୃଷ୍ଟି ‘ବଳୟ’ର ମନୋରମ କାହାଣୀ ପ୍ରାକ୍‌ଯୌବନ ଆକର୍ଷଣ ଉପରେ ଆଧାରିତ । ପଙ୍ଗୁମାନଙ୍କ ଜୀବନ ଉପରେ ଆଧାରିତ ଚିହ୍ନ ତାଙ୍କର ଅନ୍ୟ ଏକ କୃତି । ଏ ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ ଉଦୀୟମାନ ଔପନ୍ୟାସିକଙ୍କ ମଧ୍ୟରେ ଦୀନେଶ ଆଣ୍ଟାନି, କିଶୋର ଶୋଲାଙ୍କି, ପରେଶ ନାଏକ, କାଞ୍ଜି ପଟେଲ ଓଗେର ଏବଂ ଔପନ୍ୟାସିକଙ୍କ ମଧ୍ୟରେ ଧୀରୁବାବେନ୍‌ ପଟେଲ୍, ସରୋଜ ପାଠକ୍‌, ବର୍ଷା ଆଡ଼ାଲକା, ଇଲାଆରବ୍‌ ମେହେଟ୍ଟା ପ୍ରଭୃତି ଲେଖକମାନଙ୍କର ଗତି ଦଶକ ମଧ୍ୟରେ ଉପନ୍ୟାସ ରଚନାର ଏକ ନୂତନ ପୀଢ଼ି ସ୍ଥାପନ କରିବା ଦିଗରେ ଯଥେଷ୍ଟ ଅବଦାନ ରହିଛି ।

 

ଆମର ବିଶିଷ୍ଟ ଦାର୍ଶନିକ କବି ମକରନ୍ଦ୍‍ ଡାଭେ କିଛିକାଳ ପୂର୍ବରୁ ‘ମାଟିନୋ ମହେକାତୋ ସାଦ୍’ ଶୀର୍ଷକ ଏକ ଉପନ୍ୟାସ ରଚନା କରିଛନ୍ତି । ଏହି ଉପନ୍ୟାସରେ ସେ କୃଷିଜୀବୀ ବଳରାମର ଚରିତ୍ରକୁ ଅତି ନିପୂଣତାର ସହ ଚିତ୍ରଣ କରିଛନ୍ତି । ମଫତ୍‌ ଓଜାଙ୍କର ‘ସାତ୍‌ମୋ ପୁରୁଷ’ ଏକ ପରୀକ୍ଷାଧର୍ମୀ ଉପନ୍ୟାସ ।

 

ଗୁଜୁରାଟୀ ସାହିତ୍ୟରେ କ୍ଷୁଦ୍ରଗଳ୍ପର ମୂଳଦୁଆ ଅତ୍ୟନ୍ତ ସୁଦୃଢ଼ ଏବଂ ଉଭୟ ପାରମ୍ପରିକ ଓ ପରୀକ୍ଷାମୂଳକ ଶୈଳୀର ରଚନାରେ ଏ ବିଭାଗଟି କ୍ରମଶଃ ସୁସମୃଦ୍ଧ ହୋଇଆସିଛି । ପାରମ୍ପରିକ ଶୈଳୀର ଲେଖକମାନଙ୍କ ମଧ୍ୟରେ ପାନ୍ନାଲାଲ ପଟେଲ, ଗୁଲାବ୍‌ ଦାସ ବ୍ରୋକର, ଶିବକୁମାର ଯୋଶୀ, ପିନାକୀଁ ଡାଭେ, ଭଗବତୀ କୁମାର ଶର୍ମା, ମହମ୍ମଦ ମଙ୍କଡ୍‍, ମୋହନ ଲାଲ ପଟେଲ ଓ ବାସୁବହେନ୍‍ ଭଟ୍ଟ ପ୍ରମୁଖଙ୍କର କ୍ଷୁ୍‌‌ଦ୍ର ଗଳ୍ପର ସଂକଳନମାନ ଧାରାବାହିକଭାବେ ପ୍ରକାଶିତ ହୋଇ ଆସୁଛି । ପରୀକ୍ଷାମୂଳକ ଶୈଳୀର ଲେଖକମାନଙ୍କ ମଧ୍ୟରେ ସୁରେଶ ଯୋଶୀ , ସୁଧୀର ଦଲାଲ, ଘନଶ୍ୟାମ ଦେଶାଇ, କିଶୋର ଯାଦବ ଏବଂ ସୁବର୍ଣ୍ଣାଙ୍କର ନାମ ବିଶେଷ ଭାବେ ଉଲ୍ଲେଖ ଯୋଗ୍ୟ । ସଂପ୍ରତି ଏ କ୍ଷେତ୍ରରେ ପ୍ରତିଭାଶାଳୀ ନୂତନ ଲେଖକମାନଙ୍କର ମଧ୍ୟ ଆବିର୍ଭାବ ଘଟିଛି । ସତ୍ୟଜିତ ଶର୍ମାଙ୍କର ‘ସାବ୍‌ ପେଟିମା ମୋଜୁନ୍‌’ ନୂତନ ଶୈଳୀ ଓ ବିଷୟବସ୍ତୁ ଦୃଷ୍ଟିରୁ ଏକ ଆଦର୍ଶ ସୃଷ୍ଟି । ଏହା ଆଧୁନିକବାଦୀ ଚିନ୍ତାଧାରକୁ ଅଧିକ ବିସ୍ତୃତ କରିଛି । ଅତୀତରେ ଗୁଜରାଟୀ ସାହିତ୍ୟର ଗଳ୍ପ ରଚନା ଶୈଳୀରେ ଅବକ୍ଷୟ ଘଟିଥିବା ପ୍ରଶ୍ନ ବାରମ୍ବାର ଉତ୍‌ଥାପିତ ହୋଇଥାଏ । କିନ୍ତୁ ଏ କ୍ଷେତ୍ରରେ ସୁରେଶ ଯୋଶୀ, ମଧୁ ରାୟ, ରାଧେଶ୍ୟାମ ଶର୍ମା, ବିଭୁତି ଶାହ, ଜ୍ୟୋଥିସ୍‌ ଜାନୀ, ରଘୁବୀର ଚୌଧୁରୀ, ଚିନୁ ମୋଦୀ, ପିନାକୀଁ ଡାଭେ, ବିଜୟ ଶାସ୍ତ୍ରୀ, ପ୍ରବୋଧ ପାରିଖ ଓ ସୁମନ ଶାହ ପ୍ରମୁଖ ଲେଖକ ଏବଂ କୁନ୍ଦନୀକା କାପାଡ଼ିଆ ଓ ସରୋଜ ପାଠକ ପ୍ରମୁଖ ଲେଖିକାଙ୍କର ଆବିର୍ଭାବକୁ ଲକ୍ଷ୍ୟକଲେ ଏପରି ପ୍ରଶ୍ନ ଉଠିବାର କୌଣସି କାରଣ ନାହିଁ ବୋଲି ମନେହୁଏ । କୁନ୍ଦନୀକାଙ୍କ ଗଳ୍ପରେ ନିର୍ଜନତାର ଅନୁଭୂତି ଏବଂ ମୂଲ୍ୟବୋଧର ସନ୍ଧାନ ପାଇଁ ବିଶେଷଭାବେ ପ୍ରୟାସ କରାଯାଇଛି ।

 

ଗଦ୍ୟ ରଚନା କ୍ଷେତ୍ରରେ ସ୍ୱୟଂ-କୈନ୍ଦ୍ରିକ ପ୍ରବନ୍ଧରେ ଉଲ୍ଲେଖନୀୟ ପ୍ରସାର ଦେଖିବାକୁ ମିଳେ । ପୂର୍ବରୁ ପ୍ରଥମେ ଷଷ୍ଠ ଦଶକରେ ଏ ଶୈଳୀର ରଚନା ସୁରେଶ ଯୋଶୀଙ୍କର ‘ଜନାନ୍ତିକେ’ ଦୀଗିଶ୍ ମେହେଟ୍ଟାଙ୍କର ‘ଦୂର-ନା-ଇ-ସୁର’ରେ ଦେଖିବାକୁ ମିଳେ । ପରବର୍ତ୍ତୀ ଦଶକରେ ପ୍ରବନ୍ଧ ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଭୋଲାଭାଇ ପଟେଲଙ୍କର ‘ବିଦିଶା’ ଭିନ୍ନ ସ୍ୱାଦର ଏକ ଚିତ୍ତାକର୍ଷକ ପ୍ରବନ୍ଧ ସଂକଳନ । ଐତିହାସିକ ଓ ସାଂସ୍କୃତିକ ଆକର୍ଷଣ ବିଶିଷ୍ଟ ସ୍ଥାନଗୁଡ଼ିକ ଏହି ସଂକଳନ ଅନ୍ତର୍ଗତ ପ୍ରବନ୍ଧଗୁଡ଼ିକରେ ସ୍ମରଣ କରାଯାଇଛି । ଚନ୍ଦ୍ରକାନ୍ତ ଶେଠ୍‌, ଗୁଣବନ୍ତ ଶାହ୍‌, ବୈ‌ଦ୍ୟଲାଲ ଡାଗଲି, ଜ୍ୟୋଥିସ୍‌ ଜାନୀ, ଭଗବତୀ କୁମାର ଶର୍ମା, ହରୀନ୍ଦ୍ର ଡାଭେ ଏବଂ ବିଷ୍ଣୁ ପାଣ୍ଡ୍ୟ ପ୍ରଭୃତି ଲେଖକମାନେ ମଧ୍ୟ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବିଭିନ୍ନ ଶୈଳୀର ପ୍ରବନ୍ଧ ରଚନା କରୁଛନ୍ତି । ହାସ୍ୟରସାତ୍ମକ ପ୍ରବନ୍ଧ ରଚନାରେ ବିଶେଷ ଅଭିବୃଦ୍ଧି ଘଟିଛି । ବକୁଳ ତ୍ରିପାଠୀଙ୍କର ପ୍ରକାଶୋନ୍ମୁଖୀ ପ୍ରବନ୍ଧ ସଂକଳନ ‘ବୈକୁଣ୍ଠ ନାଥି ଯଉନ୍’ ପାଠକମାନଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶା କରାଯାଏ । ବିନୋଦ ଭଟ୍ଟ ଜଣେ ସୃଜନକ୍ଷମ ପ୍ରାବନ୍ଧିକ । ଅଗଣିତ ପାଠକ ପାଠିକାଙ୍କର ପ୍ରିୟଭାଜନ ହୋଇ ଆସିଥିବା ଏହି ପ୍ରାବନ୍ଧିକ ତାଙ୍କର ପୂର୍ବ ଗୌରବ ବଜାୟ ରଖି ଆସୁଛନ୍ତି । ଅନ୍ୟଜଣେ ବିଶିଷ୍ଟ ପ୍ରାବନ୍ଧିକ ହେଲେ ମଧୁସୂଦନ ପାରେଖ । ଏମାନଙ୍କ ବ୍ୟତୀତ ବୋରିସାଗର, ଅଶୋକ ଡାଭେ ଏବଂ ‘ବିଶ୍ୱବନ୍ଧୁ’ ପ୍ରଭୃତି ମଧ୍ୟ ପ୍ରବନ୍ଧ ରଚନା କରି ଆସୁଛନ୍ତି ।

 

ଗୁଜରାଟୀ ଥିଏଟରର ସ୍ଥିତ ଏବେ ମଧ୍ୟ ସୁଦୃଢ଼ ହୋଇନାହିଁ । ମରାଠୀ ବା ବଙ୍ଗଳା ଥିଏଟର ସହିତ ଗୁଜରାଟୀ ଥିଏଟରକୁ ରଚନା କଲେ ଏକଥା ସ୍ପଷ୍ଟ ଜଣାପଡ଼େ । ପ୍ରୋତ୍ସାହନର ଅଭାବ ଏହାର କାରଣ ବୋଲି କୁହାଯାଇପାରିବ ନାହିଁ । ଏ କ୍ଷେତ୍ରରେ ନୂତନ ସୃଷ୍ଟିକୁ ପ୍ରେରଣା ଯୋଗାଇବା ପାଇଁ ‘ଦର୍ପଣ’, ‘ଭାରତ ନାଟ୍ୟପୀଠ’, ଆଇ.ଏନ.ଟି ପ୍ରଭୃତି ଆମର ବହୁ ମର୍ଯ୍ୟାଦା ସମ୍ପନ୍ନ ନାଟ୍ୟଦଳ ରହିଥିବା ବେଳେ ଗୁଜରାଟୀ ଭାଷାର ପ୍ରଥମ ମଞ୍ଚୋପଯୋଗୀ ନାଟକ ପାଇଁ ଏବେ ମଧ୍ୟ ପ୍ରତୀକ୍ଷା ରହିଛି । ଏ ଦିଗରେ ସି.ସି ମେହେଟ୍ଟା, ଶିବକୁମାର ରଘୁବୀର, ଆଦିଲ, ଲାବ ଶଙ୍କର, ଚିନୁ ପ୍ରଭୃତି ପୋଖତ ଲେଖକମାନେ ଖୁବ୍‌ ସଚେଷ୍ଟ ରହିଛନ୍ତି ଏବଂ ସଫଳତା ମଧ୍ୟ କେତେକାଂଶରେ ମିଳିଛି । ସୁବାସ ଶାହଙ୍କର ସଫଳତା ହାସଲ କରିଥିବା ନାଟକଗୁଡ଼ିକ ଏହାର ଉଦାହରଣ । ଶ୍ରୀକାନ୍ତ ଶାହ, ବିଭୂତି ଶାହ, ନରେଶ ଡାଭେ, ଇନ୍ଦୁ ପୁଭାର, ବିନାୟକ ପୁରୋହିତ ଏବଂ ମୁକୁନ୍ଦ ପାରିଖ ପ୍ରଭୃତି ନାଟ୍ୟକାରମାନେ ମଧ୍ୟ ବେଶ୍‌ ସଫଳତା ଅର୍ଜନ କରିଛନ୍ତି । ଏକ ନୂତନ ପୀଢ଼ିର ଅଭିନେତା ଓ ନିର୍ଦ୍ଦେଶକ ଭାବରେ ନିମାଇ ଦେଶାଇ, ଭାରତ ଡାଭେ ଏବଂ କାନ୍ତି ମଡ଼ିଆ ଯଥେଷ୍ଟ ପ୍ରତିଶ୍ରୂତି ପ୍ରଦାନ କରିଛନ୍ତି ।

 

ଗୁଜରାଟୀ ସାହିତ୍ୟ କ୍ଷେତ୍ରରେ ବେଶ୍‌ ଉତ୍ସାହପ୍ରଦ ସକ୍ରିୟତା ରହିଛି । ନିରଞ୍ଜନ ଭଗତ୍‌ଙ୍କର ତ୍ରୈମାସିକ ‘ସାହିତ୍ୟ’, ଲୋକ୍‌-ମିଲାପଙ୍କର ସାର ସଂଗ୍ରହ ମିଳାପ ଏବଂ ଉମାଶଙ୍କରଙ୍କର ମାସିକ ‘ସଂସ୍କୃତି’ର ପ୍ରକାଶନ ବନ୍ଦ ହୋଇଯାଇଥିଲେ ମଧ୍ୟ ‘କବିତା’, କବି ଲୋକ, ଗ୍ରନ୍ଥ, ପ୍ରଭୃତିର ସ୍ୱତନ୍ତ୍ର ସଂଖ୍ୟା ଏବଂ ‘ସଂସ୍କୃତି’ର ୪୦୦-୪୦୧ ସ୍ୱତନ୍ତ୍ର ସଂଖ୍ୟାମାନଙ୍କରେ ପ୍ରକାଶିତ କେତେକ ରଚନାର ‘ପ୍ରତିଭା ଓ ପ୍ରତିଭାର’ ନାମରେ ଏକତ୍ର ସଂକଳନ ଏ ଅଭାବ ଅନେକାଂଶରେ ପୂରଣ କରିଛି । ଏହି ସଂକଳନରେ ଗୁଜରାଟୀ ସାହିତ୍ୟର ସମସ୍ତ ବିଭାଗ ଉପରେ ଆଲୋଚନାର ସଂକ୍ଷିପ୍ତସାର ସନ୍ନିବେଶିତ ହୋଇଛି ।

 

ଲୋକ୍‌-ମିଲାପ ଟ୍ରଷ୍ଟ ପକ୍ଷରୁ ଆଧୁନିକ କବିତାର ଆକର୍ଷଣୀୟ ପକେଟ୍‌ ବୁକ୍‍ସେଟ୍‍ମାନ ପ୍ରକାଶିତ ହୋଇଛି । ବିଭିନ୍ନ ଭାରତୀୟ ତଥା ବୈଦେଶିକ ଭାଷାମାନଙ୍କରେ ରଚିତ କାବ୍ୟସୃଷ୍ଟିର ଗୁଜରାଟୀ ଭାଷାନ୍ତର ପ୍ରକାଶ କରି ଗୁଜରାଟୀ ସାହିତ୍ୟ ପ୍ରେମୀଙ୍କର ଜ୍ଞାନର ପରିସୀମା ସଂପ୍ରସାରଣ କରିବା ଦିଗରେ ‘ଗଙ୍ଗୋତ୍ରୀ ଟ୍ରଷ୍ଟ’ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ।

 

ମୁଁ ଅତ୍ୟନ୍ତ ନମ୍ରତାର ସହିତ ଉଲ୍ଲେଖ କରୁଛି ଯେ, ମୋର ସମାଲୋଚନାମୂଳକ ପ୍ରବନ୍ଧ ଗୁଡ଼ିକର ଏକ ସଙ୍କଳନ ପ୍ରକାଶିତ ହେବା ବ୍ୟତୀତ ୧୯୭୬ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ‘ଗୁଜରାଟୀ ମେନ୍‌ଅଫ ଲେଟର୍ସ’ ସିରିଜ ନାମକ ପରିଯୋଜନାର ସାଧାରଣ ସମ୍ପାଦକ ଭାବରେ ମୋ ତତ୍ତ୍ୱାବଧାନରେ ଏପର୍ଯ୍ୟନ୍ତ ୩୬ଟି, ମନୋଗ୍ରାଫ ପ୍ରକାଶିତ ହୋଇଛି ।

 

ଗୁଜରାଟୀ ସାହିତ୍ୟ ପରିଷଦର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମଧ୍ୟରେ ‘ସାହିତ୍ୟ କୋଷ’ ପ୍ରସ୍ତୁତି, ‘ଗୁଜରାଟୀ ସାହିତ୍ୟର ଇତିହାସ ସଂକଳନ, ଶିଶୁମାନଙ୍କ ପାଇଁ ପୁସ୍ତକ ପ୍ରକାଶନ ତଥା ଅନ୍ୟାନ୍ୟ ପ୍ରକାଶନ କାର୍ଯ୍ୟ ଅନ୍ତର୍ଭୁକ୍ତ ।

 

ଅତି ବିଳମ୍ବରେ ହେଲେ ମଧ୍ୟ ଗୁଜରାଟ ସରକାର ଏବେ ଗୁଜରାଟ ସାହିତ୍ୟ ଏକାଡେମୀ ପ୍ରତିଷ୍ଠା କରିଛନ୍ତି । ଏକାଡେମୀ ପ୍ରତିଷ୍ଠା ପରେ ଗୁଜରାଟୀ ସାହିତ୍ୟ ଅଧିକ ଉନ୍ନତ ହେବ ବୋଲି ଆଶା କରାଯାଏ ।

 

ଗୁଜରାଟୀ ସାହିତ୍ୟ କ୍ଷେତ୍ରରେ ମୋଟ ଉପରେ ଶିଥିଳଭାବ ସୁସ୍ପଷ୍ଟ । ସାଧାରଣ ଲେଖକଟିଏ ତା’ର ବହି କିପରି ଅତିଶୀଘ୍ର ମୁଦ୍ରିତ ଓ ପ୍ରକାଶିତ ହେବ ସେଥିପାଇଁ ଆତୁର । ଏହି ଆତୁରତା କିନ୍ତୁ ସମ୍ବରଣ କରାଯିବା ଉଚିତ । ଲେଖକ ଭାବରେ ତିଷ୍ଠିବା ପାଇଁ ବୌଦ୍ଧିକ ଦକ୍ଷତା ଏବଂ ସାଧୁତା ସର୍ବାଗ୍ରେ ଆବଶ୍ୟକ । ଆମର ଲେଖକମାନେ ଏସବୁ ଗୁଣ ପ୍ରତି ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି ବୋଲି ମୋର ଆଶଙ୍କା ହୁଏ । ଗୁଜରାଟୀ ଲେଖକମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ପର୍ଯ୍ୟନ୍ତ ସଂକୀର୍ଣ୍ଣତା ଏବଂ ପ୍ରାଦେଶିକ ପରିସୀମା ମଧ୍ୟରେ ଆବଦ୍ଧ ହୋଇ ରହିଛନ୍ତି । ଗ୍ରାମ୍ୟ ସଭ୍ୟତାରୁ ନଗର ସଭ୍ୟତାରୁ ନଗର ସଭ୍ୟତାକୁ ପରିବର୍ତ୍ତନର ସନ୍ଧିକ୍ଷଣରେ ଯେଉଁ ସବୁ ସାମାଜିକ ପରିବର୍ତ୍ତନ ସଂଘଟିତ ହୋଇଛି ତାହା ସହିତ ତାଳ ଦେଇ ଗତି କରିବାରେ ଲେଖକ ବୋଧହୁଏ ଅସମର୍ଥ ହୋଇଛି । ବୋଧହୁଏ ଏହି ଅଭାବ ପୂରଣ କରିବାପାଇଁ ଲେଖକମାନେ ତଥାକଥିତ ପରୀକ୍ଷା ନିରୀକ୍ଷାର ଦ୍ୱାହି ଦେଇ ଖେଳ ଲଗାଇଛନ୍ତି । କିନ୍ତୁ ଏହାଦ୍ୱାରା ସେମାନଙ୍କର କୌଣସି ଲାଭ ହୋଇନାହିଁ । ଏପରି ଏକ ପରିସ୍ଥିତିରେ ପ୍ରତିଭାଶାଳୀ ନୂତନ ଲେଖକମାନେ ଏକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ।

***

 

ନବନାଟ୍ୟର ବିଭବ ଓ ବେିଶିଷ୍ଟ୍ୟ

ଫକୀରମୋହନ ଆଚାର୍ଯ୍ୟ

 

ସାହିତ୍ୟର ଅନ୍ୟ ବିଭାଗ ଅପେକ୍ଷା ନାଟକ ସାମଗ୍ରିକ ସଂସ୍କୃତିର ଅଧିକ ନିକଟବର୍ତ୍ତୀ । ସଂସ୍କୃତିର ଯେଉଁ ଚେହେରା ଯେତେ ସଂପୂର୍ଣ୍ଣ ରୂପରେ ନାଟକରେ ଫୁଟିଉଠେ ତାହା ସାହିତ୍ୟର ଅନ୍ୟ ବିଭାଗରେ ଆଶା କରାଯାଇପାରେ ନାହିଁ । ସଂସ୍କୃତିର କେତେ ବ୍ୟାଖ୍ୟା, କେତେ ରୂପ ରୂପାନ୍ତର । ଲୋକ ସଂସ୍କୃତି, ଅପସଂସ୍କୃତି ଓ ଗଣ ସଂସ୍କୃତି । ବୋଧହୁଏ ଏହି ତିନିଧାରା ଭିତରେ ଆଧୁନିକ ସଂସ୍କୃତିର ଏକ ସଙ୍ଗତ ଅନ୍ତରର ଆତ୍ମୀୟତାଜଡ଼ିତ ମାନବୀୟ ପ୍ରକୃତିର ସ୍ୱତଃସ୍ଫୂର୍ତ୍ତ ପରିପ୍ରକାଶ । ଅପସଂସ୍କୃତିର ଅନ୍ୟଦିଗରେ ଏକ ପରମ୍ପରାରୁ ଛିନ୍ନ ଓ ବହୁ ବିଚିତ୍ର ଭିନ୍ନ ପରମ୍ପରା ଓ ପ୍ରଭାବର ବିକଳାଙ୍ଗ । ଏହାର ବାହାର ରୂପ ଯେତେ ଚମତ୍କାର ଓ ବର୍ଣ୍ଣାଢ଼୍ୟ, ଅନ୍ତରାତ୍ମା ସେତେ ବିବର୍ଣ୍ଣ ଓ ନିଷ୍ପ୍ରାଣ । ଅନ୍ୟ ଦିଗରେ ଗଣ ସଂସ୍କୃତି-ଏହା ଆଧୁନିକତାର ସହଚର । ଆଜି ପୃଥିବୀ ଯେପରିକି ଏକ କ୍ଷୁଦ୍ର ସରୋବର । ଭାବର ଆଦାନପ୍ରଦାନ ଏଠାରେ ଦ୍ରୁତ ତରଙ୍ଗାୟିତ । ସବୁକିଛି କଳାତ୍ମକ ଉଭାବନର ସ୍ଥାନ ନେଉଛି ଗଣଉତ୍ପାଦନ । ରଙ୍ଗମଞ୍ଚରେ ମଧ୍ୟ ଏହି ସାଂସ୍କୃତିକ ପ୍ରେକ୍ଷାପଟ ଉଣାଅଧିକେ ପ୍ରକାଶ ପାଇଅଛି ।

 

ଗଣ ଆନ୍ଦୋଳନ ଗଣ ଉତଥାନ, ଗଣ ଚେତନାର, ଗଣ ଶକ୍ତିର ଅଭ୍ୟୁତଥାନ ଯେତେ ତୀବ୍ର. ସେଠାରେ ଏହି ଗଣ ସଂସ୍କୃତିର ପ୍ରଭାବ ସେତେ ବଳିଷ୍ଠ । ଆମ ପାଖପଡ଼ୋଶୀ People’s Theatre ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏହି ଗଣସଂସ୍କୃତିକୁ ନାଟକରେ ପ୍ରତିଫଳିତ କରିବା ପାଇଁ ସେମାନେ ବ୍ୟଗ୍ର । ଏମାନେ ମୂଖ୍ୟତଃ ଆହ୍ୱାନଧର୍ମୀ, ଏକ ମତବାଦର ପ୍ରଚାରରେ ବିଶେଷ ଆଗ୍ରହୀ । ଅବଶ୍ୟ ଏମାନଙ୍କର ଆଦର୍ଶ ଓ ଉଦ୍ଦେଶ୍ୟ ସାଧନର ଅଭୀପ୍‍ସା ଥାଇପାରେ । କିନ୍ତୁ ଅପସଂସ୍କୃତିଘଟିତ ବ୍ୟବସାୟିକ ନାଟକରେ ଯେ କୋଣସି ନଗ୍ନ ବୀଭତ୍ସତାକୁ ରଙ୍ଗମଞ୍ଚକୁ ଆଣିବା ପାଇଁ ଦ୍ୱିଧା ନ ଥାଏ । ଅଭିଜ୍ଞତାରେ ଅପୁଷ୍ଟ ପ୍ରବୁଦ୍ଧ ଚେତନାରୁ ବଞ୍ଚିତ ଅଜ୍ଞ ସାଧାରଣଙ୍କୁ ବହୁ ସଂଖ୍ୟାରେ ନାଟକ ପ୍ରତି ଆକୃଷ୍ଟ କରିବା ଏମାନଙ୍କର ଲକ୍ଷ୍ୟ । ନାଟକରେ କୌଣସି ପ୍ରକାର ଆର୍ଥିକ risk ନେବାପାଇଁ ଏମାନେ ସଦା ପଶ୍ଚାତ୍‍ପଦ । ଏହି ପରିବେଶରେ ଲୋକସଂସ୍କୃତି ସହିତ ସମ୍ବନ୍ଧାନ୍ୱିତ ରଙ୍ଗମଞ୍ଚର ଭୂମିକା ସ୍ୱତନ୍ତ୍ର ଭାବରେ ବିଚାର୍ଯ୍ୟ । ଆଧୁନିକ ଯୁଗରେ ଲୋକସଂସ୍କୃତିର ବ୍ୟାଖ୍ୟା ନାନା ଭାବରେ କରାଯାଇପାରେ । ଏହା ଏକ ବାହ୍ୟ ସଂହତି ବୋଲି କହିବା ନିରର୍ଥକ । କୌଣସି ଶିକ୍ଷା ଅନୁଷ୍ଠାନରେ କିମ୍ବା କୌଣସି କ୍ଲବରେ ଏଇ ଲୋକସଂସ୍କୃତି ନାନା ଭାବରେ ବିକଶିତ ହେଉଅଛି । ଏହି ପୀଠ ସବୁକୁ ଧରି ଗଢ଼ିଉଠିଛି ସୌଖୀନ ରଙ୍ଗମଞ୍ଚ ବା ସାମୟିକ ରଙ୍ଗମଞ୍ଚ । ଏଥିରେ ନାଟକ ଅଭିନୟର ଏକ ବିଶେଷ ସୁବିଧା ଅଛି ଅଧିକ ଏବଂ କଳାତ୍ମକ ଉଭୟ ଦିଗରୁ । ଏଥିରେ କୌଣସି ପୁଞ୍ଜି (Capital) ଦରକାର ନାହିଁ । ଅନ୍ୟ ଦିଗରେ ଅଭିନେତା ଓ ଦର୍ଶକଙ୍କର ମନୋଭଙ୍ଗୀରେ ଏକ ସଙ୍ଗତିର ସୂତ୍ର ମଧ୍ୟ ବିଦ୍ୟମାନ । ଏହି ସୂତ୍ରକୁ ଅବଲମ୍ବନ କରି ନାଟକରେ ଯେକୌଣସି ପରୀକ୍ଷା ନିରୀକ୍ଷାର ସୁଯୋଗ ଅବାରିତ ଗତିରେ ପ୍ରବାହିତ । ସୁଦୂର ଅତୀତର କ୍ଲାସିକଠାରୁ ଆରମ୍ଭ କରି ସୁଦୂର ପଲ୍ଲୀ ବା ଆଦିମ ଅଧିବାସୀମାନଙ୍କର ଜୀବନଚର୍ଯ୍ୟାକୁ ଏମାନେ ଅନାୟାସରେ ମଞ୍ଚସ୍ଥ କରିପାରନ୍ତି । କେତେ ନୂତନ ସାମୟିକ ରଙ୍ଗମଞ୍ଚ ଗାଁ ଗହଳିରେ ଗଢ଼ିଉଠେ । ଏମାନେ ବେଳେବେଳେ ସହରୀ ରଙ୍ଗମଞ୍ଚରେ ସୁଆଙ୍ଗ, ପାଲା, ଫାର୍ସ ଆଦିର ଛାୟା ଓ ଛଟା । ଏମାନଙ୍କ ନାଟକକୁ ସ୍ୱାତନ୍ତ୍ର ପ୍ରଦାନ କରେ । ସାହିତ୍ୟ ଯେପରି କ୍ଷୁଦ୍ର ପତ୍ରିକା ସେହିଭଳି ହୁଏତ ଏହିସବୁ ରଙ୍ଗମଞ୍ଚ କ୍ଷଣଜୀବି, ସ୍ୱଳ୍ପ ପ୍ରଚାରିତ । ମାତ୍ର ବହୁଳ ପ୍ରଚାରିତ ବା ବହୁ ବିଜ୍ଞାପିତ ନାଟକ ବା ରଙ୍ଗମଞ୍ଚଠାରୁ ଏସବୁରେ ମାନବୀୟ ଆବେଦନ ବଡ଼ ଗଭୀର । ଆଞ୍ଚଳିକତାର ସତେଜ ସହଜ ରୂପଟି ଏହି ସବୁ ଭିତରେ ପ୍ରକାଶିତ ।

 

ଆଧୁନିକ ନାଟକ ରାଜ୍ୟରେ ଗଣସଞ୍ଚାର ଆନୁକୂଲ୍ୟରେ ପ୍ରଚାରିତ ନାଟକ କେତେବେଳେ ବେତାର କେତେବେଳେ ଟେଲିଭିଜନ ମାଧ୍ୟମରେ ପରିବେଷିତ ହୁଏ । ଆମ ଦେଶରେ ଏବେ ବେତାର ଭଳି ଟେଲିଭିଜନ ମଧ୍ୟ ପ୍ରଭାବଶାଳୀ ହୋଇଉଠୁଛି । ଏହି ମାଧ୍ୟମରେ ଏକ ବଡ଼ ଦୋଷ କେତେକ ଚମତ୍କାର ମନୋରଞ୍ଜନ ନାଟକର ପୁନଃ ପୁନଃ ପ୍ରଚାର । ଅବଶ୍ୟ ବୃହତ୍ତର ଜୀବନରେ ନିତ୍ୟନୂତନ ଭାବରେ ଆବିର୍ଭୂତ ପୁନରାବୃତ୍ତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆହାର ବିହାର ପ୍ରଜନନ ପର୍ଯ୍ୟନ୍ତ ସର୍ବତ୍ର ଏହି ପୁନରାବୃତ୍ତିରେ କ୍ରିୟା ପ୍ରତିଫଳିତ । କିନ୍ତୁ ଆଧୁନିକ ପ୍ରଚାର ମାଧ୍ୟମରେ ସଞ୍ଚାରିତ ପୁନରାବୃତ୍ତି ରୁଚିବୈକଲ୍ୟ ଘଟାଇ ପ୍ରକୃତ ନାଟକର ବିକାଶ ପଥରେ ବାଧା ସୃଷ୍ଟି କରୁଛି । ମନୁଷ୍ୟର ସଦା ଚଞ୍ଚଳ ମନ ଉପରେ ଏସବୁ କେତେବେଳେ କ୍ୱଚିତ ସ୍ୱାସ୍ଥ୍ୟପଦ-ସ୍ଥିତପ୍ରତ୍ୟୟ ଆଣିଦେଇ ପାରିଥାଏ । ଏହିସବୁ ପ୍ରଚାର ମାଧ୍ୟମ ଏକମୁଖୀ । ଅଭିନେତାମାନେ ପେଶାଦାରୀ, ଦର୍ଶକମାନଙ୍କର ନିକଟ ସାନ୍ନିଧ୍ୟରୁ ବଞ୍ଚିତ । ବହୁପ୍ରକାର Romamntic comedy ଏହି ନାଟକ ମାଧ୍ୟମରେ ପ୍ରଚାରିତ ହୋଇଥାଏ । ପ୍ରେମ ଓ ନଃସଙ୍ଗତା ଏହାର ବଡ଼ ଉତ୍ପାଦନ । ଆବେଗପ୍ରବଣ ବାସ୍ତବତା ବୋଧ (Sentimental Realism)କୁ ସମ୍ବଳ କରି ଏମାନେ ସହଜରେ ନାଁ ଅର୍ଜନ କରିବାକୁ ଚାହାନ୍ତି । ପ୍ରକୃତ ରଙ୍ଗମଞ୍ଚ ବା ନାଟକ ପ୍ରତି ଏମାନଙ୍କର ଦାୟିତ୍ୱବୋଧ ନଥାଏ । ଅବାସ୍ତବ ମଞ୍ଚାୟନ (Unrealistic staging) ଏବଂ ନାଟକରେ ଆଧାରିତ ସକଳ ପ୍ରକାର ଗଠନର ବିଭଙ୍ଗତାରେ ଏମାନଙ୍କର ଦିନ ସବୁଠାରୁ ବେଶୀ । ପାଶ୍ଚାତ୍ୟ ଜଗତର ନାଟକ ଆଜି କାବ୍ୟିକ ଅଗ୍ରଗାମୀ (Avant Grade) ଏବଂ Video Culutureର ପ୍ରଧାନ୍ୟ । ଆମ ଦେଶରେ ମଧ୍ୟ ବଡ଼ବଡ଼ ସହରରେ ଏହାର ପ୍ରଭାବ ଊଣା ନୁହେଁ । ଏହି ଦୁଇଟି ମଧ୍ୟରେ ଥିବା ବିରାଟ ବ୍ୟବଧାନକୁ ଭିତ୍ତିକରି ବାଣିଜ୍ୟକୁ ରଙ୍ଗମଞ୍ଚର ସ୍ଥାନ । ତେଣୁ ଏହି ରଙ୍ଗମଞ୍ଚକୁ କେତେବେଳେ ଚାଲିଆସୁଛି ସଙ୍ଗୀତ ପ୍ରଧାନ ହାସ୍ୟରସ (Musical Comedy) । ମନୋରଞ୍ଜନ ଏମାନଙ୍କର ପ୍ରଧାନ ଲକ୍ଷ୍ୟ । କେତେବେଳେ ଅଭିନୀତ ହେଇଛି ବିଭତ୍ସ ମେଲୋଡ୍ରାମା । ଏହିସବୁର ଆବେଦନ ଯଥେଷ୍ଟ ସୁଦୂର ପ୍ରସାରିତ । ଏହା ମଧ୍ୟରେ ପ୍ରକାଶ ପାଉଥିବା ଛଳନା କୌଣସି ସୁସ୍ଥ କଳାର ଉପଜୀବ୍ୟ ହୋଇ ନ ପାରେ । ଏହି ସବୁ ରଙ୍ଗମଞ୍ଚର ପୃଷ୍ଠପୋଷକ ନାଟ୍ୟକାରମାନେ କ୍ୱଚିତ୍ କୌଣସି ନୂତନ ଉଦ୍ଭାବନ କରନ୍ତି । ଏମାନଙ୍କର ଦୃଷ୍ଟି ବଡ଼ ଅଗଭୀର । ମଞ୍ଚ କୌଶଳ ଉପରେ ଯେତେ ଲକ୍ଷ୍ୟ, ଦର୍ଶକଙ୍କୁ ତୋଷାମୋଦି କରିବା ଆଗ୍ରହ ଏମାନଙ୍କଠାରେ ସେତେ ଅଧିକ । ଦୂରଦୃଷ୍ଟି, ଗଭୀର ଉପଲବ୍ଧି, ମାନବୀୟ ସ୍ଥିତର ବେଦନା –ବିଧୂର ଆବୋଗୋଷ୍ଣ ଭାବଚିତ୍ର ସବୁର ମଞ୍ଚାୟନର ପ୍ରଚେଷ୍ଟା ସେତେ କ୍ଷୀଣ ।

 

ଆଉ ଏକ ପ୍ରକାର ନାଟକ ମଞ୍ଚସ୍ଥ ହେବାର ଦେଖଯାଏ । ଏଗୁଡ଼ିକ ମୂଳରେ ଥାଏ ଏକ ମହତ୍‍ ସୃଷ୍ଟି । କୌଣସି ଏକ ମହାନ୍ କଥା ସାହିତ୍ୟକଙ୍କର ସୃଷ୍ଟି ସମ୍ଭାରରେ ଏହା ରୁଦ୍ଧିମନ୍ତ ଏହା ବୁଦ୍ଧିମନ୍ତ । କୌଣସି ମହାକାବ୍ୟିକ ଗୌରବମଣ୍ଡିତ କଥାବସ୍ତୁରେ ଏହା ମନୁଷ୍ୟର ଚିରନ୍ତନ ଆଶା ଏବଂ ଆଦର୍ଶର ପ୍ରତିଫଳନ ଘଟାଏ । ଏପରିକି ଯଦି ଏକ ଲଘୁସ୍ତରର କଥାସାହିତ୍ୟ ପ୍ରତିଧ୍ୱନିତ ହୁଏ ତଥାପି ସେଥିରେ ଥାଏ ଏକ ସୁଗଠିତ କାହାଣୀ । ସୁବଳିତ ଚରିତ୍ର ଓ ଅନୁଭୂତିର ସଜୀବତା । ଏହିସବୁ ଅନୁକରଣଧର୍ମୀ ନାଟକ ମଧ୍ୟରେ ସମୟ ସମୟରେ ମହତ୍ତର ଶିଳ୍ପସାଫଲ୍ୟ ଦେଖିବାକୁ ମିଳେ । ଆଧୁନିକ ଓଡ଼ିଆ ରଙ୍ଗମଞ୍ଚରେ ଏହାର ଦୃଷ୍ଟାନ୍ତର ଅଭାବ ନାହିଁ । ରଙ୍ଗମଞ୍ଚ ଏବଂ ଛାୟାଚିତ୍ରରେ ଏହି ସ୍ୱଚ୍ଛ ଗଙ୍ଗୋତ୍ରୀର ଧାରା ପ୍ରବାହିତ ହୋଇ ଆସୁଅଛି । କେବଳ ଗୋଟିଏ ସୂତ୍ରରେ ଆଧୁନିକ ନାଟକ ତା’ର ମର୍ଯ୍ୟାଦା ଓ ପ୍ରଧାନ୍ୟ ଅକ୍ଷୁର୍ଣ୍ଣ ରଖିପାରେ । ଆଧୁନିକ ମନୁଷ୍ୟ ବହୁଭାବରେ ଅତ୍ୟାଚାରିତ । କେତେବେଳେ ସେ କାମନାରେ ଦାସ, କେତେବେଳେ ଯନ୍ତ୍ରର ଦାସ-। ତା’ର ସ୍ୱାଧିନତା ଅଜସ୍ର ଆକୃତିରେ ପରିପୂର୍ଣ୍ଣ, ଶତଚିନ୍ତାରେ ବିକ୍ଷୋଭିତ । ଆଧୁନିକ ମଣିଷ ସ୍ୱର୍ଗ ନର୍କର ପରିକଳ୍ପନା କରିପାରେନା । ଜୀବନ ଓ ମୃତ୍ୟୁ, ଅନନ୍ତ ରହସ୍ୟଘେରା ଏଇ ଦୁଇ ଦିଗ୍‍ବଳୟ ମଧ୍ୟରେ ତାହାର ଅସ୍ଥିର ଚିତ୍ତ ସଦା ଦୋଳାୟମାନ । ଦୀର୍ଘ ଅତୀତର ସେ କେବଳ ଉତ୍ତରାଧିକାରୀ-। ସେହି ଗୋଟିଏ ଉତ୍ତରାଧିକାରୀ ତାକୁ କେହି ବଞ୍ଚିତ କରିପାରିନାହିଁ ତାହା ହେଉଛି ବଞ୍ଚିବାର ଆକାଂକ୍ଷା, ସହଂତିର ବନ୍ଧନ ଓ ନିତ୍ୟ ନୂତନ ଅଭିଜ୍ଞତାର ଆଶ୍ଚର୍ଯ୍ୟର ଦୀପ୍ତି । ଏହାକୁ ହଁ ଭିତ୍ତିକରିରେ ଯେଉଁ କଳାର ସୃଷ୍ଟି ହୁଏ ତାହା ଆଦର୍ଶର ଯୂପକାଷ୍ଠରେ ବଳିଦିଆଯାଇ ପାରେନା ଅଥବା ସହଜ ସୁଖଲବ୍‍ଧ ଇନ୍ଦ୍ରିୟାନୁଭୂତି (Sensationalism)ର ଚେତନା ମଧ୍ୟରେ ଆତ୍ମବିସର୍ଜ୍ଜନ କରିପାରେନା । ଆମେରିକାର ଆର୍ଥର ମିଲର କହିଥିଲେ;- ‘‘I am tired of seeing man merely a bundle of nerves. That way lies of pathology.” (The state of Theatre, Arther Millar-Harper’s Magazine-Nov-1960) । ଏ କିନ୍ତୁ କଳା ନୁହେଁ । କୌଣସି ସାମାଜିକ ବା ରାଜନୀତିକ ପରିବେଶ ଉପରେ ଦୃଷ୍ଟି ସ୍ଥିର ନିବିଦ୍ଧ ରଖି ପୂର୍ଣ୍ଣ ମଣିଷକୁ ଦେଖାଯାଇ ପାରିବ ନାହିଁ । ପୁଣି ମଣିଷ ତା’ର ନିଜସ୍ୱ ଆକୃତିକୁ ତାହାଠାରୁ କେବେ ଅଲଗା କରି ଦେଖିପାରିବ ନାହିଁ । ମଣିଷ ଏହି ନାମରେ ଯେପରି ଐତିହବାଦୀ-ଚିନ୍ତା ଏହାକୁ ହିଁ କେନ୍ଦ୍ରକରି ଗଢ଼ିଉଠେ କେତେ ବିଶୃଙ୍ଖଳ ଚିତ୍ର, କେତେ ଦ୍ୱନ୍ଦ,କେତେ ଶକ୍ତିଶାଳୀ ଚରିତ୍ର, କେତେ ବିଚିତ୍ର ସ୍ୱପ୍ନ, କେତେ କୁଣ୍ଡିଳୀକୃତ ଆନୁଗତ୍ୟ ।

 

ଯୁଗେ ଯୁଗେ ମନୁଷ୍ୟର ମନ ଦ୍ୱିଧାବିଭକ୍ତ । ଏକ ଅସହାୟ, ଅଚେତନ, ଅକ୍ଷମ, ଅପୁଷ୍ଟ ମନୁଷ୍ୟ ଶିଶୁ ମାତୃକୋଳରେ ଜନ୍ମଲାଭ କରେ । ତା’ର ପରିପୂର୍ଣ୍ଣ ବିକାଶ ଘଟିପାରେ ତା’ର ପାରିବାରିକ ନୀଡ଼ର ଉଷ୍ମ ସ୍ରୋତରେ । ଚିରଦିନ ଏହିଶିଶୁ ଯେତେବେଳେ ବଡ଼ ହୁଏ ଏକ ଦିଗରେ ସମାଜର ଆକର୍ଷଣ ଅନ୍ୟଦିଗରେ ପରିବାରର ବନ୍ଧନ । ଆଧୁନିକ‌ଯୁଗର ନାୟକ କିଏ । ଯେଉଁ ନାୟକ ପଦେ ପଦେ ନିଜ ମଧ୍ୟରେ ଅନୁଭବ କରେ ଅପରାଧ ମନୋବୃତ୍ତି (Guilty passion) ଏବଂ ବୃହତ୍ତର ଅଙ୍ଗୀକାରବୋଧ । ଏକ ଦିଗରେ କର୍ତ୍ତବ୍ୟ, ଅନ୍ୟ ଦିଗରେ ଆବେଗ ; ଏକ ଦିଗରେ ଆତ୍ମିକ ଚେତନା, ଅନ୍ୟ ଦିଗରେ ସାମାଜିକ ଅକାଂକ୍ଷା (Social desire) – ଏହା ମଧ୍ୟରେ ନାଟକର ସ୍ଥିତିର କଳ୍ପନା । ପଦେ ପଦେ ଆଧୁନିକ ମନୁଷ୍ୟ ଭେଟେ ଅଗଣିତ ବନ୍ଧୁଙ୍କୁ । କିଏ ବା ଯାତ୍ରା ପଥରେ ସହଚର, କିଏ ବା ସହକର୍ମୀ – କିଏ ବା ସମଧର୍ମୀ । କିନ୍ତୁ କିଏ ତା’ର ଅନ୍ତରର ଅନ୍ତରଙ୍ଗ – ଏହା ବୁଝୁ ସେ କାତର ହୋଇପଡ଼େ । ବନ୍ଧୁ ଯେତେବେଳେ ପ୍ରତିଯୋଗୀ ଭୂମିକାରେ ଠିଆହୁଏ, ସାଫଲ୍ୟର ଈର୍ଷା, ବିଫଳତାରେ ଆନନ୍ଦ ଓ ପରିହାସ ଏହି ତ ବନ୍ଧୁତ୍ୱର ନିଦର୍ଶନ । ଏହି ବନ୍ଧୁତ୍ୱ ଏକ ବିରାଟ ଫାଶ । ଏହି ବଞ୍ଚନା ଅତିକ୍ରମ କରି ମନୁଷ୍ୟକୁ ଗଢ଼ିବାକୁ ହୁଏ ନିଜର ଏକ ନୀଡ଼, ଯେଉଠିଁ କେହି ଜଣେହେଲେ ଥାଏ । ସକଳ ପତନ ପରାଜୟ ସମୟରେ ସେ ନିଜର ବୋଲି ଜଣକୁ ବରଣ କରିନିଏ । ଆଜିର ନାୟକ ପ୍ରାଚୀନ ଟ୍ରାଜେଡ଼ିର ନାୟକ ଭଳି ଅତ୍ୟୁଚ୍ଚ ଆସନକୁ ହଠାତ୍‌ ଭୂପତିତ ହୁଅନ୍ତି ନାହିଁ । ସେ ଯୁଗରେ ଏକ ଦିଗରେ ଥିଲେ ଦାସ, ଅନ୍ୟ ଦିଗରେ ଥିଲେ ସ୍ୱାଧୀନ ନାଗରିକ । ତେଣୁ ଟ୍ରାଜେଡ଼ିର ନାୟକ ଦାସ ନିକଟରେ ପରିବର୍ତ୍ତିତ ହେବା ସମ୍ଭବ ନଥିଲା । ସେ ଯୁଗରେ ସଂସ୍କୃତ ନାଟ୍ୟତତ୍ତ୍ୱବିତ୍ ଭରତ ମୁନି ବା ଆରଷ୍ଟୋଟଲଙ୍କ ପକ୍ଷରେ ନାୟକ ଖୋଜିବା ପାଇଁ ସମ୍ଭ୍ରାନ୍ତ କୁଳକୁ ଯିବାକୁ ପଡ଼ୁଥିଲା । ଆଧୁନିକ ମଣିଷ ନିଜ କଳ୍ପିତ ଆଦର୍ଶ ବ୍ୟତୀତ ଆଉ କାହାର ଦାସ ହୋଇ ପାରେନା । କେବେ ତା’ର ଭାଗ୍ୟରେ ଅନ୍ଧକାର ଘନୀଭୂତ ହୋଇଆସେ । ସେ ତଥାକଥିତ ସମାଜର ଦୃଷ୍ଟିରେ ଯାହା ସାଫଲ୍ୟ ବୋଲି ବିବେଚିତ ସେହି ଯୂପକାଷ୍ଠରେ ଆତ୍ମବଳୀ ଦେବାକୁ ଯାଏ ।

 

ବର୍ତ୍ତମାନ ସାର୍ଥକ ନାଟକରେ ଯୌନତା ଏବଂ ଜୀବନର ସଫଳତାର ରୂପାନ୍ତର ଆଶା କରାଯାଇଥାଏ ଏକ ପ୍ରକାଶବାଦୀ ଗଭୀର ମାନବୀୟ ଅନୁଗଣନ ମାଧ୍ୟମରେ । ଆଧୁନିକ ନାଟକର ଅନ୍ୟ ଏକ ଦିଗ ଆମର ଦୃଷ୍ଟି ଆକର୍ଷଣ କରେ । ଏହା କେତେ ପରିମାଣରେ ଉପରୋକ୍ତ ନାଟ୍ୟ ଚେତନାର ସଂପୂର୍ଣ୍ଣ ବିପରୀତଧର୍ମୀ । ଏମାନେ କ୍ୱଚିତ କୌଣସି ନୈତିକ, ସାମାଜିକ ଚେତନାକୁ ଗ୍ରହଣ କରନ୍ତି । ଫ୍ଲାସବ୍ୟାକ, ସମକାଳୀନ ଦୃଶ୍ୟସଜ୍ଜା (Simultaneous set), Dramatic narrator ଇତ୍ୟାଦି ପ୍ରାୟୋଗିକ ରକ୍ଷଣଶୀଳତାର ଏମାନେ ବିରୋଧୀ । ନାଟକକୁ ଏମାନେ ଏକପ୍ରକାର କାବ୍ୟସ୍ତରକୁ ନେଇଯିବାକୁ ଚାହାନ୍ତି । ଏହି ନାଟ୍ୟକାରମାନେ ମୂଖ୍ୟତଃ କଳ୍ପନାବାଦୀ (Fantacy) ଏକ ନିଃସଙ୍ଗ କାବ୍ୟିକ ଦର୍ଶନତତ୍ତ୍ୱର ପ୍ରଚାରକ । ମଣିଷ ମନର ବହୁ ଅପ୍ରକାଶିତ ଆକାଂକ୍ଷାକୁ ଏମାନେ ନିଜ ନାଟକରେ ବହୁ ଛଳନାପ୍ରବଣ ବାକ୍‍ଧାର ମଧ୍ୟରେ ପ୍ରକାଶ କରନ୍ତି । ମଣିଷ ମନର ଅବଚେତନ ସ୍ତର ସହିତ ଏମାନଙ୍କର ସଂଯୋଗ ସ୍ଥଳବିଶେଷର ଏତେ ନିବିଡ଼ ହୁଏ ଯେ, ତାହା ଏକ ବିସ୍ପୋରଣ ସୃଷ୍ଟି କରେ । ଯେକୌଣସି ପ୍ରକାର ସାମାଜିକ ଶୃଙ୍ଖଳାବୋଧ ଅଥବା ସୀମା ଏମାନେ ଲଙ୍ଘନ କରିଯାଆନ୍ତି । ଏମାନଙ୍କର ଦୃଷ୍ଟି ସମୟର କକ୍ଷରେ ଘୁରୁଥିବା ଆଗନ୍ତୁକ (Outsider ଅଥବା Lonely Victim-ଏମାନଙ୍କ ଉପରେ ଦୃଷ୍ଟି ଅତ୍ୟନ୍ତ ନିବଦ୍ଧ । ଏମାନଙ୍କ ନାୟକ ସବୁ ପଳାତକ ଶ୍ରେଣୀର । ଏମାନେ କାହିଁକି ନିପୀଡ଼ିତ, କାହିଁକି ପଳାତକ ଏହାର ଦୁଇଟି ଉତ୍ତର ମିଳେ । ହୁଏତ ଏମାନେ ନିଜ ଦୁର୍ବଳତାର ଦାସ, ଦାସ ନିଜର ଅପରାଧବୋଧର ଅଥବା ମାୟାଚ୍ଛନ୍ନତାର । ଏମାନେ ବିକୃତ ମସ୍ତିଷ୍କ । । ସ୍ୱପ୍ନଚାରୀ (Sleepwalker) । ଅସାର ସ୍ୱପ୍ନ ଦେଖିବା ବା ଚିନ୍ତାମଗ୍ନ ଅଚେତନ ହୋଇ ପଥ ଚାଲିବାରେ ବାଧା ଏବଂ ବିପଦର ସମ୍ମୁଖୀନ ହେବାକୁ ହେବ – ଏହା ସ୍ୱାଭାବିକ । ଅନ୍ୟ ଦିଗରେ ଅତି ସହଜ ସରଳ ସ୍ୱାଭାବିକ ମଣିଷ – ସେ ହୁଏ ମିଥ୍ୟା, ପ୍ରବଞ୍ଚନାର ଶିକାର । ଅଥବା ଏହାର ପଙ୍ଗୁତ୍ୱ ବିଧାନକାରୀ । ଏହି ସବୁ ନାଟକରେ ରଙ୍ଗମଞ୍ଚରେ ଅନେକ ଉତ୍ତେଜନାପୂର୍ଣ୍ଣ କ୍ରିୟା, ହତ୍ୟା, ବିକୃତ ମାନସିକତା, ନରମାଂସ ଭକ୍ଷଣ, ନାରୀଧର୍ଷଣ ଇତ୍ୟାଦି ରଙ୍ଗମଞ୍ଚରେ ଦେଖାଯାଇଥାଏ । ଏହିସବୁ ନାଟକ ହୁଏତ ଅନେକ ସମୟରେ ଖୁବ୍‌ ଉତ୍ତେଜନା ସୃଷ୍ଟି କରିଥାଏ, ଜନପ୍ରିୟତା ମଧ୍ୟ ଅର୍ଜନ କରିପାରେ । କିନ୍ତୁ ବସ୍ତୁତଃ ଏକ ବିଭୀଷିକାମୟ ଚେତନାର ମାନବୀୟ ପ୍ରେତାତ୍ମାର ପ୍ରକାଶ ଏଥିରେ ଘଟିଥାଏ । ଏହା ହେଉଛି ମନୁଷ୍ୟର ସ୍ଥିତବାସୀ ସତ୍ତାର ପ୍ରେତାତ୍ମା । ବାହାର ଜଗତରେ ଯାହାକୁ ଶୁଦ୍ଧ ସାଧୁବେଶରେ ଆମେ ଦେଖୁ ତାହା ବିରୁଦ୍ଧରେ ନବନାଟ୍ୟ ଆନ୍ଦୋଳନ ଏକ ତୀବ୍ର ପ୍ରତିବାଦ । ଏମାନେ ନୈତିକ ପ୍ରତିକବାଦୀ (Moral Symbolist)ମାନଙ୍କର ଉତ୍ତରାଧିକାରୀ-। ଯୌନତା ଅନ୍ତର୍ନିହିତ ଗଭୀର ରହସ୍ୟ ଏମାନଙ୍କର ଚିତ୍ରକଳ୍ପର ମଧ୍ୟବିନ୍ଦୁରେ ପ୍ରକାଶ ପାଏ । ଏହି ବିଭ୍ରାନ୍ତକର ଯୌନତା ମଧ୍ୟରେ ପ୍ରତିଫଳିତ ହୋଇଥାଏ ଚରିତ୍ର ଗୁଡ଼ିକର ନିଜସ୍ୱ ସ୍ୱାକ୍ଷର (Identity) । ଯଥାର୍ଥ ପ୍ରେମର ଅଭାବ ହୁଏ ନିଃସଙ୍ଗତାର ବିଭୀଷିକା ମଧ୍ୟରେ । ଏମାନଙ୍କ ଦୃଷ୍ଟିରେ ପ୍ରେମ ଆମକୁ ନିଦ୍ରାଚ୍ଛନ୍ନ କରେନାହିଁ । ଏହା ହେଉଛି ବିଜ୍ଞତା, କବିତାର ସୁଦୃଢ଼ ଭିତ୍ତି । ବାଣୀଦେବୀ ଏହାର ପ୍ରବକ୍ତା । ଏମାନେ ତାଙ୍କୁ ଆଧୁନିକ ଯୁଗରେ ଦର୍ଶକଙ୍କ ସମ୍ମୁଖକୁ ଆହ୍ୱାନ କରିଆଣନ୍ତି । ସେ କିନ୍ତୁ ଆସନ୍ତି ବହୁ କଦାକାର କୁତ୍ସିତ ଆସକ୍ତି ନେଇ । ପ୍ରେମ ଏମାନଙ୍କ ଅବବୋଧରେ ଏକ ଚରମ ଧର୍ମୟ ସତ୍ତାର ଉତ୍ତରାଧୀକାରୀ ବହନ କରେ । ଯଦିବା ଏହା ମଧ୍ୟରେ ଘଟେ ଅମଙ୍ଗଳ ପ୍ରକ୍ରିୟାର ପୁନରାବୃତ୍ତି (Function of evil) । ଏଥିରେ ଥାଏ ଅନ୍ତଃପ୍ରବୃତ୍ତିର ପ୍ରକାଶ ।

 

ଏମାନେ ଆତ୍ମଜୀବନୀ ମୂଳକ, ପାରିବାରିକ ବହୁଚିତ୍ର ଉପସ୍ଥାପନା କରନ୍ତି । କେତେବେଳେ ଚିର ଋଗ୍‍ଣ, ଚିରମାନସିକ ପୀଡ଼ାଗ୍ରସ୍ଥ ସନ୍ତାନ ଉପରୁ ସ୍ନେହମୟୀ ଜନନୀର ଅନିଚ୍ଛାକୃତ ଭାବରେ ବିଦାୟ ନେବାର ଦୃଶ୍ୟ ବା ନିଜକୁ ଆତ୍ମଲୀନ କରିନେବାର ଦୃଶ୍ୟ ଏହିସବୁ ଚିତ୍ରରେ ଥାଏ ଏକ କାରୁଣ୍ୟବୋଧ, ତୁଳନାତ୍ମକ କାବ୍ୟିକ ଭାବାବେଗ । ପୁଣି କେଉଁ ପାରିବାରିକ ଚିତ୍ରରେ ଥାଏ ଦୁରାରୋଗ୍ୟ, ଦୁର୍ନୀତି ଏବଂ ଦୁରାଧିଗମ୍ୟ ଆବେଗୋଷ୍ଣ ଭାବଚେତନାର ସମ୍ମିଶ୍ରଣ । କେଉଁଠି ମଣିଷ ହୁଏ ପଶୁ, କେଉଁଠି ହୁଏ ଦେବତା । ଭ୍ରାନ୍ତି ମଧ୍ୟରେ ତାହାର ମନୁଷ୍ୟତା ଏବଂ କ୍ଷମା ମଧ୍ୟରେ ତାହାର ଦେବତ୍ୱ ବିକଶିତ ହୋଇଉଠେ । ବାରମ୍ବାର ଭୁଲ କରି ସେ ଯେଉଁ ମନୁଷତ୍ୱର ପରିଚୟ ଦିଏ, କେତେବେଳେ ତାହା ହୁଏ ଅସୁରିକ ବା କେତେବେଳେ ହୁଏ ପଶୁଧର୍ମୀ । ଏହିସବୁ ନାଟକ ଭିତରକୁ କେତେ ଲୋକକାହଣୀ (Alegorical fable) ଆସିଯାଏ । ଏହିସବୁ ଭିତରେ ଥାଏ ଜୀବନର ସନ୍ଧାନ ପାଇଁ ଏକ ଅନୁତୋଭୟ କୌତୁହଳ, ଲୋଭ ଓ ଛଳନା । ବେଳେବେଳେ ଏହା ନାଟକକୁ ବିଜୁଳି ଭଳି ଶକ୍ତି ଯୋଗାଏ । ଏଥିରେ ବେଳେବେଳେ ନାୟକ ଭାବରେ ଦେଖାଦିଅନ୍ତି ସମାଜପତି ଭୂମିକାରେ ଯେ ସମସ୍ତଙ୍କର ବାପ ମା’ ସମସ୍ତଙ୍କର ରକ୍ଷକ ଏବଂ ଭକ୍ଷକ ସମସ୍ତପ୍ରକାର ସାମାଜିକ ସମ୍ପଦ ଅଥବା କ୍ଷମତାର ଅଧିକାର ପାଇଁ ଦୁର୍ଲକ୍ଷ ଅପୂରଣୀୟ ଆକାଂକ୍ଷା ଏମାନଙ୍କ ନିକଟରେ ଦେଖାଯାଏ ।

 

      ଏହି ସବୁ ନାଟକରେ କଳାଶ୍ରୀପୂର୍ଣ୍ଣ ସୃଜନ ଏବଂ ଅପସୃଜନର ମିଶ୍ରରୂପ ଦେଖିବାକୁ ମିଳେ । ଯେଉଁ ସବୁ ବୀଭତ୍ସ ଦୃଶ୍ୟ ରଙ୍ଗମଞ୍ଚରେ ପ୍ରଦର୍ଶିତ ହୁଏ ଅନେକ ସମୟରେ ତାହା ନାଟ୍ୟଗୁଣରୁ ବଞ୍ଚିତ ହୋଇପଡ଼େ । ଯଦିବା ଏହା କୌଣସି ମାନସିକ ରୋଗର ନିଦାନ ବିଶ୍ଲେଷଣ ଭଳି ହୋଇପଡ଼େ, ଏମାନଙ୍କ ପୁରୋଦୃଷ୍ଟିରେ ସ୍ଥିରତା ନଥାଏ । କେତେବେଳେ ଆତ୍ମ ଘୃଣାତ୍ମକ (Self-hate) ବଡ଼ ହୋଇ ଦେଖାଦିଏ । ସଂଳାପ ବଚନଭଙ୍ଗୀ ହରାଏ ଅଥବା କେତେବେଳେ ସଙ୍ଗୀତର ସ୍ତରକୁ ଉନ୍ନୀତ ହୁଏ । ଆବେଗରେ ଦୀପ୍ତ ଚରିତ୍ରଗୁଡ଼ିକ ମାଧ୍ୟମରେ ଅଭିନୟର ସ୍ୱାଭାବିକତା ଫୁଟିପାରେ ନାହିଁ । ଅବଶ୍ୟ ଏହି ଭାବରେ ଏମାନେ ପୁଣି କେତେବେଳେ ଦର୍ଶକମାନଙ୍କୁ ନିଜ ଜୀବନ ଏବଂ ଭାଗ୍ୟଆଡ଼କୁ ଟାଣି ନିଅନ୍ତି । କେତେବେଳେ ହାସ ପରିହାସ (Humour), ପୁଣି କେତେବେଳେ ବିଭୀଷିକା ଅକସ୍ମାତ୍ ପ୍ରକାଶିତ ହୋଇ ଦର୍ଶକଙ୍କୁ ବିମୁଢ଼ କରିଦିଏ । ରଙ୍ଗମଞ୍ଚରେ ଗୋଟିଏ ସନ୍ଧ୍ୟା ବସି କେହି କେହି ଗୋଟିଏ ଜୀବନ ଅନୁଭୂତି ସହିତ ଏକାତ୍ମ ହୋଇଯାଆନ୍ତି । ଏଥିରୁ ହୁଏ ଜ୍ଞାନର ବିସ୍ତାର ଏବଂ ହୁଏ ଭାଷାର ବିପୁଳ ପ୍ରକାଶନଶକ୍ତିର ପୁନରୁତଥାନ ।

 

ବ୍ୟକ୍ତିକୈନ୍ଦ୍ରିକ ହେତୁହୀନ ଅନ୍ତଃପ୍ରକୃତିର ପ୍ରବେଶ (The personal intuition of irrational) ଆଜି ନାଟକକୁ ତା’ର ସ୍ୱାଭାବିକ ପ୍ରଥାନବିଦ୍ଧ ଧାରାରୁ ଅନେକ ଦୂରକୁ ନେଇଯାଇଛି । ଏହି ନୂତନ ଧାରାରେ ଏକ ପ୍ରକାର ଆନ୍ତର୍ଜାତିକ ନାଟକର ଭିତ୍ତି ଫୁଟିଉଠିଛି । ଏହି ନବନାଟକକୁ କେବଳ ଏକ ସାମୟିକ ବିକାର ବୋଲି ଧରିବା ଉଚିତ ନୁହେଁ । ବାସ୍ତବତାକୁ ପ୍ରକାଶ କରିବା ପାଇଁ ଏକ ମୌଳିକ ଦୃଷ୍ଟିକୋଣ ଏଥିରେ ପ୍ରତିଫଳିତ । ବାସ୍ତବତା କ୍ୱଚିତ୍ ଦୀପ୍ତ କ୍ୱଚିତ୍ ପ୍ରକାଶିତ । ଏହା ଏକ ଆଲୋକର ଛଟା ଅଥବା ରହସ୍ୟର ପ୍ରହେଳିକା । ବାସ୍ତବର କେନ୍ଦ୍ରବିନ୍ଦୁରେ ବିଦ୍ୟମାନ ମଣିଷ ବହୁ ବିରୋଧମାନ ଚେତନାର ସମାହାର । କେହି କାହାର ଭବିଷ୍ୟତ ଜାଣେନା-। କ’ଣ କରିବି ତାର କଳ୍ପନା କରିପାରେନା । ଚିରଚଞ୍ଚଳ ଚିର ଗତିଶୀଳ ତା’ର ମନର ଗତିବେଗ । ଏକ ପ୍ରକାଶ ଘଟେ ତା’ର ଭାଷାରେ । କେତେ ବିଶିଷ୍ଟ, ବ୍ୟବଚ୍ଛିନ୍ନ, ବିକୃତ, ବିଭ୍ରାନ୍ତକର ଏହି ଭାଷା, ଯାହା ମଣିଷର ନିଜ ରୂପ ଅଥବା ବାସ୍ତବତାର ସ୍ୱରୂପ ବର୍ଣ୍ଣନା କରିବାରେ ଅକ୍ଷମ । ଅନୁଭୂତିର ନାନା ସ୍ତର । ତା’ର କୌଣସି ସ୍ଥିର ରୂପ କଳନା କରିବା ବଡ଼ କଠିନ । ସେଥିପାଇଁ ନାଟକ ଯେପରି ପୂର୍ଣ୍ଣ ଭାବରେ ବିଭଙ୍ଗ ପ୍ରବଣ ହୋଇପଡ଼ିଛି, ତା’ର ଭାଷା ମଧ୍ୟ ସେଭଳି ହୋଇଛି, କୌଣସି ଏକ ବିଶିଷ୍ଟ ଭାବସତ୍ତାର ରୂପ ଦେବାକୁ ଅକ୍ଷମ । ଆଜି ରଙ୍ଗମଞ୍ଚରେ ଯାହା ଦେଖିବାକୁ ମିଳେ, ତାହା ହେଉଛି ମାନବସତ୍ତାର ବିସଦୃଶ (Quzzical) ପ୍ରକାଶ । ଏଥିରେ ବିଧୃତ ବା କାବ୍ୟିକ ଚେତନା Comedy ବା Tragedyର ସୀମାନ୍ତକୁ ଅତିକ୍ରମ କରିଯାଏ । ନାଟକରେ ସେତେବେଳେ ଗଳ୍ପ ଥାଏନା, ଚରିତ୍ରର ଆବିଷ୍କାର ଘଟେନା, କୌଣସି ଆଦର୍ଶ ଭାବଧାରା ବା ଚିନ୍ତାର ବିଶ୍ଲେଷଣ ଘଟେନା । ସବୁଦିଗରୁ ଯେପରିକି ନେତିନେତିର ସ୍ୱର । ସବୁର ଯେପରି ଏକ ବିରୋଧାଭାସ ତଥାପି ଏ ସମସ୍ତକୁ ଜୀବନର ଅଙ୍ଗସ୍ୱରୂପ ଗ୍ରହଣ କରିନେବାପାଇଁ ଅକୃତୋଭୟ ଆହ୍ୱାନ ମଧ୍ୟରେ ଯେପରିକି ଏକ ନୁତନ antiform ଗ୍ରହଣ କରିନେବାର ପ୍ରତିଶ୍ରୁତି ଉଚ୍ଚାରିତ ।

 

ଏହି ପ୍ରତିଶ୍ରୁତିରେ ବିକାଶ ଘଟିପାରେ ନାନା ଭାବରେ । କେତେବେଳେ ବୁଦ୍ଧିଦୀପ୍ତ, କେତେବେଳେ ବିଶୃଙ୍ଖଳିତ ସଂଳାପରେ, କେତେବେଳେ ଆଶା ଅଥବା ନୈରାଶ୍ୟର ଆଲୋକ ଅନ୍ଧାରରେ ଥିବା କେତେବେଳେ ମୁକ୍ତି ଓ ବନ୍ଧନର ଦିଗବଳୟରେ । ବେଳେବେଳେ ନାଟକ ଭିତରେ ଦେଖାଯାଏ Comedyର ସ୍ୱର ଯେଉଁଠି ନିର୍ବିର୍ଯ୍ୟ ପୁରୁଷ ସ୍ୱାଧୀନା ନାରୀଠାରୁ ଆଶା କରୁଛି ଏକ ସନ୍ତାନ । ଏହି ସବୁ ହସ ପରିହାସ ମଧ୍ୟରେ ଦୂରନ୍ତ ବାସ୍ତବତାର କାରୁଣ୍ୟ ଲୁଚି ଯାଏନା-। ଭାଷାର ଉଦଗୀରଣ ମଧ୍ୟରେ ମନୁଷ୍ୟର ଅନ୍ତର୍ଚେତନାରେ ନିହିତ ପରସ୍ପର ଧ୍ୱଂସକାରୀ ଶକ୍ତି ରୂପପାଏ । ଶାନ୍ତ ପରିବେଶ ହୋଇଉଠେ ଏକ ପୀଡ଼ନ ମଞ୍ଚ (Tortured chamber) ହିମଶୀତଳ ବଶ୍ୟତାର ବିଭଙ୍ଗ ଲୀଳା ମଧ୍ୟରେ ନୈତିକ ଅଙ୍ଗୀକାରବୋଧ (Commitment)କୁ ଅସ୍ୱୀକାର କରାଯାଇପାରେନା । ଏହି ନୈତିକ ଅଙ୍ଗୀକାରବୋଧ ପ୍ରତି ଦାୟିତ୍ୱବୋଧ ଆଜି ପ୍ରାୟ ସବୁ ନାଟ୍ୟକାରଙ୍କୁ କିଛି ନା କିଛି ଭାବରେ ସଂକ୍ରମଣ କରିଛି । ନାଟ୍ୟକାର, ନିର୍ଦ୍ଦେଶକ, ଦର୍ଶକ ପ୍ରତ୍ୟେକ ଏହି ସଂକ୍ରମଣର ସମାନ ଅଂଶୀଦାର । ଏହାକୁ ରୂପ ଦେବାପାଇଁ ଆଜି ସଚେତନ ନାଟ୍ୟକାର କହେ ଆମେ କଳା ସୃଷ୍ଟି କରୁନାହୁଁ, ଜୀବନଚିତ୍ର ଆଙ୍କୁ ଅଛୁ । ବହୁ ନିଷ୍ଫଳ କ୍ରୋଧ ସମାଜ, ସଭ୍ୟତା, ପରିବାର, ବ୍ୟକ୍ତିର ଆଚରଣ, କେତେ କିଛି ବିରୁଦ୍ଧରେ ମଣିଷ ମନର ଅନ୍ତର୍ଦାହ ଏକ ସାର୍ବଜନୀନ କଳ୍ପନାର ସ୍ତରକୁ ଉନ୍ନୀତ ହୋଇଅଛି । ଏହି ଉତ୍ତରଣ ମଧ୍ୟରେହିଁ ଦୁରନ୍ତ ବ୍ୟକ୍ତିସତ୍ତା ଚାହେଁ ତାର ମୁକ୍ତି; ଚାହେଁ ଅନନ୍ତ ସ୍ୱସ୍ତି, ସହନଶୀଳତାର ଚିର ବିଜୟ । ଭାଙ୍ଗିବା ନୁହେଁ ଗଢ଼ିବା ନାଟକର ଧର୍ମ । ଧ୍ୱଂସ ନୁହେଁ ସୃଷ୍ଟି ତା’ର ଲକ୍ଷ୍ୟ । ମୃତ୍ୟୁ ନୁହେଁ, ଜୀବନ୍ତ ପ୍ରାଣସତ୍ତାରେ ନିବଦ୍ଧ ମାନବିକ ଚେତନାରେ ପୁଷ୍ଟ ପ୍ରତ୍ୟେକ ପ୍ରକାର ଅନ୍ଧବିଶ୍ୱାସ ଓ ବିଭାଜନକାରୀ ସତ୍ତାର ଉଦ୍ଧ୍ୱର୍ରେ ନାଟକର ନୂତନ ନୂତନ ଦିଗବଳୟ ସଦା ପ୍ରସାରିତ ।

 

ନବ ନାଟକର ଉତ୍ତରଣର କାହାଣୀ ଏକ ଚିର ଚଞ୍ଚଳ, ଚିର ନୂତନର ଆବିର୍ଭାବର କାହାଣୀ । ଏହା ମୃତ ଅତୀତର ଶ୍ମଶାନ ନୁହେଁ, ନୂତନ ଆଗନ୍ତୁକର ଏନ୍ତୁଡ଼ିଶାଳ ପ୍ରତି ଯଦା ସଦା ଉନ୍ମୁଖ, କେତେ ନୂତନ ରୂପ ଭାଙ୍ଗେ, ପୁଣି ଏକ ନୂତନ ଆକାର ପାଏ । କେତେ ପ୍ରଥା ଆକ୍ରାନ୍ତ ହୁଏ, ପୁଣି ଆଲୋକକୁ ଆସେ । ମନୁଷ୍ୟ ଐତିହ୍ୟ ସ୍ୱୀକାର କରିପାରେନା । ସଂସ୍କୃତିର ମରୁଭୂମିରେ ନୂତନତାର ଫସଲ ଫଳାଇବା ଏହାର ଲକ୍ଷ୍ୟ । ଆମେ ସେଇ ବିଶ୍ୱର ନାଗରି, ଯେଉଁଠି ଆମର ବିବେକ ବିରୋଧକୁ ସ୍ୱୀକାର କରିନିଏ । ଆମର ପୁରୋଦୃଷ୍ଟି ଦୁଃସହ ଅତ୍ୟୁଜ୍ଜ୍ଵଳ ଉତ୍ସାହ ବା ସ୍ଫୂର୍ତ୍ତି, ସେ ଆକାର ହେଉ ବା ନିରାକାର ହେଉ, ସତ୍ତାର ମୌଳିକତା ସନ୍ଧାନରେ ବ୍ୟକ୍ତି ଓ ସମାଜ ପ୍ରତିନିୟତ ଏକ ବିନ୍ଦୁରେ ଆବିର୍ଭାବ ହୋଇଥାନ୍ତେ ରଙ୍ଗମଞ୍ଚରେ । ଏହି ଆବର୍ତ୍ତନ ଅନନ୍ତ ଗ୍ରହତାରକାଙ୍କର ଆବର୍ତ୍ତନ ଭଳି ଅପ୍ରତିରୋଧ । ଠିକ୍‌ସେଇ ଅପ୍ରତିରୋଧ ଗତି ଦେଇ ନବନାଟକ ଆଜି ସତ୍ୟସନ୍ଧାନରେ ବ୍ରତୀ ।

 

 

ଖଣ୍ଡପଡ଼ାଗଡ଼

ମଧୁବନ ସାହି,

ପୁରୀ-୭୫୨୦୭୭

 

***

 

ସେରିବ ବଣିକ ଜାତକ

ଅନୁବାଦ: ସୁରେନ୍ଦ୍ର ନାଥ ଶତପଥୀ

 

ବୁଦ୍ଧଦେବ ଶ୍ରାବସ୍ତୀ ନଗରରେ ରହୁଥିବା ସମୟରେ ଜଣେ ହୀନବୀର୍ଯ୍ୟ ଭିକ୍ଷୁ ସମ୍ବନ୍ଧରେ ଏହି କଥାଟି କହିଥିଲେ । ଏହି ଲୋକଟି ସାଧନା ଛାଡ଼ିଦେଇ ବିହାରକୁ ଆସିବା ଉତ୍ତାରୁ ଅନ୍ୟ ଭିକ୍ଷୁମାନେ ତାକୁ ବୁଦ୍ଧଦେବ ନିକଟକୁ ନେଇଯାଇ ଥିଲେ । ବୁଦ୍ଧଦେବ କହିଲେ, ‘ଏଇ ମାର୍ଗଫଳ-ଦାୟୀ ଅନୁଶାସନରେ ପ୍ରବେଶ କରି ମଧ୍ୟ ଯଦି ତୁମେ ଉତ୍ସାହ ହରେଇ ବସ, ତେବେ ଲକ୍ଷେ ମୁଦ୍ରା ମୂଲ୍ୟରେ ସୁନାଥାଳିରୁ ବଞ୍ଛିତ ହୋଇ ସେରିବ ବଣିକର ଯେଉଁ ଦୁର୍ଦ୍ଦଶା ହୋଇଥିଲା, ତୁମର ସେଇଆ ହେବ ।’ ଏହାପରେ ଭିକ୍ଷୁମାନେ ସେ କଥାଟିକୁ ବିସ୍ତୁତ ଭାବେ କହିବାକୁ ତାଙ୍କୁ ଅନୁରୋଧ କଲେ । ବୁଦ୍ଧଦେବ ମଧ୍ୟ ସେମାନଙ୍କର ଅବଗତି ପାଇଁ ଭାବାନ୍ତର ଚ୍ଛୁନ୍ନ ସେହି ଅତୀତ କଥାଟିକୁ କହିବାକୁ ଲାଗିଲେ ।

 

ପୂର୍ବେ ବର୍ତ୍ତମାନ ସମୟର ଚାରିକଲ୍ସ ପୂର୍ବରୁ ବୋଧିସତ୍ତ୍ୱ ସେରିବି ନାମକ ଗୋଟିଏ ରାଜ୍ୟରେ ଫେରିବାଲାର କାମ କରୁଥଲେ । ସେତେବେଳେ ତାଙ୍କର ନାଁ ଥିଲେ ‘ସେରିବାନ୍’ । ସେରିବ ରାଜ୍ୟରେ ସେରିବା ନାମରେ ଆଉଜଣେ ଲୋକ ମଧ୍ୟ ଏଇ କାମ କରୁଥିଲା ତାହାର ଭାରି ଅର୍ଥଲୋଭ ଥିଲା । ଥରେ ବୋଧିସତ୍ତ୍ୱ ତାକୁ ସାଙ୍ଗରେ ନେଇ ତୈଳବାହୁ ନାମକ ଗୋଟିଏ ନଦୀର ଆରପାରିରେ ଥିବା ଅନ୍ଧପୁର ନଗରକୁ ବାଣିଜ୍ୟ କରିବାକୁ ଯାଇଥିଲେ । ସେଠି ସେ ଦୁହେଁ କିଏ କେଉଁ ରାସ୍ତାରେ ଫେରିକରି ବୁଲିବେ ସେଇଟା ବାଣ୍ଟିନେଲେ । କଥାହେଲା, ଜଣେ ଯେଉଁ ରାସ୍ତାରେ ଫେରିକରି ଯାଇଥିବେ, ଆଉ ଜଣେ ତାଙ୍କ ପରେ ସେଇ ରାସ୍ତାରେ ଫେରିକରି ଯାଇପାରିବେ ।

 

ପୂର୍ବେ ଅନ୍ଧପୁରରେ ଜଣେ ଖୁବ୍‌ଧନୀ ଶ୍ରେଷ୍ଠୀ ପରିବାର ବାସ କରୁଥିଲେ । କିନ୍ତୁ କାଳ କ୍ରମେ ଲକ୍ଷ୍ମୀଙ୍କ କୋପଦୃଷ୍ଟିରେ ପଡ଼ି ସେ ପରିବାରଟି ନିର୍ଦ୍ଧନ ହୋଇଗଲା । ପରିବାରରୁ ଜଣକ ପରେ ଜଣେ ପୁରୁଷ ମରିଗଲେ । ଏ ଯେଉଁ ସମୟର କଥା କୁହାଯାଇଛି, ସେତେବେଳେ ଏ ବଂଶରେ କେବଳ ଝିଅଟିଏ ଓ ତା’ର ବୁଢ଼ୀମା (ପିତାମହୀ) ବଞ୍ଚିଥିଲେ । ସେମାନେ ଅତି କଷ୍ଟରେ ପଡ଼ୋଶୀମାନଙ୍କର ଘରେ କାମଦାମ କରି ଦିନ କାଟୁଥିଲେ । ଘରର କର୍ତ୍ତା ପରିବାରର ସୌଭାଗ୍ୟ ସମୟରେ ଯେଉଁ ସୁନାଥାଳିଟିରେ ଖାଉଥିଲେ, ସେଇଟି ସେ ପର୍ଯ୍ୟନ୍ତ ଥିଲା । କିନ୍ତୁ ବହୁଦିନ ଧରି ବ୍ୟବହୃତ ନ ହେବା ଫଳରେ ଏବଂ ଭଙ୍ଗାବାସନ କୁସନ ଭିତରେ ପଡ଼ିରହି ଏହା ଉପରେ ଏତେ ମଇଳା ଜମିଯାଇଥିଲା ଯେ, ହଠାତ୍ ଏଇଟା ସୁନାର ବାସନ ବୋଲି ଜଣାପଡ଼ୁଥିଲା ।

 

ଦିନେ ଲୋଭୀ ଫେରିବାଲାଟି ‘ମାଠିଆ କିଣିବ’, ‘ମାଠିଆ କିଣିବ’ ବୋଲି ଡାକି ଡାକି ଏଇ ଶ୍ରେଷ୍ଠୀ ପରିବାର ଘରବାଟେ ଯାଉଥିଲା । ତାହା ଶୁଣି ଝିଅଟି କହିଲା, ‘ମୋର ଖଣ୍ଡିଏ ଗହଣା କିଣି ଦିଅନା ବୁଢ଼ୀମା’ । ବୁଢ଼ୀମା କହିଲେ ମା ଆମେ ତ ଗରିବ ଲୋକ ପଇସା କେଉଁଠୁ ପାଇବା । ସେତେବେଳେ ଝିଅଟି ସେହି ସୁନାବାସନଟି ଆଣି କହିଲା ‘ଏ ଖଣ୍ଡକ କ’ଣ ବଦଳେଇ ଦେଲେ ହେବନାହିଁ ? ଏଇଟା ଆମର କିଛି କାମରେ ଲାଗୁନି । ବୁଢ଼ୀ ଏଥିରେ ଆପତ୍ତି ନକରି ଫେରିବାଲାକୁ ଡାକିଲା ଏବଂ ତାକୁ ବସିବାକୁ କହି ସେ ବାସନ ଖଣ୍ଡିକ ଦେଇ କହିଲା, ‘ମହାଶୟ’ ଏହା ବଦଳରେ ମୋର ଏ ନାତୁଣୀଟି ଲାଗି ଯାହା କିଛି ଗୋଟାଏ ଗହଣା ଦିଅ ।

 

ବାସନଟି ଥରେ ଦୁଇଥର ଓଲଟ ପାଲଟ କରି ଦେଖି ଫେରିବାଲାଟିର ମନରେ ସନ୍ଦେହ ହେଲା ବୋଧହୁଏ ଏହା ସୁନାରେ ତିଆରି । ଏହି ଅନୁମାନଟି ଠିକ୍‌ନୁହେଁ, ତାହା ପରଖି ନେବା ପାଇଁ ସେ ଲୁହାକଣ୍ଟାରେ ତା’ ପିଠିରେ ଦାଗ ମାରିଲା ଏବଂ ସେଇଟି ଯେ ସୁନାର ବାସନ ସେ ବିଷୟରେ ତା’ର କିଛି ମାତ୍ର ସନ୍ଦେହ ରହିଲା ନାହିଁ । କିନ୍ତୁ ମାଇପି ଦୁଇଟାଙ୍କୁ ଭଣ୍ଡେଇ କରି ବିନା ମୂଲ୍ୟରେ ସେଇଟିକୁ କିପରି ନେଇଯିବ ଏ ଖରାପ ମତଲବ ରଖି ସେ କହିଲା, ୟାର ଗୋଟିଏ ଦାମ କ’ଣ ? ଏହାକୁ ଅଧ ମସାଟିଏ (୧) ଦେଇ କିଣିଲେ ବି କାମରେ ଲାଗିବ ନାହିଁ । ଏହାପରେ ସେ ଖୁବ୍ ବେଖାତିର ଦେଖାଇବାର ଛଳନା କରି ବାସନଟି ଭୁଇଁତଳେ ଫିଙ୍ଗି ଦେଇ ସେହି ସ୍ଥାନରୁ ଚାଲିଗଲେ ।

 

ଏହାର କିଛି ସମୟ ପରେ ବୋଧିସତ୍ତ୍ୱ ସେହି ବାଟରେ ଫେରିକରି ଆସିଲେ ଏବଂ ‘ମାଠିଆ କିଣିବ, ମାଠିଆ କିଣିବ ବୋଲି ଦ୍ୱାରେ ଦ୍ୱାରେ ଡାକ ବୁଲିଲେ । ତାହା ଶୁଣି ଝିଅଟି ତା’ର ବୁଢ଼ୀମାଙ୍କୁ ପୁଣି ସେହିକଥା ମାଗିଲା । ବୁଢ଼ୀମା କହିଲେ, ଯେଉଁ ବାସନଟି ବଦଳ ଦେବାକୁ ଯାଉଥିଲେ ତା’ର ତ କିଛି ଦାମ୍ ହେବନାହିଁ ବୋଲି ଆମେ ଶୁଣିଲେ । ଆଉ ଆମର କ’ଣ ବା ଅଛି ମା, ଯାହାଦେଇ ତୋ ଇଚ୍ଛା ପୂରଣ କରିପାରିବି ? ଝିଅଟି କହିଲା ସେ ଫେରିବାଲାଟା ବଡ଼ ଖରାପ ଲୋକ ବୁଢ଼ୀମା ତା କଥାଗୁଡ଼ାକ ଶୁଣିଲେ ଦେହ ଜଳିଉଠେ । କିନ୍ତୁ ଏ ଲୋକକୁ ଦେଖ ତ ଆପତ୍ତି କରିବେ ନାହିଁ । ତା ପରେ ବୁଢ଼ୀଟି ବୋଧିସତ୍ତ୍ୱଙ୍କୁ ଡକାଇ ବସିବାକୁ କହିଲେ ଏବଂ ବାସନ ଖଣ୍ଡିକ ତାଙ୍କ ହାତରେ ଦେଲେ । ବୋଧିସତ୍ତ୍ୱ ଦେଖିଲା ମାତ୍ରେ ହଁ ବୁଝିପାରିଲେ ଯେ ସେଇଟା ସୁନାରେ ତିଆରି । ସେ ବୁଢ଼ୀଙ୍କୁ କହିଲେ ମୋ ଏଇ ବାସନର ଦାମ ହେଉଛି ଲକ୍ଷେ ମୁଦ୍ରା ମୋ ପାଖରେ ଏତେ ଟଙ୍କା ନାହିଁ ।

 

ବୁଢ଼ୀ କହିଲେ, ମହାଶୟ ଏଇ ମାତ୍ର ଆଉ ଜଣେ ଫେରିବାଲା ଆସିଥିଲା । ସେ କହିଲା, ଏହାର ମୂଲ୍ୟ ପଇସାଟିଏ ବି ନୁହେଁ । ବୋଧହୁଏ ଆପଣଙ୍କ ପୁଣ୍ୟ ବଳରେ ବାସନଟି ଏବେ ସୁନା ପାଲଟିଯାଇଛି । ମୁଁ ଏଇଟି ଆପଣଙ୍କୁ ଦେବି । ଏହାର ବଦଳରେ । ଆପଣ ଯାହା ଇଚ୍ଛା ତାହା ଦେଇ ଯାଆନ୍ତୁ । ବୋଧିସତ୍ତ୍ୱଙ୍କ ନିକଟରେ ସେତେବେଳେ ପାଞ୍ଚଶହ କାହାଣ (୨) ଏବଂ ସେଇ ମୂଲ୍ୟତ ବିକିବା ଜିନିଷ ଥିଲା । ସେ ଏଥିରୁ କେବଳ ନଗଦ ଆଠ କାହାଣ ଏବଂ ଦଣ୍ଡିପଲା ଓ ଥଳିଟି ନେଇ ବାକି ସବୁ ବୁଢ଼ୀଙ୍କି ହାତରେ ଦେଇଦେଲେ ଏବଂ ତାଙ୍କର ଅନୁମତି ନେଇ ବାସନ ଖଣ୍ଡିକ ଧରି ଯେତେ ଶୀଘ୍ର ପାରନ୍ତି ନଇକୂଳକୁ ଚାଲିଗଲେ । ସେଠି ଡଙ୍ଗାଟିଏ ଥିଲା । ସେ ତହିଁରେ ବସି ନାଉରୀ ହାତରେ ଆଠ କ ହାଣ ଧରେଇ ଦେଇ କହିଲେ । ‘ମୋତେ ଖୁବ ଶୀଘ୍ର ପାର କରିଦିଅ’ । ଇଆଡ଼େ ଲୋଭୀ ଫେରିବାଲାଟି ଶ୍ରେଷ୍ଠୀମାନଙ୍କର ସାହି ଆଡ଼କୁ ଫେରିଆସି ବାସନଟି ପୁଣିଥରେ ଦେଖିବାକୁ ଚାହିଁଲା । ସେ କହିଲା, ‘ଭାବି ଦେଖିଲି ତୁମ୍ଭମାନଙ୍କୁ ଏହା ବଦଳରେ କିଛି ନ ହେଲେ ଭଲ ହେବନାହିଁ ।’

 

(୧)

ମୂଳ ପାଳିରେ ‘ଅର୍ଦ୍ଧମାସକ’ ବୋଲି ଅଛି । ‘ମାସକ’ ସେତେବେଳେ ବ୍ୟବହୃତ ହେଉଥିବା ଗୋଟିଏ ମୁଦ୍ରାର ନାମ ।

(୨)

ମୂଳ ପାଲିରେ ‘କାହାପଣ’ ବୋଲି ଅଛି । ଏହା ସଂସ୍କୃତ ‘କାର୍ଷାପଣ’ ସହିତ ତୁଳନୀୟ । କାର୍ଷାପଣ ହେଉଛି ସେତେବେଳେ ଚଳୁଥିବା ଗୋଟିଏ ମୁଦ୍ରାର ନାମ ।

 

ତାହା ଶୁଣି ବୁଢ଼ୀ କହିଲେ ‘କି କଥା କହୁଛ ବାପା ? ତୁମେ ପରା କହିଥିଲ ଯେ, ଏହାର ଦାମ ପଇସାଟିଏ ହେବନାହିଁ । ଏଇ ମାତ୍ର ଜଣେ ସାଧୁ ବେପାରୀ ଆସିଥିଲେ । ବୋଧହୁଏ ସେ ତୁମର ମୁନିବ ହେବେ କି କ’ଣ । ସେ ଆମକୁ ହଜାରେ କାହାଣ ଦେଇ ସେଇଟିକୁ କିଣି ନେଇଯାଇଛନ୍ତି ।’

 

ଏଇ କଥାଟି ଶୁଣିବା ମାତ୍ରେ ସେ ଲୋଭୀ ବେପାରୀଟିର ମୁଣ୍ଡ ଘୁରିଗଲା । ସେ ପାଗଳ ଭଳି ଭୁଟୁର ଭାଟର୍ ହେବାକୁ ଲାଗିଲା । ତା ପାଖରେ ଯେଉଁ ସବୁ ଟଙ୍କା ପଇସା ଓ ବେପାର ଜିନିଷ ଥିଲା, ତାକୁ ସବୁ ଚାରିଆଡ଼େ ଫିଙ୍ଗି ଦେଲା । ଏହାପରେ ଲଙ୍ଗଳା ହୋଇ, ‘ହାୟ ସର୍ବନାଶ ହେଲା । ସେ ଦୁଷ୍ଟ ଲୋକଟା କପଟ କରି ମୋର ଲକ୍ଷେ ଟଙ୍କାର ସୁନା ଥାଳିଟି ନେଇଗଲା ।’ ଏହିଭଳି ପ୍ରଳାପ କରି କରି ଏବଂ ଦଣ୍ଡି ପିଲାଟିକୁ ମୁଦଗର ଭଳିଆ ଘୂରେଇ ଘୂରେଇ ବୋଧସତ୍ତ୍ୱଙ୍କୁ ଖୋଜିବା ଲାଗି ନଈକୂଳକୁ ଗଲା । ସେଠି ଯାଇ ଦେଖେ ତ ଡଙ୍ଗାଟି ନଈର ମଝାମଝି ହୋଇଯାଇଛି । ସେ ଡଙ୍ଗା ଫେରାଅ, ଡଙ୍ଗା ଫେରାଅ ବୋଲି ଚିତ୍କାର କରିବାକୁ ଲାଗିଲା । କିନ୍ତୁ ବୋଧିସତ୍ତ୍ୱ ନାଉରୀଟିକୁ ଡଙ୍ଗା ଫେରାଇବାକୁ ମନାକଲେ । ବୋଧିସତ୍ତ୍ୱନଈର ଆରପାରିକୁ ଆଗେଇ ଲାଗିଲେ । ଦୁର୍ବୁଦ୍ଧି ବଣିକଟି ଗୋଟିଏ ଦୃଷ୍ଟିରେ ତାଙ୍କ ଆଡ଼େ ଚାହି ରହିଲା । ଏହାପରେ ସୂର୍ଯ୍ୟଙ୍କର ଉତ୍ତାପରେ ପୋଖରୀରୁ ପାଣିସବୁ ଶୁଖିଯାଇ ଯେମିତି କୂଳରେ କାଦୁଅ ଶହେ ଧାରରେ ଫାଟିଯାଏ, ସେମିତି ଲୋକଟିର ହୃତପିଣ୍ଡ ଫାଟିଗଲା ତା’ର ମୁହଁ ଦେଇ ରକ୍ତ ବହିବାକୁ ଲାଗିଲା ଏବଂ ସେହି ମୁହୂର୍ତ୍ତରେ ସେ ଜୀବନ ହରାଇ ଟଳିପଡ଼ିଲା । ଏହାପରେ ବୋଧିସତ୍ତ୍ୱ ନାନାଦି ସତକର୍ମରେ ସମୟ କଟେଇ କର୍ମଫଳ ଭୋଗଲାଗି ଆରପୁରକୁ ଯାତ୍ରାକଲେ ।

 

କଥା ଶେଷରେ ବୁଦ୍ଧଦେବ ଏଇ ଗାଥାଟି ଗାନ କରିଥିଲେ –

‘ବୁଦ୍ଧଙ୍କର ଶାସନ ହେଉଛି ମୁକ୍ତିପଥର ପ୍ରଦର୍ଶକ’

ତାହାର ସୁଫଳ ପାଇବା ପାଇଁ ତୁମେ ପ୍ରାଣ ପଣ କର ।

ଉତ୍ସାହହୀନ ବ୍ୟକ୍ତି ଚିରଦିନ ଅନୁତପ୍ତ ରହେ ;

ଠିକ୍‌ ଯେମିତି ଧର୍ମଜ୍ଞାନଶୂନ୍ୟ ସେରିକ-ବଣିକଟି ଥିଲା’ ।

 

ଏହିଭଳି ଅର୍ହତ୍ତ୍ୱ ଲାଭ ପାଇଁ ଉପାୟ ଦେଖାଇ ଦେଇ ବୁଦ୍ଧଦେବ ଚାରିସତ୍ୟ କଥା ବ୍ୟାଖ୍ୟା କଲେ । ତାହା ଶୁଣି ସେହି ହୀନବାର୍ଯ୍ୟ ଭିକ୍ଷୁ ଅର୍ହତ୍ତ୍ୱ ରୂପକ ସୁଫଳ ପାଇପାରିଲା ।

 

ସମବଧାନ-

ସେତେବେଳେ ଦେବଦତ୍ତ (୩) ଥିଲା ସେଇ ଧର୍ମ ବଣିକ ଏବଂ ମୁଁ ଥିଲି ସେଇ ବୁଦ୍ଧିମାନ ଧର୍ମନିଷ୍ଠ ବଣିକ ।

[ପାଲି ଭାଷାରୁ ଅନୃଦିତ]

 

(୩)

ଦେବଦତ୍ତ ଗୌତମ ବୁଦ୍ଧଙ୍କର ପ୍ରଧାନ ପ୍ରତିଦ୍ଵନ୍ଦୀ ଓ ବିରୋଧୀ ଥିଲେ । ସେ ଗୌତମ ବୁଦ୍ଧଙ୍କୁ ଜୀବନରେ ମାରି ଦେବାପାଇଁ ବହୁ ପ୍ରକାର ଚେଷ୍ଟା କରିଥିଲେ । ଦେବଦତ୍ତ ହେଉଛନ୍ତି ଯଶୋଧାରାଙ୍କ ସହୋଦର ଭାଇ ଏବଂ ବୁଦ୍ଧଙ୍କର ମାମୁଙ୍କ ପୁଅ । ବୁଦ୍ଧ ତାଙ୍କର ମାମୁ ଝିଅ ଭଉଣୀକୁ ବିବାହ କରିଥିଲେ । ଏଇ ପ୍ରକାର ବିବାହ ସେତେବେଳେ ରାଜ-କୂଳରେ ବିଶେଷତଃ ଶାକ୍ୟ-ବଂଶରେ ଦୋଷାବହ ନଥିଲା ।

***

 

ମଣିପୁର ଯାତ୍ରା

ଡଃ ବାଉରୀବନ୍ଧୁ କର

 

ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ମୋତେ ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମରେ ମଣିପୁର ପଠାଇଥିବାରୁ ମୁଁ ପ୍ରଥମେ ତାଙ୍କୁ ମୋର ସାଧୁବାଦ ଜ୍ଞାପନ କରୁଅଛି । ମୁଁ ମଣିପୁର ଅଭିମୁଖେ କଟକରୁ ଜାନୁୟାରୀ ୧୫ ତାରିଖ ରାତିରେ ଜଗନ୍ନାଥ ଏକପ୍ରେସ୍‌ରେ କଲିକତା ଗଲି । କଲିକତାରେ ଜାନୁୟାରୀ ୧୭ ତାରିଖ କଟାଇ ତା ପରଦିନ ଉଡ଼ାଜାହାଜ ଯୋଗେ କଲିକତାରୁ ଇମ୍ପାଲ ଯାତ୍ରା କଲି । ମୋ ସହିତ ମୋର ଶ୍ରଦ୍ଧେୟ ଛାତ୍ର ସେବାନନ୍ଦ ଦାସ ମଧ୍ୟ ଯାଇଥିଲେ । ଇମ୍ପାଲରେ ୧୭ ତାରିଖ ଦିନ ଦୁଇଟାବେଳେ ପହଞ୍ଚିଲୁ । ସେଠାରେ ପହଂଚି ପ୍ରଥମେ ଜବାହାରଲାଲ ନେହେରୁ ମଣିପୁରୀ ଡ୍ୟାନସ୍‌ ଏକାଡେମୀର ଡିରେକ୍ଟର ଶ୍ରୀ ପ୍ରକାଶ ସିଂହଙ୍କୁ ଭେଟିଲୁ । ଶ୍ରୀ ପ୍ରକାଶ ସିଂ ଆଗକୁ ମୋର ଯିବା ସମ୍ବନ୍ଧରେ ଏକାଡେମୀ କର୍ତ୍ତୃପକ୍ଷଙ୍କଠାରୁ ଏକ ପତ୍ର ପାଇଥିଲେ । ସେଇ ଅନୁଯାୟୀ ସେ ମୋର ରହିବାର ସୁବନ୍ଦୋବସ୍ତ ନିଉରାଜ ହୋଟେଲରେ କରିଥିଲେ । ନିଜ ଗାଡ଼ିରେ ଶ୍ରୀ ସିଂ ମୋତେ ହୋଟେଲ୍‌ରେ ଛାଡ଼ି ଆସିଲେ । ସେଦିନ ସନ୍ଧ୍ୟାରେ ତାଙ୍କ ଏକାଡେମୀ ପକ୍ଷରୁ ହେଉଥିବା ନୃତ୍ୟରେ ଯୋଗ ଦେବାପାଇଁ ଆମକୁ ସେ ଅନୁରୋଧ କରିଥିଲେ ।

 

ସେଦିନ ଠିକ୍‌ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍‌ରେ ଏକାଡେମୀର ହଲରେ ନୃତ୍ୟ ଆରମ୍ଭ ହେଲା । ଦିଲ୍ଲୀର ଭାରତୀୟ ଡ୍ୟାନସ ଏକାଡେମୀର ସେକ୍ରେଟାରୀ ମଧ୍ୟ ଆସିଥିଲେ । ସେଦିନ ସେ ମଧ୍ୟ ଆମ ଗହଣରେ ନୃତ୍ୟ ଦେଖୁଥିଲେ । ଏଇ ନୃତ୍ୟ ପ୍ରାୟ ଦୁଇଘଣ୍ଟା ଚାଲିଲା । ହଲ ଭିତରେ ପ୍ରବଳ ଥଣ୍ଡା । ତଥାପି ଲୋକ କିଛି କମ ନାହାନ୍ତି । ମୁଁ ଏଇ ଅବସରରେ ମଣିପୁର ନୃତ୍ୟ ସମ୍ପର୍କରେ କିଞ୍ଚିତ ଆଭାସ ଦେବା ଉଚିତ ହେବ ।

 

ସେଦିନର ଶୀତ ସନ୍ଧ୍ୟାରେ ଆମେ ପାଞ୍ଚ ପ୍ରକାରର ନୃତ୍ୟ ଦେଖିଲୁ । ପ୍ରଥମେ ଶିବ ପାର୍ବତୀଙ୍କ ଜୀବନର ଏକ ମୁହୂର୍ତ୍ତକୁ ନେଇ ହେରଓା (Lai Haroba) ନୃତ୍ୟ ଦେଖିଲୁ । ତା’ପରେ କାବୁଇ ନାଗା ନୃତ୍ୟ ପରିବେଷଣ କରାଗଲା । ଏଇ ନୃତ୍ୟରେ ନାଗା ପୋଷାକ ଓ ଖଣ୍ଡା ଧରି ସଙ୍ଗୀତର ତାଳେ ତାଳେ ନାୟକ ଦ୍ୱୟ ନୃତ୍ୟ କରୁଥାନ୍ତି । ସେମାନଙ୍କ ସହିତ ସମତାଳରେ ପାଦ ମିଳାଇ କେତେକ ନାଗାକନ୍ୟା ମଧ୍ୟ ନୃତ୍ୟ କରୁଥାନ୍ତି । ଆଲୁଅର ଛଟା ମଧ୍ୟରେ ଏଇ ନୃତ୍ୟଟି ବେଶ ମନୋମୁଗ୍ଧକର ଥିଲା । ଏଇ ନୃତ୍ୟଟି ଦେଖି ମନେ ହେଲା, ସତେ ଯେପରି ନୃତ୍ୟ ଓ ମଣିପୁର ବାସୀଙ୍କ ଜୀବନ ଅଙ୍ଗଙ୍ଗୀ ଭାବେ ଜଡ଼ିତ । ଏତିକିରେ ସେମାନଙ୍କର ନୃତ୍ୟ ସରି ନଥିଲା । ମୃଦଙ୍ଗ ବଜାଇ ଅଙ୍ଗଭଙ୍ଗୀ ଦେଖାଇ ପୁଙ୍ଗୁଳା ଦେହରେ ଦୁଇଜଣ ଯୁବକ ‘ତୁଙ୍ଗ ଚଲୋମ୍‌’ ନାମରେ ଏକ ନୃତ୍ୟ ପରିବେଶଷ କଲେ । ମୃଦଙ୍ଗର ତାଳ ସହିତ ଏଇ ଯୁବକ ଦୁଇଜଣ ପ୍ରାୟ ଅଧଘଣ୍ଟାଏ ଧରି ଉଦ୍ଦଣ୍ଡ ନୃତ୍ୟରେ ମାତିଗଲେ । ପୁଣି ‘ଢୋଲ ଚଲୋ’ ନାମରେ ଏକ ନୃତ୍ୟ ମଧ୍ୟ ତିନିଜଣ ଯୁବକଙ୍କୁ ନେଇ ପ୍ରଦର୍ଶିତ ହୋଇଥିଲା । ଜଣେ ଗୋଟିଏ ଡ୍ରମ ଧରି ମଝିରେ ବଜାଉଥାଏ । ଦୁଇ ପଟରେ ମୃଦଙ୍ଗ ଧରି ବିଭିନ୍ନ ଠାଣିରେ ଦୁଇଜଣ ଯୁବକ ଖାଲି ଦେହରେ ନୃତ୍ୟ କରୁଥାନ୍ତି । ଏଇସବୁ ନୃତ୍ୟ ପରେ ଶେଷରେ ମଣିପୁରୀ ରାସ ଦେଖିଲୁ । ରାଧା, କୃଷ୍ଣ ଓ ଗୋପୀଙ୍କୁ ନେଇ ଏକ ରାସ ନୃତ୍ୟ ଆରମ୍ଭ ହେଲା । ପ୍ରଥମେ ବସନ୍ତ ରାସ ଦେଖିଲୁ । ପରେ ନିତ୍ୟ ରାସ, ଦିବା, ରାସ ଓ କୁଞ୍ଜ ରାସ ଦେଖିଲୁ । ଏଇ ରାସ ନୃତ୍ୟ ବେଳେ ହଠାତ୍ ବିଦ୍ୟୁତ୍ ସରବରାହ ବନ୍ଦ ହେଇଗଲା । ସେଇପରି କୁଞ୍ଜରେ ରାଧାଙ୍କ ପ୍ରତୀକ୍ଷାରେ କୃଷ୍ଣ ଥାଆନ୍ତି । କିନ୍ତୁ ଆଉ ବିଦ୍ୟୁତ୍‌ଆସିଲା ନାହିଁ କିମ୍ବା ରାଧାଙ୍କ ସହିତ କୃଷ୍ଣଙ୍କର ମିଳନ ହେଲାନାହିଁ । ସମସ୍ତେ ନିଜ ନିଜ ସ୍ଥାନକୁ ବାହୁଡ଼ିଲେ ।

ଅଠର ଜାନୁୟାରୀରେ ମୁଁ ମଣିପୁର ସାହିତ୍ୟ ପରିଷଦରେ ପହଞ୍ଚିଲି । ‘ନିଉ ରାଜ ହୋଟେଲ’ଠାରୁ ମଣିପୁରୀ ସାହିତ୍ୟ ପରିଷଦ ପ୍ରାୟ ଡାକେ ବାଟ ହେବ । ସେଇ ଅନୁଷ୍ଠାନଟି ଏକ ପୁରାତନ ସାହିତ୍ୟ ଅନୁଷ୍ଠାନ । ଅନୁଷ୍ଠାନର ଫୋନ୍, ଅଫିସ ଓ       ପୁସ୍ତକ ବିକ୍ରୟ ବିଭାଗ ସବୁ ରହିଛି । ଅନୁଷ୍ଠାନ ପକ୍ଷରୁ ବହୁ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି । ସେଠାରେ ମୁଁ ଆର୍‌. କେ. ଜଲଜିତ. ସିଂ ଏଚ୍‌. ରନବୀର. ସିଂ ପ୍ରମୁଖଙ୍କୁ ଭେଟିଲି । ଶ୍ରୀ ଜଲଜିତ ସିଂ ମଣିପୁରୀ ସାହିତ୍ୟର ଏକ ଇତିହାସ ଇଂରାଜୀରେ ଲେଖିଛନ୍ତି । ସେ ମଣିପୁର ବିଶ୍ୱବିଦ୍ୟାଳୟର ପ୍ଲାନିଂ କମିଟିର ଚେୟାରମାନ । ସେଠାରେ ମୋତେ ଅନୁଷ୍ଠାନ ପକ୍ଷରୁ ‘Glimpses of Manipuri Language, Literature and Culture’ ନାମରେ ଏକ ପୁସ୍ତକ ଉପହାର ଦେଲେ । ମଣିପୁରର ସଂସ୍କୃତ ଓ ଐତିହ୍ୟ ସମ୍ପର୍କରେ ବହୁ ଅଜ୍ଞାତ ବିଷୟ ସେମାନଙ୍କଠାରୁ ମଧ୍ୟ ଶୁଣିବାକୁ ପାଇଲି । ବାସ୍ତବରେ ମଣିପୁର ଭାରତର ମଣି ସଦୃଶ । ଏହାକୁ ଚାରିପାଖରେ ଉଚ୍ଚ ପର୍ବତଶ୍ରେଣୀ-। ଏହା ଏକ ଛୋଟ ରାଜ୍ୟ । ଏହାର କ୍ଷେତ୍ରଫଳ ୨୨,୩୨୭ ବର୍ଗ କିଲୋମିଟର ଓ ଲୋକସଂଖ୍ୟା ୧୪ ଲକ୍ଷ କୋଡ଼ିଏ ହଜାର ନଅଶହ ତେପନ । ଏହା ଏକ ସ୍ୱତନ୍ତ୍ର ରାଜ୍ୟର ମର୍ଯାଦା ଜାନୁୟାରୀ ୨୧,୧୯୭୨ ମସିହାରେ ପାଇଥିଲା । ମଣିପୁର ସମ୍ପର୍କରେ ମହାଭାରତର କିମ୍ବଦନ୍ତୀମାନଙ୍କ ସମ୍ବନ୍ଧରେ ସେଠାକାର ସାହିତ୍ୟମାନଙ୍କ ସହ ମୁଁ ଆଲୋଚନା କରିଥିଲି । ଅର୍ଜ୍ଜୁନ ଚିତ୍ରାଙ୍ଗଦା କନ୍ୟାକୁ ସେଇଠି ବିବାହ କରିଥିଲେ । ସେଦିନ ମୋତେ ମଣିପୁର ସାହିତ୍ୟ ପରିଷଦରେ ଏକ ବକ୍ତୃତା ଦେବା ସକାଶେ ନିମନ୍ତ୍ରଣ କରିଥିଲେ । ମୁଁ ମଧ୍ୟ ସେମାନଙ୍କ ଅନୁରୋଧ କ୍ରମେ ମଣିପୁର ସାହିତ୍ୟ ପରିଷଦରେ ଜାନୁୟାରୀ ୨୦ ତାରିଖରେ Historical and Cultural Back-ground of Evolution of Oriya Literature ଶୀର୍ଷକ ଏକ ବକ୍ତୃତା ଦେଇଥିଲି । ସେଇ ସଭାରେ ମଣିପୁର ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷକ ପ୍ରଫେସର ଥୋବି ସିଂ ପ୍ରମୁଖ ଯୋଗ ଦେଇଥିଲେ । ବକ୍ତୃତା ଶେଷରେ ମୁଁ ଏକାଡେମୀର ରଜତ ଜୟନ୍ତୀ ସ୍ମରଣିକା ଓ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ‘ଶ୍ରୀ ଜଗନ୍ନାଥ’ ପୁସ୍ତକ ବିଶିଷ୍ଟ ସାହିତ୍ୟମାନଙ୍କୁ ଉପହାର ଦେଇଥିଲି ।

 

ମଣିପୁର ରହଣିକାଳରେ ସେଠାକାର ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ମୁଁ ଜାନୁୟାରୀ ୧୯ ତାରିଖରେ ଯାଇଥିଲି । ଜଗନ୍ନାଥ ମନ୍ଦିରର ପରିବେଶ ଦେଖିଲେ ଅନ୍ତରର ଭକ୍ତି ଭାବ ଉଦ୍ରେକ ହେବ । ସେଠାରେ ପ୍ରସାଦ ସେବନ ଚାଲିଥାଏ । ଆମେ ସେଇଠି ଚାରିପଟ ବୁଲି ଦେଖିଲୁ-। ବିରାଟ ହଲରେ ଅଳ୍ପ କେଇଜଣ ଲୋକ ବସିଥାନ୍ତି । ବ୍ରାହ୍ମଣମାନେ ଛାତି, ବାହୁ, ମସ୍ତକ ଚାରିଆଡ଼େ ଚନ୍ଦନରେ ମଣିପୁରୀ ଭାଷାରେ କ’ଣ ଲେଖିଥାନ୍ତି । ପ୍ରାୟ ୫୦ ମିଟର ଉଚ୍ଚରେ ଗୋଟିଏ ଘଣ୍ଟି ଲାଗିଥାଏ । ସେଇ ଘଣ୍ଟି ସହିତ ବଡ଼ ଦଉଡ଼ି ସଂଯୁକ୍ତ ହୋଇ ତଳେ ବନ୍ଧା ହୋଇଥାଏ । ଏତେ ଉଚ୍ଚରେ ଘଣ୍ଟିଟିଏ ବନ୍ଧା ହୋଇଥିବାର ଦେଖି ବଡ଼ କୌତୂହଳ ଜାତ ହେଲା । ମୁଁ ଡୋର ଧରି ଟାଣି ଦେଲି । ତା’ ପରେ ପ୍ରାୟ ସବୁ ବ୍ରାହ୍ମଣ ମୋତେ ଘଣ୍ଟା ବଜାଇବାର ଦେଖି ଘେରିଗଲେ । ଠାକୁରଙ୍କ ଆଳତୀ ବ୍ୟତୀତ ଅନ୍ୟ ସମୟରେ ସେ ଘଣ୍ଟା ବଜାଇବାକୁ ମନା । ତା’ପରେ ସେମାନଙ୍କୁ ଜଗନ୍ନାଥ ପୀଠରୁ ମୁଁ ଆସିଥିବା ବିଷୟ କହିଲି । ସେଠାରେ ‘Orissa & Lord Jagannath’ଙ୍କ ସମ୍ପର୍କରେ ଏକ ଆଲୋଚନା କଲି । ମୁଁ ଜଗନ୍ନାଥ ପୀଠରୁ ଆସିଥିବା ଜାଣି ସେମାନେ ମୋର ଦୋଷ ସବୁକୁ ଭୁଲିଗଲେ । ସେମାନେ ମୋ ପ୍ରତି ବେଶ୍ ଶ୍ରଦ୍ଧା ଭାବ ପୋଷଣ କଲେ ।

 

ମଣିପୁର ଆଉ ଏକ ଆକର୍ଷଣୀୟ ସ୍ଥାନ ହେଉଛି ମଇରଙ୍ଗ । ସେଠାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯାଇଥିଲେ ଓ I.N.A. ର ପତାକା ସେଇଠି ଉଡ଼ାଇଥିଲେ । ସେ ସ୍ଥାନର ଅଳ୍ପ ଦୂରରେ ଲକଟକ୍ ଲୋକ ମଧ୍ୟ ଦେଖିଲି ।

 

ମଣିପୁରରେ ରହଣିକାଳ ମଧ୍ୟରେ ସେଠାକାର ବିଶିଷ୍ଟ ସାହିତ୍ୟିକ ଇ. ନୀଳକଣ୍ଠଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ଘଟିଥିଲା । ଇ. ନୀଳକଣ୍ଠ ସିଂଙ୍କ ସମ୍ପର୍କରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ତଥା ବରେଣ୍ୟ କବି ରାଧାମୋହନ ଗଡ଼ନାୟକ ମୋତେ ପୂର୍ବରୁ ସୂଚନା ଦେଇଥିଲେ । ଇ. ନୀଳକଣ୍ଠ ଓଡ଼ିଶାର କେତେକ କବିଙ୍କ ସମ୍ପର୍କରେ ମୋତେ ପଚାରିଥିଲେ-। ସେ ସେଠାକାର ସଂସ୍କୃତ ବିଭାଗର ନିର୍ଦ୍ଦେଶକ । ତାଙ୍କୁ ଓଡ଼ିଆ ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ସ୍ମରଣୀକା ମୁଁ ପ୍ରଦାନ କରିଥିଲି । ସେ ଓଡ଼ିଶାର ସଂସ୍କୃତ, ସାହିତ୍ୟର ଜଣେ ମୁଗ୍‍ଧ ସ୍ତାବକ-। ସେ ମଣିପୁରୀ ସାହିତ୍ୟରେ ଆଧୁନିକତାର ଅନ୍ୟତମ ପ୍ରବର୍ତ୍ତକ । ଜନ୍ମଭୂମି ପ୍ରତି ଶ୍ରଦ୍ଧା ତାଙ୍କର ଅଧିକାଂଶ କବିତାରେ ଝରିଯାଇଛି । ଅନ୍ୟତମ ପ୍ରସିଦ୍ଧ କବି ସମରେନ୍ଦ୍ର ମଧ୍ୟ ମଣିପୁରର ଜାତୀୟ ଜୀବନକୁ ତାଙ୍କ କବିତାରେ ଉଜ୍ଜ୍ୱସିତ ପ୍ରଶଂସା କରିଛନ୍ତି । ପ୍ରସଙ୍ଗ କ୍ରମେ ମଣିପୁର ପ୍ରତି କବିଙ୍କ ମମତାର ସ୍ୱରୂପ ନିମ୍ନ କେଇ ଧାଡ଼ିକୁ ଅନୁସନ୍ଧାନ କରାଯାଇପାରେ –

 

“Is the land so beautiful

Is the valley so charming

Is Khwairaban so clean

Are the Manipuris so united

O, all Manipuris unite atleast today

So, they may remain united for ever”

 

ଏଇ ଧରଣର ଜାତିପ୍ରୀତି କ୍ୱଚିତ୍ ଆଧୁନିକ କବିତାରେ ପରିଦୃଷ୍ଟ ।

 

ମଣିପୁରରେ ନାରୀ ସ୍ୱାଧୀନତା ପ୍ରକୃତରେ ରହିଛି । ସବୁଠି ନାରୀ । ନାରୀମାନେ ସେଇଠି ହାଟରେ ସଉଦା ବିକୁଛନ୍ତି । ସିନେମା ଟିକେଟ କଳାବଜାର କରୁଛନ୍ତି । ଏକାଠି ହୋଇ ସମବାୟ ବ୍ୟାଙ୍କ ପରିଚାଳନା କରୁଛନ୍ତି । ସାଇକେଲରେ ସ୍କୃଟରରେ ଚଢ଼ି ସେମାନେ ପୁରୁଷମାନଙ୍କ ପରି ସବୁ କାର୍ଯ୍ୟରେ ଅଗ୍ରସର । ମନେ ହେଲା ଅର୍ଜ୍ଜୁନ ମଣିପୁରରେ ଏପରି କର୍ମଠ ମହିଳାଙ୍କୁ ଦେଖି ‘ଚିତ୍ରଙ୍ଗଦା’ଙ୍କୁ ବିବାହ କରିବାକୁ ମନ ବଳାଇଥିଲେ । ଯଦି ଭାରତରେ ନାରୀ ସ୍ୱାଧୀନତା କେଉଁଠି ଥାଏ, ସେଇ ରାଜ୍ୟ ହେଉଛି ମଣିପୁର ।

 

ମଣିପୁରରେ ଶିକ୍ଷାବିସ୍ତାର ଉଣା ନୁହେଁ । ଇମ୍ପାଲ ପରି ଏକ କ୍ଷୁଦ୍ର ସହରରେ ଅନେକ କଲେଜ ରହିଛି । ସେଠାରେ ଇଂରାଜୀ ଶିକ୍ଷା ପ୍ରତି ଆଦର ବେଶୀ । ଖ୍ରୀଷ୍ଟିୟାନ ଧର୍ମ ପ୍ରତି ସେଠାକାର କେତେକ ଅଧିବାସୀମାନେ ବିଶେଷ ଆକୃଷ୍ଟ ହୋଇ ପଡ଼ିଥିବା ପରି ମନେ ହେଲା ।

 

ମଣିପୁର ଗସ୍ତ ଶେଷ କରି ମୁଁ ୨୩ ତାରିଖ ସକାଳେ ଓଡ଼ିଶାରେ ପହଞ୍ଚିଲି । ମଣିପୁର ଏକ କ୍ଷୁଦ୍ର ରାଜ୍ୟ, ମାତ୍ର ସେମାନେ ଯେପରି ସଂସ୍କୃତି ସଚେତନ ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ନିଜର ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ସେମାନଙ୍କର ମମତା ବାସ୍ତବିକ ପ୍ରଶଂସନୀୟ । ଆପଣାର ସଂସ୍କୃତି, ଆପଣାର ସାହିତ୍ୟ, ଆପଣାର ଜନ୍ମଭୂମିକୁ କିପରି ଭଲ ପାଇବାକୁ ହୁଏ, ସେ ସମ୍ପର୍କରେ ମଣିପୁରବାସୀଙ୍କ ଠାରୁ ବହୁ ବିଷୟ ଶିଖିବାର ଅଛି ।

***

 

ବାଗ୍‍ବିଶେଷ

ପ୍ରାଚ୍ୟ ଓ ପାଶ୍ଚାତ୍ୟ

 

ବିଭିନ୍ନ ଭାରତୀୟ ଭାଷା-ସାହିତ୍ୟ, ମଧ୍ୟଯୁଗର ଆରମ୍ଭରେ, ସଂସ୍କୃତ ବିରୋଧରେ ସାଂସ୍କୃତିକ ପ୍ରତିବାଦ ମଧ୍ୟରୁ ଜନ୍ମଲାଭ କରିଥିଲେ ସୁଦ୍ଧା ମଧ୍ୟଯୁଗର ଶେଷଆଡ଼କୁ ଏସବୁ ଓତପ୍ରୋତ ଭାବରେ ସଂସ୍କୃତ ସାହିତ୍ୟର ପ୍ରବୃତ୍ତି, ମୂଲ୍ୟବୋଧ ଓ ଶୈଳୀଦ୍ୱାରା ପ୍ରଭାବିତ ହୋଇ ପଡ଼ିଥିଲେ । ଉତ୍ତର ମଧ୍ୟଯୁଗୀୟ ଓଡ଼ିଆ ଆଳଙ୍କାରିକ କାବ୍ୟ-ସାହିତ୍ୟ ଏହାର ପ୍ରକୃଷ୍ଟ ଉଦାହରଣ । ଆଦିକବି ସାରଳା ଦାସ ଓ ପରିମଳା କାବ୍ୟ ପ୍ରଣେତା ନରସିଂହ ସେଣଙ୍କ ଶୈଳୀ ସହିତ ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁ ସାମନ୍ତ ସିଂହାର ପ୍ରମୁଖଙ୍କ କାବ୍ୟଶୈଳୀ ଓ କାବ୍ୟ ପ୍ରଭୃତି ତୁଳନା କଲେ, ଏହା ସ୍ପଷ୍ଟ ବୁଝା ପଡ଼ିଥାଏ ।

 

ସାହିତ୍ୟ, ଯେକୌଣସି ଭାଷାରେ ହେଉନା କାହିଁକି, ଆଦୌ ଏକ ରୁଦ୍ଧ ପ୍ରକୋଷ୍ଠ ନୁହେଁ । ଭାବର ପ୍ରଦାନ ମଧ୍ୟରେ ହିଁ ସାହିତ୍ୟ ପରିଦୃଷ୍ଟ ହୋଇଥାଏ । ଭାବପ୍ରକାଶ ପାଇଁ ପ୍ରୟୋଜନ ପଡ଼ିଲେ, ଅନ୍ୟ ଭାଷା ଓ ସାହିତ୍ୟରୁ ଶୈଳୀ, ଶବ୍ଦ ଓ ବାକ୍ୟାଂଶ ମଧ୍ୟ ଆହରଣ କରିବାକୁ ପଡ଼ିଥାଏ-। ତା ନ ହେଲେ ଭାଷା ଓ ସାହିତ୍ୟ ପରିପୁଷ୍ଟ ହେବା ସମ୍ଭବ ନୁହେଁ । ଏଥିରେ ଖପରାଡ଼ିଆଁ ଶୁଚିବାଇ ଚଳେନାହିଁ !

 

ଓଡ଼ିଆ ସାହିତ୍ୟରେ ମଧ୍ୟଯୁଗର ଶେଷଆଡ଼କୁ ଆଧୁନିକ ଯୁଗ ଆରମ୍ଭରେ, କବିବର ରାଧାନାଥ ଓ ମଧୁସୂ‌ଦନ ପ୍ରମୁଖ, ସେମାନଙ୍କ ସମସାମୟିକ ଅଥବା ଅଳ୍ପ ପୂର୍ବବର୍ତ୍ତୀ ପ୍ରସିଦ୍ଧ ଇଂରାଜୀକବିମାନଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିବା ଅସ୍ୱୀକାର କରାଯାଇ ପାରିବ ନାହିଁ । କବି ମିଲ୍‍ଟନ୍‍ଙ୍କର ‘ପାରାଡ଼ାଇଜ୍ ଲଷ୍ଟ’ କବିବର ରାଧାନାଥଙ୍କୁ ଓଡ଼ିଆରେ ଅମିତ୍ରାକ୍ଷର ଛନ୍ଦ ପ୍ରବର୍ତ୍ତନ ପାଇଁ ଅନୁପ୍ରେରିତ କରିଥିଲା । କବିବରଙ୍କର ‘ଲେଖାବଳୀ’ ବଙ୍ଗଳା କବିତାଗୁଚ୍ଛର କେତେକ କବିତାରେ ଇଂରାଜୀ କବି ସେଲୀଙ୍କର କେତେକ କବିତାର ପ୍ରଭାବ ଭାବବସ୍ତୁ ଦୃଷ୍ଟିରୁ ବେଶ୍‌ସୁସ୍ପଷ୍ଟ । ମାତ୍ର ଉପେନ୍ଦ୍ର ଭଞ୍ଜ ହୁଅନ୍ତି, ସେମାନେ ଅନ୍ୟ ସାହିତ୍ୟର ଯେଉଁସବୁ ପ୍ରଭାବ ଓ ପ୍ରବୃତ୍ତି ଆହରଣ କରିଥିଲେ, ସେ ସବୁକୁ ଅତି ବିଶ୍ୱସ୍ତ, ନିର୍ଭେଜାଲ ଭାବରେ ଓଡ଼ିଆ ସାହିତ୍ୟର ପରମ୍ପରା ଓ ମୂଲ୍ୟବୋଧ ସହିତ ସପିଣ୍ଡୀକୃତ କରିପାରିଥିଲେ । ସେଥିପାଇଁ ରାଧାନାଥଙ୍କର କାବ୍ୟକୁ ସତ୍ୟବାଦୀ ଗୋଷ୍ଠୀର କେହି କେହି କବି ‘ବିଜାତୀୟ’ ବୋଲି ଆକ୍ଷେପ କରିଥିଲେ ସୁଦ୍ଧା ସେମାନେ ନିଜର ଅଜ୍ଞାତସାରରେ ରାଧାନାଥଙ୍କ କାବ୍ୟଶୈଳୀ ଦ୍ୱାରା ପ୍ରଭାବିତ ହୋଇଥିଲେ । ରାଧାନାଥ ପ୍ରମୁଖ ‘ବିଜାତୀୟତା’ ସତ୍ତ୍ୱେ ଓଡ଼ିଆ ଜାତିର ଚେତନାକୁ ଏହି କାରଣରୁ ଗଭୀର ଭାବରେ ସ୍ପର୍ଶ କରିପାରି ଥିଲେ । ସେଦିନ ଇଂରାଜୀ ସାହିତ୍ୟରୁ ଆହରଣ ସତ୍ତ୍ୱେ ଓଡ଼ିଆ କବି ଓ ପାଠକ-ସମାଜ ମଧ୍ୟରେ ସମ୍ପର୍କଚ୍ୟୁତି ଘଟିନଥିଲା । ଅପରପକ୍ଷରେ ଏହା ଥିଲା ନିବିଡ଼ ଓ ଗଭୀର ।

 

କିନ୍ତୁ ସାଂପ୍ରତିକ କବି, ଲେଖକ ଓ ନାଟ୍ୟକାରମାନେ ପାଶ୍ଚାତ୍ୟ ସାହିତ୍ୟରୁ ଅନେକ ପ୍ରଭାବ ଓ ପ୍ରବୃତ୍ତି ଆହରଣ କରୁଥିଲେହେଁ, ଓଡ଼ିଆ ସାହିତ୍ୟ ପରଂପରା ସହିତ ତାହାକୁ ସପିଣ୍ଡୀକୃତ କରିପାରୁନାହାନ୍ତି । ମୋର ମନେହୁଏ, ସାଂପ୍ରତିକ ଓଡ଼ିଆ କବିତା ଅଧିକାଂଶତଃ ଓଡ଼ିଆ ପାଠକ ସମାଜର ଚେତନାକୁ ଯେ ସ୍ପର୍ଶ କରିପାରୁନାହିଁ, ତାର ମୂଳ କାରଣ ଏଇଠାରେ ଜାତିର ଅବଚେତନ ଓ ସାଂସ୍କୃତିକ ମୂଲ୍ୟବୋଧ ସହିତ ସପିଣ୍ଡୀକୃତ ନହେଲେ, ସାହିତ୍ୟ କେବଳ ଆଙ୍ଗିକର ଚମତ୍କାରିତା ବା ଭାବସମ୍ପଦର ନୂତନତ୍ୱର ଜାତିର ପ୍ରାଣକୁ ସ୍ପର୍ଶ କରିପାରିବ ନାହିଁ ।

 

ସ୍ୱାଧୀନତା ପରେ ଦେଖାଯାଉଛି-ଆମେ ଯେତେ ବେଶୀ ସଂସ୍କୃତିଚର୍ଚ୍ଚା ନାମରେ ସ୍ଲୋଗାନ ଦେଉଛୁ, କ୍ରମେ ସେତେ ବେଶୀ ଆମର ସାଂସ୍କୃତିକ ଐତିହ୍ୟଠାରୁ ଆମେ ବିଚ୍ଛିନ୍ନ ହୋଇ ପଡ଼ୁଛୁ । ଯାହାକିଛି ପାଶ୍ଚାତ୍ୟ ସାହିତ୍ୟରେ ଦେଖୁଛୁ, ଅହେତୁକ ଗୌଣ ମନୋବୃତ୍ତିରେ ସେସବୁକୁ ସାଉଣ୍ଟି ନେଉଛୁ । କିନ୍ତୁ ଏହି ପ୍ରତିକ୍ରିୟାରେ ଆମେ ଭୁଲିଯାଉଛୁ ଯେ, କବି ଗୋଟେ ଦିନେ କାଳିଦାସ ପ୍ରମୁଖଙ୍କ ସଂସ୍କୃତ ନାଟକରେ ସୁତ୍ରଧାର ବା ବିଦୂଷକ ଚରିତ୍ରରୁ ‘Jester’ ଚରିତ୍ର ଜର୍ମାନ ନାଟକକୁ ଆମଦାନୀ କରିଥିଲେ । ଟଲଷ୍ଟୟ, ରୋମାଲୋଳାଁ, ଡବଲ୍ୟୁ. ବି.ୟୀଟସ ପ୍ରମୁଖ ଭାରତୀୟ ମୂଲ୍ୟବୋଧ ବା ଆଦର୍ଶ ଦ୍ୱାରା ଯେଉଁ ପରିମାଣରେ ପ୍ରଭାବିତ ହୋଇଥିଲେ, ଆମର ସାମ୍ପ୍ରତିକ ଲେଖକମାନେ ସେତେ ପରିମାଣରେ କିମ୍ବା ଆଦୌ ପ୍ରଭାବିତ ହୋଇପାରିନାହାନ୍ତି । ଇମରସନ ଓ ଆଇସରଉଡ଼୍ ପ୍ରମୁଖ, ଶ୍ରୀମଦ୍ ଭଗବତ୍ ଗୀତାର ଚମତ୍କାର ଇଂରାଜୀ ଅନୁବାଦ କରି ପାରିଲେ । କିନ୍ତୁ ଆମ ଦେଶରେ ସାମ୍ପ୍ରତିକ କେତେଜଣ କବି ବା ଲେଖକ, ଶ୍ରୀମଦ୍ ଭଗବତ୍ ଗୀତାର ଭାବସୌନ୍ଦର୍ଯ୍ୟ ନହେଉ ପଛେ, କାବ୍ୟସୌନ୍ଦର୍ଯ୍ୟ ସହିତ ପରିଚିତ ? ଏପରିକି ଆମେରିକାନ୍ କବି ୱାଲଟ ହୁଇଟମ୍ୟାନ୍ ସୁଦ୍ଧା, ଗୀତାର ପ୍ରଭାବରେ କବିତା ଲେଖି ପାରିଲେ ଓ ଆମେ ତାଙ୍କ କବିତାର ଖୁବ୍‌ତାରିଫ୍ କଲୁ । କିନ୍ତୁ ଆମେ ଗୀତାର ଗୋଟିଏ ଶ୍ଲୋକ ସୁଦ୍ଧା ଅବଲମ୍ବନ କରି କବିତାଟିଏ ଲେଖି ପାରିଲୁ ନାହିଁ । ଗୀତା ପ୍ରସିଦ୍ଧ ଶ୍ଲୋକ ‘କର୍ମେଣ୍ୟ ବାଧିକାରସ୍ତେ ମା ଫଳେଷୁ କଦାଚନ ଶ୍ଲୋକ ଦ୍ୱାରା ପ୍ରଭାବିତ ହୋଇ, ଔପନ୍ୟାସିକ ହେମିଙ୍ଗ ୱେ ‘ଓଲଡ଼ମ୍ୟାନ ଆଣ୍ଡ ସି’ ପରି ପ୍ରସିଦ୍ଧ ଉପନ୍ୟାସ ଲେଖି ପାରିଲେ ଓ ଆମେ ତା’ର ଖୁବ୍ ତାରିଫ୍ କଲୁ ! କିନ୍ତୁ ଗୀତାର ସେହି ଶ୍ଲୋକ ଆମକୁ ତତ୍ତ୍ୱଲ୍ୟକୃତି ପାଇଁ ଅନୁପ୍ରେରିତ କରିପାରିଲା ନାହିଁ । ସେହିପରି, ଜର୍ମାନ ଔପନ୍ୟାସିକ, ହରମାନ୍‌ହେସ ବେଦାନ୍ତ ଓ ବୌଦ୍ଧଧର୍ମର ମୂଲ୍ୟବୋଧ ଦ୍ୱାରା ଅନୁପ୍ରେରିତ ହୋଇ ସିଦ୍ଧାର୍ଥ ଉପନ୍ୟାସ ଲେଖିପାରିଲେ । ଆମେ କିନ୍ତୁ ଆମରି ବେଦାନ୍ତ ଓ ବୌଦ୍ଧଧର୍ମର ସୀମା ସୁଦ୍ଧା ମାଡ଼ି ପାରିଲୁ ନାହିଁ । ଡେନମାର୍କର ଔପନ୍ୟାସିକ କାର୍ଲ ଗିଲେଲନ୍‌(୧୮୫୭-୧୯୧୯) ବୌଦ୍ଧ ବିଷୟବସ୍ତୁ ନେଇ ଉପନ୍ୟାସ ଲେଖି ନୋବେଲ ପୁରସ୍କାର ପାଇ ପାରିଲେ ! କିନ୍ତୁ ଆମର ଅଧିକାଂଶ ସାମ୍ପ୍ରତିକ ଲେଖକ କେବଳ ଗୌତମ ବୁଦ୍ଧଙ୍କ ନାମଛଡ଼ା, ଅନ୍ୟ କିଛି ସହିତ ପରିଚିତ ନୁହନ୍ତି । ବସ୍ତୁତଃ ‘ଇଣ୍ଡୋଇଜି’ ବା ପ୍ରାଚ୍ୟବିଦ୍ୟା ଭାରତ ଭୂମିରୁ ବିଦାୟ ନେଲାଣି । ସାମ୍ପ୍ରତିକ ସାହିତ୍ୟର ଗୁଣାତ୍ମକ ଅଧୋଗତିରେ ଏହା ଏକ ପ୍ରଧାନ କାରଣ । ଆମେ ଆମ ସାଂସ୍କୃତିକ ପରମ୍ପରା, ମୂଲ୍ୟବୋଧ ଓ ଐତିହ୍ୟ ସହିତ ପରିଚିତ ନୋହୁଁ !

 

ଆମେ ସବୁ ଆମ ନିଜ ଘରେ ଆଗନ୍ତୁକ ! ଆମେ ସବୁ ଔପନ୍ୟାସିକ ଆଲବର୍ଟ କାମ୍ୟୁଙ୍କର ‘ଦି ଆଉଟ୍‌ ସାଇଡ଼ର’ !

***

 

 

ଏକାଡେମୀ ସମାଚାର

‘‘ସାଂପ୍ରତିକ ଓଡ଼ିଆ ଉପନ୍ୟାସର ସମସ୍ୟା’’

ଓଡ଼ିଶା ସାହିତ୍ୟର ଏକାଡେମୀ ପକ୍ଷରୁ ଆଲୋଚନା-ଚକ୍ର

 

ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ୬।୮।୮୬ ଏବଂ ୭।୦୮।୮୬ ଦୁଇଦିନ ବ୍ୟାପୀ “ସାଂପ୍ରତିକ ଓଡ଼ିଆ ଉପନ୍ୟାସର ସମସ୍ୟା” ଶୀର୍ଷକ ଏକ ଆଲୋଚନା ଚିତ୍ର ଅନୁଷ୍ଠିତ ହୋଇଯାଇଛି-। ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ୬।୦୮।୮୬ ତାରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଏକାଡେମୀର ସଭାପତି ତଥା ବିଶିଷ୍ଟ ଓପନ୍ୟାସିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହି ଆଲୋଚନା ଚିତ୍ର ଉଦ୍‍ଘାଟନ କରିଥିଲେ । ଉଦ୍‍ଘାଟନ ଭାଷଣ ପ୍ରସଙ୍ଗରେ ସଂପ୍ରତି ଓପନ୍ୟାସିକମାନେ ସ୍ୱୀୟ ମୌଳିକତା ରକ୍ଷା କରିବା ପାଇଁ ଏବଂ ନୂତନତ୍ୱର ସନ୍ଧାନ କରିବାପାଇଁ ସେ ସେମାନଙ୍କୁ ଆହ୍ୱାନ କରିଥିଲେ । ଆଉ ମଧ୍ୟ ସେ କହିଲେ ଯେ, ଅର୍ଦ୍ଧଶତାବ୍ଦୀ ପୂର୍ବରୁ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ଉଦ୍ୟମରେ ଆନନ୍ଦ ଲହରୀ ଉପନ୍ୟାସମାଳା ପର୍ଯ୍ୟାୟରେ ପ୍ରତ୍ୟେକ ମାସରେ ଗୋଟିଏ ଗୋଟିଏ ଉପନ୍ୟାସ ପ୍ରକାଶିତ ହୋଇ ତାହା ସେ କାଳର ସୀମିତ ପାଠକ ସଂଖ୍ୟା ସତ୍ତ୍ୱେ ବିକ୍ରୟ ହୋଇ ପାରୁଥିଲେ ମଧ୍ୟ ବର୍ତ୍ତମାନ ପାଠକ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲେ ମଧ୍ୟ ଉପନ୍ୟାସର ଚାହିଦା ଯଦି ହ୍ରାସ ପାଇଥାଏ, ତାହାର କାରଣ ବୋଧହୁଏ ସାଂପ୍ରତିକ ଉପନ୍ୟାସ କ୍ଷେତ୍ରରେ ମୌଳିକ ଓ ନୂତନ ରଚନାର ଅଭାବ । ବର୍ତ୍ତମାନର ଲେଖକମାନେ ପୂର୍ବାପେକ୍ଷା ଅଧିକ ସୁଖ ସ୍ୱାଚ୍ଛନ୍ଦ୍ୟ ଏବଂ ସୃଷ୍ଟିକ୍ଷମ ପରିସ୍ଥିତି ମଧ୍ୟରେ ରହିଥିଲେ ମଧ୍ୟ ତନ୍ମୟତା ଏବଂ ନୂତନ ଦିଗଦର୍ଶନ ସନ୍ଧାନ ଅଭାବରୁ ଆଶାନୁରୂପ ରସୋତ୍ତୀର୍ଣ୍ଣ ସୃଷ୍ଟିର ବୋଧହୁଏ ଅଭାବ ରହିଛି ବୋଲି ସେ ମତ ଦେଇଥିଲେ । ଲେଖକମାନେ ସାଂପ୍ରତିକ ସମସ୍ୟାବଳୀ ସମ୍ପର୍କରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ସୂଚାଇଥିଲେ ।

 

ଉଦ୍‍ଘାଟନ ଅଧିବେଶନରେ ଅଧ୍ୟକ୍ଷ ଶ୍ରୀ ପଠାଣୀ ପଟ୍ଟନାୟକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ଏହି ପ୍ରବନ୍ଧରେ ବିଭିନ୍ନ ବିଭାବ ସମ୍ପର୍କରେ ଆରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ ଏହି ଆଲୋଚନା ଚିତ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

 

ଅପରାହ୍ନ ଅଧିବେଶନରେ ବିଶିଷ୍ଟ କଥାକାର ଓ ପ୍ରାବନ୍ଧିକ ଶ୍ରୀ ଚନ୍ଦ୍ରଶେଖର ରଥ ଭିତ୍ତି-ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ଏହି ଭିତ୍ତି ପ୍ରବନ୍ଧ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ, ଡଃ ଶ୍ରୀନିବାସ ମିଶ୍ର ଏବଂ ଅଧ୍ୟାପକ ହରିହର ମିଶ୍ର ।

 

୭।୮।୮୬ ତାରିଖର ପୂର୍ବାହ୍ନ ଅଧିବେଶନରେ ଔପନ୍ୟାସିକ ଶ୍ରୀ ବିଭୂତି ପଟ୍ଟନାୟକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ଆଲୋଚକ ଭାବେ ଯୋଗଦାନ କରିଥିଲେ ଡଃ କୃଷ୍ଣପ୍ରସାଦ ମିଶ୍ର, ଡଃ (ଶ୍ରୀମତୀ) ରେଖା ମହାନ୍ତି ଓ ଡଃ ବାଉରୀବନ୍ଧୁ କର ।

 

୭।୮।୮୬ ରିଖର ଅପରାହ୍ନ ଅଧିବେଶନରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ଡଃ କୃଷ୍ଣଚରଣ ବେହେରା ଏବଂ ଡଃ ରବୀନ୍ଦ୍ର କୁମାର ପ୍ରହରାଜ । ଭିତ୍ତି ପ୍ରବନ୍ଧର ବିଭିନ୍ନ ବିଭାବ ସମ୍ପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ, ମହାପାତ୍ର ନୀଳମଣି ସାହୁ ଏବଂ ଶ୍ରୀ କିଶୋରୀଚରଣ ଦାସ ।

 

ଆଲୋଚନା ଚକ୍ରର ସମସ୍ତ ଅଧିବେଶନରେ ଏକାଡେମୀ ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ ଏବଂ ଏକାଡେମୀର ଉପସଭାପତି କବି ଶ୍ରୀ ରାଧାମୋହନ ଗଡ଼ନାୟକ ଆଲୋଚନା ଚିତ୍ରର ସଂଯୋଜକ ଭାବରେ ଯୋଗଦାନ କରିଥିଲେ ।

***

 

ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରଦାନ ଉତ୍ସବ

 

୧୯୮୨, ୧୯୮୩ ଏବଂ ୧୯୮୪ ମସିହା ମଧ୍ୟରେ ପ୍ରକାଶିତ ଓଡ଼ିଆ ପୁସ୍ତକଗୁଡ଼ିକ ମଧ୍ୟରୁ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ପୁସ୍ତକଗୁଡ଼ିକର ଲେଖକ/ଲେଖିକାମାନଙ୍କୁ ଉପାୟନ ପ୍ରଦାନ କରାଯିବା ଉପଲକ୍ଷେ ୭।୬।୮୬ ତାରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ଭୂବନେଶ୍ୱରସ୍ଥ ସୂଚନା ଭବନଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା ।

 

ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ପୁରସ୍କୃତ ଲେଖକ ଲେଖିକାମାନଙ୍କୁ ତାମ୍ରପତ୍ର ଓ ଉପାୟନ ପ୍ରଦାନ କରିଥିଲେ । ଏ ଅବସରରେ ସ୍ୱୀୟ ଅଭିଭାଷଣ ପ୍ରସଙ୍ଗରେ ସେ କହିଥିଲେ ଯେ ସାହିତ୍ୟିକମାନଙ୍କୁ ସମ୍ମାନିତ କରିବା ଦ୍ୱାରା ରାଷ୍ଟ୍ର ନିଜେ ସମ୍ମାନିତ ହୋଇଥାଏ । ଭାରତର ଅନ୍ୟାନ୍ୟ ଭାଷା ସହିତ ଓଡ଼ିଆ ଭାଷା ଓ ସାହିତ୍ୟ ବର୍ତ୍ତମାନ ସମକକ୍ଷ ହୋଇ ପାରିଥିଲେ ମଧ୍ୟ ଉପଯୁକ୍ତ ପ୍ରଚାର ଅଭାବରୁ ଏହାର ଗୌରବ ଓଡ଼ିଶା ବାହାରେ ପହଞ୍ଚିପାରିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ଓଡ଼ିଆ ସାହିତ୍ୟିକମାନଙ୍କର କୃତିତ୍ୱକୁ ପ୍ରତିପାଦନ କରିବା ପାଇଁ ସାହିତ୍ୟ ଏକାଡେମୀର ଗୁରୁଦାୟିତ୍ୱ ରହିଛି ବୋଲି ସେ କହିଥିଲେ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସମେତ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିବା ସମସ୍ତ ଓଡ଼ିଆ ଅଭିଧାନରେ ସମସ୍ତ ଓଡ଼ିଆ ଶବ୍ଦ ଉପଯୁକ୍ତ ଭାବରେ ସ୍ଥାନ ପାଇନାହିଁ ବୋଲି ମତ ପ୍ରକାଶ କରି ଓଡ଼ିଆ ଭାଷାରେ ପ୍ରଚଳିତ ଉପାଦେୟ ଶବ୍ଦ ଏବଂ କଥିତ ଭାଷାର ଶବ୍ଦ ସମୂହ ଏକ ପ୍ରାମାଣିକ ଅଭିଧାନ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ କରାଯାଇ ପାରିଲେ ବହୁଦିନରୁ ଏକ ଆବଶ୍ୟକତା ପୂରଣ ହୋଇପାରନ୍ତା ବୋଲି ସେ ପ୍ରକାଶ କରିଥିଲେ । କୃତି ସାହିତ୍ୟିକମାନଙ୍କୁ ପ୍ରଦାନ କରାଯାଉଥିବା ପୁରସ୍କାରକୁ ଆବଶ୍ୟକ ହେଲେ ୨୦ ସଂଖ୍ୟା ପର୍ଯ୍ୟନ୍ତ ବୃଦ୍ଧି କାରାଯାଇପାରେ ବୋଲି ସେ କହିଥିଲେ ।

 

ଏକାଡେମୀର ସମ୍ପାଦନ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ ସମ୍ମାନିତ ଅତିଥି ଏବଂ ପୁରସ୍କୃତ ଲେଖକ ଓ ଉପସ୍ଥିତ ସୂଧୀ ମଣ୍ଡଳୀଙ୍କୁ ଏକାଡେମୀ ସହିତ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ପୁରସ୍କୃତ ପୁସ୍ତକ ତଥା ଲେଖକମାନଙ୍କର ନାମ ନିମ୍ନରେ ଉଲ୍ଲେଖ କରାଗଲା ।

(କ)

କାବ୍ୟ-କବିତା ବିଭାଗ-‘ମନର ମାନଚିତ୍ର’ ଲେଖକ – ଶ୍ରୀ ବ୍ରଜନାଥ ରଥ

(ଖ)

ଉପନ୍ୟାସ ବିଭାଗ-“ସପ୍ତସିନ୍ଧୁ” ୧ମ ଓ ୨ୟ – ଡଃ ନୃସିଂହ ଚରଣ ପଣ୍ଡା

(ଗ)

ଗଳ୍ପ ବିଭାଗ – ‘ହିରଣ୍ୟଗର୍ଭ’ – ଶ୍ରୀ ରବି ପତ୍ତନାୟକ

(ଘ)

ନାଟକ ଓ ଏକାଙ୍କିକା ବିଭାଗ – ‘ମହାନାଟକ’ – ଶ୍ରୀ ରମେଶ ପାଣିଗ୍ରାହୀ

(ଙ)

ପ୍ରବନ୍ଧ ଓ ସମାଲୋଚନା ବିଭାଗ-ବଳଦେବ ରଥ ଅଧ୍ୟୟନ-ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର

(ଚ)

ଜୀବନୀ, ଆତ୍ମ ଜୀବନୀ, ଭ୍ରମଣ ବୃତ୍ତାନ୍ତ ଓ ବୈଜ୍ଞାନିକ ସାହିତ୍ୟ ବିଭାଗ-‘ଋଣ ପରିଶୋଧ’-ଶ୍ରୀ ବିନୋଦ କାନୁନ୍‌ଗୋ

(ଛ)

ଶିଶୁ ସାହିତ୍ୟ ବିଭାଗ-‘ବଣରାଇଜର କଥା’-ଶ୍ରମତୀ ମନୋରମା ମହାପତ୍ର

***

 

ଏକାଡେମୀ ସମାଚାର

 

ବୟୋଜ୍ୟେଷ୍ଠ ବିଶିଷ୍ଟ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

 

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୧୫।୬।୮୬ ତାରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଆୟୋଜିତ ଏକ ସାରସ୍ୱତ ଉତ୍ସବରେ ଓଡ଼ିଶାର ୧୪ ଜଣ ବୟୋଜ୍ୟେଷ୍ଠ ବରିଷ୍ଠ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

 

ଏହି ସାରସ୍ୱତ ଉତ୍ସବରେ ଓଡ଼ିଶାର ଅର୍ଥ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଗଙ୍ଗାଧର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମ୍ମାନିତ ଲେଖକମାନଙ୍କୁ ତାମ୍ରଲେଖ ଓ ଉପଢ଼ୌକନ ପ୍ରଦାନ କରିଥିଲେ । ସମାରୋହରେ ଏକାଡେମୀର ସଭାପତି ଶ୍ରୀ ସରେନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ ଉତ୍ସବର ଆରମ୍ଭରେ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

 

ଏହି ଉତ୍ସବରେ ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟକମାନଙ୍କର ନାମ ନିମ୍ନରେ ଉଲ୍ଲେଖ କରାଗଲା ।

୧.

ଶ୍ରୀ ଅନନ୍ତ ପଟ୍ଟନାୟକ

୨.

ଶ୍ରୀ ହରିହର ପଟେଲ

୩.

ଶ୍ରୀ ଉମେଶଚନ୍ଦ୍ର ପାଣିଗ୍ରାହୀ

୪.

ଶ୍ରୀ ରଜନୀକାନ୍ତ ଦାସ

୫.

ଶ୍ରୀ ଶତ୍ରୁଘ୍ନ ନାଥ

୬.

ଶ୍ରୀ ରାଧାମୋହନ ପାଣିଗ୍ରାହୀ

୭.

ଶ୍ରୀ ଗୋପାଳ ଛୋଟରାୟ

୮.

ପଣ୍ଡିତ ଶ୍ରୀ ଶ୍ରୀଧର ହୋତା

୯.

ଶ୍ରୀ ଚିତ୍ତରଞ୍ଜନ ଦାସ

୧୦.

ଶ୍ରୀ ସୁଧାଂଶୁ ଶେଖର ରାୟ

୧୧.

ଶ୍ରୀମତୀ ନନ୍ଦିନୀ ଶତପଥୀ

୧୨.

ପଣ୍ଡିତ ଶ୍ରୀ ଦାଶରଥି ଦାଶ

୧୩.

ଶ୍ରୀ ଭାଗୀରଥୀ ପୂଜାରୀ

୧୪.

ଶ୍ରୀ ନିତ୍ୟାନନ୍ଦ ଆଚାର୍ଯ୍ୟ

 

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗଙ୍ଗାଧର ମହାପାତ୍ର ସମ୍ବର୍ଦ୍ଧିତ ସାହିତ୍ୟିକମାନଙ୍କୁ ସେମାନଙ୍କର ସାହିତ୍ୟ ସାଧନା ଏବଂ କୃତିତ୍ୱ ପାଇଁ ବଧାଇ ଜଣାଇବା, ଦେଶ ଓ ଜାତିକୁ ନୂତନ ଦିଗ୍‌ଦର୍ଶନ ଦେବାପାଇଁ ସାହିତ୍ୟିକମାନଙ୍କୁ ଆହ୍ୱାନ କରିଥିଲେ । ଉପସ୍ଥିତ ସମ୍ବର୍ଦ୍ଧିତ ଲେଖକବୃନ୍ଦ ସେମାନଙ୍କର ଅଭିଜ୍ଞତା ଓ ଆଦର୍ଶ ସାହିତ୍ୟିକ ଜୀବନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । କେତେକ ଅନିବାର୍ଯ୍ୟ କାରଣ ବଶତଃ ଶ୍ରୀ ଅନନ୍ତ ପଟ୍ଟନାୟକ, ଶ୍ରୀ ଉମେଶଚନ୍ଦ୍ର ପାଣିଗ୍ରାହୀ ଓ ଶ୍ରୀମତୀ ନନ୍ଦିନୀ ଶତପଥୀ ଏହି ଉତ୍ସବରେ ଯୋଗ ଦେଇପାରି ନ ଥିଲେ । ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କର ଅଭିଭାଷଣ ପ୍ରସଙ୍ଗରେ ସାହିତ୍ୟ ତଥା ସାହିତ୍ୟିକ ତା’ର ଯୋଗ୍ୟ ସମ୍ମାନ ପାଇବା ଉଚିତ୍‌ବୋଲି ମତ ପ୍ରକାଶ କରିଥିଲେ । ସାହିତ୍ୟିକମାନେ ପ୍ରସାରିତ କରିଥିବା ଭାଷାରେ ଆମେ ଆଜି ନିଜକୁ ପ୍ରକାଶ କରିବାରେ ସମର୍ଥ ହୋଇପାରିଛୁ ଏବଂ ସାହିତ୍ୟ ଆମ ଭିତରେ ଯେଉଁ ମୂଲ୍ୟବୋଧର ଚେତନା ଦେଉଛି, ସେହି ଚେତନା ସମାଜ ଓ ମନୁଷ୍ୟର ବୃହତ୍ତର ଅଭିବ୍ୟକ୍ତି ପାଇଁ ସାହାଯ୍ୟ କରି ଆସିଛି ବୋଲି ସେ କହିଥିଲେ । ଯେଉଁ ବରେଣ୍ୟ ସାହିତ୍ୟିକମାନେ ଆଧୁନିକତାର ପରିସର ଭିତରକୁ ଆସିପାରୁନାହାନ୍ତି ଅଥଚ ସାହିତ୍ୟ କ୍ଷେତ୍ରରେ ସାମାଜିକ ସ୍ୱୀକୃତି ପାଇଛନ୍ତି, ସେହିଭଳି ସାହିତ୍ୟିକମାନଙ୍କୁ ଏକାଡେମୀ ସମ୍ବର୍ଦ୍ଧିତ କରି ତା’ର କର୍ତ୍ତବ୍ୟ ସାଧନ କରିଛି ବୋଲି ସେ କହିଥିଲେ ।

***

 

ସଂପାଦକୀୟ

କବି ସଚ୍ଚିଦାନନ୍ଦ ରାଉତରାୟ

 

ଓଡ଼ିଆ ସାହିତ୍ୟ-ଜଗତରେ କବି ସଚ୍ଚିଦାନନ୍ଦ ରାଉତରାୟ ନିଶ୍ଚିତ ଭାବରେ ଏକ ପ୍ରଚଣ୍ଡ ପ୍ରତିଭା । କୈଶୋର ବୟସରୁ ସେ ଲେଖନୀ ଚାଳନା କରି ଆସିଛନ୍ତି । ଆମ ଦେଶର ଶିଶିର, ନବୀନ, ସହକାର, ଆଧୁନିକ, ଉତ୍କଳ ସାହିତ୍ୟ ଓ ଝଂକାର ପତ୍ରିକାମାନ ତାଙ୍କରି ଅବଦାନରେ ଭରପୂର ହଉଥିଲା ।

 

ତାଙ୍କର ପାଥେୟ, ପୂର୍ଣ୍ଣିମା, ଅଭିଯାନ, ବାଜି ରାଉତ, ଭାନୁମତୀର ଦେଶ, ସ୍ୱଗତ, ପାଣ୍ଡୁଲିପି, କବିତା ୧୯୬୨ ଓ କବିତା ୭୪ କାବ୍ୟଗ୍ରନ୍ଥ ଦ୍ୱାରା ଆମ ଓଡ଼ିଆ ସାହିତ୍ୟ ଋଦ୍ଧିମନ୍ତ ହୋଇଅଛି ।

 

ସାଂପ୍ରତିକ କବିତାର ଆଙ୍ଗିକ ଓ ଆତ୍ମିକ ଉଭୟରେ ତାଙ୍କର ଆଲୋଚନା ଅତ୍ୟନ୍ତ ଗଭୀର, ଉଭୟର ଉପସ୍ଥାପନାରେ ତାଙ୍କର ଉଜ୍ଜଳ ସ୍ୱାକ୍ଷର ଅମ୍ଲାନ ହୋଇ ରହିବ ।

 

କବି ଯେଉଁ ନିଭୃତ ପ୍ରଦେଶର ଆବିଷ୍କାର କରି ଥାଆନ୍ତି, ସାଧାରଣ ପାଠକ ପାଠିକା ତାହାର ସହଜ ଅବବୋଧ କରି ପାରନ୍ତି ନାହିଁ, ତେଣୁ କବି ଆତ୍ମସମୀକ୍ଷା କରି ସମାଲୋଚକ ହୁଅନ୍ତି-। ସାହିତ୍ୟରେ ଟି.ଏସ୍‌. ଏଲିଏଟ ଯେପରି କବି, ସେଇପରି ସମାଲୋଚକ । ଆମର ଶ୍ରୀ ରାଉତରାୟ ତଦ୍ରୂପ କବି ଓ ସମାଲୋଚକ ।

 

ମାତ୍ର ସାଂପ୍ରତିକ ଜଗତରେ ସାହିତ୍ୟ ସୃଷ୍ଟି ଓ ତା’ର ସ୍ରଷ୍ଟାଙ୍କର ଦୁର୍ଗତି ଆଜି ଲକ୍ଷ୍ୟ କରିବାର କଥା । ପୃଥିବୀରେ ମଣିଷ-ମଣିଷ ମଧ୍ୟରେ ଅଧୁନା ଚରମ ବିଭେଦ ଓ ବିବାଦ । ତେଣୁ ପଥେ ପଥେ ରାଜନୀତିର ପ୍ରମତ୍ତ ତାଣ୍ଡବ । ସାହିତ୍ୟ ଆପେ ଆପେ ଅପସରି ଯାଉଅଛି । ତାହା ଲକ୍ଷ୍ୟ କରି ଜଣେ ପାଶ୍ଚାତ୍ୟ ସମାଲୋଚକ ନିଜର ବଳିଷ୍ଠ ସ୍ୱର ତୋଳି କହିଯାଇଛନ୍ତି-

“A beautiful damsel of Riga wanted a tiger ride, She had it, The tiger is politics and the damsel is literature.

After an hour the tiger came back with a smile on its face. Where did the damsel go ? It was in the stomach of the tiger.

ସାହିତ୍ୟର ଏଇ ଦୁରନ୍ତ ଅବସ୍ଥାରେ ଗତ ୨୩।୮।୮୬ ରାଉରକେଲା ସହରରେ କବି ରାଉତରାୟଙ୍କ ପାଇଁ ସମ୍ବର୍ଦ୍ଧନା ବ୍ୟବସ୍ଥା ଅତ୍ୟନ୍ତ ଆନନ୍ଦର ବିଷୟ । କବି ରାଧାନାଥ ଲେଖି ଯାଇଛନ୍ତି-

“ସଲିଳ ନ ସିଞ୍ଚି ଖାଲି ଦଣ୍ଡବତ

କରିବାକୁ ଛନ୍ତି ଲୋକ ଶତ ଶତ ।”

 

ଏ ସମ୍ବର୍ଦ୍ଧନା ନିର୍ଜଳ ନୁହେଁ, ଶୁଷ୍କ ନୁହେଁ, କବି ରାଉତରାୟଙ୍କ ହସ୍ତରେ ଦଶହଜାର ଟଙ୍କାର ଏକ ଥଳି ଦିଆଯାଇଥିଲା, ତାହା କେବଳ ବହିରଙ୍ଗ ନୁହେଁ, ଅନ୍ତରଙ୍ଗର ସହାୟ ବୋଲି ସହଜରେ କୁହାଯାଇପାରେ ।

 

କବି ରାଉତରାୟ ତାଙ୍କର କଟକ ନିବାସରେ ନୀରବରେ ସାହିତ୍ୟ ସାଧନା ଓ ସାହିତ୍ୟ ସୃଷ୍ଟି କରୁଛନ୍ତି, ଏ ବ୍ୟବସ୍ଥା ନିଶ୍ଚୟ ତାଙ୍କୁ ଉତ୍ସାହ ଓ ପ୍ରେରଣା ଦେବ, ମୋର ବିଶ୍ୱାସ ।

 

ଏଇ ଅବସରରେ କବିଙ୍କର ଉତ୍ତର ସତୁରୀ ବୟସରେ କୋଣାର୍କ ତାଙ୍କୁ ସମ୍ବର୍ଦ୍ଧନା ଦେଉଅଛି ଓ ରାଉରକେଲାରେ ଯେଉଁମାନେ କବିଙ୍କ ପାଇଁ ସମ୍ବର୍ଦ୍ଧନାର ବ୍ୟବସ୍ଥା କରିଛନ୍ତି, ତାଙ୍କୁ ସାଧୁବାଦ ଜଣାଉଅଛି ।

 

 

ରାଧାମୋହନ ଗଡ଼ନାୟକ

ସଂପାଦକ, କୋଣାର୍କ

***